ୟେ ଗୋବେଲ୍‌ ସତ ନ ହେଉ

ମିଛ, ସତ, ଅସଲି, ନକଲି ବାରିହେବା ସେତେ ସହଜ ନୁହଁ। ସେତେ ସହଜ କ’ଣ, ଆଦୌ ସହଜ ନୁହଁ। ‘ସତ’ର ଆଦରଣୀୟତା, ସବୁକାଳୀନ ପ୍ରତିଷ୍ଠା, ଅସଲିର ଗ୍ରହଣୀୟତା, ମୂଲ୍ୟ ଓ ମହାର୍ହ ଉପଲବ୍ଧି ଯୋଗୁଁ, ୟା ନାଁରେ ବିକେଇ ହେବାକୁ ସହଜଲବ୍ଧ ‘ମିଛ’ ଓ ‘ନକଲି’ର ସୃଷ୍ଟି। ଅସଲି ସୁନା କହି ଖାଦମୟ ନକଲି ବିକ୍ରିରେ ଠକି ହେବାର ଉଦାହରଣ କୋଉ କମ୍‌! ମଣିଷ ଦେହରେ ଦେବତା ବନିଯାଉଥିବା ସନ୍ନ୍ୟାସୀ, ବାଆଜି ମହାପ୍ରୁଙ୍କର ଏ ପ୍ରତିଷ୍ଠା ଲୋଭଗ୍ରସ୍ତ ଲୋକଗୁଡ଼ାଏ, ତାଙ୍କରି ଭଳି ଦାଢ଼ି ବାଳ ଛାଡ଼ି, ପେଟେ ଖାଇ ଏଉଡ଼ି ମାଇଲା ଭଳି ‘ଅଉମ୍‌ ଅଉମ୍‌’ କଥା କଥାକେ କହି ସେମିତି ଭ୍ରମ ସରଳ ଜନତାଠେଇ ସୃଷ୍ଟି କରନ୍ତି। ସେ ଧରାପଡ଼ିଯାଏ, ଆଉ ୟେ ଠକି ହୋଇଯାଇଛନ୍ତି ଜାଣିଲା ବେଳକୁ ଲେଡ଼ିଗୁଡ଼ କହୁଣିକୁ ବୋହିଯାଇଥାଏ। ବାଆଜି ଭାବି, ସୀତା ଲକ୍ଷ୍ମଣଙ୍କ ତିନିଗାର ଟପି ତାକୁ ଭିକ୍ଷା ଦେଇ, ସେଟା ବାଆଜି ନୁହଁ ରାକ୍ଷସ ରାବଣ, ଏହା ଜାଣିବା ବେଳକୁ କଥା ସରିଯାଇଥିଲା।

ସେମିତି ଅଶୋକବନରେ, ମିଛ ରାମ ମୂର୍ତ୍ତି କରି ତାଙ୍କୁ ହାଣି ଦେଇ ‘ରାମ ମରିଗଲେ’ର ଭାବ ସୃଷ୍ଟି ପାଇଁ ରାବଣର ଉଦ୍ୟମ କଥା ଦେଖୁନାହାନ୍ତି। ରାମ ମରିବା ଜାଣିବା ପରେ କାଳେ ସୀତା ତାଙ୍କ ଦୃଢ଼ତାରୁ ଟିକିଏ ଖସିବେ ଏ କଥା ନିର୍ବୋଧ ରାବଣ ଭାବିଥିଲା। କବି ତ ଲେଖିଲେ, ‘‘ଉପୁଡ଼ି ପଡ଼େ ତୀର ବିଟପୀ ନୀରେ, ବିଟପୀ ମନ ଯଥା ଲମ୍ପଟ ଗିରେ। ମାତ୍ର ଶଇଳ ଦେଖ, ଉଭା ଅଟଳେ, କାମୀ-ଚାଟୁରେ ସତୀ ମନ ନ ଟଳେ।’’ ସୀତା ସେଇ ଅଟଳ ଶଇଳ କିସମର ଥିଲେ। ମରିଯିବେ ସିନା ଆଉ କାହା ହାତ କୋଉ ଧରିପାରିବେ? ସତ ରାମ ଭାବି, ରାକ୍ଷସୀ ଘେରରେ ଛାତି ଫଟାଇ ବୁହେ କାନ୍ଦିଲେ ସୀତା। ଅନ୍ୟ ରାକ୍ଷସୀଙ୍କ ସହ ବିଭୀଷଣଙ୍କ ଝିଅ ତ୍ରିଜଟା ବି ସେଠି ଉପସ୍ଥିତ ଥିଲା। ସୀତାଙ୍କ ଏ ଦୁଃଖରେ ସେ ବି ମ୍ରିୟମାଣ ହୋଇଗଲା। କହିଲା, ‘‘ରାମଙ୍କୁ ଏ ଛାର ରାବଣ କୋଉ ମାରି ପାରିବ? ସେଇଟା ମାୟା ରାମ। ତମେ ଏମିତି ଅଧୈର୍ଯ୍ୟ କାହିଁକି ହଉଚ? ନାରଦ ପରା ଲଙ୍କାଗଡ଼ ସାରା ଘର ଦ୍ବାର, ମେଲେରିଆ ବାଲାଙ୍କ ଲେଖା ଭଳି, ଲେଖିଦେଇ ଯାଇଛନ୍ତି ‘‘ସୀତା ହରଣ, ରାବଣ ମରଣ।’’

ଏ ଲେଖାଗୁଡ଼ା କାନ୍ଥରୁ ଲିଭାଇବା ପାଇଁ ରାବଣ କ’ଣ କମ୍‌ ପଇସା ଖର୍ଚ୍ଚ କରିଛି? କିରାସିନି, ସାବୁନ, ଏମିତି କ’ଣ ସେ ନ ଛାଡ଼ିଛି ବୋଲି ନାହିଁ। ମାତ୍ର ସେ ଲେଖା, କ’ଣ ଏଇ ସାଧାଲେଖା? ବଜ୍ରବାଣୀ ସେ। ଲିଭିବ କୁଆଡ଼ୁ? ଯେତେ ଲିଭେଇବ, ସେତେ ଦାଉ ଦାଉ ହେଉଥିଲା। ସତ୍ୟ ଧର୍ମର ଏଇ ହିଁ ରୂପ। ତା’ ପରେ ତମକୁ ପରା ମାତଙ୍ଗୀ ଋଷି ମା’ ଏଇ ଅମଳିନ ବସ୍ତ୍ର ଦେଇଥିଲେ। କହିଲେ, ତୁ ସୁଲକ୍ଷଣୀ ଥିବା ଯାଏ ଏ ବସ୍ତ୍ର ସେମିତି ନୂଆଲୁଗା ପରି ଚିକିଚିକି, ଦାଉଦାଉ ହେଉଥିବ। କାଇଁ ଏ ଲୁଗା ତ ମଳିନ ପଡ଼ିନି? ସୀତାଙ୍କ କାନିଟାକୁ ଟାଣିନେଇ କହିଲା, ଦେଖୁନ ଏ କାନିଟା କେମିତି ଚିକିଚିକି କରୁଛି। ସୀତାଙ୍କର ସେ କଥା ମନେ ନ ଥିଲା। ଅତି ଦୁଃଖରେ ମନ ଆକ୍ରାନ୍ତ ହୋଇଗଲେ, ପ୍ରବୋଧନା, ସାନ୍ତ୍ବନା ଓ ବଳ ଦେବାର ମାନସିକ ଭାବ ବିଲୁପ୍ତ ହୋଇଯାଏ। ସୀତା ଦେଖିଲେ, ‘‘ସତେ ତ ଏ ଲୁଗା ଅମଳିନ ଅଛି’’। ସେଇଠୁ ଶାନ୍ତ ହେଲେ। ଭଣ୍ଡାମି, ମିଥ୍ୟା ଏମିତି ସବୁ ଭ୍ରମ ସୃଷ୍ଟି କରେ। ‘‘ସାତ କଥାରେ ସତୀ ଭୁଲେ’’। ‘‘ତିନି ତୁଣ୍ଡରେ ଛେଳି କୁକୁର’’ ଉପମାମାନ କ’ଣ ଅଯଥା? କାଳେକାଳେ ଭଣ୍ଡ, ଭାଣ୍ଡଙ୍କ ଇଏ ହିଁ ଅସ୍ତ୍ର। ତା’ ପରେ ଆଜିର ଏ ଗଣତନ୍ତ୍ର କଥା ଦେଖୁନା! ‘‘କହି ପୋଛି ଜାଣେ ଯେ, ପଚା ଚିଙ୍ଗୁଡ଼ି ବିକେ ସେ।’’ ଖାଲି ପ୍ରସାର ଓ ପ୍ରଚାରର ଇନ୍ଦ୍ରଧନୁ ସୃଷ୍ଟି ଏଠି ଚାଲିଛି। ଆଉ ଆମ ବେପାରପତ୍ର ଭାଇମାନଙ୍କ ପାଇଁ ୟେ ତ ‘ରାଜଯୋଟକ’। ବିଜ୍ଞାପନ ଛାଇ ଦେଉଛନ୍ତି। ସାଧାରଣ, ନିର୍ବୋଧ ଲୋକଟିଏ କୋଉ ଏ ଇନ୍ଦ୍ରଜାଲକୁ ବୁଝି ପାରିବ, କଳିପାରିବ? ଏଠି ଯେନତେନ ପ୍ରକାରେଣ ଭୋଟ ପାଇବାକୁ ଅଛି। ଭୋଟ ବିନା ଗାଦି କାଇଁ? ଜିନ୍ଦାବାଦ ଓ ଫୁଲମାଳ କାଇଁ, ଇନ୍ଦ୍ର ଭୋଗ ଓ କ୍ଷମତା କାଇଁ? ତେଣୁ ଭୋଟରଙ୍କ ମନ କିଣିବାକୁ ହେବ। ଅର୍ଦ୍ଧାଧିକ ତ ନିର୍ବୋଧ, ଲୋଭ ଓ ସ୍ବାର୍ଥାନ୍ଧ। ପ୍ରଲୋଭନକୁ କୋଉ ଏଡ଼ି ତେଢ଼ି ପାରୁଛନ୍ତି? ଚାକର ବାକରଙ୍କୁ ବକ୍‌ସିସ୍‌ ଦେଲାପରି ସରକାର ଏ ଲୋକଙ୍କ ବ୍ୟାଙ୍କ ଖାତାକୁ କେମିତି ରାଜସ୍ବରୁ କୋଟିକୋଟି ଟଙ୍କା ଦେଉଛନ୍ତି? କୋଉଠି ଶୁଣାଥିଲା ଏ କଥା।

ସରକାର କୂଅ, ପୋଖରୀ, କଳକାରଖାନା, ଡାକ୍ତରଖାନା ଆଦି କରିବେ। ଏଥିରେ ରାଜ୍ୟ ବାସଯୋଗ୍ୟ ହେବ। ବାକି ଜନତା ତାଙ୍କ ଘର ପରିବାର ଚଳାଇବାକୁ ସ୍ବଉପାର୍ଜନ ପନ୍ଥା ଆରେଇ ନେବେ। କିଏ ବେପାର କଲା ତ କିଏ ଚାଷକୁ ଆରେଇଲା। ଅଧମ ଦଳେ ଭିକ୍ଷାକୁ ଧଇଲେ, ତାଙ୍କ ଦକ୍ଷତା ଓ କ୍ଷମତା ଅନୁଯାୟୀ ନିଜେ ନିଜେ ବଢ଼ିବେ, ଗଢ଼ିହେବେ। ସରକାର ସୁଯୋଗ ସୃଷ୍ଟି କରିବେ, ଚାଷ ପାଇଁ ଜଳସେଚନ, କୀଟନାଶକ ଯୋଗାଇ ଦେବେ। ତାଙ୍କ ଜମାଖାତାକୁ କୋଟିକୋଟି ଟଙ୍କା ରାଜସ୍ବରୁ ବୁହାଇଦେବା କୋଉ ବିଚାର? ୟେ ଭଣ୍ଡାମି ଓ କପଟପଣିଆର ଆଉ ଏକ ଖିଅ। ମିଛକୁ ମଡ଼େଇ ମଡ଼େଇ କହିଲେ ତା’ ସତ ବନିଯାଏ। ଗୋବେଲ୍‌ ତ କହିଲେ,

‘‘If you tell a lie big enough and keep repeating it, people will eventually come to believe it. The lie can be maintained only for such time as the State can shield the people from the political, economic and/or military consequences of the lie. It thus becomes vitally important for the State to use all of its powers to repress dissent, for the truth is the mortal enemy of the lie, and thus by extension, the truth is the greatest enemy of the State.’’

ଏବେ ବିଜୁବାବୁଙ୍କ ଜନ୍ମତିଥିରେ ସରକାର ନୂଆ ଲୁହା କାରଖାନା ହେବା ପାଇଁ ବେପାରପତ୍ରମାନଙ୍କରେ ପୃଷ୍ଠାପୃଷ୍ଠା ବିଜ୍ଞପ୍ତି ଛାପିଛନ୍ତି। କେନ୍ଦ୍ରାପଡ଼ାରେ ମିତ୍ତଲ ଗୋଷ୍ଠୀ ଦ୍ବାରା ଏ ଲୁହା କାରଖାନା ପ୍ରତିଷ୍ଠା ହେବ। କେନ୍ଦ୍ରାପଡ଼ାବାସୀ ବୁହେ କୁତୁକୁତୁ ହେଉଥିବେ। କି ନିଯୁକ୍ତି ସୁବିଧାଲୋ ବୋପା! କାହା ଘରେ ଆଉ ବେକାର ବି ରହିବେନି, ପ୍ରଭୁଙ୍କୁ ପ୍ରାର୍ଥନା ସତରେ ହେଲେ ଏ ଲୁହା କାରଖାନା ହେଉ। ମାତ୍ର ନ ହେବାର ଏକ ଆଶଙ୍କା-କେଁ ମନରେ କିଆଁ ପଶୁଛି? କଥା ତ ଅଛି ‘‘ଯାହାର ପୁଅକୁ ସାପ କାମୁଡ଼େ, ତା’ ମା’ ପାଳ ଦଉଡ଼ି ଦେଖିଲେ ଚମକେ।’’ ପୁଣ୍ୟଶ୍ଳୋକ ବିଜୁବାବୁ ଦି’ଦି’ଟା ଲୁହା କାରଖାନା ପାଇଁ ମୂଳଦୁଆ ବି ପକେଇଥିଲେ। ପ୍ରଖ୍ୟାତ ବେପାରୀ ସୂରଜପାଲ କଳିଙ୍ଗ ଷ୍ଟିଲ୍‌ ଓ ମେସ୍କୋ ମଧ୍ୟ କଳିଙ୍ଗ ଷ୍ଟିଲ ଲୁହାକାରଖାନା ପାଇଁ ଚୁକ୍ତି କରିଥିଲେ। ସାରା ରାଇଜରେ କି ଆନନ୍ଦ ଲୋ ବୋପା! କେବଳ ମୂଳଦୁଆ ପଥର ପୋତା ଓ ଉଦ୍‌ଘାଟନରେ ଲକ୍ଷଲକ୍ଷ ଟଙ୍କା ବୋହିଗଲା। ମାତ୍ର କାଇଁ ସେ ଲୁହା କାରଖାନା? କାଇଁ ସେ ଭିତ୍ତିପ୍ରସ୍ତର? ସେମିତି ନବୀନଜୀ ବି ମିତ୍ତଲଙ୍କ ଦ୍ବାରା କେନ୍ଦୁଝରରେ ଏବଂ ପୋସ୍କୋ ଦ୍ବାରା ପାରାଦ୍ବୀପରେ ଲୁହା କାରଖାନା ଲଣ୍ଠନ ଏ ରାଜ୍ୟବାସୀଙ୍କୁ ଦେଖେଇଥିଲେ। ଜାଗା ଆଦି ବି ଏ ପୋସ୍କୋକୁ ଦିଆଯାଇଥିଲା। କ’ଣ ହେଲା ତା’ ଅବସ୍ଥା?

ଏବେ କେନ୍ଦ୍ରାପଡ଼ାବାସୀଙ୍କୁ ଲଣ୍ଠନ ଦେଖାଉନାହାନ୍ତି ତ ସରକାର? ଲୋକଙ୍କ ଜମାଖାତାକୁ ବକ୍‌ସିସ୍‌ ଭଳି ଟଙ୍କା ରାଜସ୍ବରୁ ବୁହାଉଥିବା ସରକାର ତ ଲକ୍ଷଲକ୍ଷ ଭୋଟର ସରକାରୀ ପଇସାରେ କିଣିନେଲେ। କଳକାରଖାନା ହେଲେ କେତେ ନ ହେଲେ କେତେ? ମୁଣ୍ଡଗଣତି ବୁଦ୍ଧିଜୀବୀଗୁଡ଼ାଙ୍କ ଭୋଟ୍‌ର କି ମୂଲ୍ୟ? ଗୋବରା ଚଢ଼େଇକୁ ପାଚିଲା କଦଳୀ ଲୋଭ ଦେଖେଇ ଧରିବା ପରି ଲୁହାକାରଖାନା ପ୍ରଚାର ନ ହେଉ। ମାଉଁସଖିଆ ବାଘ ବୁଢ଼ା ହେଲାପରେ କୋଉ ଶିକାର ଧରି ପାରିଲା? ଖେପା ମାରି ପାର ହେଉଥିବା ମିରିଗ, କୁଟୁରା ଆଦିଙ୍କୁ ସେ କୋଉ ଧରିପାରିବ? ଜଙ୍ଗଲସାରା ସମସ୍ତେ ତ ତାକୁ ଜାଣନ୍ତି। ତାଙ୍କୁ କୋଉ ଭଳେଇ ପାରିବ? ମଣିଷଗୁଡ଼ାଙ୍କୁ ଧପେଇ ଦେବା ସେ ଜାଣେ। ଗୋଟେ କାହାକୁ ମାରି ସୁନା କଙ୍କଣଟେ ତା’ ପାଖରେ ପଡ଼ିଥିଲା। ସୁନା ହେଉ କି ହୀରା ହେଉ ତାଙ୍କର ସେଥିକୁ କୁ ଲୋଭ? ମଣିଷଗୁଡ଼ା ସୁନାପ୍ରିୟ। କଙ୍କଣଟେ ଧରି ବସିଲା, ବୁଢ଼ା ରୋଗିଣା ବାଘ। ବ୍ରାହ୍ମଣ ବାଟରେ ହାବୁଡ଼ିଗଲେ। ଧାଇଁବାକୁ ଲାଗିଲେ। ବାଘ ସୁନା କଙ୍କଣ ଧରି ଡକା ପକେଇଲେ, ‘‘ଗୋସେଇଁ ଧାଉଁଛ କିଆଁ? ଏ ଦାମୀ ସୁନା କଙ୍କଣଟା ଥିଲା। ମୁଁ ଏବେ ନିରାମିଷାଶୀ ହୋଇଛି। ତମ ଭଳି ବ୍ରାହ୍ମଣଙ୍କୁ ଏହା ଦାନ କରି ପାପ ଧୋଇବା ଆଶା କରିଛି।’’ ଗୋସେଇଁ କହିଲେ, ‘‘ଆରେ ମତେ କ’ଣ ମୂର୍ଖ ଭାବିଛୁ। ମଣିଷ ମାଂସଖିଆ ତୋ ପାଖୁ ମୁଁ ଯିବି କ’ଣ ମରିବାକୁ?’’ ବାଘ କହିଲା ‘‘ଗୋସେଇଁ, ବ୍ୟାଘ୍ର ନରମାଂସ ଖାଦତିତି ଲୋକାପବାଦଃ ଦୁର୍ନିବାରଃ।’’ ନିଅନ୍ତୁ ଏ କଙ୍କଣଟା, ମୁଁ ତମ ପାଖୁ ଫିଙ୍ଗିଦଉଛି। ମାତ୍ର ପାଦ ଛୁଇଁବାର ସୁଯୋଗ ଜୀବନର ଏ ଶେଷ ବେଳେ ଦିଅ। ଗୋସେଇଁ ଦ୍ରବିଗଲେ ଏ କଥାରେ। ସୁନା ଲୋଭ ବି ମନକୁ ପାଚକ ରସରେ କେତେବେଳୁ ଘାଣ୍ଟିବା ଆରମ୍ଭ କରିଦେଇଥିଲା। ଆଶୀର୍ବାଦ ମୁଦ୍ରାରେ ଗୋସେଇଁ ତା’ ପାଖୁ ମାଡ଼ିଗଲେ। ତା’ ପର କଥା ତ ସଭିଙ୍କୁ ଜଣା। ରାଜନୀତିଆଗୁଡ଼ା ଏ ସୁନା କଙ୍କଣ ଦାନ ଲୋଭ ଦେଖେଇବାରେ ଧୁରନ୍ଧର। ନ ହେଲେ ଚାଷୀର ଏ ଦେଶରେ ଏମିତି ପତନ କିଆଁ ହୁଅନ୍ତା?

Comments are closed.