କରୋନା ଉପରେ କାବୁ

ନିଜ ଜୀବନକୁ ବାଜି ଲଗାଇଦେଇଥିବା ଦେଶର କରୋନା ଯୋଦ୍ଧାମାନଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ ତାହା ଯଥେଷ୍ଟ ହେବ ନାହିଁ। କୋଭିଡ ୧୯ ମହାମାରୀ ସଂକ୍ରମଣର ମୁକାବିଲା କରିବାରେ ଭାରତ ଆଖିଦୃଶିଆ ସଫଳତା ହାସଲ କରିଛି, ଯାହାକି ବିଶ୍ୱବାସୀଙ୍କୁ ଚକିତ କରିଛି। ଏଥିପାଇଁ ଦେଶର କରୋନା ଯୋଦ୍ଧାଙ୍କ ଯେତେ ପ୍ରଶଂସା କଲେ ହେଁ ତାହା କମ୍‍ ହେବ। ଇତିମଧ୍ୟରେ ଭାରତରେ ପ୍ରଥମ ଦଫା କରୋନା ଟିକାକରଣ ଶେଷ ହୋଇଛି। କରୋନାକୁ କାବୁ କରି ଭାରତ ସଫଳତାର କେନ୍ଦ୍ରବିନ୍ଦୁ ହୋଇପାରିଛି। ଗତବର୍ଷ ସେପ୍ଟେମ୍ବର ମାସରେ ଏକ ସମୟରେ ଦେଶରେ ପ୍ରାୟ ପ୍ରତିଦିନ ଏକ ଲକ୍ଷରୁ ଅଧିକ କରୋନା ମାମଲା ସାମନାକୁ ଆସୁଥିଲା। ବର୍ତ୍ତମାନ ଏହି ସଂଖ୍ୟା ପ୍ରାୟ ଦଶହଜାର ମଧ୍ୟରେ ସୀମିତ ରହୁଛି, ଯାହାକି ଏକ ଶୁଭ ସଙ୍କେତ। ଭାରତରେ ଏ ପର୍ୟ୍ୟନ୍ତ ୧ କୋଟି ୮ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଥିବାବେଳେ ସେଥିରୁ ୯୯ ପ୍ରତିଶତ ସୁସ୍ଥ ହୋଇସାରିଲେଣି। ସେହିପରି ପ୍ରାଣ ହରାଇଥିବା ଲୋକଙ୍କ ହାର ମୋଟ ସଂକ୍ରମଣର କେବଳ ୧ ପ୍ରତିଶତ। ତେଣୁ ଅନ୍ୟ ଉନ୍ନତ ରାଷ୍ଟ୍ର ସହ ତୁଳନା କଲେ କରୋନା ମୁକାବିଲାରେ ଭାରତର ସଫଳତା ସ୍ପଷ୍ଟ ହୋଇଛି। ପରିସଂଖ୍ୟାନ ଅନୁଯାୟୀ, ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଏକ ବୃହତ୍‌ ଦେଶ କରୋନା ମାମଲାକୁ ସର୍ବନିମ୍ନ ସ୍ତରକୁ ଆଣିପାରିଛି। ସେପ୍ଟେମ୍ବର ପରେ ହ୍ରାସଧାରା ଆରମ୍ଭ ହୋଇଥିଲା। କେବଳ ସେତିକି ନୁହେଁ; ଇତିମଧ୍ୟରେ ଭାରତ ଦୁଇଟି କରୋନା ଟିକା ସଫଳତାର ସହ ପ୍ରୟୋଗ କରି ଅନ୍ୟ ଦେଶଗୁଡିକୁ ବିସ୍ମିତ କରିଛି।

ଯେତେବେଳେ ଭାରତରେ କରୋନା କାୟା ବିସ୍ତାର କଲା, ସେତେବେଳେ ଭାରତ ଏହାର ଦୁର୍ବଳ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଧରି କିପରି ମୁକାବିଲା କରିବ ତା’ଉପରେ ସାରା ବିଶ୍ୱର ନଜର ରହିଥିଲା। ଆମେ ପ୍ରାୟ କରୋନା ସଂକ୍ରମଣ ଶୀର୍ଷରେ ପହଞ୍ଚିଥିଲୁ, ତେବେ କିପରି ଏହା ହ୍ରାସ ପାଇଲା? ବର୍ତ୍ତମାନ ଦେଖିବାର ଅଛି ‘ସାର୍ସ’ ଓ ‘ମାର୍ସ’ ପରି ଭୂତାଣୁ ଯେପରି ଅଚାନକ ଗାଏବ ହୋଇଯାଇଥିଲା, ସେହିପରି କରୋନା କ’ଣ ଅଦୃଶ୍ୟ ହୋଇଯିବ। ଭାରତୀୟ ବୈଜ୍ଞାନିକ ଏ ପର୍ୟ୍ୟନ୍ତ କରୋନା ସମ୍ପର୍କରେ ଗବେଷଣା ଜାରି ରଖିଛନ୍ତି। ଏବେ ସୁଦ୍ଧା ସର୍ବସାଧାରଣ ସ୍ଥାନରେ ସତର୍କତା କମିନାହିଁ, ତଥାପି ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି ଏବଂ ଡାକ୍ତରଖାନାଗୁଡିକରେ ପୂର୍ବପରି ଆଉ ଚାପ ନାହିଁ। ବର୍ତ୍ତମାନ ସାଧାରଣ ରୋଗୀଙ୍କ ମଧ୍ୟ ନିୟମିତ ଚିକିତ୍ସା ଆରମ୍ଭ ହୋଇଛି।

ଭାରତ କିପରି କରୋନାକୁ ନିୟନ୍ତ୍ରଣକୁ ଆଣିଛି, ତାକୁ ନେଇ ଅନ୍ୟ ରାଷ୍ଟ୍ରର ବୈଜ୍ଞାନିକମାନେ ଅନୁଧ୍ୟାନ କରୁଛନ୍ତି। ଏହା ସ୍ୱୀକାର କରିବାକୁ ପଡିବ ଯେ ଏପରି ଅନେକ କ୍ଷେତ୍ର ଅଛି ଯେଉଁଠାରେ କରୋନା ନିୟମାବଳୀକୁ କଡାକଡି ଭାବେ ପାଳନ କରାଯାଉଛି; କିନ୍ତୁ ଅନେକ ସ୍ଥାନରେ ଜନସାଧାରଣ କରୋନାକୁ ଗୁରୁତର ସହ ନେଇନଥିଲେ ବା ଏବେ ବି ନେଉନାହାନ୍ତି। ଖୁସିର କଥା ସହରାଞ୍ଚଳ ପରି କରୋନା ଗ୍ରାମାଞ୍ଚଳରେ ବ୍ୟାପିପାରି ନଥିଲା। ପ୍ରଶ୍ନ ହେଉଛି ସହରରେ ରହୁଥିବା ଲୋକଙ୍କ ଅପେକ୍ଷା ଗାଁରେ ରହୁଥିବା ଲୋକଙ୍କ ପ୍ରତିରୋଧକ ଶକ୍ତି ଅଧିକ କି? ତୁଳନାତ୍ମକ ଭାବରେ ବିକଶିତ କିମ୍ବା ସମୃଦ୍ଧ ଅଞ୍ଚଳରେ କରୋନା ଅଧିକ ଆତଙ୍କ ବିସ୍ତାର କରିଥିଲା କି? କରୋନା ଅଭିଜ୍ଞତା ପରେ ଭାରତରେ ସୁରକ୍ଷିତ ଜୀବନଶୈଳୀ ଉପରେ ଅଧ୍ୟୟନ ମଧ୍ୟ ଆବଶ୍ୟକ। ଉଭୟ କ୍ଷେତ୍ରର ଗଭୀର ଭାବରେ ଅଧ୍ୟୟନ କରିବାର ଆବଶ୍ୟକତା ଅଛି ଯେଉଁଠାରେ କରୋନାର ଅଧିକ ସଂକ୍ରମଣ ହୋଇନାହିଁ ଏବଂ ଯେଉଁ ଅଞ୍ଚଳରେ ଏହା ବହୁ ଭାବରେ ବିସ୍ତୃତି ଲାଭ କରିଛି।

ଭାରତର ଜଳବାୟୁକୁ ମଧ୍ୟ ଏକ ପ୍ରମୁଖ କାରଣ ବୋଲି ବିବେଚନା କରାଯାଏ। ବିଶେଷଜ୍ଞଙ୍କ ମତରେ ଶୀତଳ ଏବଂ ଶୁଷ୍କ ସ୍ଥାନରେ ଅଧିକ ସମୟ ପର୍ୟ୍ୟନ୍ତ ଏହି ଜୀବାଣୁ ଅଧିକ ସକ୍ରିୟ ନୁହନ୍ତି। ବନ୍ଦ ସ୍ଥାନ ଅପେକ୍ଷା ଖୋଲା ସ୍ଥାନ ଅଧିକ ସୁରକ୍ଷିତ। କରୋନା ଭୂତାଣୁ ସଂକ୍ରମଣ ଅଧିକ ବ୍ୟାପକ ନହେବାର ଏକ ବଡ କାରଣ ହେଉଛି ଭାରତ​‌େର ଯୁବକଯୁବତୀଙ୍କ ସଂଖ୍ୟା। ଭାରତର ଅଧାରୁ ଅଧିକ ଜନସଂଖ୍ୟା ୪୦ ବର୍ଷରୁ କମ୍‍ ବୟସର। ତେଣୁ ଭାରତର ଭଲ ଭୌଗୋଳିକ ଅବସ୍ଥାନ ଏବଂ ଜନସଂଖ୍ୟାର ଅଧିକ ଅଧ୍ୟୟନ କରାଯିବା ଆବଶ୍ୟକ, ଯାହାଦ୍ୱାରା ଆଗାମୀ ଦିନରେ ମହାମାରୀ ଭଳି ଦୁଃସ୍ଥିତି ସହ ଲଢ଼ିବାପାଇଁ ଦେଶକୁ ସହାୟତା ମିଳିବ।

ଆଉ କିଛି ଦିନର ସତର୍କତା ଓ ଆବଶ୍ୟକ ପଦକ୍ଷେପ ଦ୍ବାରା ଭାରତ କରୋନାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବ ବୋଲି ଆଶା। ହୁଏତ ଅଧିକାଂଶ ଲୋକଙ୍କୁ ଟିକାକରଣ ମଧ୍ୟ କରିବାକୁ ପଡିବ ନାହିଁ। ପ୍ରଥମ ଦଫାରେ ଭାରତରେ ୮୧ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଥିବା ଜଣାପଡିଛି। ଓଡିଶା ଅନ୍ୟ ରାଜ୍ୟ ତୁଳନାରେ କରୋନାରେ ଅଧିକ ସଫଳ ହୋଇଛିବୋଲି କୁହାଯାଇପାରେ। ୩୦ଟି ଜିଲା ମଧ୍ୟରୁ ୧୫ଟି ଜିଲା କରୋନାମୁକ୍ତ ହୋଇପାରିଛି। ସେହିପରି ଦୈନିକ ସଂକ୍ରମଣ ସଂଖ୍ୟା ୭୩କୁ ଖସିଆସିଛି। ଆଉ କିଛି ଦିନ ଜନସାଧାରଣ ସଚେତନ ଓ ସତର୍କ ରହିଲେ ହୁଏତ ଆମ ରାଜ୍ୟ ସଂପୂର୍ଣ୍ଣ କରୋନାମୁକ୍ତ ହୋଇଯିବ।

Comments are closed.