ଦାୟିତ୍ବବାନ ହେଉ ଗଣମାଧ୍ୟମ

- ଗଣମାଧ୍ୟମ ଦାୟିତ୍ବହୀନ ହେଲେ ସମାଜର ବହୁ ଅନିଷ୍ଟ ହେବ

କବିବର ରାଧାନାଥ ରାୟ ତାଙ୍କ ବିଖ୍ୟାତ ‘ଦରବାର’ କାବ୍ୟରେ ଲେଖିଛନ୍ତି, ‘ଆନ ବୋଲେ ମୁହିଁ ଅଟଇ ପୁଲିସ, ବିନା ମେଘେ ସୃଜି ପାରଇ କୁଳିଶ’। ନିଜର ଅଯଥା ପରାକ୍ରମ ଦେଖାଉଥିବା ପୁଲିସଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ଏଇ ପଦଟି ଏବେ ଗୋଟିଏ ଗୋଷ୍ଠୀର ଗଣମାଧ୍ୟମ ଏବଂ ସେମାନଙ୍କର ପ୍ରତିନିଧିଙ୍କ ପାଇଁ ପ୍ରଯୁଜ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ; କାରଣ ଏମାନେ ବିନା ମେଘ​‌ରେ ବଜ୍ର ସୃଷ୍ଟି କରିବାର ଅପଚେଷ୍ଟା କରୁଛନ୍ତି। ଅବଶ୍ୟ ଏପରି ଅପଚେଷ୍ଟା ​‌ସେମାନଙ୍କ ଦାୟିତ୍ବହୀନତାର ପ୍ରମାଣ, ଏହା ଜଳଜଳ ହେଇ ଦେଖାଯାଉଛି। ସମସ୍ୟା ହେଉଛି, ଏହାର କୁପ୍ରଭାବ କେବଳ ସମାଜ ନୁହେଁ, ପ୍ରଶାସନ ଓ ନ୍ୟାୟ ବ୍ୟବସ୍ଥା ଉପରେ ମଧ୍ୟ ପଡ଼ୁଛି। ଏହି ଧରଣର ଗଣମାଧ୍ୟମ ପ୍ରତିନିଧିମାନେ ବାକ୍‌-ସ୍ବାଧୀନତା ଆଳରେ ଅନ୍ୟର ବ୍ୟକ୍ତିଗତ ଚରିତ୍ର ହନନ କରି ତା’ର ମାନବିକ ଅଧିକାରକୁ ମଧ୍ୟ ଛଡ଼ାଇନେବାର ଦୁଷ୍କର୍ମ କରିବାକୁ ପଛାଉନାହାନ୍ତି।

ଗତବର୍ଷ ସାରା ଦେଶରେ ଚହଳ ସୃଷ୍ଟି କରିଥିବା ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ଘଟଣାରେ ଦାୟର ଏକ ଜନସ୍ବାର୍ଥ ମାମଲାର ରାୟ ଦେଇ ସୋମବାର ବମ୍ବେ ହାଇକୋର୍ଟ ଯାହା କହିଛନ୍ତି ଏବଂ ଯେଉଁ ନିର୍ଦେଶାବଳୀ ପ୍ରକାଶ କରିଛନ୍ତି, ତାହା ଗଣମାଧ୍ୟମ ଓ ତା’ର ପ୍ରତିନିଧି ଅର୍ଥାତ୍‌ ସାମ୍ବାଦିକଙ୍କ ପାଇଁ ଅତୀବ ମହତ୍ତ୍ବପୂର୍ଣ୍ଣ। ମୁଖ୍ୟ ବିଚାରପତି ଦୀପଙ୍କର ଦତ୍ତ ଏବଂ ବିଚାରପତି ଜି.ଏସ୍‌. କୁଲକର୍ଣ୍ଣିଙ୍କ ପୀଠ ଉପରୋକ୍ତ ମାମଲାରେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଗଣମାଧ୍ୟମ, ବିଶେଷକରି କେତେକ ଟିଭି ଚ୍ୟାନେଲ୍‌ ନିଜର ‘ଲକ୍ଷ୍ମଣରେଖା’କୁ ଅତିକ୍ରମ କରିଛନ୍ତି। ଅଦାଲତ ‘ଟାଇମ୍ସ ନାଓ’ ଓ ‘ରିପବ୍ଲିକ୍‌ ଟିଭି’ର କଭରେଜ୍‌ ପ୍ରସଙ୍ଗରେ ତୀବ୍ର ଭର୍ତ୍ସନା କରି କହିଛନ୍ତି ଯେ ଏହି ଟିଭି ଚ୍ୟାନେଲ୍‌ଗୁଡ଼ିକ ଯେଭଳି ନିଜକୁ ନିଜେ ଏକାବେଳକେ ତଦନ୍ତକାରୀ, ଓକିଲ ଓ ବିଚାରକ ବୋଲି ଭାବି ରାୟ ମଧ୍ୟ ଘୋଷଣା କରିଦେଉଥିଲେ, ଲାଗୁଥିଲା ଯେ ମହାମାରୀ ସମୟରେ ସତେ ଯେମିତି ସେମାନଙ୍କ ବ୍ୟତୀତ ରାଷ୍ଟ୍ରର ଅନ୍ୟ ସବୁ ସଂସ୍ଥା ଶୋଇପଡ଼ିଥିଲେ। ମହାମାରୀବେଳେ ସରକାରଙ୍କ ସବୁ ସଂସ୍ଥା ସେମାନଙ୍କ ଦାୟିତ୍ବକୁ ଠିକ୍‌ ଭାବେ ତୁଲାଉଛନ୍ତି ବୋଲି କୁହାଯାଇନପାରେ; ତେବେ ଏହା ସତ୍ୟ ଯେ ସୁଶାନ୍ତ ସିଂହ ରାଜପୁତ ମାମଲାରେ ଟିଭି ଚ୍ୟାନେଲ୍‌ଗୁଡ଼ିକ ଯେପରି ଅର୍ଦ୍ଧସତ୍ୟ ଓ ଅସତ୍ୟ ରିପୋର୍ଟମାନ ଦେଖାଇଲେ ଏବଂ ଏହାର ଉପସ୍ଥାପକ(ଆଙ୍କର୍)ମାନେ ନିଜର ବାଚାଳାମି ଦ୍ବାରା ଦେଶରେ ଭ୍ରମ, ଭ୍ରାନ୍ତି ଓ ଭୟ ସୃଷ୍ଟି କଲେ, ତାହା ଅନୈତିକତାର ସବୁ ସୀମାକୁ ଲଙ୍ଘନ କରିଥିଲା। ସାମ୍ବାଦିକତା ଯେଉଁ ନୈତିକତା ପାଇଁ ସମ୍ମାନନୀୟ, ତା’ର ମଧ୍ୟ ଅପମୃତ୍ୟୁ ଘଟିଥିଲା।

ନ୍ୟାୟାଳୟ ଯଥାର୍ଥରେ ରେଖାଙ୍କିତ କରି କହିଛନ୍ତି ଯେ ସୁଶାନ୍ତଙ୍କ ଆତ୍ମହତ୍ୟା ପାଇଁ ଯେପରି ତାଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କୁ ଖଳନାୟିକା ସଜାଇ ଟିଭି ଚ୍ୟାନେଲ୍‌ଗୁଡ଼ିକ ନିଜେ ହିଁ ଦଣ୍ଡ ଘୋଷଣା କରିପକାଇଲେ, ତାହା ସମ୍ପୂର୍ଣ୍ଣ ଅନୁଚିତ ଏବଂ ମାନହାନିକାରକ। ଅଦାଲତ ଏହି ପରିପ୍ରେକ୍ଷୀରେ କେବୁଲ୍‌ ଟେଲିଭିଜନ ନେଟୱର୍କସ (ରେଗୁଲେସନ) ଆକ୍ଟ ୧୯୯୪ର ନିୟମାବଳୀ (ପ୍ରୋଗ୍ରାମ କୋଡ)କୁ ଠିକ୍‌ଭାବେ ପାଳନ କରିବାକୁ ନିର୍ଦେଶ ଦେଇଛନ୍ତି। ଯେଉଁମାନେ ଏହାର ଉଲ୍ଲଙ୍ଘନ କରିବେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ କରିବାକୁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି; ଏପରିକି ସେମାନଙ୍କ ବିରୋଧରେ ଆପରାଧିକ ମାନହାନି ମୋକଦ୍ଦମା ଚଳାଯାଇପାରିବ ବୋଲି କହିଛନ୍ତି। ଆତ୍ମହତ୍ୟା ମାମଲାର ସମ୍ବାଦ ପ୍ରକାଶ ବା ପ୍ରସାର କଲାବେଳେ ପ୍ରେସ୍‌ କାଉନ୍‌ସିଲ୍‌ ଅଫ୍ ଇଣ୍ଡିଆ ଦ୍ବାରା ୨୦୧୯ ସେପ୍ଟେମ୍ବରରେ ଜାରି କରାଯାଇଥିବା ନିର୍ଦେଶାବଳୀକୁ ପାଳନ କରିବାକୁ ଅଦାଲତ ପରାମର୍ଶ ଦେଇଛନ୍ତି।

ରିପବ୍ଲିକ୍ ଟିଭି ପକ୍ଷରୁ ଯୁକ୍ତି କରାଯାଇଥିଲା ଯେ ସମାଜର ସାମଗ୍ରିକ ହିତପାଇଁ ଅନୁସନ୍ଧାନକାରୀ ସାମ୍ବାଦିକତାର ଆବଶ୍ୟକତା ରହିଛି। ଏଥିପାଇଁ ସେମାନଙ୍କୁ ପ୍ରମାଣ ଆଦି ଯୋଗାଡ଼ କରିବାକୁ ପଡ଼ିଥାଏ; ମୁମ୍ବଇ ପୁଲିସ ଯାହାକୁ ଚାପି ଦେବାକୁ ଚାହିଁଥିଲା। ତେବେ ଅଦାଲତ ଏହି ଯୁକ୍ତିକୁ ଅଗ୍ରାହ୍ୟ କରି ଦର୍ଶାଇଛନ୍ତି ଯେ ଯଦି ଚ୍ୟାନେଲ୍‌ ପାଖରେ ପ୍ରକୃତରେ ପ୍ରମାଣ ରହିଛି ଏବଂ ମାମଲାର ଅପରାଧୀ ଧରାପଡ଼ୁ ବୋଲି ଚାହେଁ, ତେବେ ତାହା ନିଉଜ୍‌ କଭରେଜ୍‌ର ଅଂଶ ହେବା ଅନୁଚିତ; ବରଂ ତାକୁ ପୁଲିସ୍‌କୁ ଦେଇ ତଦନ୍ତରେ ସହାୟତା କରିବା ଆବଶ୍ୟକ। ମୁମ୍ବଇ ପୁଲିସ ବିରୋଧରେ ‘ଅଭିଯାନ’କୁ ମଧ୍ୟ ‘ଦୁରାଗ୍ରହପୂର୍ଣ୍ଣ’ ବୋଲି ଅଦାଲତ କହିଛନ୍ତି।

ଏହା ନିଃସନ୍ଦେହ ଯେ କେତେକ ଟିଭି ଚ୍ୟାନେଲ୍‌ ଏବଂ ଆଙ୍କର୍‌ ନିଜର ଟିଆର୍‌ପି (ଟେଲିଭିଜନ ରେଟିଂ ପଏଣ୍ଟ୍‌) ବଢ଼ାଇବା ପାଇଁ ଏପରି ହଟଚମଟ ସୃଷ୍ଟି କରୁଛନ୍ତି, ଯାହା ସାମ୍ବାଦିକତାର କୌଣସି ଧାର୍‌ ଧାରେ ନାହିଁ। ଟିଆର୍‌ପି ମାମଲାରେ ଅଭିଯୁକ୍ତ ତଥା ଜାମିନରେ ଆସିଥିବା ରିପବ୍ଲିକ୍‌ ଟିଭିର ସଂପାଦକ ଅର୍ଣ୍ଣବ ଗୋସ୍ବାମୀ ଏବଂ ବର୍ତ୍ତମାନ ଜେଲ୍‌ରେ ଥିବା ବାର୍କର ପୂର୍ବତନ ମୁଖ୍ୟ ପାର୍ଥ ଦାସଗୁପ୍ତାଙ୍କ ଭିତରେ ସୁଦୀର୍ଘ ହ୍ବାଟ୍‌ସ୍‌ଆପ୍‌ ବାର୍ତ୍ତାଳାପ (ଅର୍ଣ୍ଣବଗେଟ୍‌) ପ୍ରସାରିତ ହେବାପରେ କେବଳ ସାମ୍ବାଦିକତାର ଉତ୍ତରଦାୟିତ୍ବ ନେଇ ନୁହେଁ, ସାମାଜିକ ସଦ୍ଭାବ ଏବଂ ଦେଶର ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଅର୍ଣ୍ଣବ ଏଥିରେ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟଠାରୁ ଆରମ୍ଭ କରି ଟିଆର୍‌ପି ବଢ଼ାଇବା ସମ୍ପର୍କରେ, ସବୁ ବିଷୟରେ ବାର୍ତ୍ତା ଆଦାନପ୍ରଦାନ କରିଛନ୍ତି, ଯାହାର ସୁଦୂରପ୍ରସାରୀ ପ୍ରଭାବ ପଡ଼ିପାରେ। ସୋମବାର ଅଦାଲତର ଶେଷ ନିଷ୍ପତ୍ତି ଆସିବା ପର୍ୟ୍ୟନ୍ତ ରିପବ୍ଲିକ୍ ଟିଭିକୁ ବାର୍କ ରେଟିଂ ବ୍ୟବସ୍ଥାରୁ ବହିଷ୍କାର କରିବାକୁ ନିଉଜ୍ ବ୍ରଡକାଷ୍ଟିଂ ଆସୋସିଏସନ (ଏନ୍‌ବିଏ) କହିଛି। ସେ ଯାହାହେଉ, ଏଥିରୁ ଶିକ୍ଷାନେଇ ଗଣମାଧ୍ୟମ ନିଜକୁ ଦାୟିତ୍ବବାନ କରିବ ବୋଲି ଆମେ ଆଶା କରିବା।

Comments are closed.