ଖଣ୍ଡାଧାରରେ ପୂର୍ବ-ଲଦାଖ; ଚୀନକୁ ନିଜ ସୀମା ମଧ୍ୟରେ ରହିବାକୁ ପଡ଼ିବ

ସଂଘର୍ଷ ଓ ଶାନ୍ତି ଆଲୋଚନା ଏକ ସମୟରେ ସମ୍ଭବ ନୁହେଁ। ସେଥିପାଇଁ କଥାବାର୍ତ୍ତାବେଳେ ଉତ୍ତେଳନା ଓ ଆକ୍ରମଣ ପରିହାର କରିବାକୁ ପଡ଼ିବ। ପୂର୍ବ ଲଦାଖ ସୀମା ବିବାଦର ସମାଧାନ ଘେନି ଦୁଇଦେଶ ମଧ୍ୟରେ ଉଭୟ କୂଟନୈତିକ ଓ ସାମରିକ ସ୍ତରରେ କଥାବାର୍ତ୍ତା ଚାଲିଥିବା ସମୟରେ ଚୀନ ଯେଉଁ ଅନୁପ୍ରବେଶ ଓ ଗଣ୍ଡଗୋଳ ଭିଆଇଛି ତାହା କେବଳ ଅପରିଣାମଦର୍ଶିତା ନୁହେଁ, ନିଚ୍ଛକ ଅହଂକାର ମଧ୍ୟ। ଏଭଳି ପରିସ୍ଥିତିରେ କଥାବାର୍ତ୍ତା ଅର୍ଥହୀନ। ପୂର୍ବଲଦାଖର ଚୁଷୁଲ- ପାନଗଙ୍ଗ ଅଞ୍ଚଳରେ ସୋମବାର ଚୀନ ସୈନ୍ୟ ଭାରତୀୟ ଅଞ୍ଚଳକୁ ଧସେଇ ପଶିବା ସହିତ ​‌​‌ସେସବୁକୁ ଦଖଲ କରିବାକୁ ଚେଷ୍ଟା କରିଥିଲେ। ଭାରତୀୟ ସୈନ୍ୟଙ୍କ କଡ଼ା ବିରୋଧ ଯୋଗୁଁ ସେମାନେ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଛନ୍ତି। ଚୀନ୍‌ ତା’ର ସେଇ ପୁରୁଣା କଥା ଦୋହରାଇ କହୁଛି ଯେ ତା’ ଇଲାକା ମଧ୍ୟକୁ ଭାରତୀୟ ସୈନ୍ୟ ଜବରଦସ୍ତ ପଶିଆସି ଜମି ମାଡ଼ି ବସୁଛନ୍ତି।

ଲଦାଖର ସୀମାନ୍ତ ବିବାଦୀୟ ଅଞ୍ଚଳ ଉଚ୍ଚମାଳଭୂମି ଓ ଗିରିଶୃଙ୍ଗରେ ପରିପୂର୍ଣ୍ଣ। ମଝିରେମଝିରେ ପାହାଡ଼ୀ ନଈ, ଝରଣା, ହ୍ରଦ ଓ ବିରାଟବିରାଟ ଖାଇ। ସେହି ଅଞ୍ଚଳର ପ୍ରାକୃତିକ ସୀମାରେଖାକୁ ଚିହ୍ନଟ କରିବା ଅସହଜ। ବରଫ ମଧ୍ୟ ଏଠାକାର ଏକ ସ୍ଥାୟୀ ସମସ୍ୟା। ଏହା ସତ୍ତ୍ବେ ଦୁଇ ଦେଶର ସୈନ୍ୟମାନେ ଯେଉଁ ସୀମାରେଖାକୁ ମାନି ଚଳୁଛନ୍ତି ତାହା ହିଁ ବାସ୍ତବ ସୀମାରେଖା ବା ପ୍ରକୃତ ନିୟନ୍ତ୍ରଣ ରେଖା। ଅତଏବ ଉଭୟପକ୍ଷ ଏହାର ଦୁଇପାଖେ ରହି ଏହାକୁ ମାନିଚଳିବା ଏକମାତ୍ର ଉପାୟ। ଚୀନ କିନ୍ତୁ ଏଥିରେ ସନ୍ତୁଷ୍ଟ ନୁହେଁ। ତାହାର ସଫେଇ ଦେଲା ଯେ ଦୁଇ ଦେଶ ମଧ୍ୟରେ ଏଯାଏ ସୀମାରେଖା ଚିହ୍ନଟ ଏବଂ ଚୂଡ଼ାନ୍ତ ହୋଇନାହିଁ; ତେଣୁ ଭାରତ ଯାହାକୁ ପ୍ରକୃତ ନିୟନ୍ତ୍ରଣ ରେଖା କହୁଛି ତାହା ଚୀନର ଅଞ୍ଚଳ ଭିତରେ। ଏହି ରେଖାର ଆରପାରିରେ ଭାରତକୁ ଲାଗି ବିସ୍ତୃତ ଅଞ୍ଚଳ ଚୀନର ରହିଛି ଏବଂ ତାହାକୁ ଭାରତୀୟ ସେନା ଜବରଦସ୍ତ ଅକ୍ତିଆର କରିଛନ୍ତି। ତେଣୁ ସେସବୁ ଇଲାକାକୁ ଦଖଲ କରିବାପାଇଁ ଚୀନ ଉଦ୍ୟମ ଚଳାଇଛି।
ଚୀନର ଏହି ଦାବି ସଂପୂର୍ଣ୍ଣ ନିରାଧାର ଏବଂ ଏକ ବାହାନା କରି ସେ ଏସବୁ ଭାରତୀୟ ଅଞ୍ଚଳକୁ ଜବରଦସ୍ତ ଦଖଲ କରିବାକୁ ପୂରା ଏକ ରୀତିମତ ଯୋଜନାରେ ଅଛି। ଥରେ କୌଣସି ଅଞ୍ଚଳକୁ କବ୍‌ଜା କରିନେଲେ ଆଉ ସେଠାରୁ ଚୀନ ସେନା ହଟିବ ନାହିଁ ଏବଂ ତଦନୁସାରେ ଏହା କାର୍ଯ୍ୟ ମଧ୍ୟ କରୁଛି। ତେବେ ପୂର୍ବ ଲଦାଖରେ କିଛିକାଳ ଧରି ଭାରତ ଯେଉଁ ଦୃଢ଼ ସାମରିକ ପଦକ୍ଷେପମାନ ଆରମ୍ଭ କରିଛି ତାହା ଚୀନ ପାଇଁ ଚିନ୍ତାର କାରଣ ପାଲଟିଛି। ଏହାର ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସୈନ୍ୟ ପଣ୍ଡ କରୁଥିବାରୁ ତା’ର ଅଭିଳାଷ ପୂରଣ ହୋଇପାରୁନାହିଁ। ଦୁଇ ବିବଦମାନ ଦେଶ ଯେତେବେଳେ ସୀମାବିବାଦର ସମାଧାନ ପାଇଁ ଆନ୍ତରିକତାର ସହ ଉଦ୍ୟମ କରିବେ ସେତେବେଳେ କୌଣସି ଶକ୍ତି ଏହାକୁ ରୋକିପାରିବ ନାହିଁ। ଚୀନର କଥା ଅନୁସାରେ ନୂଆ ସୀମାରେଖା ନିର୍ଦ୍ଧାରଣ ଓ ଚିହ୍ନଟ ପାଇଁ ଭାରତ କେବେ ଅନାଗ୍ରହ ପ୍ରକାଶ କରିନାହିଁ। ବୁଝାମଣା ଓ ଦବାନବା ଭିତ୍ତିରେ ବିଶ୍ବର ଅନେକ ଅଞ୍ଚଳରେ ବିଭିନ୍ନ ଦେଶ ମଧ୍ୟରେ ସୀମା ବିବାଦର ସମାଧାନ ହୋଇଛି। ମ୍ୟାଁମାର ସହ ମଧ୍ୟ ଚୀନ ସୀମାରେଖା ବିବାଦ ତୁଟାଇଛି। ଏବେ ଭାରତ ସହ ସୀମାବିବାଦ ତୁଟାଇବାରେ କୁନ୍ଥୁକୁନ୍ଥୁ ହେବାର କାରଣ କ’ଣ? ଚୀନ ନିଜେ ଜାଣିନି ପୂର୍ବତନ ତିବ୍ବତ ଓ ଭାରତ ମଧ୍ୟରେ ଥିବା ସୀମାରେଖା କେଉଁଠି ଓ ଏହାର ଭୌଗୋଳିକ ସ୍ଥିତି କ’ଣ? ତେଣୁ ତିବ୍ବତକୁ ନିଜ ମୂଳଭୂଖଣ୍ଡରେ ବଳପୂର୍ବକ ସାମିଲ କରିଥିବା ଚୀନ ଏବେ ନିଜ ମର୍ଜିରେ ସୀମାରେଖା ନିର୍ଦ୍ଧାରଣ କରିବାକୁ ଶକ୍ତି ପ୍ରୟୋଗ କରୁଛି।

ଜିଦ୍‌ ଏବଂ ସାମରିକ ବଳ ପ୍ରଦର୍ଶନ କରି ଶାନ୍ତି ଆଲୋଚନା ଅନ୍ୟ ସହ କରିବା ସମ୍ଭବ ନୁହେଁ। ଚୀନ ଯଦି ଏକ ବିଧିବଦ୍ଧ ଓ ମାନ୍ୟତାପ୍ରାପ୍ତ ସୀମାରେଖା ନିର୍ଦ୍ଧାରଣ କରିବାକୁ ସତରେ ଆଗ୍ରହୀ, ତା’ହେଳେ ତାକୁ ଶୃଙ୍ଖଳା ଓ ଅନୁଶାସନ ପାଳନ କରି ଆଲୋଚନା ସୀମା ଟେବୁଲରେ ବସିବାକୁ ହେବ। ଉତ୍ତମ ପରିବେଶରେ ଆପୋସ ଆଲୋଚନା ମଧ୍ୟରେ ଏହି ସୀମା ବିବାଦର ସ୍ଥାୟୀ ସମାଧାନ ହୋଇପାରିବ। ଚୀନ ଯଦି ଭାବୁଥାଏ ସାମରିକ ବଳ ଦେଖାଇ ସେ ଭାରତକୁ ଡରାଇ ସୀମାବିବାଦର ସମାଧାନ କରିବାକୁ ସମର୍ଥ, ତା’ହେଲେ ସେ ଭୁଲ କରୁଛି। ବେଜିଂର ଶାସକ ଜାଣିରଖିବା ଉଚିତ ଯେ ଭାରତ ଏଭଳି କାର୍ଯ୍ୟର ଉପଯୁକ୍ତ ଜବାବ ଦେବାକୁ ସମର୍ଥ। ଗଲୱାନ୍‌ ଉପତ୍ୟକାରେ ଅଳ୍ପ ଦିନ ତଳେ ଭାରତ ତାହାର ସେ ସାମର୍ଥ୍ୟର ପରିଚୟ ଦେଇଥିଲା ଏବଂ ଏବେ ମଧ୍ୟ ସୀମାନ୍ତର ଯେ କୌଣସି ଇଲାକାରେ ତାହାର ପୁନରାବୃତ୍ତି ପାଇଁ ପ୍ରସ୍ତୁତ। ଏସବୁ ସତ୍ତ୍ବେ ଆମର ଦୃଢ଼ ବିଶ୍ବାସ ଯେ ଭାରତ ଏହି ବିବାଦର ସ୍ଥାୟୀ ସମାଧାନ ପାଇଁ ଯେଉଁ କୂଟନୈତକ-ସାମରିକ ଆଲୋଚନାର ମାର୍ଗ ଉନ୍ମୁକ୍ତ କରିଛି ତାହା ଅବଶ୍ୟ ସଫଳତା ଆଣିବ। ପରିଶେଷରେ ଚୀନ ବାଧ୍ୟହୋଇ ଆଲୋଚନା ଟେବୁଲକୁ ଆସିବ। ତା’ଛଡ଼ା ଚୀନ ପାଖରେ ଆଉ କୌଣସି ବାଟ ନାହିଁ।

Comments are closed.