ଗଡ଼ିବ ଘରୋଇ ରେଳ; ୨୦୨୩ ସୁଦ୍ଧା ହେବ କାର୍ଯ୍ୟକ୍ଷମ

 

ଦିଲିପ୍‌ କୁମାର ସାମନ୍ତରାୟ

ଭାରତୀୟ ରେଳବାଇ ପ୍ରତି ଥିବା ଦେଶବାସୀଙ୍କ ଧାରଣାକୁ ପରିବର୍ତ୍ତନ ପାଇଁ କିଛିଦିନ ତଳେ ରେଳମନ୍ତ୍ରୀ ପୀୟୂଷ ଗୋୟଲ୍ ଭାରତୀୟ ରେଳବାଇକୁ ଆହ୍ବାନ ଦେଇଛନ୍ତି। ସ୍ବାଧୀନତାର ଏତେ ବର୍ଷ ପରେ ମଧ୍ୟ ଆମ ଯାତ୍ରୀବାହୀ ଟ୍ରେନ୍‌ଗୁଡ଼ିକ କ୍ଷମତା ସତ୍ତ୍ବେ ଘଣ୍ଟାକୁ ହାରାହାରି ୫୫କିଲୋମିଟର ବେଗରେ ଗତି କରେ। ଆନୁଷଙ୍ଗିକ ଭିତ୍ତିଭୂମିର ଅଭାବ ହିଁ ହେତୁ ଟ୍ରେନ୍‌ଗୁଡ଼ିକର କ୍ଷମତାର ପୂର୍ଣ୍ଣ ଉପଯୋଗ ହୋଇପାରୁନାହିଁ। ରେଳ ଭିତ୍ତିଭୂମିର ବିକାଶ ପାଇଁ ସମ୍ବଳ ବିନିଯୋଗର ଅଭାବ ହିଁ ମୁଖ୍ୟ କାରଣ। ସ୍ଥିତିରେ ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାର ନିକଟରେ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ସରକାର ଘରୋଇ କମ୍ପାନୀମାନଙ୍କଠାରୁ ୧୫୧ ଗୋଟି ନିଜସ୍ବ ଟ୍ରେନ ଚଳାଇବା ପାଇଁ ପ୍ରସ୍ତାବ ଆହ୍ବାନ କରିଛନ୍ତି। ଏପ୍ରିଲ ୨୦୨୩ ସୁଦ୍ଧା ଦେଶରେ ପ୍ରଥମ ଘରୋଇ ଟ୍ରେନ ପ୍ରଚଳନ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ସ୍ବାଧୀନତା ସମୟରେ ଆମ ଦେଶରେ ପ୍ରାୟ ୪୨ଗୋଟି ସରକାରୀ ଓ ବେସରକାରୀ ରେଳ ପରିଚାଳନା କର୍ତ୍ତୃପକ୍ଷ ରହିଥିଲେ। ୧୯୫୧ ମସିହାରେ ଦେଶର ସମସ୍ତ ରେଳ ବ୍ୟବସ୍ଥାକୁ ଜାତୀୟକରଣ କରାଯାଇ ସରକାରଙ୍କ କର୍ତ୍ତୃତ୍ବକୁ ଅଣାଯାଇ ଗୋଟିଏ ପ୍ରଶାସନିକ ଅନୁବନ୍ଧନରେ ବିଶ୍ବର ଅନ୍ୟତମ ବୃହତ ଏକକ ରେଳ ବ୍ୟବସ୍ଥା ସୃଷ୍ଟି କରାଗଲା। ସଡ଼କ ଓ ବିମାନ ସେବାରେ ଘରୋଇ କମ୍ପାନୀଙ୍କ ଭାଗୀଦାରୀ ଅନେକ ବର୍ଷ ହେଲା ଆରମ୍ଭ ହୋଇଥିଲାବେଳେ ରେଳ ସେବା ଏ ପର୍ଯ୍ୟନ୍ତ ସମ୍ପୂର୍ଣ ଭାବେ ସରକାରୀ ନିୟନ୍ତ୍ରଣରେ ରହି ଆସିଛି। ୨୦୧୫ ମସିହାରେ ରେଳ ମନ୍ତ୍ରାଳୟ ଦ୍ବାରା ଗଠିତ ବିବେକ ଦେବରଏ କମିଟିର ସୁପାରିସ ଘରୋଇ କମ୍ପାନୀଙ୍କୁ ରେଳ ପରିବହନରେ ଭାଗୀଦାର ହେବା ପାଇଁ ପ୍ରୋସାହନ ଦେବା ଉଚିତ। ସେହି ସୁପାରିସ ଓ ବର୍ତ୍ତମାନର ନିଷ୍ପତ୍ତି ଅନୁଯାୟୀ ଦେଶର ୧୦୯ ଯୋଡ଼ା ରେଳ ମାର୍ଗକୁ ଘରୋଇ କମ୍ପାନୀ ଦ୍ବାରା ଟ୍ରେନ୍ ଚଳାଚଳ କରିବା ପାଇଁ ଉନ୍ମୁକ୍ତ କରାଯିବ। ଅବଶ୍ୟ ଏହି ମାର୍ଗଗୁଡିକରେ ଘରୋଇ ଟ୍ରେନ ସହିତ ରେଳବାଇର ନିଜ ଟ୍ରେନ ମଧ୍ୟ ଚଳାଚଳ କରିବ। ଆଗରୁ ପରୀକ୍ଷାମୂଳକ ପ୍ରକଳ୍ପ ଭାବରେ ଆଇଆରସିଟିସି ଦ୍ବାରା ଦୁଇ ଯୋଡ଼ା ‘ତେଜସ୍’ ଟ୍ରେନ ଲକ୍ଷ୍ନୌ-ନୂଆଦିଲ୍ଲୀ ଓ ଅହମ୍ମଦାବାଦ-ମୁମ୍ବଇ ମଧ୍ୟରେ ଚଳାଚଳ ଆରମ୍ଭ ହୋଇଛି। ମାତ୍ର ଆଇଆରସିଟିସି ରେଳ ମନ୍ତ୍ରାଳୟର ଏକ ନିଗମ ହୋଇଥିବାରୁ ତେଜସ୍ ଟ୍ରେନକୁ ନିଜସ୍ବ ବା ଘରୋଇ ଟ୍ରେନ୍‌ ଭାବରେ ଗଣନା କରିବା ଠିକ୍‌ ହେବ ନାହିଁ।
ରେଳ ମନ୍ତ୍ରାଳୟର ନିଜ ଆକଳନ ଅନୁଯାୟୀ ଭିତ୍ତିଭୂମି ବିକାଶ ପାଇଁ ରେଳବାଇ ଆଗାମୀ ୧୨ ବର୍ଷରେ ୫୦ ଲକ୍ଷ କୋଟି ଟଙ୍କା ଆବଶ୍ୟକ କରୁଛି। ୨୦୧୯ରେ ୮୪୦ କୋଟି ଯାତ୍ରୀ ରେଳରେ ଯାତ୍ରା କରିଥିଲେ। ସେହି ସମୟରେ ଆହୁରି ୫କୋଟି ଯାତ୍ରୀ ଲମ୍ବା ପ୍ରତୀକ୍ଷା ସୂଚୀ ଯୋଗୁଁ ଟିକେଟ ପାଇପାରିନଥିଲେ। ଆଗାମୀ ଦିନରେ ଏ ପରିସ୍ଥିତି ଅଧିକ ସଂଗିନ ହେବାକୁ ଯାଉଛି। ୨୦୩୦ ମସିହା ବେଳକୁ ରେଳ ଯାତ୍ରୀ ସଂଖ୍ୟା ୧୩୦୦ କୋଟି ଏବଂ ୨୦୪୦ ମସିହା ବେଳକୁ ୧୮୦୦ କୋଟିକୁ ପହଞ୍ଚିଯିବାର ଆକଳନ କରାଯାଉଛି। ଟ୍ରେନ ସେବା ନିଶ୍ଚିତଭାବେ ଦୂରଗାମୀ ଯାତ୍ରୀମାନଙ୍କର ପ୍ରଥମ ପସନ୍ଦ ହେବା ସହିତ ପରିବେଶ ସୁରକ୍ଷାରେ ବିଶେଷ ସହାୟକ। ଗୋଟିଏ ଟ୍ରେନ ୪୦ ରୁ ୫୦ ଗୋଟି ବସର ଯାତ୍ରୀବାହୀ କ୍ଷମତା ଧାରଣ କରେ। ତେଣୁ ରେଳ ସେବାର ପ୍ରସାର ଏବଂ ବିକାଶ ଦେଶ ପାଇଁ ସର୍ବଥା ବାଞ୍ଛନୀୟ।
ବର୍ତ୍ତମାନ ରେଳବାଇର ଯୋଜନା ଅନୁଯାୟୀ, ୧୦୯ଟି ରେଳ ମାର୍ଗରେ ୧୫୧ ଗୋଟି ଟ୍ରେନକୁ ଘରୋଇ କମ୍ପାନୀ ଦ୍ବାରା ପିପିଇ ମୋଡ୍‌ରେ ଚଳାଇବାକୁ ଅନୁମତି ମିଳିବ। ଏହା ବର୍ତ୍ତମାନ ଚାଲୁଥିବା ୨୮୦୦ ମେଲ୍ ଓ ଏକ୍ସପ୍ରେସ ଟ୍ରେନର ମାତ୍ର ୫%। ବାକି ୯୫% ଟ୍ରେନ ରେଳବାଇ ନିଜେ ଚଳାଇବ। ଘରୋଇ ଟ୍ରେନ୍‌ଗୁଡ଼ିକ ଘଣ୍ଟାକୁ ୧୬୦ କିଲୋମିଟର ବେଗରେ ଯାତାୟାତ କରିବେ। ସେଥିପାଇଁ ରେଳବାଇ ଓ ସମ୍ପୃକ୍ତ ଘରୋଇ କମ୍ପାନୀ ମଧ୍ୟରେ ୩୫ ବର୍ଷିଆ ଚୁକ୍ତି ହେବ। ଘରୋଇ ସଂସ୍ଥା ରେଳବାଇର ଭିତ୍ତିଭୂମି, ଯଥା- ରେଳଲାଇନ ଓ ସିଗନାଲ୍ ବ୍ୟବସ୍ଥାକୁ ବ୍ୟବହାର କରିବେ। ସେଥିପାଇଁ ସେମାନେ ରେଳବାଇକୁ ଏକ ନିର୍ଦ୍ଦିଷ୍ଟ ଭଡ଼ା ଦେବେ। ଟ୍ରେନ ଚଳାଚଳ ପାଇଁ ବ୍ୟବହୃତ ବିଦ୍ୟୁତ ଶକ୍ତିର ଖର୍ଚ୍ଚ ବହନ କରିବାକୁ ପଡ଼ିବ। ଏହାବ୍ୟତୀତ ଘରୋଇ କମ୍ପାନିଗୁଡ଼ିକୁ ଟ୍ରେନ ଚଳାଚଳରୁ ଅର୍ଜିତ ଆୟରୁ କିଛି ଅଂଶ ରେଳବାଇକୁ ଦେବାକୁ ପଡ଼ିବ। ସର୍ବୋପରି ଘରୋଇ ଟ୍ରେନ ପରିଚାଳନା କମ୍ପାନୀଙ୍କୁ ଟ୍ରେନ୍‌ ଚଳାଚଳରେ ୯୫ ପ୍ରତିଶତ ସମୟନୁବର୍ତ୍ତିତା ରକ୍ଷା କରିବାକୁ ପଡ଼ିବ। ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ ହେଲା ଦେଶର ଟ୍ରେନ ଚଳାଚଳରେ ଆଧୁନିକ ଟେକନୋଲୋଜି ପ୍ରୟୋଗ ସହିତ ଉନ୍ନତ ମାନର ରେଳବଗି ବ୍ୟବହାର କରି ଯାତ୍ରୀଙ୍କୁ ବିଶ୍ବସ୍ତରୀୟ ରେଳଯାତ୍ରାର ଅନୁଭୂତି ପ୍ରଦାନ କରିବା। ଆଜିକା ଦିନରେ ଆମ ଦେଶରେ ରେଳରେ କେବଳ ଦୁଇ ପ୍ରକାର ବଗି ଯଥା ଆଇସିଏଫ୍ ଏବଂ ଏଲ୍‌ଏଚ୍‌ଭି ମୋଡେଲର ବ୍ୟବହାର ହେଉଛି। ଏହା ଜାଗାରେ ଘଣ୍ଟାକୁ ୨୫୦ କିମି ବେଗରେ ଗତି କରୁଥିବା ସ୍ପେନ ନିର୍ମିତ ଅତ୍ୟାଧୁନିକ ଟାଲଗୋ ଟ୍ରେନ୍‌ ଭାରତକୁ ଆସିବାର ସମ୍ଭାବନା ସୃଷ୍ଟି ହୋଇଛି। ସ୍ବୟଂଚାଳିତ ଇଞ୍ଜିନ ବିହୀନ ଟ୍ରେନ୍‌ ଦ୍ବାରା ଗତିକୁ ନିୟନ୍ତ୍ରଣ କରିହେବ ଓ ଯାତ୍ରା ସମୟରେ ଉଲ୍ଲେଖନୀୟ ଉନ୍ନତି ଆସିପାରିବ। ଟେକ୍ନୋଲଜିରେ ଉର୍ନ୍ନତି ଫଳରେ ଯାତ୍ରୀବଗୀଗୁଡ଼ିକ ଯାହା ପ୍ରତି ୪୦୦୦ କିଲୋମିଟର ବଦଳରେ ୪୦ ହଜାର କିଲୋମିଟର ପରେ ହିଁ ରକ୍ଷଣାବେକ୍ଷଣ ଦରକାର କରିବେ।
ପ୍ରସ୍ତାବିତ ୧୫୧ ଟ୍ରେନ ମଧ୍ୟରୁ ଅଧିକାଂଶ ଆମ ଦେଶରେ ମେକ୍‌ ଇନ୍‌ ଇଣ୍ଡିଆ ଯୋଜନା ଆନୁକୂଲ୍ୟରେ ନିର୍ମାଣ ହେବ। ଏହା ଫଳରେ ପ୍ରାୟ ୪୦ ହଜାର ଲୋକ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ନିଯୁକ୍ତି ସୁବିଧା ପାଇପାରିବେ ବୋଲି ଆଶାକରାଯାଏ। ଏହି ପ୍ରକଳ୍ପରେ ୩୦,୦୦୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବାର ଅଟକଳ କରାଯାଉଛି। ଘରୋଇ କମ୍ପାନିଗୁଡ଼ିକ ଆବଶ୍ୟକ ପୁଞି ନିବେଶ କରିବା ସହିତ ଟ୍ରେନଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ବ ନେବେ। ଏହି ଘରୋଇ ଟ୍ରେନରେ ଡ୍ରାଇଭର ଓ ଗାର୍ଡ଼ ରେଲବାଇର କର୍ମଚାରୀ ହିଁ ରହିବେ। ଅନ୍ୟପକ୍ଷରେ ଘରୋଇ କମ୍ପାନୀ ଯାତ୍ରୀ ଭଡ଼ା ଏବଂ ଟ୍ରେନର ରହଣି ଏବଂ ଯାତ୍ରୀ ସୁବିଧା ବାବଦରେ ନିଷ୍ପତ୍ତି ନେବେ।
ଏହି ଯୋଜନାକୁ କିଛି ଲୋକ ନାପସନ୍ଦ କରିବା ସହ ଏହା କେବଳ ଆଭିଜାତ୍ୟସମ୍ପନ୍ନ ଲୋକଙ୍କ ସୁବିଧା ପାଇଁ ଉଦ୍ଦିଷ୍ଟ ବୋଲି ଅଭିଯୋଗ କରୁଛନ୍ତି। ମେଟ୍ରୋ-ମଣିଷ ଇ ଶ୍ରୀଧରନ୍ ଓ କିଛି ରେଳ ବିଶେଷଜ୍ଞ ଏହି ପରିକଳ୍ପନାର ସଫଳତା ଉପରେ ପ୍ରଶ୍ନବାଚୀ ଲଗାଇଛନ୍ତି। ସେମାନଙ୍କ ମତରେ ରେଳବାଇ ଆଜିକା ଦିନରେ ଯାତ୍ରୀ ପିଛା ପ୍ରତି ୧୦ କିଲୋମିଟରରେ ୩୭ ପଇସାର କ୍ଷତି ସହୁଛି, ଯାହାକି ବର୍ଷକୁ ରେଳବାଇ ଉପରେ ୩୫ରୁ ୪୦ ହଜାର କୋଟି ଟଙ୍କାର ଆର୍ଥିକ ବୋଝ ଲଦୁଛି। ବର୍ତ୍ତମାନ ଯାତ୍ରୀସେବାରେ ହେଉଥିବା କ୍ଷତିକୁ ରେଳବାଇ ମାଲବାହୀ ଭଡ଼ାରୁ ଆସୁଥିବା ଲାଭରେ ଭରଣା କରୁଛି। ମାତ୍ର ଘରୋଇ ଟ୍ରେନ ଚଳାଇବାକୁ ଆଗ୍ରହୀ କମ୍ପାନୀ ପୁଞ୍ଜି ନିବେଶ ଲାଭ କରିବା ପାଇଁ କରିବେ। ଫଳର ଯାତ୍ରୀ ଭଡ଼ା ଅଧିକ ହେବ। ସେହିପରି ଏବେ ଯେତେବେଳେ ମେଲ ଓ ଏକ୍ସପ୍ରେସ ଟ୍ରେନ ହାରାହରି ୭୦ କିଲୋମିଟରରୁ ଊର୍ଦ୍ଧ୍ବ ବେଗରେ ଚାଲିବା କଷ୍ଟକର ହୋଇଯାଉଛି ସେତେବେଳେ ୧୬୦ କିଲୋମିଟର ବେଗରେ ଏହି ଘରୋଇ ଟ୍ରେନ ଚାଲିବା ବାସ୍ତବତାରୁ ବହୁତ ଦୂରର କଥା। ଏହି ସନ୍ଦର୍ଭରେ ସେମାନେ ବ୍ରିଟେନ୍‌ରେ ଘରୋଇ କମ୍ପାନୀ ଦ୍ବାରା ସରକାରୀ ରେଳ ଭିତ୍ତିଭୂମିରେ ଚାଲୁଥିବା ଟ୍ରେନର ନିରାଶାଜନକ ଉପଲବ୍ଧି କଥା ମଧ୍ୟ ଉଲ୍ଲେଖ କରୁଛନ୍ତି।
ଅନ୍ୟପକ୍ଷରେ ରେଳ ମନ୍ତ୍ରାଳୟ ଯୋଜନାର ସଫଳତା ଉପରେ ସମ୍ପୂର୍ଣ ଆଶାବାଦୀ। ଏଥିପାଇଁ ଦେଶ ବିଦେଶର ଅନେକ କମ୍ପାନୀ, ଯଥା- ଟାଟା, ଆଦାନି, ଫ୍ରାନ୍ସର ଆଲସ୍ଟମ୍, ସ୍ପେନର ଟାଲଗୋ ଆଦି ଆଗ୍ରହ ଦେଖାଇଛନ୍ତି। ଡିସେମ୍ବର ୨୦୨୧ ସୁଦ୍ଧା ବହୁ ପ୍ରତୀକ୍ଷିତ ପଶ୍ଚିମ ଓ ପୂର୍ବ ଫ୍ରେଟ କରିଡର କାମ ସମ୍ପୂର୍ଣ ହୋଇଯିବ ବୋଲି କର୍ତ୍ତୃପକ୍ଷ ଆଶାବାଦୀ। ଫଳରେ ମାଲ୍‌ ପରିବହନର ୭୦ ଭାଗ ଟ୍ରାଫିକ୍‌ ବହନ କରୁଥିବା ଦିଲ୍ଲୀ -ମୁମ୍ବାଇ ଏବଂ ଲୁଧିଆନା- ଡାକୁଂଣି (କଲକାତା) ମଧ୍ୟରେ ସଂଯୋଗ କରୁଥିବା ରେଳମାର୍ଗରୁ ଭିଡ଼ କମିଯିବ। ଏହାଛଡ଼ା ଏହି ଦୁଇଟି ପ୍ରମୁଖ ରେଳ ମାର୍ଗକୁ ଆଗାମୀ ଦୁଇ ବର୍ଷ ମଧ୍ୟରେ ଘଣ୍ଟାକୁ ୧୩୦ କିଲୋମିଟରରୁ ୧୬୦ କିଲୋମିଟର ବେଗ ପର୍ଯ୍ୟନ୍ତ କ୍ଷମତାସମ୍ପନ୍ନ କରିଦିଆଯିବ। ଏଥିପାଇଁ ୧୩,୦୦୦ କୋଟି ଟଙ୍କାର ପ୍ରକଳ୍ପ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି। ଏହା ସାକାର ହେଲେ ଘରୋଇ ଟ୍ରେନକୁ ଆକାଂକ୍ଷିତ ବେଗ ଓ ସମୟ ଅନୁଯାୟୀ ଚାଲିବାରେ ଅସୁବିଧା ହେବନାହିଁ।
ଏହି ସନ୍ଦର୍ଭରେ ଭଲଭୋ ବସ ଓ ବିମାନ ସେବା କ୍ଷେତ୍ରରେ ଘରୋଇ କମ୍ପାନୀଙ୍କ ପ୍ରବେଶ ପରେ ଆସିଥିବା ଉନ୍ନତିକୁ ଅସ୍ବୀକାର କରାଯାଇପାରିବ ନାହିଁ। ସେ ସବୁକୁ ବିଚାରକୁ ନେଲେ ପ୍ରସ୍ତାବିତ ଘରୋଇ ଟ୍ରେନ ଯୋଜନାକୁ ଉପେକ୍ଷା କରିଦେବା ସମୀଚୀନ ହେବ ନାହିଁ। ବରଂ ଯାତ୍ରୀଙ୍କୁ ଉନ୍ନତ ସେବା ସହିତ କମ୍ ସମୟରେ ଯାତ୍ରା କରିବା ସୁବିଧା ମିଳିପାରିବ। ଏବେ ସମୟ ଅମୂଲ ମୂଲ ହୋଇଥିବାର ଉନ୍ନତ ସେବା ଓ ସମୟନୁବର୍ତ୍ତିତା ପାଇଁ ଅପେକ୍ଷାକୃତ ଅଧିକ ଦେୟ ଦେବାକୁ ପ୍ରସ୍ତୁତ ଥିବା ଯାତ୍ରୀଙ୍କ ସଂଖ୍ୟା ଭାରତରେ କମ୍‌ ନୁହେଁ। କୋଭିଡ୍‌ ୧୯ ସମାସ୍ୟା ପୂର୍ବରୁ ତେଜସ୍ ଏକ୍ସପ୍ରେସରେ ଯାତ୍ରୀ ସଂଖ୍ୟା ଉତ୍ସାହଜନକ ଥିଲା।
ପରିଶେଷରେ ଏହି ପ୍ରସ୍ତାବିତ ନିଜସ୍ବ ରେଳ ଚଳାଚଳ ଯୋଜନା ସଫଳ ହେବା ପାଇଁ ରେଳ ମନ୍ତ୍ରାଳୟର ଏଥିପ୍ରତି ଦୃଢ଼ ପ୍ରତିଶ୍ରୁତିବଦ୍ଧତା ଓ ସହଯୋଗିତା ଆବଶ୍ୟକ। ଏଥିପାଇଁ ଏକ ସ୍ବାଧୀନ ନିୟାମକ ପ୍ରାଧିକରଣ ଗଠନ ଏକାନ୍ତ ଆବଶ୍ୟକ। ସେହିପରି ବିଦେଶୀ କମ୍ପାନୀଙ୍କୁ ଭାରତୀୟ କମ୍ପାନୀଙ୍କ ସହିତ ଯୌଥ ଉଦ୍ୟୋଗରେ କାରଖାନା ପ୍ରତିଷ୍ଠା କରିବାକୁ ନିୟମ କରିବା ଆବଶ୍ୟକ। ଏହାଦ୍ବାରା ରେଳ ପ୍ରଦ୍ୟୋଗିକ କ୍ଷେତ୍ରରେ ଆମ ଦେଶର ପ୍ରଭୂତ ଅଗ୍ରଗତି ହୋଇପାରିବ। ମୋଟାମୋଟି କହିବାକୁ ଗଲେ ସରକାରକଂ ପ୍ରସ୍ତାବିତ ନିଜସ୍ବ ରେଳଗାଡ଼ି ପ୍ରକଳ୍ପ ଦେଶରେ ରେଳ ସେବାର ଉନ୍ନତିକଳ୍ପେ ଏକ ଯୁଗାନ୍ତକାରୀ ପଦକ୍ଷେପ।
(ଏହା ଲେଖକଙ୍କ ନିଜସ୍ବ ମତ)

Comments
Loading...