ଖିଲ୍‍ଜିଙ୍କ ଆତ୍ମା; ଖାଉଟିଙ୍କୁ ସୁରକ୍ଷା ଦେବ କିଏ ?

ନିଷ୍ଠୁର ଶାସକ ଅଥଚ ସଂସ୍କାରବାଦର ପ୍ରବର୍ତ୍ତକ ଭାବେ ପରିଚିତ ମୋଗଲ୍‍ ସମ୍ରାଟ ଆଲ୍ଲାଉଦ୍ଦିନ ଖିଲ୍‍ଜିଙ୍କ ଆତ୍ମା ଯଦି ଭାରତରେ ଥିବ ତେବେ ଏହା ଦେଖି ତୃପ୍ତ ହେଉଥିବ ଯେ ପ୍ରାୟ ୭୦୦ ବର୍ଷ ତଳେ ସେ ପ୍ରଣୟନ କରିଥିବା କୃଷି ସଂକ୍ରାନ୍ତ ଆଇନ୍‍ ଅଦ୍ୟାବଧି ବଳବତ୍ତର ରହିଛି। ନିକଟରେ କିନ୍ତୁ କେନ୍ଦ୍ର ସରକାର ଏଭଳି କିଛି ପଦକ୍ଷେପ ନେଇଛନ୍ତି ଯେଉଁଥିରେ ଖିଲଜିଙ୍କ ଆତ୍ମା ଅସୁଖୀ ହେବା ପ୍ରାୟ ନିଶ୍ଚିତ। କାରଣ ପୁରୁଣାକାଳିଆ ସେହି ସବୁ ଆଇନ୍‍ ପରିବର୍ତ୍ତନ ପାଇଁ ଅଧ୍ୟାଦେଶ ଜାରି ହୋଇସାରିଛି।
ଲକ୍‍ଡାଉନ୍‍ ସମୟରେ କେନ୍ଦ୍ର ସରକାର କୃଷି କ୍ଷେତ୍ରରେ ଯୁଗାନ୍ତକାରୀ ସଂସ୍କାର ଆଣିଛନ୍ତି। ୧୯୯୧ ଆର୍ଥିକ ସଂସ୍କାର ପରେ ଭାରତରେ ଏହାକୁ ବୃହତ୍‍ ସଂସ୍କାର ଭାବେ ଅଭିହିତ କରାଯାଉଛି। ଏଥିମଧ୍ୟରେ ରହିଛି ଅତ୍ୟାବଶ୍ୟକ ସାମଗ୍ରୀ ଆଇନ-୧୯୫୫ ଓ ରାଜ୍ୟ କୃଷି ଉତ୍ପାଦ ବିପଣନ ସମିତି ବ୍ୟବସ୍ଥାର ସଂଶୋଧନ ସମେତ ଚୁକ୍ତିଭିତ୍ତିକ କୃଷି ପାଇଁ ନୂଆ ଆଇନ୍‍। କୃଷି ଓ କୃଷକର ସର୍ବାଙ୍ଗୀଣ ବିକାଶ ପାଇଁ କୃଷି ସଂକ୍ରାନ୍ତ ପୁରୁଣା ଆଇନ୍‍ ଓ ନୀତି ନିୟମରେ ଯୁଗୋପଯୋଗୀ ପରିବର୍ତ୍ତନ ସପକ୍ଷରେ କୃଷି ଅର୍ଥନୀତିଜ୍ଞ ଓ ବଜାର ବିଶେଷଜ୍ଞମାନେ ବହୁଦିନରୁ ମତ ଦେଇ ଆସୁଥିଲେ। ସେହି ଦୃଷ୍ଟିରୁ ଦେଖିବାକୁ ଗଲେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ। ତଥାପି କୃଷକଙ୍କ ଭାଗ୍ୟ ପରିବର୍ତ୍ତନ ଦିଗରେ ଏହା କେତେ ପ୍ରଭାବଶାଳୀ ହେବ ତାହା ବିଚାର କରିବାକୁ ହେବ।
କୃଷି ସଂସ୍କାର ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଉଲ୍ଲେଖନୀୟ ହେଲା ଅତ୍ୟାବଶ୍ୟକ ସାମଗ୍ରୀ ଆଇନ୍‍-୧୯୫୫ର ସଂଶୋଧନ। ଧାନ, ଚାଉଳ, ଆଳୁ, ପିଆଜ, ଖାଇବା ତେଳ, ଝୋଟ, ଚିନି ଆଦି ଅତ୍ୟାବଶ୍ୟକ ସାମଗ୍ରୀର ଉତ୍ପାଦନ, ଯୋଗାଣ, ମହଜୁଦ ଓ ବିକ୍ରିବଟା ଆଦିକୁ ସରକାରୀ ନିୟନ୍ତ୍ରଣାଧୀନ କରିବା ପାଇଁ ୧୯୫୫ ମସିହାରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ୍‍ ପ୍ରଣୀତ ହୋଇଥିଲା। ସେହିସବୁ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ବା କୃତ୍ରିମ ମୂଲ୍ୟ ବୃଦ୍ଧିରୁ ଖାଉଟିଙ୍କୁ ସୁରକ୍ଷା ଦେବା ଆଇନ୍‍ର ଉଦ୍ଦେଶ୍ୟ ଥିଲା। କୃଷିଜାତ ସାମଗ୍ରୀର ଦର ଓ ମହଜୁଦ ପରିମାଣର ସୀମା ନିର୍ଦ୍ଧାରଣ, କଳବଜାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଚଢ଼ଉ, ଜୋରିମାନା ଧାର୍ଯ୍ୟ, ଡିଲରମାନଙ୍କୁ ଲାଇସେନ୍ସ ପ୍ରଦାନ, ବାଧ୍ୟତାମୂଳକ କ୍ରୟ, ପରିବହନରେ କଟକଣା ଆଦି ପାଇଁ ରାଜ୍ୟମାନଙ୍କୁ ଉପରୋକ୍ତ ଆଇନ୍‍ କ୍ଷମତାପନ୍ନ କରିଥିଲା।
ଏବେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ୍‍-୧୯୫୫ର ସଂଶୋଧନ ପରେ ଖାଦ୍ୟଶସ୍ୟର ସଂରକ୍ଷଣ ସୀମା ହଟିଯିବ ଏବଂ ମହଜୁଦକାରୀମାନେ ଯେତେ ଚାହିଁଲେ ସେତେ ଖାଦ୍ୟ ସାମଗ୍ରୀ ମହଜୁଦ କରି ରଖିପାରିବେ। ଅବଶ୍ୟ ଜରୁରୀ ସମୟରେ ସରକାର ଏହି ସବୁ ସାମଗ୍ରୀକୁ ନିଜ ନିୟନ୍ତ୍ରଣକୁ ଆଣିପାରିବେ, କିନ୍ତୁ କୃଷକ ଓ କ୍ରେତା ମଧ୍ୟ ଦରକୁ ନେଇ ଚୁକ୍ତି ହୋଇସାରିଥିବାରୁ (ଚୁକ୍ତିଭିତ୍ତିକ କୃଷି ଅଧ୍ୟାଦେଶ) ଏବଂ ରାଜ୍ୟ କୃଷି ଉତ୍ପାଦ ଓ ବିପଣନ ସମିତି ବ୍ୟବସ୍ଥା ଉଚ୍ଛେଦ ହେବାକୁ ଥିବାରୁ ରାଜ୍ୟମାନଙ୍କର କ୍ଷମତା ସଙ୍କୁଚିତ ହେବ। ତେଣୁ ଜରୁରୀ ପରିସ୍ଥିତି କିଏ ଘୋଷଣା କରିବ ଏବଂ ଯଦିବା ଘୋଷଣା ହୁଏ ତାହା କିପରି କାର୍ଯ୍ୟକାରୀ ହେବ ତାହାକୁ ନେଇ ବିତର୍କ ସୃଷ୍ଟି ହୋଇଛି। ଉପରୋକ୍ତ ସଂସ୍କାର ପରେ କୃଷକଙ୍କ ତୁଳନାରେ ମହଜୁଦକାରୀମାନେ ହିଁ ଅଧିକ ଲାଭବାନ ହେବେ ବୋଲି ମତ ପ୍ରକାଶ ପାଇଛି।
ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଯୁକ୍ତି ହେଉଛି ଅତ୍ୟାବଶ୍ୟକ ସାମଗ୍ରୀ ଆଇନ୍‍ ବଳରେ ସୃଷ୍ଟ ‘ଇନ୍‍ସ୍ପେକ୍ଟର ରାଜ୍‍’ ଓ ‘ଲାଇସେନ୍ସ ରାଜ’ ଯୋଗୁଁ ଚଢ଼ଉ ଆଶଙ୍କା ଥିବାରୁ କୌଣସି ସଂସ୍ଥା/ବ୍ୟକ୍ତି ଅଧିକ ପରିମାଣରେ କୃଷିଜାତ ସାମଗ୍ରୀ ମହଜୁଦ କରୁନାହାନ୍ତି ଏବଂ ପର୍ଯ୍ୟାପ୍ତ ଶୀତଳଭଣ୍ଡାର ଓ ଗୋଦାମ ଘର ନିର୍ମାଣ ହୋଇପାରୁନାହିଁ। ଫଳରେ ଖାଦ୍ୟ ସାମଗ୍ରୀ ନଷ୍ଟ ହେଉଛି କିମ୍ବା ଚାଷୀ କମ୍‍ ଦରରେ ଉତ୍ପାଦ ବିକ୍ରି କରୁଛି। ଏହି କାରଣରୁ ପିଆଜର ମୂଲ୍ୟ କେତେବେଳେ ଆକାଶଛୁଅାଁ ତ କେତେବେଳେ ଆଶାତୀତ ଭାବେ କମ୍‍ ରହୁଛି। ୨୦୧୯ରେ ପିଆଜ, ଡାଲି ଓ ଚିନିର ଦର ବୃଦ୍ଧି ପଛରେ ଅତ୍ୟାବଶ୍ୟକ ସାମଗ୍ର ଆଇନ୍‍ ହିଁ ମୂଳ କାରଣ ବୋଲି ଅର୍ଥନୈତିକ ସର୍ବେକ୍ଷଣ ୨୦୧୯-୨୦ରେ ଉଲ୍ଲେଖ ଅଛି। ସେହିପରି ୨୦୧୯ରେ ଦେଶରେ ଏହି ଆଇନ୍‍ ବଳରେ ୭୬,୦୦୦ଟି ସ୍ଥାନରେ ଚଢ଼ଉ ହୋଇଥିଲେ ହେଁ ଏଥିମଧ୍ୟରୁ କେବଳ ୨% ରୁ ୪% ମାମଲା କୋର୍ଟରେ ବୈଧ ବୋଲି ପ୍ରମାଣିତ ହୋଇପାରିଥିଲା। ତେଣୁ ଆଇନ୍‍ ଉଚ୍ଛେଦ ହେଲେ ଉଭୟ କୃଷକ ଓ ଖାଉଟି ଲାଭବାନ ହେବେ ବୋଲି ସରକାରଙ୍କ ମତ, କିନ୍ତୁ ଖାଉଟିଙ୍କୁ ଅସାଧୁ ମହଜୁଦ୍‍କାରୀଙ୍କ କବଳରୁ କିଏ ରକ୍ଷା କରିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିବା ସ୍ୱାଭାବିକ।
ମୋଗଲ୍‍ ସମ୍ରାଟ୍‍ ଆଲ୍ଲାଉଦ୍ଦିନ୍‍ ଖିଲଜି ତାଙ୍କର ବିଶାଳ ସେନାବାହିନୀର ଚାହିଦା ମୁତାବକ ଖାଦ୍ୟ ଶସ୍ୟ ଯୋଗାଣ ଓ ତୁର୍କୀସ୍ତାନକୁ ରପ୍ତାନୀ ପାଇଁ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଆଇନ୍‍ ଓ ରାଜ୍ୟ କୃଷି ଉତ୍ପାଦନ ବିପଣନ ସମିତି ବ୍ୟବସ୍ଥା ଅନୁରୂପ ନୀତି ପ୍ରଣୟନ କରିଥିଲେ। କୃଷକମାନେ କେବଳ ଶାସକଙ୍କୁ କିମ୍ବା ତାଙ୍କ ଏଜେଣ୍ଟମାନଙ୍କୁ ଉତ୍ପାଦିତ ସାମଗ୍ରୀ ବିକ୍ରି କରିପାରିବାର କଟକଣା ଥିବା ବେଳେ ଦର ନିର୍ଦ୍ଧାରଣ କ୍ଷମତା ଥିଲା ଖୋଦ୍‍ ଶାସକଙ୍କର। ତେଣୁ ପ୍ରଚଳିତ କୃଷି ସଂକ୍ରାନ୍ତ ଆଇନକୁ ଖିଲଜିଙ୍କ ନୀତି ସହିତ ତୁଳନା କରାଯାଉଥିଲା। ଏବେ କେନ୍ଦ୍ର ସରକାର ଏହାର ସଂଶୋଧନ ସମ୍ପର୍କିତ ଅଧ୍ୟାଦେଶ ଜାରି କରିଛନ୍ତି। ସଂସଦରେ ଏହା ଉପରେ ଆଲୋଚନା ହୋଇ ସେଥିରେ ଯଦି କିଛି ତ୍ରୁଟି କିମ୍ବା ଦୁର୍ବଳତା ଥାଏ ତେବେ ସେଗୁଡ଼ିକୁ ପରିବର୍ତ୍ତନ କରାଯାଇପାରିବ। ଏ ସବୁ ସତ୍ତ୍ବେ ଆମ ମାନସିକତା ଓ ବ୍ୟବସ୍ଥା ଭିତରେ ସଂସ୍କାରର ସୁଫଳ କେତେ କୃଷକ ଓ ଖାଉଟିଙ୍କ ପାଖରେ ପହଞ୍ଚିବ ତାହା ସନ୍ଦେହ ସୃଷ୍ଟି କରିବା ସ୍ୱାଭାବିକ।
କୁହାଯାଏ ଅସୁଖୀ ପରିବେଶ ହିଁ ପ୍ରସ୍ଥାନର ବାଟ ଦେଖାଏ। ଖିଲ୍‍ଜିଙ୍କ ଅସୁଖୀ ଆତ୍ମାକୁ କିନ୍ତୁ ଭାରତ ଛାଡ଼ିବା ପୂର୍ବରୁ ଆଉ କିଛି ଦିନ ଧୈର୍ଯ୍ୟ ଧରି ଅପେକ୍ଷା କରିବାକୁ ପଡ଼ିବ। କାରଣ ଭାରତରେ ଅସାଧୁ ମହଜୁଦକାରୀ/ବ୍ୟବସାୟୀଙ୍କ ଅଭାବ ନାହିଁ। ତେଣୁ ବୋଧହୁଏ ସଂଶୋଧିତ ଆଇନ୍‍ କାର୍ଯ୍ୟକାରୀ ହେବାର ଖୁବ୍‍ କମ୍‍ ଦିନ ମଧ୍ୟରେ ଖିଲ୍‍ଜିଙ୍କ ଆତ୍ମାକୁ ସୁଖୀ କଲା ଭଳି ସୁରକ୍ଷିତ ସ୍ଥାନଟିଏ ସୃଷ୍ଟି ହୋଇଯିବ। ଏଦିଗ ପ୍ରତି ଦେଶର ନୀତି ନିର୍ଦ୍ଧାରକମାନେ ସର୍ବାଦୌ ଦୃଷ୍ଟି ଦେବା ବିଧେୟ।

Comments
Loading...