ନିସର୍ଗ ନିର୍ଦୋଷ

ଭାରତ ଚଳିତ ଗ୍ରୀଷ୍ମଋତୁର ଦ୍ବିତୀୟ ସାମୁଦ୍ରିକ ତୋଫାନର ସମ୍ମୁଖୀନ। ପ୍ରାୟ ମାସକ ତଳେ ଅମ୍ପନ୍‌ ଓଡ଼ିଶା ଓ ପଶ୍ଚିମବଙ୍ଗରେ ତାହାର ଧ୍ବଂସଲୀଳା ରଚିବା ପରେ ଏବେ ମହାରାଷ୍ଟ୍ରରେ ଖଣ୍ଡ ପ୍ରଳୟ ରଚିଛି ଆଉ ଏକ ବାତ୍ୟା ନିସର୍ଗ। କରୋନା ମହାମାରୀ ଦ୍ବାରା ସବୁଠୁ ଅଧିକ ପ୍ରଭାବିତ ମହାରାଷ୍ଟ୍ର ଓ ଗୁଜରାଟର କିଛି ତଟବର୍ତ୍ତୀ ଅଞ୍ଚଳ ଉପରେ ଏହାର ପ୍ରଭାବ ପଡ଼ିଛି। ଆହୁରି ଚିନ୍ତାଜନକ ହେଲା ଦେଶର ଆର୍ଥିକ ରାଜଧାନୀ ତଥା ଦେଶର ଅନ୍ୟତମ ବ୍ୟସ୍ତବହୁଳ ମହାନଗରୀ ମୁମ୍ବଇ ପ୍ରଥମଥର ପାଇଁ ଏଭଳି ବାତ୍ୟା ବିଭୀଷିକାର ସାମ୍ନା କରିଛି। ଗୋଟିଏ ବିକଟ ମହାମାରୀ କାଳରେ ଦୁଇଦୁଇଟି ବଡ଼ ସାମୁଦ୍ରିକ ତୋଫାନ ଓ ପଙ୍ଗପାଳ ଆକ୍ରମଣର ସମ୍ମୁଖୀନ ହେବା ଭାରତ ପାଇଁ ନିଶ୍ଚିତଭାବେ ଉଦ୍‌ବେଗର ବିଷୟ। ବିଶେଷକରି ମହାମାରୀ ସମୟରେ ବାତ୍ୟାତାଣ୍ଡବ ମହାରାଷ୍ଟ୍ରରେ ସଂକ୍ରମଣ ପରିସ୍ଥିତିକୁ ଅଧିକ ବିଗାଡ଼ିବା ସହ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିବ।
ଭାରତର ପଶ୍ଚିମ ଉପକୂଳ ପୂର୍ବତଟ ଭଳି ଏତେ ବାତ୍ୟାପ୍ରବଣ ନୁହେଁ। ଏବେ କିନ୍ତୁ ଗତ କିଛିବର୍ଷ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ଜନିତ କାରଣରୁ ଅପେକ୍ଷାକୃତ ଶାନ୍ତ ଆରବସାଗରରେ ଅଧିକ ବାତ୍ୟା ସୃଷ୍ଟି ହେଉଛି ଏବଂ ଏହାର ପ୍ରଭାବ କେରଳରୁ ଗୁଜରାଟ ପର୍ଯ୍ୟନ୍ତ ପଡ଼ୁଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବାହର ଆଦ୍ୟ କାଳରେ ଆରବ ସାଗରରେ ଲଘୁଚାପ ଓ ବାତ୍ୟା ସୃଷ୍ଟିହୁଏ ଏବଂ ଏହା ଏକ ପ୍ରାକୃତିକ ପ୍ରକ୍ରିୟା; କିନ୍ତୁ ଏହାର ସଂଖ୍ୟା ଓ ବେଗ ବୃଦ୍ଧି ନିଶ୍ଚିତ ଚିନ୍ତାଜନକ। ନିସର୍ଗର ଗତିବିଧି ଯାହାଥିଲା ସେଥିରୁ ଏହା ସ୍ପଷ୍ଟ ଯେ ସହ୍ୟାଦ୍ରି (ପଶ୍ଚିମଘାଟ) ପର୍ବତମାଳାର ପଶ୍ଚିମରେ ଥିବା ଉତ୍ତର ମହାରାଷ୍ଟ୍ରର ଓ ଦକ୍ଷିଣ ଗୁଜରାଟର ବ୍ୟାପକ ତଟବର୍ତ୍ତୀ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିବ। ସବିଶେଷ ରିପୋର୍ଟ ଆସିବା ପରେ କ୍ଷୟକ୍ଷତିର ପ୍ରକୃତ ସ୍ଥିତି ଜାଣିହେବ।
ଭାରତର ବାତ୍ୟା ମୁକାବିଲା ବ୍ୟବସ୍ଥାରେ ଯଥେଷ୍ଟ ଉନ୍ନତି ଆସିଛି। ଜୀବନହାନିକୁ ରୋକିବା ପାଇଁ ତଳିଆ ଅଞ୍ଚଳ ଓ ବିପଦାପନ୍ନ ସ୍ଥାନରୁ ଆଗୁଆ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ତଥାପି ମୁମ୍ବଇ ଭଳି ଏକ ବିରାଟ ଜନାକୀର୍ଣ୍ଣ ସମୁଦ୍ରକୂଳିଆ ସହରର ସବୁ ଲୋକଙ୍କୁ ନିରାପଦରେ ରଖିବା ଏକ ବଡ଼ ଚାଲେଞ୍ଜ। ନିକଟରେ ଆମେ ଦେଖିଛୁ ଯେ ସମୁଦ୍ରଠାରୁ ପ୍ରାୟ ୧୮୦ ମାଇଲ ଦୂରରେ ଥିବା କଲକାତା ମହାନଗରୀ ଅମ୍ପନ ଦ୍ବାରା ଧ୍ବସ୍ତବିଧ୍ବସ୍ତ ହୋଇଗଲା ଏବଂ ଅନେକ ଲୋକ ମୃତାହତ ହେଲେ। ତେଣୁ ମୁମ୍ବଇ ମହାନଗରୀର ସ୍ଥିତି କ’ଣ ହୋଇଥିବ ତାହା ସହଜେ ଅନୁମେୟ।
ବିପଦ ଉପରେ ବିପଦ ଆସିଲେ ତାହାର ମୁକାବିଲା କରିବା କଷ୍ଟହୁଏ। ତଥାପି ଧୈର୍ଯ୍ୟ ସହିତ ଏହାର ମୁକାବିଲା କରିବାକୁ ପଡ଼ିବ। ମହାରାଷ୍ଟ୍ରର ଏହି ଦୁର୍ଦିନରେ ସାରାଭାରତ ତା’ ସହିତ ନିଶ୍ଚୟ ରହିଛି ଓ ରହିବ ମଧ୍ୟ। ବିପନ୍ନଙ୍କ ଥଇଥାନ, ପୁନର୍ବାସ ଓ ପୁନଃର୍ନିମାଣ କାର୍ଯ୍ୟ ଯେତେଶୀଘ୍ର ହେବ ସେତେ ଭଲ। ପଶ୍ଚିମ ଉପକୂଳ ଏବେ ଅଧିକ ବାତ୍ୟାପ୍ରବଣ ହେଉଥିବାରୁ ସେଠାରେ ବାତ୍ୟା ନିରୋଧୀ ପଦକ୍ଷେପ ଓ ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ପଡ଼ିବ।

Comments are closed.