ନିର୍ମଳା ପ୍ୟାକେଜ୍‌-୨

ବିପନ୍ନଙ୍କ ପାଇଁ ତତ୍‌କାଳ ଲାଭ ସୁଯୋଗ କମ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୦ ଲକ୍ଷ କୋଟି ଟଙ୍କା ଶିରୋନାମାର ବିସ୍ତୃତ ବିବରଣୀ ପର୍ଯ୍ୟାୟକ୍ରମେ ଲେଖାଯାଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାର ପ୍ରଥମ ଅଧ୍ୟାୟ ବୁଧବାର ଘୋଷଣା କରିଥିବା ବେଳେ ଦ୍ୱିତୀୟ ଅଧ୍ୟାୟ ଗୁରୁବାର ସାର୍ବଜନୀନ କରିଛନ୍ତି। ଦୀର୍ଘ ୫୧ ଦିନର ଲକ୍‌ଡାଉନ୍ ଅବଧି ମଧ୍ୟରେ ଏହାକୁ ମିଶାଇ ତୃତୀୟ ଥର ପାଇଁ ଆର୍ଥିକ ସହାୟତା (କରୋନା ପ୍ୟାକେଜ୍) ଘୋଷିତ ହୋଇଛି। ତୃତୀୟ ପର୍ଯ୍ୟାୟର ମୁଖ୍ୟାଂଶ ଭାବରେ ‘ଗୋଟିଏ ଦେଶ ଗୋଟିଏ ରେସନ୍ କାର୍ଡ’କୁ ଗୁରୁତ୍ୱ ଦିଆଯାଇଛି। ସେହିପରି ଶ୍ରମିକ, ବୁଲା ବେପାରୀ, ଖଟିଖିଆ ଓ କୃଷକ ସୀତାରମଣଙ୍କ ଏହି ଅଧ୍ୟାୟରେ ସ୍ଥାନ ପାଇଛନ୍ତି।
ଅର୍ଥମନ୍ତ୍ରୀଙ୍କ ସମ୍ପୂର୍ଣ୍ଣ ଭାଷଣକୁ ଅନୁଶୀଳନ କରିବା ପରେ ଏହା କୁହାଯାଇପାରେ ଯେ ଏହାର ଅଧିକାଂଶ ଭାଗ ପୂର୍ବ ପାଠର ଆଲୋଚନା ବା ପୂର୍ବ ଘୋଷଣା ଓ କାର୍ଯ୍ୟକ୍ରମର ବିସ୍ତୃତ ବିବରଣ। ମାର୍ଚ୍ଚ ୧ ତାରିଖଠାରୁ ମେ’ ୧୩ ତାରିଖ ପର୍ଯ୍ୟନ୍ତ ସରକାରଙ୍କ ଆର୍ଥିକ ସହାୟତାର ସଫଳତା ପରିସଂଖ୍ୟାନରେ ବିମଣ୍ଡିତ ସୀତାରମଣଙ୍କ ତୃତୀୟ ଦଫା ଘୋଷଣାରେ ମହାମାରୀ ପ୍ରଭାବିତ ଓ ବିପନ୍ନମାନେ ତତ୍କାଳ ସଙ୍କଟରୁ ଉଦ୍ଧାର ପାଇବାର ସମ୍ଭାବନା କ୍ଷୀଣ। ଏହାମଧ୍ୟ ଅସ୍ୱୀକାର କରିବାର ନାହିଁ ଯେ ଏହାର ସୁଫଳ ଅବଶ୍ୟ ଦୀର୍ଘକାଳୀନ ଭିତ୍ତିରେ ମିଳିବ।
କୃଷକ, ଗରିବ, ପ୍ରବାସୀ ଶ୍ରମିକଙ୍କୁ କେନ୍ଦ୍ର ସରକାର ଉପେକ୍ଷା କରିଛନ୍ତି ବୋଲି ବୁଧବାରର ଘୋଷଣା ପରେ ବିଭିନ୍ନ ମହଲରୁ ସମାଲୋଚନାର ସ୍ୱର ଉଠିଥିଲା। ଗୁରୁବାର ଘୋଷଣାରେ ସେହି ସମାଲୋଚନାର ଉତ୍ତର ଦେବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ଯଥାସାଧ୍ୟ ପ୍ରୟାସ କରିଛନ୍ତି। ବର୍ତ୍ତମାନ ପ୍ରବାସୀ ଶ୍ରମିକଙ୍କ ଦୁଇ ମୁଖ୍ୟ ସମସ୍ୟା ହେଉଛି ଜୀବିକା ଓ ଖାଦ୍ୟ। ଏହାକୁ ଦୃଷ୍ଟିରେ ରଖି ପୂର୍ବ ଘୋଷଣା ବାଦ୍ ଆଉ ଅଧିକ ଦୁଇ ମାସ ପାଇଁ ମାସିକ ୫ କେଜି ଲେଖାଏଁ ଚାଉଳ କିମ୍ବା ଗହମ ଓ ୧ କେଜି ଲେଖାଏଁ ଡାଲି ମାଗଣାରେ ଯୋଗାଇ ଦେବା ପାଇଁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ରେସନ୍ କାର୍ଡ ଥାଉ ବା ନଥାଉ ସମସ୍ତଙ୍କୁ ଏହି ରେସନ୍ ସାମଗ୍ରୀ ମିଳିବ। ବିଭିନ୍ନ ରାଜ୍ୟରେ ଘୋର ଦୁର୍ଦିନରେ କାଳ କାଟୁଥିବା ପ୍ରବାସୀ ଶ୍ରମିକଙ୍କ ଖାଦ୍ୟ ସଙ୍କଟ ଦୂର କରିବାରେ ଏହା ସାମୟିକ ସହାୟକ ହୋଇପାରିବ। ଅନେକ ଅଞ୍ଚଳରେ ରେସନ୍ କାର୍ଡ ନଥିବାରୁ ପ୍ରବାସୀ ଶ୍ରମିକମାନେ ରିଲିଫ୍ ପ୍ୟାକେଜରୁ ବଞ୍ଚିତ ହେଉଛନ୍ତି। ଏହି ସମସ୍ୟାକୁ ଭବିଷ୍ୟତରେ ଦୂର କରିବା ପାଇଁ ‘ଗୋଟିଏ ଦେଶ ଗୋଟିଏ ରେସନ୍ କାର୍ଡ’ ନୀତି ୨୦୨୧ ସୁଦ୍ଧା କାର୍ଯ୍ୟକାରୀ କରିବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ, କିନ୍ତୁ ବର୍ଷକ ମଧ୍ୟରେ ନୀତି କାର୍ଯ୍ୟକାରିତା ଓ ଏହାର ସୁଫଳ ବାସ୍ତବରେ କେତେ ଫଳପ୍ରଦ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ରେସନ୍ କାର୍ଡ ଥାଇ ମଧ୍ୟ ହିତାଧିକାରୀମାନେ କେନ୍ଦ୍ର ସରକାରଙ୍କ ମହାମାରୀ ରିଲିଫ୍ ପ୍ୟାକେଜ୍ ପାଇ ପାରୁ ନଥିବା ଦେଶର ବିଭିନ୍ନ ଅଞ୍ଚଳରୁ ଅଭିଯୋଗ ଆସୁଛି। ତେଣୁ ଦୀର୍ଘକାଳୀନ ଭିତ୍ତରେ ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ପ୍ରଶାସନିକ ବ୍ୟବସ୍ଥାରେ ସୁଧାର ଆଣି ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ କ୍ରିୟାଶୀଳ କରିବାକୁ ପଡ଼ିବ। ସେହିପରି ପ୍ରବାସୀ ଶ୍ରମିକଙ୍କ ଆଶ୍ରୟ ବା ରହିବା ସମସ୍ୟାର ସମାଧାନ ପାଇଁ ସହରାଞ୍ଚଳରେ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ରେ ସରକାରୀ-ଘରୋଇ ସହଭାଗିତାରେ ସୁଲଭ ଭଡ଼ାଘର ନିର୍ମାଣ କରାଯିବ। ବାସଗୃହ ନିର୍ମାଣ ହେବା ଏବଂ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତିରେ ଦୀର୍ଘ ସମୟ ବିତିଯିବ। ତେଣୁ ଲକ୍ଡାଉନ୍ କିମ୍ବା ପରବର୍ତ୍ତୀ ସମୟରେ ତତ୍କାଳ ଏହାର ସୁବିଧା ପ୍ରବାସୀ ଶ୍ରମିକଙ୍କୁ ମିଳି ନ ପାରେ। ଅବଶ୍ୟ ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲେ ଶ୍ରମିକଙ୍କ ପାଇଁ ଜୀବିକାର ସୁଯୋଗ ସୃଷ୍ଟି ହେବ।
ବୁଲା ବେପାରୀମାନେ ଲକ୍ଡାଉନ୍ ଯୋଗୁଁ ପ୍ରଭୂତ କ୍ଷତି ସହିଥିବାରୁ ସେମାନଙ୍କ ସହାୟତା ପାଇଁ ଅର୍ଥମନ୍ତ୍ରୀ ୫ ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି; କିନ୍ତୁ ଏହି ସହାୟତା ରାଶି ସେମାନଙ୍କୁ ନଗଦ ଆକାରରେ ନ ମିଳି ଋଣ ଆକାରରେ ମିଳିବ। ବର୍ତ୍ତମାନ ଦେଶର ବ୍ୟାଙ୍କମାନଙ୍କର ଋଣ ପ୍ରଦାନ ମାନସିକତାକୁ ନେଇ ବିଚାର କଲେ ବୁଲା ବେପାରୀମାନେ କେନ୍ଦ୍ର ସରକାରଙ୍କ ପ୍ୟାକେଜରୁ କେତେ ଲାଭବାନ ହେବେ ବା ସେମାନଙ୍କୁ କେତେ ସହଜରେ ଋଣ ମିଳିବ ତାହା ଆଉ ଏକ ବଡ଼ ପ୍ରଶ୍ନ। ଦେଶର ୨.୫ କୋଟି କୃଷକଙ୍କ ପାଇଁ କୋହଳ ସୁଧ ହାରରେ ୨ ଲକ୍ଷ କୋଟି ଟଙ୍କାର ଋଣ ସହାୟତା ପାଇଁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଦେଶର ବୁଲା ବେପାରୀ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସଂଖ୍ୟା ଦୃଷ୍ଟିରୁ ଏହି ଋଣ ସହାୟତା ରାଶି ସମୁଦ୍ରକୁ ଶଙ୍ଖେ ବୋଲି ଜଣାପଡ଼ୁଛି। ସେହିପରି ବ୍ୟାଙ୍କର ବିଧିବ୍ୟବସ୍ଥା ମଧ୍ୟରେ ଏହି ଘୋଷଣାରୁ ସେମାନେ କିଭଳି ଓ କେତେ ଶୀଘ୍ର ଉପକୃତ ହେବେ ତାହା ଉପରେ ଦ୍ୱନ୍ଦ୍ୱ ସୃଷ୍ଟି ହେବା ସ୍ୱାଭାବିକ। ‘କାମ୍ପା’ ଯୋଜନାରେ ଆଦିବାସୀଙ୍କ ଜୀବିକାର୍ଜନ ପାଇଁ ୬ ହଜାର କୋଟି ଟଙ୍କାର ଯୋଜନା କିଛିଟା ଆଶା ସୃଷ୍ଟି କରୁଛି।
ମଧ୍ୟବିତ୍ତ(ବାର୍ଷିକ ୬ ଲକ୍ଷରୁ ୧୮ ଲକ୍ଷ ଟଙ୍କା ଆୟକାରୀ) ବର୍ଗଙ୍କ ପାଇଁ ରିଆତି ଋଣ ସହାୟତା ଆଧାରିତ ଆବାସିକ ଗୃହ ଯୋଜନାକୁ ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଇତିମଧ୍ୟରେ ଦେଶର ବିଭିନ୍ନ ଅଞ୍ଚଳରେ ୫ ଲକ୍ଷ ଆବାସିକ କମ୍ପ୍ଲେକ୍ସ ଖାଲି ପଡ଼ିଛି। ଚାହିଦା ତ୍ୱରାନ୍ୱିତ କରିବା ପାଇଁ ସରକାର ଏହି ପଦକ୍ଷେପ ନେଇଥିଲେ ମଧ୍ୟ ସାମ୍ପ୍ରତିକ ଆର୍ଥିକ ପରିସ୍ଥିତିରେ ଏହି ଲକ୍ଷ୍ୟ ପୂରଣ ସମ୍ଭାବନା କମ୍।
କେବଳ ମାଗଣା ରେସନ୍ ସୁବିଧାକୁ ବାଦ୍ ଦେଲେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ତୃତୀୟ ଦଫା ଘୋଷଣାରେ ପ୍ରତ୍ୟକ୍ଷ ଓ ସ୍ବଳ୍ପମିଆଦୀ ସୁଫଳ ମିଳିବାର ଆଶା ନାହିଁ। କୃଷକଙ୍କ ଉତ୍ପାଦ କିପରି ସିଧାସଳଖ ଖାଉଟିଙ୍କ ନିକଟରେ ପହଞ୍ଚି ପାରିବ ଏବଂ ବଜାର ଦରର ଲାଭ ସିଧାସଳଖ କୃଷକଙ୍କ ହାତକୁ ଯିବ, ‘ଆତ୍ମନିର୍ଭର ଭାରତ’ରେ କୃଷକଙ୍କୁ କିପରି ଅଧିକ ଗୁରୁତ୍ୱ ମିଳିବ, ତାହା ନିଶ୍ଚିତ କରିବା ଆଜିର ଆବଶ୍ୟକତା। ସେହିପରି ନିଜ ରାଜ୍ୟକୁ ଫେରିଯାଇଥିବା ଶ୍ରମିକଙ୍କୁ ସେମାନଙ୍କ ନିଜ ରାଜ୍ୟରେ କିଭଳି ତତ୍କାଳ କର୍ମସଂସ୍ଥାନ ଜରିଆରେ ଜୀବିକାର୍ଜନର ସୁଯୋଗ ସୃଷ୍ଟି କରାଯାଇ ପାରିବ ସେ ଦିଗରେ କେନ୍ଦ୍ର ସରକାର ଦୃଷ୍ଟି ଦେବା ଆବଶ୍ୟକ। ଏ ଦିଗରେ ରାଜ୍ୟ ସରକାରଙ୍କ ସହିତ ଉତ୍ତମ ବୁଝାମଣା ଓ ସହଯୋଗ ରହିଲେ ଏହି ଲକ୍ଷ୍ୟ ହାସଲ ହୋଇପାରିବ।

Comments are closed.