ଆସନ୍ନ ମହାସଂକ୍ରମଣ : ଅନ୍ତିମ ଲଢ଼େଇର ନିର୍ଣ୍ଣାୟକ କ୍ଷଣ

ବିଶେଷଜ୍ଞଙ୍କ କଥାକୁ ଯଦି ବିଶ୍ବାସକୁ ନିଆଯାଏ, ତା’ହେଲେ କରୋନା ସଂକ୍ରମଣ ନିକଟରେ ଥମିବାର ନାହିଁ। ଏହି ବ୍ୟାଧିର ପ୍ରକୋପ ଜୁଲାଇ-ଅଗଷ୍ଟ ଯାଏ ଜାରି ରହିବା ଘେନି ଅନୁମାନ କରାଯାଉଛି। କରୋନା ମହାମାରୀର ଉତ୍ପତ୍ତି ଯେପରି ରହସ୍ୟାବୃତ୍ତ, ଏହାର ଅନ୍ତ ମଧ୍ୟ ସେଭଳି ଅନିଶ୍ଚିତ। ଟିକା ଯେତେ ଶୀଘ୍ର ବାହାରିବ ଏଥିରୁ ପରିତ୍ରାଣ ଆଶା ସେତେ ଅଧିକ ହେବ। ଭାରତରେ ଏହାର ସଂକ୍ରମଣ ଓ ମୃତ୍ୟୁହାର ଲୋକସଂଖ୍ୟା ଅନୁପାତରେ ସେତେ ବିପଜ୍ଜନକ ଅବସ୍ଥାରେ ପହଞ୍ଚି ନଥିଲେ ମଧ୍ୟ ଏହା ଆଗକୁ କି ରୂପ ନେବେ ତାହା କହିବା କଷ୍ଟ; କାରଣ ଏଯାଏ ମହାସଂକ୍ରମଣ ପର୍ଯ୍ୟାୟ ଆରମ୍ଭ ହୋଇନାହିଁ। ଏଭଳି ସ୍ଥିତିରେ ଓଡ଼ିଶା ଅପେକ୍ଷାକୃତ ଭଲ ଅବସ୍ଥାରେ ଥିଲେ ମଧ୍ୟ ପ୍ରତିଦିନ ବହୁ ସଂଖ୍ୟକ ଲୋକ ସଂକ୍ରମିତ ହେଉଥିବାରୁ ସାଧାରଣରେ ଏକ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ନିଜାମୁଦ୍ଦିନ ଓ କଲକାତା ଫେରନ୍ତାଙ୍କ ପରେ ଏବେ ସୁରତ ଫେରନ୍ତା ଶ୍ରମଜୀବୀମାନେ ସଂକ୍ରମଣ ହାର ବଢ଼ାଉଛନ୍ତି। ତେବେ ଚିକିତ୍ସା ବିଶାରଦଙ୍କ ଆଶ୍ବାସନା ହେଲା, ଯେତେ ଅଧିକ ଲୋକଙ୍କର ପରୀକ୍ଷା ହେବ, ଆନୁପାତିକ ହାରରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବ। ତା’ଛଡ଼ା ଅଧିକାଂଶ ସନ୍ଦିଗ୍ଧ ଓ ସଂକ୍ରମିତ ଏବେ ସଂଗରୋଧ ବ୍ୟବସ୍ଥାରେ ଥିବାରୁ ଗୋଷ୍ଠୀ ସଂକ୍ରମଣର ଆଶଙ୍କା କମ୍‌। ତେବେ ବିଶେଷଜ୍ଞମାନେ ଏକଥା ଆହୁରି ମଧ୍ୟ କହୁଛନ୍ତି ଯେ ଓଡ଼ିଶା ଏବେ ଗୋଷ୍ଠୀ ସଂକ୍ରମଣର ପ୍ରାରମ୍ଭିକ ଅବସ୍ଥାରେ। ଏହି ସ୍ତରରେ ଯଦି ସାମାନ୍ୟ ଅସାବଧାନତା ହୁଏ ବା ପ୍ରବାସୀ ସଂକ୍ରମିତ ଗଳି ପଶି କେଉଁଠି ଭୂତାଣୁ ବାଣ୍ଟନ୍ତି ତେବେ ପରିସ୍ଥିତି ସାଂଘାତିକ ହୋଇପାରେ।
ଓଡ଼ିଶାକୁ ପ୍ରବାସୀ ଶ୍ରମିକଙ୍କୁ ଆଣିବା କାର୍ଯ୍ୟ ଚାଲିଛି। ଏହି ସଂଖ୍ୟା ଏବେ ଏକଲକ୍ଷ ଟପି ନାହିଁ। ବାହାରେ ପାଖାପାଖି ୧୩ଲକ୍ଷ ଓଡ଼ିଆ ଶ୍ରମିକ ଅଛନ୍ତି। ସେମାନେ ପ୍ରାୟ ସମସ୍ତେ ଆସିବେ। ଓଡ଼ିଶା ଭିତରେ ମଧ୍ୟ ଅନ୍ୟ ରାଜ୍ୟର ପ୍ରାୟ ସାଢ଼େ ଆଠଲକ୍ଷ ଶ୍ରମିକ ଅଛନ୍ତି। ସେମାନେ ମଧ୍ୟ ଯିବେ। ଏହି ଶ୍ରମିକ ଗମନାଗମନ ପ୍ରକ୍ରିୟା ଅତ୍ୟନ୍ତ ସମସ୍ୟାବହୁଳ। ପ୍ରଥମତଃ ଯେଉଁ ପ୍ରବାସୀ ଶ୍ରମିକ ଓଡ଼ିଶାକୁ ଆସିବେ ସେମାନଙ୍କ ପାଇଁ ସାମୟିକ ସଂଗରୋଧ ଓ ପୃଥକ୍‌ ବାସ ପାଇଁ ଆବଶ୍ୟକ ଭିତ୍ତିଭୂମି ରାଜ୍ୟରେ ଯଥେଷ୍ଟ ନାହିଁ। ସେମାନଙ୍କ ଖାଇବା, ରହିବା ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ବିପୁଳ ଅର୍ଥର ଆବଶ୍ୟକତା ରହିଛି। ଦ୍ବିତୀୟତଃ ଏସବୁ ଶ୍ରମିକ ପ୍ରାୟ ଦୁଇମାସ ଧରି ବାହାରେ ଅତ୍ୟନ୍ତ ଦୁଃସ୍ଥ ସ୍ଥିତିରେ ଲକ୍‌ଡାଉନକାଳୀନ ଜୀବନ ବିତାଇ କ୍ଲାନ୍ତ-ଶ୍ରାନ୍ତ। ସେମାନେ ପ୍ରଚଣ୍ଡ ଚାପରେ ଥିବାରୁ ଶାରୀରିକ ଓ ମାନସିକ ଭାବେ ରୁଗ୍‌ଣ। ଦୀର୍ଘ ପଥ ଅତିକ୍ରମ କରି ରାଜ୍ୟକୁ ଫେରିବା ସମୟରେ ସେମାନଙ୍କ ମଧ୍ୟରୁ ଅନେକ କରୋନା ସଂକ୍ରମିତ ହେବାର ଆଶଙ୍କା ଅଧିକ। ଅତଏବ ଆସନ୍ନ ମହାସଂକ୍ରମଣ ପରିପ୍ରେକ୍ଷୀରେ ଏହି ଶ୍ରମିକମାନଙ୍କ ଥଇଥାନ ଓ ଅନ୍ୟାନ୍ୟ ବ୍ୟବସ୍ଥାର ପରିଚାଳନା ସରକାରଙ୍କ ପାଇଁ ଏକ ମସ୍ତବଡ଼ ଆହ୍ବାନ ହେବ।
ଓଡ଼ିଶା ସରକାର ଯେଉଁସବୁ ବ୍ୟବସ୍ଥା ଏ ଦିଗରେ କରିଛନ୍ତି ତାହା ନିଜର ସାଧ୍ୟ ଓ ସାଧନକୁ ଦେଖି କରାଯାଇଛି। ମହାସଂକ୍ରମଣ ଆରମ୍ଭ ହେଲେ ଯଦି ରୋଗୀଙ୍କ ସଂଖ୍ୟା ବଢ଼ିବ ତେବେ ପରିସ୍ଥିତି ଅଣାୟତ୍ତ ହେବା ସ୍ବାଭାବିକ। ତେବେ ଏଥିପାଇଁ ସରକାରଙ୍କୁ ଦୋଷ ଦେଲେ ଚଳିବ ନାହିଁ। ଏହି ବ୍ୟାଧିର ମୁକାବିଲା ପାଇଁ ବିପୁଳ ଅର୍ଥର ଆବଶ୍ୟକତା ରହିଛି। ଲକ୍‌ଡାଉନ ଯୋଗୁଁ ଅର୍ଥନୀତି ଧରାଶାୟୀ ହେବାରୁ ସରକାରଙ୍କ ସମ୍ବଳ ଓ ରାଜସ୍ବ ସଂଗ୍ରହ ଗୁରୁତର ଭାବେ ପ୍ରଭାବିତ ହୋଇଛି। କେନ୍ଦ୍ରସରକାର ଏ ବେଳରେ ଯାହା ସହାୟତା କରିବେ ତାହା ବିଶେଷ ଗୁରୁତ୍ବ ରଖେ। ତେବେ କେନ୍ଦ୍ର ମଧ୍ୟ ସମାନ ଆର୍ଥିକ ଦୁର୍ଗତିର ସମ୍ମୁଖୀନ। ସବୁ ରାଜ୍ୟକୁ ଅର୍ଥ ଯୋଗାଇ ସେମାନଙ୍କ ବୋଝ ଏହା ଅଧିକକାଳ ହାଲ୍‌କା କରିପାରିବ ନାହିଁ। ତେଣୁ ଅଧିକ ସମ୍ବଳ ସଂଗ୍ରହ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ରକାର କର ଓ ଉପ-କର ବସାଇବା ସହ କଠୋର ଆର୍ଥିକ ଶୃଙ୍ଖଳା ତଥା ଖର୍ଚ୍ଚକାଟ କରିବାକୁ ବାଧ୍ୟ ହେବେ। ସେଥିପାଇଁ ଲୋକଙ୍କ ଉପରେ କର ବୋଝ ବଢ଼ିବ। ତେଣୁ ସର୍ବସାଧାରଣ, ଅତିରିକ୍ତ କରବୋଝ ବହନ ପାଇଁ ମାନସିକ ଭାବେ ଏବେଠୁ ପ୍ରସ୍ତୁତ ହେବା ଆବଶ୍ୟକ। ଉଚ୍ଚ, ମଧ୍ୟମ, ନିମ୍ନମଧ୍ୟବିତ୍ତ ବର୍ଗଙ୍କ ପାଇଁ ବାସ୍ତବତା ହେଉଛି ସେମାନଙ୍କୁ ଏହି ସଂକଟର ମୁକାବିଲା ନିମନ୍ତେ ଆର୍ଥିକ ଦୃଷ୍ଟିରୁ ଅଧିକ ତ୍ୟାଗ ସ୍ବୀକାର କରିବାକୁ ପଡ଼ିବ।
ଏହି ମହାସଂକ୍ରମଣର ପ୍ରାକ୍‌କାଳରେ ଦେଶର ଅର୍ଥନୀତିକୁ ବଞ୍ଚାଇବା ପାଇଁ ସରକାର କେତେକ କ୍ଷେତ୍ରରୁ ଲକ୍‌ଡାଉନ କୋହଳ କରି କାମ ଆରମ୍ଭ ପାଇଁ ଅନୁମତି ଦେଇଛନ୍ତି। ଏହା ଭଲ ବିଚାର ହେଲେ ମଧ୍ୟ ସେଠାରେ କାମ କରିବାବେଳେ ସାମାଜିକ ବ୍ୟବଧାନ ରକ୍ଷା ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟଗତ କଟକଣା କେତେ ପାଳନୀୟ ହେବ ତାହା କହିବା ସହଜ ନୁହେଁ। ସେ ସବୁ କ୍ଷେତ୍ରରେ ଯଦି ସଂକ୍ରମଣ ବ୍ୟାପେ ତେବେ ମହାସଂକ୍ରମଣ ଭୟାନକ ରୂପ ନେଇପାରେ।
ଏକଥା ସତ ଯେ ଯେ ଯୋଗାଯୋଗର ମାଧ୍ୟମ, ଯଥା- ଟ୍ରେନ, ବସ, ବିମାନ, ଜାହାଜ ଓ ଗାଡ଼ିଘୋଡ଼ା ଆଦି ବିକାଶର ବାହକ। ଏହା ମଧ୍ୟ ସତ୍ୟ ଯେ ଏହା ସଂକ୍ରମଣର ପଥ। କରୋନା ସଂକ୍ରମଣର ଚତୁର୍ଥ ପର୍ଯ୍ୟାୟ ଆରମ୍ଭରେ ଏସବୁ ଯୋଗାଯୋଗ ପଥ ଓ ମାଧ୍ୟମକୁ ସରକାର କ୍ରମଶଃ ଖୋଲିବା ପଛରେ ପ୍ରଚଣ୍ଡ ବାଧ୍ୟବାଧକତା ରହିଛି। ଆଜି ପ୍ରବାସୀ ଶ୍ରମିକ ଓ ଅନ୍ୟ ବୃତ୍ତିଜୀବୀମାନେ ଯେଉଁ ଦୁଃଖ ଭୋଗୁଛନ୍ତି ତାହା ସରକାରୀ ଦୂରଦୃଷ୍ଟିର ଅଭାବର ଫଳ। ପଡ଼ୋଶୀ ଚୀନରେ ସଂକ୍ରମଣ ଶିଖରରେ ପହଞ୍ଚିବାବେଳେ ଭାରତ ଯଦି ଜାନୁଆରୀ-ଫେବୃଆରୀରେ ପ୍ରବାସୀ ଶ୍ରମିକଙ୍କୁ ନିଜନିଜ ରାଜ୍ୟକୁ ଫେରିଯିବାକୁ ନିର୍ଦେଶାବଳୀ ଜାରି କରିଥାନ୍ତେ, ତା’ହେଲେ ଏହି ଅବସ୍ଥା ସୃଷ୍ଟି ହୋଇ ନଥାଆନ୍ତା। ଫେବୃଆରୀ ସୁଦ୍ଧା ସମସ୍ତେ ନିଜନିଜ ଭିଟାମାଟିକୁ ନିରାପଦରେ ଫେରିଥାଆନ୍ତେ। ନା ଥାଆନ୍ତା ବ୍ୟାଧିର ଭୟ, ନା ଭୋକର ଜ୍ବାଳା ବା ଲକ୍‌ଡାଉନ କକର୍ଥନା। ମହାମାରୀ ପୂର୍ବର ସ୍ଥିତି ଆକଳନଜନିତ ତ୍ରୁଟି ଓ ଅତ୍ୟଧିକ ଆତ୍ମବିଶ୍ବାସ ଯୋଗୁଁ ଆଜି ଏଭଳି ସ୍ଥିତି ଉତ୍ପନ୍ନ ହୋଇଛି। ଏବେ ଘରେ ରୋଗ ପଶିଥିବାବେଳେ ଏବଂ ଏହା ମହାସଂକ୍ରମଣର ରୂପ ନେବାକୁ ଯାଉଥିବା ସମୟରେ ସରକାର ଅର୍ଥନୀତିକୁ ବଞ୍ଚାଇବାକୁ ଯେଉଁ ପ୍ରୟାସ କରୁଛନ୍ତି ତା’ପ୍ରତି କରୋନାର କରୁଣା ରହିଲେ ହେଲା। ତଥାପି ଆମକୁ ବୁଝିବାକୁ ହେବ ଯେ ରୋଗକୁ ଡରି ମରିବା ଅପେକ୍ଷା ଏହା ସହିତ ଲଢ଼େଇ କରି ବଞ୍ଚିବାକୁ ଚେଷ୍ଟା କରିବା ଭଲ। ଚିକିତ୍ସା ବିଜ୍ଞାନ କହୁଛି ମହାସଂକ୍ରମଣ ପରେ ଗୋଷ୍ଠୀର, ମଣିଷ ସମାଜର ରୋଗ ପ୍ରତିରୋଧ ଶକ୍ତି ବଢ଼େ ଓ ବ୍ୟାଧି ହାରିଯାଏ। ଆମେ ବୋଧେ କରୋନା ବିରୋଧୀ ଲଢ଼େଇରେ ସେହି ପର୍ଯ୍ୟାୟକୁ ଯାଉଛୁ।

Comments are closed.