ଅସହଜ ଲଢ଼େଇ

ରୁଗ୍‌ଣ ସମୟର ଯନ୍ତ୍ରଣାଦାୟୀ ଗୃହାବଦ୍ଧ ଜୀବନ କ୍ରମଶଃ ବିମୁକ୍ତ ହେଉଛି। ଅଟକି ରହିଥିବା ଜୀବନ ସ୍ରୋତ ପୁନର୍ବାର ଫେରୁଛି ସତର୍କ ମନ୍ଥରତାରେ। କରୋନା ଥମିନାହିଁ, ଏହାର ପ୍ରକୋପ ଭାରତରେ ଅବ୍ୟାହତ ରହିଛି। ତା’କୁ ହରାଇବା ପାଇଁ ସରକାର, ଜନତା ସମସ୍ତେ ଲଢ଼ୁଛନ୍ତି। ଚିକିତ୍ସା ନଥିବା ଗୋଟିଏ ଅଦୃଶ୍ୟ, ନିର୍ଜୀବ ଭୂତାଣୁ ଯାହା ମୁଖ୍ୟତଃ ମଣିଷ ଶିକାର କରୁଛି ତା’କୁ ହରାଇବା ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବାଜିରେ ଲାଗିଛି। ମଣିଷ ନିଜ କଳବଳ ଲଗାଇ ଲଢ଼ୁଥିବା ଲଢ଼େଇରେ ବିଜୟୀ ହେବାର ପ୍ରଚଣ୍ଡ ବିଶ୍ବାସ ରଖିଛି। ରଖିବା ସ୍ବାଭାବିକ। ବ୍ୟାଧି, ମହାମାରୀ ମଣିଷ ସହିତ ଥିଲା, ଅଛି ଓ ରହିବ; କିନ୍ତୁ ଏହା ମଣିଷ ସମାଜକୁ ଧ୍ବଂସ କରିପାରିବ ନାହିଁ, ଏ କଥା ଇତିହାସ ସିଦ୍ଧ।

ପ୍ରାୟ ଏକଶହ ବର୍ଷ ତଳେ ସମଗ୍ର ପୃଥିବୀକୁ ଘୋଟିଥିଲା ସ୍ପାନିଶ୍‌ ଫ୍ଲୁ ନାମକ ଏକ ମହାମାରୀ। ୧୯୧୮ ଆରମ୍ଭରେ ଏହାର ସଂକ୍ରମଣ ଥିଲା ମୃଦୁ। ଋତୁକାଳୀନ ଥଣ୍ଡାଜ୍ବର ଭଳି ଏହା ସଂକ୍ରମିତ ହୋଇଥିଲା। ହଠାତ୍‌ ଏହା ବଢ଼ି ମହାମାରୀ ରୂପ ନେଲା ଏବଂ ଜୁଲାଇ ବେଳକୁ ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଥିଲା। ଏହାପରେ ସଂକ୍ରମଣ ସାମୟିକ କମିଲା ଏବଂ ସେପ୍ଟେମ୍ବରରୁ ରହସ୍ୟମୟ ଭାବେ ଏହା ପୁଣି କାୟାବିସ୍ତାର କରି ବିଶ୍ବକୁ ଥରହର କଲା। ୧୯୧୮ ଶେଷ ପର୍ୟ୍ୟନ୍ତ ଏହାର ଭୟଙ୍କର ପ୍ରକୋପ ଦେଖାଇ ଏହା ଦମ୍‌ ମାରିଲା। ପୁଣି ୧୯୧୯ର ଆଦ୍ୟଭାଗରେ ସ୍ପାନିଶ ଫ୍ଲୁ ଭୟଙ୍କର ଭାବେ ପ୍ରତ୍ୟାବର୍ତ୍ତନ କଲା। ଏହା ୧୯୨୦ ଯାଏ ମୃତ୍ୟୁର ତାଣ୍ଡବଲୀଳା ଚଳାଇ ସେ ବର୍ଷ ମାର୍ଚ୍ଚ ସୁଦ୍ଧା ଉଭେଇଗଲା। ବିଚିତ୍ର ଥିଲା ଏ ରୋଗର ପୁନଃପୁନଃ ସଂକ୍ରମଣର ଲକ୍ଷଣ ଓ ପ୍ରକୋପ। ପ୍ରତ୍ୟାବର୍ତ୍ତନ ପାଳିରେ ଏହା ଥିଲା ଅଧିକ ଭୟଙ୍କର ଓ ସଂହାରକାରୀ। ସ୍ପାନିଶ୍‌ ଫ୍ଲୁ ଏବେ କରାୟତ୍ତ। ବିଜ୍ଞାନ ତାହାର ପ୍ରତିରୋଧ ବ୍ୟବସ୍ଥା କରିଛି।

ଏବେ ଏକଶହ ବର୍ଷ ପରେ ଚାଲିଛି ନୂଆ ଧରଣର କରୋନା ଭୂତାଣୁ ସଂକ୍ରମଣ। କରୋନା ଭୂତାଣୁ ପୂର୍ବରୁ ପ୍ରକୃତିରେ ଥିଲା। ଏବେକାର ଭୂତାଣୁର ରହସ୍ୟମୟ ସୃଷ୍ଟିର ଆଦିଅନ୍ତ ଏଯାଏ ବିଶେଷଜ୍ଞ ଠାବ କରିପାରିନାହାନ୍ତି। ଏହା ମଧ୍ୟ ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାରର ପରିଲକ୍ଷିତ ହେଉଛି। ମୋଟାମୋଟି କୋଭିଡ୍‌-୧୯ର ଭୂତାଣୁ ଗୋଟିଏ ନୁହେଁ, ଏକାଧିକ। ଏଭଳି ସ୍ଥିତିରେ ଏବେ ଭାରତରେ ସଂକ୍ରମଣ ଚାଲିଛି ଏବଂ ଏହା ଆଉ କେତେକାଳ ଚାଲିବ ତାହା କହିବା କଷ୍ଟ। ଜୀବନ ଓ ଜୀବିକାର ଦ୍ବନ୍ଦ୍ବ ମଧ୍ୟରେ ଭାରତ ସନ୍ତର୍ପଣରେ ଦେଶର ଅର୍ଥନୀତିର କେତେକ କ୍ଷେତ୍ରକୁ ଖୋଲିବାକୁ ବାଧ୍ୟ ହୋଇଛି। ଏଭଳି ସମୟରେ ଏକ ଆଶଙ୍କା ଉପୁଜୁଛି ଯେ ଏହାର ଅବସାନ ଘଟିବ ନା ପୁନଃସଂକ୍ରମଣର ଏକ ଅଧ୍ୟାୟ ଆରମ୍ଭ ହେବ। କିଏ କହିପାରିବ ଏହା ସ୍ପାନିଶ୍‌ ଫ୍ଲୁ ଅଧ୍ୟାୟର ପୁନରାବୃତ୍ତି ନ’ଘଟାଇବ ବୋଲି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ପ୍ରତିଷେଧକ ଟିକା ନ’ବାହାରିବା ପର୍ୟ୍ୟନ୍ତ କରୋନାରୁ ମୁକ୍ତି ନାହିଁ। ଆଉ କେତେକଙ୍କ ମତରେ ଗ୍ରୀଷ୍ମଜନିତ ଉତ୍ତାପ ବୃଦ୍ଧି ପ୍ରାକୃତିକ ଉପାୟରେ କରୋନା ଭୂତାଣୁକୁ ମାରିବ; କାରଣ ଏହି ଭୂତାଣୁ ଥଣ୍ଡା ଓ ଶୁଷ୍କ ଜଳବାୟୁରେ ଅଧିକ ସକ୍ରିୟ ହୁଏ। ହେଲେ ଏହାର କୌଣସି ସତ୍ୟାସତ୍ୟ ଏଯାଏ ନିର୍ଣ୍ଣୀତ ହୋଇନାହିଁ। ତେବେ ଯାହା ଦେଖାଯାଉଛି ଯେ ଏଯାଏ କରୋନା ସଂକ୍ରମଣର ପ୍ରଭାବ ଶୀତପ୍ରଧାନ ଦେଶରେ ଅଧିକ ରହିଛି ଓ ସେଠାରେ ଅଧିକ ଲୋକଙ୍କର ମୃତ୍ୟୁ ଘଟୁଛି। ଏହି ଯୁକ୍ତିଟି ମଧ୍ୟ ସମ୍ପୂର୍ଣ୍ଣ ଗ୍ରହଣଯୋଗ୍ୟ ନୁହେଁ; କାରଣ ଚୀନର ଆଖପାଖ ଶୀତପ୍ରଧାନ ଦେଶରେ ଏହାର ସଂକ୍ରମଣ ଅଧିକ ହୋଇନାହିଁ। ସେହିଭଳି ଇରାନରେ ଏହା ଏକ ଜାତୀୟ ବିପତ୍ତି ସୃଷ୍ଟି କରିଥିବାବେଳେ ପଡ଼ୋଶୀ ଇରାକରେ ଏତେ ଭୟାନକ ହୋଇନାହିଁ। ସେହିପରି ଅଧିକ ସୁସ୍ଥସବଳ ଓ ଯୁବବର୍ଗର ଲୋକେ ବସବାସ କରୁଥିବା ଦେଶରେ ଏହାର ପ୍ରଭାବ କମ୍‌ ରହିଛି। ଆହୁରି ମଧ୍ୟ ଆଫ୍ରିକାର ବହୁ ଗରିବ ଓ ସ୍ବାସ୍ଥ୍ୟ ଦୃଷ୍ଟିରୁ ଅନୁନ୍ନତ ଦେଶରେ କରୋନାର ପ୍ରଭାବ ବିଶେଷ ନଥିବାବେଳେ ୟୁରୋପ ଓ ଆମେରିକା ମହାଦେଶର ସମୃଦ୍ଧ ତଥା ଉତ୍ତମ ସ୍ବାସ୍ଥ୍ୟସେବା ଥିବା ରାଷ୍ଟ୍ରରେ ଏହାର ପ୍ରଭାବ ଅଧିକ ରହିଛି। ବିଚିତ୍ର ଏ ବ୍ୟାଧିର ଲକ୍ଷଣ ଓ କରାମତି।

କେତେକ ଚିକିତ୍ସା ବିଶେଷଜ୍ଞଙ୍କ ଅନୁମାନ ଅନୁସାରେ କରୋନା ସଂକ୍ରମଣ ଯଦି ଆଗାମୀ ଶୀତଋତୁ ପର୍ୟ୍ୟନ୍ତ ବିଶ୍ବରେ ଲାଗିରହିଲା ବା ଦ୍ବିତୀୟ ସଂକ୍ରମଣ ଆରମ୍ଭ ହେଲା, ତା’ହେଲେ ଏହା ଆହୁରି ଭୟଙ୍କର ହୋଇପାରେ। ଏହାର କାରଣ ହେଲା ବର୍ତ୍ତମାନ ଯେଉଁ ଚିକିତ୍ସା ଚାଲିଛି ଓ ଔଷଧପତ୍ର ବ୍ୟବହାର ହେଉଛି ସେଥିପ୍ରତି କରୋନା ଭୂତାଣୁ ଅଧିକ ପ୍ରତିରୋଧ ଶକ୍ତି ପ୍ରକାଶ କରି ନିଜର ଶକ୍ତି ବଢ଼ାଇବ। ଏହାଦ୍ବାରା ଉଭୟ ଜନତା ଓ ଚିକିତ୍ସା ବ୍ୟବସ୍ଥା ସହ ସମ୍ପୃକ୍ତ ଲୋକବଳ ପାଇଁ ନୂଆ ବିପଦ ଆସିପାରେ। ସେମାନଙ୍କର ପ୍ରାକୃତିକ ରୋଗ ପ୍ରତିରୋଧ ଶକ୍ତି ହ୍ରାସ ପାଇପାରେ। ଭାରତୀୟ ଚିକିତ୍ସା ବିଶାରଦଙ୍କ ଆକଳନ କହୁଛି ଯେ ଆମ ଦେଶରେ ପ୍ରଥମ କରୋନା ସଂକ୍ରମଣ ଏଯାଏ ଅନ୍ତିମ ପର୍ୟ୍ୟାୟରେ ପହଞ୍ଚିନାହିଁ। ଭାରତରେ ମଧ୍ୟ ଆଗକୁ ବର୍ଷା ଓ ଶୀତକାଳୀନ ସ୍ବାଭାବିକ ସଂକ୍ରମଣ (ଫ୍ଲୁ) ଋତୁ ଆସିବ। ତା’ ସହିତ କରୋନା ସଂକ୍ରମଣ ଯଦି ବଳବତ୍ତର ରହେ ଆମ ସ୍ବାସ୍ଥ୍ୟସେବା ଓ ଜନସ୍ବାସ୍ଥ୍ୟ ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିବ। ଏହାର ପ୍ରଭାବ ଦେଶର ଅର୍ଥନୀତିକୁ ରସାତଳଗାମୀ କରିବ।

ଏବେ ଆମ ସରକାର ଓ ରାଜନୈତିକ ନେତାମାନେ କରୋନା ଉପରେ ସମ୍ପୂର୍ଣ୍ଣ ବିଜୟ ହାସଲର ଆହ୍ବାନ ନେଉଛନ୍ତି ଓ ଆମେ ଏଥିରେ ଅବଶ୍ୟ ବିଜୟୀ ହେବା ବୋଲି ଦୃଢ଼ତାର ସହ କହୁଛନ୍ତି। ବାସ୍ତବରେ ଏହା ଲୋକଙ୍କ ମନୋବଳ ବୃଦ୍ଧି ପାଇଁ ଏକ ସ୍ବାଭାବିକ କୌଶଳ। ଏଥିରେ ବାସ୍ତବତା କମ୍‌ ଏଇଥିପାଇଁ ଯେ କରୋନାର ଦମନ ଓ ମୂଳୋତ୍ପାଟନ ପାଇଁ ଆମ ପାଖରେ କିମ୍ବା ସମଗ୍ର ବିଶ୍ବ ନିକଟରେ ସଫଳ ଔଷଧ କିମ୍ବା ଟିକା ବାହାରି ନାହିଁ। ତେଣୁ କରୋନା ସହିତ ଆମକୁ ବଂଚିବାର କଳା ଶିଖିବାକୁ ହେବ। ଏମିତି ତ ଆମେ ଅନେକ ରୋଗ ସହ ବଂଚିବାକୁ ବାଧ୍ୟ ହେଉଛୁ। ସେମିତି କରୋନା ସହିତ ବଂଚିବାକୁ ପଡ଼ିବ ଏବଂ ଆବଶ୍ୟକ ସତର୍କତା, ସଚେତନତା, ବ୍ୟବହାର ଓ ନୀତିନିୟମ ମାନି ଚଳିବାକୁ ହେବ। ରୋଗ ଭୟରେ ଯଦି ଆମେ ଜୀବନ ବଞ୍ଚାଇବାକୁ ଘରେ ବନ୍ଦୀ ହୋଇରହିବା ତା’ହେଲେ ଜୀବିକା ବୁଡ଼ିଯିବ। ତେଣୁ ରୋଗରେ ନ’ମଲେ ଖାଦ୍ୟାଭାବ ଓ ଅର୍ଥାଭାବରୁ ମରିବା। ଜୀବନ ସହ ଜୀବିକା ନିବିଡ଼ ଭାବେ ଜଡ଼ିତ। ଯେଉଁ ବ୍ୟାଧିକୁ ଇଲାଜ ନାହିଁ ତା’ ସହିତ ବଂଚିବାର କଳା ଶିଖି ଜୀବିକା ବଂଚାଇବାକୁ ହିଁ ହେବ। ଏଥିପାଇଁ ସତର୍କତା ବ୍ୟକ୍ତିଗତ ସ୍ତରରୁ ଆରମ୍ଭ ହେବା ଅଧିକ ମହତ୍ତ୍ବ ରଖେ।

Comments are closed.