କୋଭିଡ୍‌-୧୯ ଓ ତୃତୀୟ ବିଶ୍ବଯୁଦ୍ଧ

କଟକ :ପଦାର୍ଥବିଜ୍ଞାନ ବିଭାଗ, ରବୀନ୍ଦ୍ରନାଥ ମିଶ୍ର, (ରେଭେନ୍ସା ବିଶ୍ୱବିଦ୍ୟାଳୟ): ଆମେରିକୀୟ ଜୈବବିଜ୍ଞାନୀ ଓ ଭେଷଜ ବିଜ୍ଞାନରେ ନୋବେଲ ବିଜେତା ଡା. ଜୋସୁଆ ଲିଡର ବର୍ଜ ୧୯୫୮ ମସିହାରେ ସତର୍କ କରିଦେଇଥିଲେ ଯେ ଭବିଷ୍ୟତରେ ଭୂତାଣୁ ସହ ସଂଗ୍ରାମ ମାନବ ସମାଜ ପାଇଁ ଏକ ବଡ଼ ଆହ୍ୱାନ ହେବ। ତାହା ଏବେ ସତ୍ୟରେ ପରିଣତ ହୋଇଛି ଓ ତୃତୀୟ ବିଶ୍ୱଯୁଦ୍ଧର ରୂପ ନେଇଛି। ବିଶ୍ୱର ୨୧୦ରୁ ଊର୍ଦ୍ଧ୍ବ ଦେଶ ଏହି ସଂଗ୍ରାମ କରୁଛନ୍ତି। ଏହି ଯୁଦ୍ଧରେ କୌଣସି ଦେଶ ଅନ୍ୟ ଦେଶ ବିରୋଧରେ ଜିତିବା ବା ହାରିବାର ମାନେ କିଛି ନାହିଁ। ଶତ୍ରୁ ଅଦୃଶ୍ୟ। ସେ ଆଖି, ପାଟି ଓ ମୁଖ ଗହ୍ବର ଦେଇ ମଣିଷ ଭିତରେ ପ୍ରବେଶ କରି ଘାତକ ସାଜିପାରେ। ଏହାକୁ ଅନେକେ ଜୀବାଣୁ ଯୁଦ୍ଧ ବା ଜୈବିକ ଯୁଦ୍ଧର ଆଖ୍ୟା ଦିଅନ୍ତି।

ଏଭଳି ଯୁଦ୍ଧ ମାନବ ସଭ୍ୟତା ପାଇଁ ନୂଆ ନୁହେଁ। ପୂର୍ବେ ଜାଣିଶୁଣି ବସନ୍ତ ରୋଗୀର ପୋଷାକକୁ ଶତ୍ରୁ ପକ୍ଷଙ୍କ ଉପରକୁ ଫୋପାଡ଼ି ଦିଆଯାଉଥିଲା। ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ଜୀବ ଓ ଉଦ୍ଭିଦ ଦ୍ୱାରା ସୃଷ୍ଟି ହେଉଥିବା ଅନେକ ଜଟିଳ ରୋଗ ଯେପରିକି ଆନ୍ଥ୍ରାକ୍ସ, କଲେରା, ପ୍ଲେଗ,  ବସନ୍ତ,  ଭେନେଜୁଆଲନ୍‌ ଇକ୍ୱାଇନ ଶତ୍ରୁ ପକ୍ଷ ବିରୋଧରେ ପ୍ରୟୋଗ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ୧୯୭୨ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ଜୈବଶସ୍ତ୍ର ସମ୍ମେଳନ (ବାଇଓଲଜିକାଲ ୱିପନ୍ କନ୍‌ଭେନ୍‌ସନ୍‌) ଆହ୍ୱାନ କରିଥିଲା। ଏହାର ସୁପାରିସକୁ ୧୯୭୫ ମସିହାରେ ଲାଗୁ କରାଯାଇଥିଲା। ପରେ ବାୟୋଇଞ୍ଜିନିୟରିଂର ପ୍ରଗତି ଏତେ ଆଗକୁ ଆସିଯାଇଥିଲା ଯେ ବିଡବ୍ଲୁସିର ସୁପାରିସଗୁଡ଼ିକ ଅସଂଗତ ହୋଇପଡ଼ିଥିଲା।

୧୯୬୦ ଦଶକ ପୂର୍ବରୁ ଏସବୁ କଥା ଜଣା ନଥିଲା। ୧୯୧୮ ମସିହାର ସ୍ପାନିସ୍‌ ଫ୍ଲୁର ଉଦାହରଣ ନିଆଯାଉ। ଏଥିରେ ମୃତାହତଙ୍କ ସଂଖ୍ୟା ପ୍ରଥମ ବିଶ୍ୱଯୁଦ୍ଧରେ ମୃତକଙ୍କ ସଂଖ୍ୟାଠାରୁ ଅଧିକ ଥିଲା। ଆକଳନରୁ ଜଣାପଡ଼େ ଯେ ପ୍ରାୟ ୩୦ରୁ ୪୦ ନିୟୁତ ଲୋକ ଏଥିରେ ପ୍ରାଣ ହରାଇଥିଲେ। ସେତେବେଳେ ଏହା ବୀଜାଣୁ ବା ବ୍ୟାକ୍‌ଟେରିଆଜନିତ ବୋଲି ବିଶ୍ୱାସ କରାଯାଉଥିଲା। ୧୯୩୦ରେ ଏହା ଭୂତାଣୁଜନିତ ବୋଲି ଜଣାପଡ଼ିଥିଲା। ୨୦୦୫ ମସିହାରେ ଜୈବବିଜ୍ଞାନୀମାନେ ସ୍ପାନିସ୍‌ ଫ୍ଲୁର ଭୂତାଣୁକୁ ସେ ସମୟରେ ସଂକ୍ରମିତ ହୋଇଥିବା କେତେକ ଆମେରିକୀୟ ସୈନିକଙ୍କ ରକ୍ତ ନମୁନାରୁ ଉଦ୍‌ଜୀବିତ କରିଥିଲେ। ଏହି ଭୂତାଣୁର ସାମୂହିକ ଡିଏନଏ ଧାରା ଭେଷଜବିଜ୍ଞାନ ସମ୍ବନ୍ଧୀୟ ପତ୍ରିକାରେ ପ୍ରକାଶିତ ହୋଇଥିଲା। ବାୟୋଇଞ୍ଜିନିୟିରିଂର ଗବେଷଣା ଓ ଏହାର ଉପଲବ୍ଧି ଆମକୁ ଜୀବମାନଙ୍କର ଗୁଣସୂତ୍ରୀୟ ସୂଚନା ବାହକ ବା ଡିଏନଏକୁ ଆମ ଇଚ୍ଛା ଅନୁସାରେ ହେରଫେର କରିବାର ନାଟ ଶିଖେଇ ଦେଇଛି। ଏହାଦ୍ୱାରା ଆମେ ଆଜି କୀଟାଣୁ ଓ ଭୂତାଣୁମାନଙ୍କୁ କିପରି ଅସ୍ତ୍ର ଭାବରେ ବ୍ୟବହାର କରି ପାରିବା ତାହାର ସୂତ୍ର ଜାଣି ପାରିଛେ ଏବଂ ଆମେ କୃତ୍ରିମ ଭାବେ ସୃଷ୍ଟ ଜୀବାଣୁ ବା ଭୂତାଣୁର ଶିକାର ହୋଇ ଚାଲିଛେ।

୧୧-୯-୨୦୦୦ର ଆତଙ୍କବାଦୀ ଆକ୍ରମଣ ପରେ ଆମେରିକା ଏକ ଆକ୍ରମଣର ଶିକାର ହୋଇଥିଲା। ଜଣେ ଅଜ୍ଞାତବ୍ୟକ୍ତି କିଛି ଧଳା ରଙ୍ଗର ପାଉଡ଼ର ଆମେରିକାର ଅନେକ ଜଣାଶୁଣା ରାଜନୀତିଜ୍ଞଙ୍କ ପାଖକୁ ପଠାଇଥିଲା। ଏହାର ସୂକ୍ଷ୍ମ ପରୀକ୍ଷଣରୁ ଜଣା ପଡ଼ିଥିଲା ଯେ ବ୍ୟକ୍ତି ଜଣକ ଆନ୍ଥ୍ରାକ୍‌ସ ବୀଜାଣୁକୁ ଅସ୍ତ୍ର କରି ଆମେରିକାକୁ ପଠାଇଥିଲା। ଆମେ ଜାଣିଛେ ଯେ ଆନ୍ଥ୍ରାକ୍ସ୍‌ ପାଉଡର ଆମ ଭୂଇଁ ଓ ପରିବେଶରେ ଥାନ୍ତି, କିନ୍ତୁ ତାଙ୍କୁ ବିଶୋଧନ କରି ଅସ୍ତ୍ରରୂପ ଦେବା ଜଣେ ଜୀବବିଜ୍ଞାନୀ ଦ୍ୱାରା ସମ୍ଭବ।

ଆଜିର କରୋନା ଭୂତାଣୁ ଯେ ଏଭଳି ଏକ ସୂତ୍ରରୁ  ଆସିଥିବ ତାହା କହିବା କଷ୍ଟକର। ଏହା ମହାମାରୀ ରୂପ ନେଲାଣି। ଜଣାଯାଏ ଯେ କରୋନା ଭୂତାଣୁ ତା’ର ଆରଏନଏର ପରିବର୍ତ୍ତନରେ ପଶୁପ୍ରଣାଳୀରୁ ମାନବ ପ୍ରଣାଳୀକୁ ଚାଲିଆସିଛି। ଏହା କୃତ୍ରିମ ଭାବରେ କରାଯାଇଛି ନା ଆପେଆପେ ହୋଇଛି, ଏ ପର୍ଯ୍ୟନ୍ତ ସଠିକଭାବେ ଜଣାଯାଇ ନାହିଁ। ଅନେକେ ମତ ଦିଅନ୍ତି ଯେ ଏଭଳି ଗବେଷଣା ଉପରେ ନଜର ଓ ନିୟନ୍ତ୍ରଣ ରଖିବା ପାଇଁ ଆନ୍ତର୍ଜାତିକ ସଂସ୍ଥା ଗଠନ ହେବା ଦରକାର। ଆଣବିକ ବୋମା ତିଆରିରେ ବ୍ୟବହୃତ ଉପାଦାନ, ଜ୍ଞାନକୌଶଳ, ଅର୍ଥ  ପରୀକ୍ଷା ପାଇଁ ସ୍ଥାନ ଇତ୍ୟାଦି ପାଇଁ ଅନେକ ସଂସ୍ଥା ଓ ପ୍ରୟୋଗଶାଳାର ସାହାଯ୍ୟ ନେବାକୁ ହୁଏ। ମାତ୍ର ଜୀବ ଯାନ୍ତ୍ରିକ କୌଶଳରେ ଡିଏନଏ ଓ  ଆରଏନଏର କୃତ୍ରିମ ପଦ୍ଧତିରେ ପରିବର୍ତ୍ତନ ଆଣିବା ଜଣେ ବା କତିପୟ ବିଜ୍ଞାନୀଙ୍କର ଅଭିପ୍ରାୟ ଓ ମାନସିକତା ଉପରେ ନିର୍ଭର କରେ। ଏଭଳି ଉପଲବ୍ଧିକୁ କେତେକ ନେତା  ନିଜର ସ୍ୱାର୍ଥ ଓ ନିଜ ଦେଶର ଅର୍ଥନୀତିକୁ କାର୍ଯ୍ୟସୂଚୀ ଅନୁସାରେ ବ୍ୟବହାର କରିପାରିଛନ୍ତି।

କୋଭିଡ୍-୧୯ ପ୍ରାକୃତିକ ହେଉ ବା କୃତ୍ରିମ ହେଉ, ମାନବ ସମାଜକୁ ଏହାର ଦାଉରୁ ରକ୍ଷା କରିବା ଏକ ବଡ଼ ଆହ୍ୱାନ। ଖାଲି ସ୍ୱାସ୍ଥ୍ୟ ନୁହେଁ, ଏହା ବିଶ୍ୱର ଅର୍ଥନୀତିକୁ ପ୍ରଭାବିତ କରିଛି। ସାରା ବିଶ୍ୱରେ ଏହା ଅଘୋଷିତ ତୃତୀୟ ବିଶ୍ୱଯୁଦ୍ଧର ଦୃଶ୍ୟପଟ ସୃଷ୍ଟି କରିଛି। ପ୍ରତ୍ୟେକ ନାଗରିକ ଏ  ଯୁଦ୍ଧର ଜଣେଜଣେ ସୈନିକ। ସାମାଜିକ ଦୂରତା ରକ୍ଷା କରିବା, ଗୃହବନ୍ଦୀ ହୋଇ ରହିବା, ବାରମ୍ବାର ହାତ ଧୋଇବା, ମୁଖାପିନ୍ଧିବା ଓ ସ୍ୱଚ୍ଛତାର ସବୁ ନିୟମ ପାଳନ ଇତ୍ୟାଦି ଆମକୁ ଏହି ଯୁଦ୍ଧରେ ବିଜୟୀ କରାଇବ।

 

Comments
Loading...