ବିଭ୍ରାନ୍ତ ବିଶ୍ବ – ଗଣମାଧ୍ୟମର ଦାୟିତ୍ବ ବଢ଼ୁଛି

ବିଶ୍ୱ ଇତିହାସରେ କୋଭିଡ୍-୧୯ ଏକ କଳା ଅଧ୍ୟାୟ ଲେଖିବା ଆରମ୍ଭ କରିଛି। ଅଧ୍ୟାୟର ଉପସଂହାର କେବେ ହେବ ତାହା ଅକଳ୍ପନୀୟ। ଲେଖା ସରିବା ପରେ ଆରମ୍ଭ ହେବ ଅନୁଶୀଳନ, ତର୍ଜମା, ବିଶ୍ଳେଷଣ ଇତ୍ୟାଦି। ପୁଣି ତା’ ଆଧାରରେ ରଚନା ହେବ ଗବେଷଣାତ୍ମକ ସନ୍ଦର୍ଭ। ଏବେ ବିଶ୍ୱବାସୀ ଯେଉଁ ସବୁ ଜଟିଳ ପ୍ରଶ୍ନର ଭ୍ରମ/ବିଭ୍ରାନ୍ତିରେ ଛନ୍ଦି ହୋଇପଡ଼ିଛନ୍ତି ସେସବୁର ଉତ୍ତର ପାଇବା ପାଇଁ ବୋଧହୁଏ ସନ୍ଦର୍ଭଗୁଡ଼ିକ ପ୍ରକାଶିତ ହେବା ପର୍ୟ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।

କୋଭିଡ୍-୧୯ କ’ଣ, କିପରି ସଂକ୍ରମିତ ହୁଏ, ଏହାର ଲକ୍ଷଣ, ନିରାକରଣ ଆଦି ପ୍ରଶ୍ନ ଆଉ ସାଧାରଣ ମଣିଷ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇ ରହିନାହିଁ। ତା’ ବଦଳରେ ଏବେ ମଣିଷ ମସ୍ତିଷ୍କରେ କିଛି ଭିନ୍ନ ଧରଣର ପ୍ରଶ୍ନ ଜନ୍ମ ନେଇଛି। ଦିନକୁ ଦିନ ଏହି ପ୍ରଶ୍ନ ସଂଖ୍ୟା ଯେତିକି ବଢ଼ୁଛି ବିଶ୍ୱାସ, ଭରସା ଓ ନୈତିକତା ଉପରେ ସନ୍ଦେହ ସେତିକି ଘନୀଭୂତ ହେଉଛି। ଗଣମାଧ୍ୟମରେ ପ୍ରତିଦିନ ପ୍ରକାଶ ପାଉଥିବା ଆରୋପ-ପ୍ରତ୍ୟାରୋପ, ଆଲୋଚନା-ସମାଲୋଚନା ଭିତରେ କୋଭିଡ୍-୧୯ ମହାମାରୀ ପଛରେ ସତରେ ଚୀନର ଭୂମିକା ରହିଛି କି ନାହିଁ ତାହା ମଧ୍ୟ ଏବେ ଚିନ୍ତା କରିବାକୁ ମଣିଷ ତା’ର ମସ୍ତିଷ୍କକୁ ବାଧ୍ୟ କରୁଛି।

କୋଭିଡ୍-୧୯ ସଂକ୍ରମଣର ପ୍ରଥମ ପର୍ୟ୍ୟାୟରେ ଯେଉଁସବୁ ପ୍ରଶ୍ନ ମଣିଷର ମସ୍ତିଷ୍କ ଚାରିପାଖରେ ଘୂରି ବୁଲୁଥିଲା ତାହା ଥିଲା ସମ୍ପୂର୍ଣ୍ଣ ଭାବେ ବୈଷୟିକ। ପ୍ରତିଷେଧକ ଟିକା ଉଦ୍ଭାବନ ହେବାକୁ କେତେ ଦିନ ଲାଗିବ? ଆମେରିକା ନା ଚୀନ୍ କିଏ ବାହାର କରିବ ପ୍ରଥମ ଟିକା? ଏ ଦିଗରେ ଆମେରିକାର ସଫଳତା ଦାବି ନେଇ ଗଣମାଧ୍ୟମରେ ପ୍ରକାଶ ପାଉଥିବା ଖବର କେତେ ସତ? ମ୍ୟାଲେରିଆ କିମ୍ବା ଏଡ୍ସ ନିରୋଧୀ ଔଷଧ କ’ଣ ସତରେ ଏହି ଭୟଙ୍କର ଭୂତାଣୁକୁ ନଷ୍ଟ କରିପାରୁଛି? ବିସିଜି ଟିକା ନେଇଥିବା ଲୋକଙ୍କୁ କୋଭିଡ୍ – ୧୯ ସଂକ୍ରମଣ ଆଶଙ୍କା କମ୍? ଚିକିତ୍ସା କୌଶଳ ଆମ ଦେଶର ସବୁଆଡ଼େ ସମାନ ନା ଭିନ୍ନ ରହିଛି? ଆୟୁର୍ବେଦ କିମ୍ବା ହୋମିଓପାଥିରେ ଏହାର ଚିକିତ୍ସା ଅଛି କି ନାହିଁ? ପ୍ରାଣାୟାମ ଜରିଆରେ ସତରେ ଜାଣି ହେବ କୋଭିଡ୍ ସଂକ୍ରମଣ? ଉତ୍ତାପ ବଢ଼ିବା ସହିତ ସଂକ୍ରମଣ କମିଯିବ? ଉଷୁମ ପାଣି କ’ଣ ସତରେ ମହୌଷଧି ଏବଂ ଡାକ୍ତରଖାନାରେ ମଧ୍ୟ ଏହି କୌଶଳ ପ୍ରୟୋଗ କରାଯାଉଛି? ସୁସ୍ଥ ହେଉଥିବା ରୋଗୀ ଆଉ କୋଭିଡ-୧୯ ଭୂତାଣୁରେ ସଂକ୍ରମିତ ହେବେ ନାହିଁ? ଉପରୋକ୍ତ ବୈଷୟିକ ପ୍ରଶ୍ନ ସହିତ କେତେକ ସାମାଜିକ ପ୍ରଶ୍ନ ମଧ୍ୟ ମଣିଷ ମସ୍ତିଷ୍କରେ ଜନ୍ମ ନେଇ ବିତର୍କର ଖୋରାକ ସୃଷ୍ଟି କରିଥିଲା। ସେହିସବୁ ପ୍ରଶ୍ନ ଥିଲା ପୁଲିସର କାର୍ୟ୍ୟାନୁଷ୍ଠାନ କେତେ ଗ୍ରହଣୀୟ? ଗୋଷ୍ଠୀ ସଂକ୍ରମଣକୁ ରୋକିବା ପାଇଁ ସଂକ୍ରମିତଙ୍କ ପରିଚୟ ସାର୍ବଜନୀନ କରିବା ଠିକ୍ ନା ଭୁଲ୍? ଏଥିରେ ବ୍ୟକ୍ତି ସ୍ୱାଧୀନତା କ୍ଷୁଣ୍ଣ ହେଉଛି ନା ବୃହତ୍ ମାନବାଧିକାର ସ୍ୱାର୍ଥ ଜଡ଼ିତ ରହିଛି? ଏଭଳି ଅନେକ ପ୍ରଶ୍ନ ଓ ଏହାର ଭିନ୍ନଭିନ୍ନ ଉତ୍ତରରେ ଭାରାକ୍ରାନ୍ତ ମଣିଷର ମସ୍ତିଷ୍କ କିନ୍ତୁ ଏବେ ଭିନ୍ନ ପ୍ରଶ୍ନରେ ଛନ୍ଦି ହୋଇଯାଇଛି।

ଏବେ ଆମ ଚାରିପାଖରେ ଘୂରି ବୁଲୁଥିବା ପ୍ରଶ୍ନର ଚରିତ୍ର ଓ ତା’ର ଦୁନିଆ ସ୍ୱତନ୍ତ୍ର। ମହାମାରୀ କୋଭିଡ୍-୧୯ର ସୃଷ୍ଟି କ’ଣ ସତରେ ଚୀନର ମାଂସ ବଜାରରୁ ହୋଇଥିଲା ନା ଜୈବ ଗବେଷଣାଗାରରୁ ଜନ୍ମ ନେଇଥିଲା? କୋଭିଡ୍-୧୯ର ଆବିର୍ଭାବ ଆକସ୍ମିକ ନା ପ୍ରାୟୋଜିତ? ଏହା କ’ଣ ଚୀନର ବିଶ୍ୱବିଜୟ ଅଭୀପ୍ସାର ପରିବର୍ତ୍ତିତ ରଣ ଓ ବାଣିଜ୍ୟ କୌଶଳ? ଯଦି ଚୀନର ପରୀକ୍ଷାଗାରରୁ କୋଭିଡ୍-୧୯ ବିସ୍ଫୋରକର ରୂପ ନେଇଛି, ତେବେ ସେହି କାର୍ୟ୍ୟକ୍ରମ ପାଇଁ ଆମେରିକାର ଆର୍ଥିକ ସହାୟତା ଖବର କେତେ ସତ? କୋଭିଡ୍-୧୯ର ପୂର୍ବାନୁମାନ ୨୦୧୯ ଅକ୍ଟୋବରରେ କରାଯାଇଥିଲା? ଆମେରିକାର ଏକ ବିଳାସପୂର୍ଣ୍ଣ ହୋଟେଲର ନିଭୃତ କକ୍ଷରେ ଅନୁଷ୍ଠିତ ବିଭିନ୍ନ ଦେଶର (ଚୀନ୍ ସମେତ) ଗୁରୁତ୍ୱପୂର୍ଣ୍ଣ ଓ ଉଚ୍ଚପଦରେ ଅଧିଷ୍ଠିତ ଅଧିକାରୀଙ୍କ ବୈଠକ ଓ ତା’ର ନିଷ୍ପର୍ଷ ସହିତ ଆଜିର ଏହି ମହାମାରୀର ସମ୍ପର୍କ କ’ଣ? ସତରେ କ’ଣ ବିଶ୍ୱ ଜୈବିକ ଯୁଦ୍ଧ ଆଡ଼କୁ ମୁହାଁଉଛି? କୋଭିଡ୍-୧୯ ବିଶ୍ୱବ୍ୟାପୀ ମହାମାରୀର ରୂପ ନେବା ପଛରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଭୂମିକା ସନ୍ଦେହ ଘେରରେ ନା ସନ୍ଦେହରୁ ଊର୍ଦ୍ଧ୍ବରେ? ଏ କ୍ଷେତ୍ରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଚୀନକୁ ପରୋକ୍ଷ ସମର୍ଥନ ଦେଇଥିବା ଅଭିଯୋଗ କେତେ ସତ? ଯଦି ପରବର୍ତ୍ତୀ ସମୟରେ ଏହି ଅଭିଯୋଗ ସତ ପ୍ରମାଣିତ ହୁଏ ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଶ୍ୱ ମାନବାଧିକାର ହନନ ଅପରାଧରେ ଦୋଷୀ ହେବା ଉଚିତ୍ କି ନୁହେଁ? ଭବିଷ୍ୟତରେ ଏହି ସଂସ୍ଥାର ଉପଦେଶ ଓ ପରାମର୍ଶ ବିଶ୍ୱବାସୀଙ୍କ ନିକଟରେ ବିଶ୍ୱସନୀୟ ଓ ଭରସାଯୋଗ୍ୟ ହେବ ତ?

ଏବେ ପ୍ରମୁଖ ଓ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ଏଭଳି ଅନେକ ଅଭିଯୋଗ ଓ ଦାବି ସମ୍ବଳିତ ଭିଡିଓ(ଦୃଶ୍ୟ ଶ୍ରାବ୍ୟ)ର ବୈଧତା ଓ ସତ୍ୟତା ନେଇ ଦର୍ଶକ ଓ ପାଠକ ଦ୍ୱନ୍ଦ୍ୱରେ। ଏ ଦ୍ୱନ୍ଦ୍ୱ କେବଳ ଭାରତବାସୀଙ୍କ ନୁହେଁ; ବରଂ ସମଗ୍ର ବିଶ୍ୱବାସୀଙ୍କୁ ଘାରିଛି। ସବୁଠାରୁ ଅଧିକ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ଗଣମାଧ୍ୟମର ଦାୟିତ୍ୱସମ୍ପନ୍ନ ଓ କର୍ତ୍ତବ୍ୟବୋଧ ଅଧିକାରୀ ଓ କର୍ମଚାରୀମାନେ। ପ୍ରତିଦିନ ପ୍ରକାଶ ପାଉଥିବା ନୂଆନୂଆ ତଥ୍ୟ ସହିତ ପୁରୁଣା ଖବରର ବିଶ୍ୱସନୀୟତା ହ୍ରାସ ପାଉଛି। ତେଣୁ ଏଭଳି ପରସ୍ପର ବିରୋଧୀ ଖବର/ତଥ୍ୟର ବିଶ୍ୱସନୀୟତା ଓ ସତ୍ୟତା ପରଖି ସେଗୁଡ଼ିକୁ କିଭଳି ପାଠକ ଓ ଜନସାଧାରଣଙ୍କ ପାଇଁ ଉପସ୍ଥାପନ ଓ ବି​‌େ​‌ଶ୍ଳଷଣ କରାଯିବ ତାହା ଏବେ ଆଉ ଏକ ଆହ୍ୱାନ ସୃଷ୍ଟି କରିଛି। ସମ୍ବେଦନଶୀଳ ସମୟର ସୁଯୋଗ ନେଇ ଏଭଳି ଅନେକ ଭିଡିଓ, ଅଡିଓ ଓ ଖବର ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି ଯାହାକୁ ହଠାତ୍ ଅବିଶ୍ୱାସ କରି ହେବ ନାହିଁ; କିନ୍ତୁ ସେଥିରୁ ଅଧିକାଂଶ ଯେ ସ୍ୱାର୍ଥପ୍ରଣୋଦିତ ଚିନ୍ତାରୁ ଜନ୍ମ ଏବଂ ଦୃଶ୍ୟଶ୍ରାବ୍ୟର ଚତୁର ଉପସ୍ଥାପନ, ତାହା ପରବର୍ତ୍ତୀ ସମୟରେ ଜଣାପଡ଼ୁଛି। ଏଭଳି ଖବର/ତଥ୍ୟର ପ୍ରଚାର ପ୍ରସାରକୁ ନିରୁତ୍ସାହିତ କରିବା ପାଇଁ କଡ଼ା ନିର୍ଦେଶନାମା ଥିଲେ ମଧ୍ୟ ତାହା କାଟୁ କରୁନାହିଁ।

ବ୍ୟକ୍ତିଗତ ପ୍ରଚାର ପ୍ରସାର ଓ ବୌଦ୍ଧିକତା ପ୍ରମାଣିତ କରିବା ଆଳରେ ରିପୋର୍ଟ ଉପସ୍ଥାପନ ଜରିଆରେ ବିଶ୍ୱକୁ ବିଭ୍ରାନ୍ତ କରା ନ ଯାଉ। ବିଶ୍ୱବାସୀଙ୍କ ସାମୂହିକ ମଙ୍ଗଳ ନିମନ୍ତେ ଗଣମାଧ୍ୟମ ସହିତ ସମ୍ପୃକ୍ତ ବ୍ୟକ୍ତିବିଶେଷ/ପେସାଦାରମାନେ ଏ ଦିଗରେ ଅଧିକ ଯତ୍ନଶୀଳ ହେବା ଆଶା କରାଯାଏ।

Comments
Loading...