ଉନ୍ମୁକ୍ତ ବାତାୟନ

ମହର୍ଷି ଅତ୍ରିଙ୍କର କନ୍ୟା ଥିଲେ ଉପଳା। ଭାଗ୍ୟର ବିଡ଼ମ୍ବନା ଏହା ଥିଲା ଯେ ବୟସ ବଢ଼ିବା ପରେ ତାଙ୍କଠାରେ ଧବଳ କୁଷ୍ଠ ଦେଖାଦେଇଥିଲା। ସେ ସମୟରେ ଏ ଧରଣର ରୋଗକୁ ସାଧାରଣରେ ଅତି ଘୃଣା କରାଯାଉଥିଲା। ଏହାକୁ କୁଷ୍ଠ ରୋଗ (ବଡ଼ରୋଗ) ସହ ତୁଳନା କରାଯାଉଥିଲା। ପିତା ଅତ୍ରି କନ୍ୟାର ଏହି ରୋଗ ଦେଖି ବହୁତ ଚିନ୍ତିତ ତଥା ବିବ୍ରତ ହୋଇ ପଡ଼ିଥିଲେ। ରୋଗରୁ ଆରୋଗ୍ୟ ଲାଭ ନିମନ୍ତେ ପିତା ସାଧ୍ୟମତେ ଚେଷ୍ଟା କରିଥିଲେ। ସେ ସମୟର ନାମୀ କବିରାଜଙ୍କ ପରାମର୍ଶରେ ଚିକିତ୍ସା କରାଇଥିଲେ। ଅନେକ ଉପଚାର ପରେ ମଧ୍ୟ ଏହା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଥିଲା।
କନ୍ୟା ବିବାହ ଯୋଗ୍ୟ ହେବାରୁ ଅତ୍ରି ମୁନି ବର ଅନ୍ବେଷଣ କରିଥିଲେ। ଉପଳା ଥିଲେ ବିଦୂଷୀ। ଶାସ୍ତ୍ରଜ୍ଞାନ ଥିଲା ଅଗାଧ। ବିଦୂଷୀ ଭାବରେ ତାଙ୍କର ଖ୍ୟାତି ଅନେକ ଆଡ଼େ ବ୍ୟାପି ଯାଇଥିଲା। ଲୋକମୁଖରେ ତାଙ୍କର ପ୍ରଶଂସା ଶୁଣି ଅନେକେ ବିବାହଆଶାରେ ପିତା ଅତ୍ରିଙ୍କ ନିକଟକୁ ଆସିଥିଲେ। ହେଲେ କନ୍ୟା ଧବଳକୁଷ୍ଠ ରୋଗଗ୍ରସ୍ତ ବୋଲି ଜାଣିବାପରେ ସେମାନେ ମୁହଁ ଆଡ଼େଇ ଫେରିଯାଉଥିଲେ। ପିତା ଅତ୍ରି ମୁନିଙ୍କର ଚିନ୍ତା ବଢ଼ିଯାଇଥିଲା।
ଅତି ଆଶ୍ଚର୍ୟ୍ୟଜନକ ଭାବରେ ଅତ୍ରି ମୁନିଙ୍କ ଜନୈକ ଶିଷ୍ୟ ବୃତ୍ତାଶ୍ବ କିଛି ହେଲେ ପଚରାପଚରି ନକରି ଭାବାବେଗରେ ଉପଳାଙ୍କ ପାଣିଗ୍ରହଣ କରିଥିଲେ। ଉପଳାଙ୍କର ଦୁଶ୍ଚିନ୍ତା ଦୂର ହୋଇଯାଇଥିଲା ଓ ଅତ୍ରି ମଧ୍ୟ ଶାନ୍ତିରେ ନିଶ୍ବାସ ନେଇଥିଲେ।
ବିଡ଼ମ୍ବନା ଏହାଥିଲା ଯେ ବିବାହର ମାତ୍ର କେଇଟା ଦିନରେ ବୃତ୍ତାଶ୍ବ ତାଙ୍କଠାରେ ଚର୍ମଗତ ରୋଗ ଥିବା ଜାଣି ମ୍ରିୟମାଣ ହୋଇପଡ଼ିଥିଲେ। ନିଜେ କିଛି ନବୁଝି ବିବାହ କରିଥିବାରୁ ନିଜକୁ ଦୋଷୀ ମଣି ସର୍ବଦା ଉଦାସ ଭାବରେ କାଳ କଟାଇବାକୁ ଲାଗିଲେ। ଗୁରୁଙ୍କ କନ୍ୟା ହୋଇଥିବାରୁ ଉପଳାଙ୍କୁ ମଧ୍ୟ ମନୋବେଦନା ଜଣାଇ ତାଙ୍କ ମନରେ ଦୁଃଖ ଦେବାକୁ ଚାହୁଁ ନଥିଲେ। କିଛି ଦିନ ଏଇ ଭାବରେ ଅତିବାହିତ ହୋଇଥିଲା। ସମୟ ଆସିଲା ସବୁବେଳେ ଚୁପ୍‌ଚାପ, ଉଦାସ ରହୁଥିବା ବୃତାଶ୍ବ କେବେ ଉପଳାଙ୍କୁ, କେବେ ନିଜକୁ, କେବେ ଉପଳାଙ୍କ ପିତା ଅତ୍ରି ମୁନିଙ୍କୁ ଦୋଷ ଦେଇ ନାନା କଥା କହିବାରେ ଲାଗିଲେ। ଏଥିରେ ଅତିମାତ୍ରାରେ ଭାଙ୍ଗି ପଡ଼ିଥିଲେ ବିଦୂଷୀ ଉପଳା। ଦୃଢ଼ ସିଦ୍ଧାନ୍ତ ନେଇଗଲେ କାହା ଉପରେ ଭାର ହୋଇ ରହିବା ଅପେକ୍ଷା, କାହା ମନରେ କଷ୍ଟ ଦେଇ ଜବରଦସ୍ତ ପତ୍ନୀର ଅଧିକାର ସାବ୍ୟସ୍ତ କରିବା ପରିବର୍ତ୍ତେ ନିଜ ପିତାଙ୍କ ଗୃହରେ ରହିବା ଭଲ। ଏହା ବିଚାର କରି ପିତ୍ରାଳୟ ଚାଲିଆସିଥିଲେ। ସବୁ ଜଟିଳ ସ୍ଥିତିର ସମାଧାନ ହୋଇ ଯାଇଥିଲା। ପିତାଙ୍କ ଗୃହରେ ଉପଳା ତାଙ୍କର ସକଳ ସମୟ ଧ୍ୟାନ, ଅଧ୍ୟୟନ ଏବଂ ତପସ୍ୟାରେ ନିୟୋଜିତ କଲେ। ତାଙ୍କର ଶାସ୍ତ୍ରଜ୍ଞାନ, ଗଣନା ନିକଟରେ ବରିଷ୍ଠ ଋଷିମାନେ ମଧ୍ୟ ହାର ମାନିଥିଲେ। ଚର୍ମରୋଗ ତୁଳନାରେ ଜ୍ଞାନ ଓ ଚରିତ୍ରର ଗରିମା ଭାରି ପଡ଼ିଥିଲା।
ବାସ୍ତବତା ହେଲା- ସ୍ରଷ୍ଟା କେବେ ବି ସକଳ ଦ୍ବାର ରୁଦ୍ଧ କରି ନଥାନ୍ତି। ଗୋଟିଏ ପଟର ଦ୍ବାର ରୁଦ୍ଧ କରିଥିଲେ ଅନ୍ୟ ଏକ ଦ୍ବାର ଉନ୍ମୁକ୍ତ ରଖିଥାନ୍ତି ନିଶ୍ଚୟ। ହେଲେ ବିଡ଼ମ୍ବନା ଏହା ଯେ ଅଧିକାଂଶ କେବଳ ରୁଦ୍ଧ ଦ୍ବାରରେ କରାଘାତ କରି ନିଜ ଦୁର୍ଭାଗ୍ୟକୁ ନିନ୍ଦି ଆଖିରୁ ଲୁହ ଗଡ଼ାଇଥାନ୍ତି, ଉନ୍ମୁକ୍ତ ବାତାୟନ ଦିଗରେ ଦୃଷ୍ଟି ଦେଇ ନଥାନ୍ତି।

Comments are closed.