ଶାନ୍ତିଚୁକ୍ତିର ଭବିଷ୍ୟତ

ଶାନ୍ତି ପ୍ରତିଷ୍ଠାର ମାର୍ଗ ଏତେ ସରଳ ଓ ସହଜ ନୁହେଁ

ଗତ ଫେବୃଆରୀ ୨୯ ତାରିଖରେ ଆମେରିକା- ତାଲିବାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ପ୍ରକାଶିତ ଇସ୍ତାହାରର ଶିରୋନାମା ହେଉଛି – ‘ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଇସଲାମିକ ଏମିରେଟସ୍ ଅଫ୍ ଆଫଗାନିସ୍ତାନ (ଯାହାକୁ ଆମେରିକା ଏକ ରାଷ୍ଟ୍ର ଭାବେ ସ୍ୱୀକୃତି ପ୍ରଦାନ କରିନାହିଁ) ଏବଂ ଆମେରିକା ମଧ୍ୟରେ ଚୁକ୍ତିନାମା’। ଚାରୋଟି ଭାଗରେ ବିଭକ୍ତ ଏହି ଚୁକ୍ତିନାମାର ଛଅଟି ଦିଗ ହେଉଛି – ଆଫଗାନିସ୍ତାନରେ ଜୁନ୍ ୧୫ ସୁଦ୍ଧା ଆମେରିକା ସେନା ୧୪,୦୦୦ରୁ ୮୬୦୦କୁ ହ୍ରାସ କରାଯିବ, ୨୦୨୧ ଏପ୍ରିଲ ୨୯ ସୁଦ୍ଧା ସମସ୍ତ ଆମେରିକୀୟ ଏବଂ ବିଦେଶୀ ସେନା ପ୍ରତ୍ୟାହୃତ ହେବ, ମେ’ ୨୯ ସୁଦ୍ଧା ତାଲିବାନ ଉପରୁ ମିଳିତ ଜାତିସଂଘ ନିରାପତ୍ତା ପରିଷଦ କଟକଣା ହଟେଇ ଦିଆଯିବ, ୨୦୨୦ ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ଆଫଗାନ ଏବଂ ତାଲିବାନ ଅଧୀନରେ ବନ୍ଦୀ ଥିବା ଯଥାକ୍ରମେ ୫୦୦୦ ତାଲିବାନ ସେନା ଏବଂ ୧୦୦୦ ଆଫଗାନ ସେନାଙ୍କୁ ମୁକ୍ତ କରାଯିବ, ଅଗଷ୍ଟ ୨୭ ସୁଦ୍ଧା ଆମେରିକା ଯେଉଁ ତାଲିବାନ ନେତାଙ୍କ ଉପରେ କଟକଣା ଜାରି କରିଛି ତାହା ପ୍ରତ୍ୟାହାର କରିନେବ, ମାର୍ଚ୍ଚ ୧୦ ତାରିଖରେ ତାଲିବାନ ଏବଂ ଆଫଗାନ ମଧ୍ୟରେ ବାର୍ତ୍ତାଳାପ ଆରମ୍ଭ ହେବ। ବିଡ଼ମ୍ବନା, ଆଫଗାନିସ୍ତାନରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ସକାଶେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିବାବେଳେ ଆଫଗାନିସ୍ତାନର ନିର୍ବାଚିତ ସରକାରଙ୍କୁ ପକ୍ଷଭୁକ୍ତ କରାଯାଇନାହିଁ। ଫଳରେ ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ୍ ଘନି ଚୁକ୍ତିନାମାକୁ ଅସ୍ୱୀକାର କରିବା ସହିତ ବନ୍ଦୀ ପ୍ରତ୍ୟର୍ପଣ ନିମନ୍ତେ ଆହୁରି ଅନେକ ସର୍ତ୍ତ ଆରୋପ କରିଛନ୍ତି। ସେ କହିଛନ୍ତି- ‘ଯେପର୍ୟ୍ୟନ୍ତ ପାକିସ୍ତାନ ସହିତ ତାଲିବାନ ସଂପର୍କ ରଖିଥିବ, ସେପର୍ୟ୍ୟନ୍ତ ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ସମ୍ଭବ ନୁହେଁ। କାରଣ ଦୀର୍ଘ ବର୍ଷ ଧରି ପାକିସ୍ତାନ, ତାଲିବାନ ସହାୟତାରେ ଆଫଗାନିସ୍ତାନରେ ଅସ୍ଥିରତା ସୃଷ୍ଟି କରୁଛି।’ ଏହାର ଉତ୍ତରରେ ମାର୍ଚ୍ଚ ୩ ତାରିଖରେ ଆଫଗାନ ସେନା ଉପରେ ତାଲିବାନ ୪୩ ଥର ଆକ୍ରମଣ କରିବା ପରେ ଆମେରିକା ବାଧ୍ୟ ହୋଇ ପର ଦିନ ତାଲିବାନ ଉପରେ ଆକାଶ ମାର୍ଗରୁ ଆକ୍ରମଣ କରିଛି। ଶାନ୍ତି ଚୁକ୍ତିନାମା ସ୍ୱାକ୍ଷରିତ ହେବାର ଏକ ସପ୍ତାହ ମଧ୍ୟରେ ଆକ୍ରମଣ ଏବଂ ପ୍ରତି-ଆକ୍ରମଣ ପ୍ରକ୍ରିୟା ଜାରି ରହିଥିବାରୁ ଶାନ୍ତି ପ୍ରକ୍ରିୟା ମଳିନ ପଡ଼ି ଆସିଛି। ଦୁଇ ବୃହତ ଶକ୍ତି ରୁଷିଆ ଓ ଆମେରିକାର ସାମରିକ ପ୍ରତିଦ୍ୱନ୍ଦ୍ବିତା ମଧ୍ୟରେ ଆଫଗାନିସ୍ତାନ ପେଷି ହୋଇ ରହିଥିବାରୁ, ସେଠାରେ ଶାନ୍ତି ପ୍ରତିଷ୍ଠାର ମାର୍ଗ ଏତେ ସରଳ ଓ ସହଜ ନୁହେଁ।
୧୯୧୯ ମସିହାରେ ଆଫଗାନିସ୍ତାନ ବ୍ରିଟିଶ ସାମ୍ରାଜ୍ୟରୁ ସ୍ୱାଧୀନ ହେବା ପରଠାରୁ ସୋଭିଏତ ସଂଘରୁ ଆର୍ଥିକ ଓ ସାମରିକ ଅନୁଦାନ ଲାଭ କରି ଶକ୍ତିଶାଳୀ ହୋଇଉଠିଲା ଏବଂ ଆମେରିକା ବିରୋଧୀ ଗୋଷ୍ଠୀରେ ପରିଣତ ହେଲା। ପାକିସ୍ତାନ ଓ ଇରାନ ଆମେରିକାର ସହଯୋଗୀ ରାଷ୍ଟ୍ର ଥିବାରୁ ସ୍ୱାଭାବିକ ଭାବେ ଆଫଗାନିସ୍ତାନର ପାରମ୍ପରିକ ଶତ୍ରୁ ଭାବେ ବିବେଚିତ ହେଲେ। ୧୯୭୯ ମସିହାରେ ଆଫଗାନିସ୍ତାନରେ ଆମେରିକାର ରାଷ୍ଟ୍ରଦୂତ ଆଡଲଫ୍ ଡବ୍ସଙ୍କ ଅପହରଣ ଓ ହତ୍ୟା ପରେ ସୋଭିଏତ ସଂଘର ଶକ୍ତି ପ୍ରତିହତ ନିମନ୍ତେ ପାକିସ୍ତାନ ମାଧ୍ୟମରେ ଆଫଗାନିସ୍ତାନର ବିଦ୍ରୋହୀ ମୁଜାହିଦିନ ଗୋଷ୍ଠୀଙ୍କୁ ଆମେରିକା ଆର୍ଥିକ ସହାୟତା ସହିତ ସମର୍ଥନ ଜଣାଇଲା। ୧୯୮୦ ଦଶକରେ ଗୋଟିଏ ପଟେ ସୋଭିଏତ ସଂଘ ଏବଂ ଅପର ପକ୍ଷରେ ଆମେରିକା, ସାଉଦି ଆରବ, ଇରାନ, ଇଂଲଣ୍ଡ, ଚୀନ ଏବଂ ପାକିସ୍ତାନ ମଧ୍ୟରେ ଶୀତଳ ଯୁଦ୍ଧର ଘନଘଟା ଲାଗିରହିଲା। ଏହି ସମୟରେ ପ୍ରମୁଖ ଇସଲାମିକ ରାଷ୍ଟ୍ରସମୂହ ‘ଜିହାଦ’ ମନ୍ତ୍ରରେ ଦୀକ୍ଷିତ ସ୍ୱେଚ୍ଛାସେବୀ ସେନା ପଠାଇବାକୁ ଆରମ୍ଭ କଲେ। ଓସମା ବିନ୍ ଲାଡେନ ନାମକ ‘ସାଉଦି ଜିହାଦୀ’ ସେମାନଙ୍କ ମଧ୍ୟରୁ ଅନ୍ୟତମ ଏବଂ ‘ଅଲ୍-କାଏଦା’ ଗଠନ ପୃଷ୍ଠଭୂମିରେ ଆମେରିକାର ଆର୍ଥିକ ଅନୁଦାନ ଓ ସମର୍ଥନ ରହିଥିଲା। ଅନ୍ତର୍ଜାତୀୟ ଚାପ, ଆମେରିକା ସହଯୋଗୀ ରାଷ୍ଟ୍ରଙ୍କ ମିଳିତ ଆକ୍ରମଣ ଏବଂ ୧୯୮୭ ମସିହାରେ ଆମେରିକା ସହିତ ଚୁକ୍ତିନାମା ଫଳରେ ସୋଭିଏତ ସଂଘ ୧୯୮୮ରେ ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ଆରମ୍ଭ କଲା ଏବଂ ୧୯୮୯ ମସିହାରେ ଏହା ସମାପ୍ତ ହେଲା, କିନ୍ତୁ ଆମେରିକା ସମର୍ଥନରେ ଯେଉଁ ଜିହାଦୀ ଗୋଷ୍ଠୀ ସୋଭିଏତ ସଂଘ ବିରୋଧରେ ଲଢ଼େଇ କରୁଥିଲେ, ସେମାନେ କ୍ରମଶଃ ଶକ୍ତିଶାଳୀ ହୋଇ ତାଲିବାନ ନାମରେ ପରିଚିତ ହେଲେ ଏବଂ ୧୯୯୬ ମସିହାରେ ଆଫଗାନିସ୍ତାନରେ ଇସଲାମିକ ସରକାର ଗଠନ କଲେ। ଏହି ଗୋଷ୍ଠୀ ଇସଲାମିକ ଏମିରେଟସ୍ ଅଫ୍ ଆଫଗାନିସ୍ତାନ ନାମରେ ପରିଚିତ ଏବଂ ଆମେରିକା ସରକାର ଆଫଗାନିସ୍ତାନର ନିର୍ବାଚିତ ସରକାରକୁ ଉପେକ୍ଷା କରି ଏହି ମୌଳବାଦୀ ଗୋଷ୍ଠୀ ସହିତ ଚୁକ୍ତିନାମା ସ୍ୱାକ୍ଷରିତ କରିଛି। ୨୦୦୧ ମସିହାରେ ତାଲିବାନ ବଂଶର ଅନ୍ୟ ଏକ ବିଷବୃକ୍ଷ ଅଲ-କାଏଦା, ଆମେରିକା ଉପରେ ଆତଙ୍କବାଦୀ ଆକ୍ରମଣ କଲା ପରେ ପ୍ରତିଶୋଧ ନିମନ୍ତେ ଆମେରିକା, ଆଫଗାନିସ୍ତାନ ଆକ୍ରମଣ କରି ତାଲିବାନ ସରକାରକୁ ଗାଦିଚ୍ୟୁତ କରିଥିଲା ଓ ସେହି ସମୟରୁ ତାଲିବାନ ଶକ୍ତି ପ୍ରତିହତ ଉଦ୍ଦେଶ୍ୟରେ ଆମେରିକା ସେନା ସେଠାରେ ମହଜୁଦ ଅଛନ୍ତି।
୨୦୨୦ ନିର୍ବାଚନକୁ ଆଖିରେ ରଖି ରାଷ୍ଟ୍ରପତି ଟ୍ରମ୍ପ ତାଲିବାନ ସହିତ ଚୁକ୍ତିନାମା କରିଛନ୍ତି ଏବଂ ଏହି ପ୍ରକ୍ରିୟାରେ ସମସ୍ତ ଆମେରିକା ସୈନ୍ୟ ନିଜ ଦେଶ ବାହୁଡ଼ି ଆସିବେ, କିନ୍ତୁ ଆଫଗାନିସ୍ତାନ ପାଇଁ ଏହି ଶାନ୍ତି ପ୍ରକ୍ରିୟାର ପରିଣାମ ଭୟଙ୍କର ହେବ। ଚୁକ୍ତିନାମା ସ୍ୱାକ୍ଷରିତ ହେବାର ୯ ଦିନ ପୂର୍ବେ ତାଲିବାନ ସଂଗଠନର ପ୍ରମୁଖ ନେତା ସିରାଜୁଦ୍ଦିନ ହକ୍କାନି ନ୍ୟୁୟର୍କ ଟାଇମ୍‌ସରେ ଲେଖିଥିବା ‘ଆମେ ତାଲିବାନ, କ’ଣ ଚାହୁଁ’ ଶୀର୍ଷକ ନିବନ୍ଧର ସାରମର୍ମ ହେଲା – ‘ଆମକୁ ନିଶ୍ଚିହ୍ନ କରିବାକୁ ଯୋଜନା କରିଥିବା ଏକ ସୁପରପାୱାରକୁ ଆଫଗାନିସ୍ତାନ ମାଟିରୁ ବିତାଡ଼ିତ କରିବାରେ ସଫଳ ହେଲୁ। ଆଫଗାନିସ୍ତାନରେ ଇସଲାମିକ ଶାସନବ୍ୟବସ୍ଥା ଲାଗୁ ହେବ ଏବଂ ଇସ୍‌ଲାମ୍‌ ସିଦ୍ଧାନ୍ତ ସହିତ କୌଣସି ସାଲିସ୍‌ କରିବୁ ନାହିଁ।’ ଯଦି ଆଫଗାନିସ୍ତାନ ପୁନଶ୍ଚ ତାଲିବାନ ଅକ୍ତିଆରକୁ ଆସିଯାଏ, ତେବେ ପାକିସ୍ତାନର ଜିହାଦୀ ଗୋଷ୍ଠୀ ଶକ୍ତିଶାଳୀ ହୋଇ ଆତଙ୍କବାଦୀ କାର୍ୟ୍ୟକଳାପ ଆହୁରି ତ୍ୱରାନ୍ୱିତ କରିବେ, ଯାହା ଭାରତ ସମେତ ସମଗ୍ର ବିଶ୍ୱ ପାଇଁ ସମସ୍ୟା ସୃଷ୍ଟି କରିବ।
ଅଭୟ ଦ୍ବିବେଦୀ
                                                                                                                   ଭଦ୍ରାଣୀ, ସାଳନ୍ଦୀନଗର, ଭଦ୍ରକ

Comments are closed.