୨୦୨୦ରେ ବିଶ୍ବର ସାମଗ୍ରିକ ଚିତ୍ର

ଆଉ ଅଳ୍ପଦିନ ପରେ ଗୋଟିଏ ନୂଆ ବର୍ଷରେ ପାଦ ଦେଲାବେଳକୁ ବିଶ୍ବର ରାଜନୈତିକ ସ୍ଥିତିର ରୂପରେଖ ସମ୍ପର୍କରେ କୂଟନୀତି ବିଶାରଦମାନେ ଭବିଷ୍ୟବାଣୀ ଶୁଣାଇବା ଆରମ୍ଭ କରିଛନ୍ତି। ଅସ୍ଥିରତା, ଅନିଶ୍ଚିତତା ଓ ବିଭାଜିତ ରାଜନୀତି ବିଶ୍ବକୁ ଆଚ୍ଛାଦିତ କରିବ ବୋଲି ସେମାନେ ଆଶଙ୍କା ପ୍ରକାଶ କରୁଛନ୍ତି। ଆନ୍ତର୍ଜାତିକ ସ୍ତରରେ ମହାଶକ୍ତିମାନଙ୍କର ସମ୍ପର୍କ କ୍ଷେତ୍ରରେ କିଛି ବଡ଼ଧରଣର ପରିବର୍ତ୍ତନର ସୂଚନା ନମିଳୁଥିଲେ ମଧ୍ୟ ରାଜନୈତିକ ହିଂସାକାଣ୍ଡ ବିଶ୍ବର କେତେ ଅଂଶରେ ଉଗ୍ରରୂପ ଧାରଣ କରିବ ବୋଲି କୁହାଯାଇଛି। ପୃଥିବୀର ପାରମ୍ପରିକ, ସ୍ଥିର ଓ ପରିପକ୍ପ ଗଣତନ୍ତ୍ରକୁ ନେଇ ଯେଉଁମାନେ ଗର୍ବ କରୁଥିଲେ ସେମାନେ ଅବସାଦଭରା କଣ୍ଠରେ କହିବେ- ଗଣତନ୍ତ୍ର ବ୍ୟବସ୍ଥା ଯେଉଁ ମୌଳିକ ଆଦର୍ଶ ଓ ମୂଲ୍ୟବୋଧ ଉପରେ ପ୍ରତିଷ୍ଠିତ ହୋଇଥିଲା ତାହା ଯେପରିକି ଧୀରେଧୀରେ ଭାଙ୍ଗି ରୁଜି ଯାଉଛି।
୨୦୨୦ ମସିହାର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଘଟଣା ହେବ ଆମେରିକାର ରାଷ୍ଟ୍ରପତି ନିର୍ବାଚନ (ନଭେମ୍ବର ୩) ଓ ପ୍ରେସିଡେଣ୍ଟ ଟ୍ରମ୍ପଙ୍କୁ ପଦଚ୍ୟୁତ କରିବାକୁ ଆରମ୍ଭ ହୋଇଥିବା ମହାଭିଯୋଗ ପ୍ରସ୍ତାବର ଆଲୋଚନା। ଟ୍ରମ୍ପଙ୍କ ରିପବ୍ଲିକାନ ଦଳର ଅନ୍ତତଃ ୨୦ଜଣ ସିନେଟର ଦଳବଦଳ ନକଲେ ଟ୍ରମ୍ପଙ୍କ ଆସନ ସୁରକ୍ଷିତ ରହିବ ସତ, କିନ୍ତୁ ମହାଭିଯୋଗ ପ୍ରସ୍ତାବର ତର୍ଜମା କଲାବେଳେ ଯେଉଁ ତିକ୍ତତା ସୃଷ୍ଟି ହେବ ତାହାର ସୁଦୂରପ୍ରସାରୀ ପ୍ରଭାବ ପଡ଼ିବ। ଟ୍ରମ୍ପ ଯଦି ବହିଷ୍କୃତ ନହୋଇ ପୁଣିଥରେ ରାଷ୍ଟ୍ରପତି ନିର୍ବାଚନରେ ଅଂଶ ଗ୍ରହଣ କରନ୍ତି ତେବେ ସେ ପରାଜିତ ହେଲେ କେହି ବିସ୍ମିତ ହେବାର ନାହିଁ। ନିର୍ବାଚନ ବେଳେ ଯେଉଁ ହିଂସାକାଣ୍ଡ ଦେଖାଦେବ ବିଂଶ ଶତାବ୍ଦୀର ମଧ୍ୟ ଭାଗରେ ହୋଇଥିବା ଭିଏତ୍‌ନାମ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି କୁହାଯାଉଛି। ମହାଭିଯୋଗର ବିଚାର କି ରୂପ ନେବ ଏବଂ ଡେମୋକ୍ରାଟିକ ଦଳର ରାଷ୍ଟ୍ରପତି ପ୍ରାର୍ଥୀ କିଏ ହେବ ତାହା ଉପରେ ଅବଶ୍ୟ ଅନେକ କଥା ନିର୍ଭର କରୁଛି। ଯୁକ୍ତରାଷ୍ଟ୍ରର ଇତିହାସରେ ଏହା ସବୁଠାରୁ କୁତ୍ସିତ ନିର୍ବାଚନ ହେବ ବୋଲି ରାଜନୀତି ପଣ୍ଡିତମାନେ ଆଶଙ୍କା ପ୍ରକାଶ କରୁଛନ୍ତି।
ଆସନ୍ତା ବର୍ଷ ଆନ୍ତର୍ଜାତିକ ସମ୍ପର୍କରେ ଆଉ ଗୋଟିଏ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଦେଖାଦେବ। ଗଣତନ୍ତ୍ର ଶାସନ ସମ୍ମୁଖୀନ ହୋଇଥିବା ସଂକଟକୁ ସାମନା କରିବାକୁ ଅାମେରିକା ଓ ବ୍ରିଟେନ ସଜବାଜ ହେଉଥିଲାବେଳେ ଏବଂ ଚୀନ ଭଳି ଅଣ-ଉଦାରବାଦୀ ରାଷ୍ଟ୍ର ନିଜନିଜର ଆଧିପତ୍ୟ ବିସ୍ତାର କରିବାକୁ ପ୍ରସ୍ତୁତ ହେଉଥିଲାବେଳେ ଏସୀୟ ରାଷ୍ଟ୍ର ଜାପାନ ବିଶ୍ବ ରଙ୍ଗମଞ୍ଚରେ ଗୋଟିଏ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କୁହାଯାଇଛି। ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଶ୍ରଦ୍ଧାର ସହିତ ଆବୋରି ନେବା ପାଇଁ ପାଶ୍ଚାତ୍ୟ ଜଗତରେ ଯେଉଁ ଅନାଗ୍ରହ ସୃଷ୍ଟି ହୋଇଛି ସେହି ଶୂନ୍ୟସ୍ଥାନକୁ ପୂରଣ କରିବା ପାଇଁ ଜାପାନର ପ୍ରଚେଷ୍ଟାକୁ ସାରା ବିଶ୍ବ ଆଗ୍ରହର ସହିତ ଲକ୍ଷ୍ୟ କରିବ। ଲୋକସଂଖ୍ୟା ଦୃଷ୍ଟିରୁ ପୃଥିବୀର ୧୧ଶ’ସ୍ଥାନ ଅଧିକାର କରିଥିବା ଓ ତୃତୀୟ ବଡ଼ ଅର୍ଥନୀତିକୁ କୋଳରେ ଧରି ଗୋଟିଏ ଶାନ୍ତିପ୍ରିୟ, ସ୍ଥିର, ଉଦାରବାଦୀ ଗଣତନ୍ତ୍ର ଭାବରେ ଅନ୍ୟମାନଙ୍କ ପାଇଁ ଆଦର୍ଶ ସୃଷ୍ଟି କରିପାରିବ ବୋଲି ଆକଳନ କରାଯାଇଛି। ନିଜ ଢୋଲ ନିଜେ ପିଟୁଥିବା ଓ ଦିନେ ସାମରିକବାଦକୁ ଜାତୀୟ ନୀତି କରିଥିବା ଜାପାନ ଯେ ନୂଆବର୍ଷରେ ପରିବର୍ତ୍ତନର ଏକ ବାହକ ହେବ, ଏଥିରେ ସନ୍ଦେହ ନାହିଁ। ଆସନ୍ତାବର୍ଷ ଜୁଲାଇ ମାସରେ ଜାପାନରେ ଅନୁଷ୍ଠିତ ହେବାକୁ ଯାଉଥିବା ଅଲିମ୍ପିକ କ୍ରୀଡ଼ା ବଡ଼ ହେବା ପାଇଁ ଜାପାନର ଅଭିଳାଷକୁ ଚରିତାର୍ଥ କରିବାରେ ସାହାଯ୍ୟ କରିବ।
ଦିନେ ଅପରାଜେୟ ବୋଲି ମନେ କରାଯାଉଥିବା ଚୀନ କମ୍ୟୁନିଷ୍ଟ ଦଳର ପ୍ରଭାବ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବ। ଯୁକ୍ତରାଷ୍ଟ୍ର ସହିତ ବାଣିଜ୍ୟ ଯୁଦ୍ଧ, ହଙ୍ଗକଙ୍ଗ୍‌ରେ ଅସ୍ଥିରତା, ତାଇୱାନରେ ନିର୍ବାଚନ ଭଳି ଘଟଣା ସହିତ ମୁକାବିଲା କରିବା ଚୀନ ପାଇଁ ସମ୍ମାନର ପ୍ରଶ୍ନ ହୋଇଯିବ। ଦକ୍ଷିଣ-ଚୀନ ସାଗରରେ ଆମେରିକା ସହିତ ନିରାପତ୍ତା ପ୍ରତିଯୋଗିତା ସେହି ଅଞ୍ଚଳରେ ଅସ୍ଥିରତା ସୃଷ୍ଟି କରିବ। ତାଇୱାନ ପ୍ରଣାଳୀ ଦେଇ ଆମେରିକା ଜାହାଜ ଆସିଲେ ତାହାକୁ ମୁକାବିଲା କରିବାକୁ ଚୀନ କେତେ ଦୂର ସମର୍ଥ ହେବ ତାହାର ବିଶ୍ଳେଷଣ ହେଉଛି। ପୂର୍ବଚୀନ ସାଗରକୁ କେନ୍ଦ୍ର କରି ଜାପାନ ସହିତ ଚୀନର ସୀମା ବିବାଦ ଉତ୍କଟ ରୂପ ଧାରଣ କରିବ। ଚୀନର ‘ନବ୍ୟ ସାମ୍ରାଜ୍ୟବାଦ’ ଯେଉଁ ଅସ୍ଥିରତା ସୃଷ୍ଟି କରିବ ତାହା ଉପରେ ବିଶ୍ବର ସତର୍କ ଦୃଷ୍ଟି ରହିବ।
କାଟାଲୋନିଆରୁ କାଶ୍ମୀର, ହଙ୍ଗେରୀରୁ ସ୍କଟ୍‌ଲାଣ୍ଡ ପର୍ଯ୍ୟନ୍ତ ବିଚ୍ଛିନ୍ନତାବାଦ ମୁଣ୍ଡ ଟେକିବ। ସେହି ସବୁ ଅଞ୍ଚଳରେ ଅସ୍ଥିରତା ଓ ଉତ୍ତେଜନା ସୃଷ୍ଟି ହେଲେ ସାରା ବିଶ୍ବରେ ତାହାର ପ୍ରଭାବ ପଡ଼ିବ। ଭାରତ ଓ ଚୀନ ଭଳି ବିଶାଳ ରାଷ୍ଟ୍ରକୁ ମଧ୍ୟ ଏଥିରୁ ମୁକ୍ତି ମିଳିବ ନାହିଁ। ଲାଟିନ ଆମେରିକାର ରାଜନୀତି ୨୦୧୯ ଭଳି ନୂଆବର୍ଷରେ ମଧ୍ୟ ଅସ୍ଥିର ରହିବ। ୨୦୧୭ ନଭେମ୍ବରରୁ ୨୦୧୯ ନଭେମ୍ବର ଭିତରେ ଏହି ଅଞ୍ଚଳରେ ୧୫ଟି ରାଷ୍ଟ୍ରପତି ନିର୍ବାଚନ ହୋଇଛି। ମହାଦେଶର ତିନିଟି ବଡ଼ ଅର୍ଥନୀତି- ଆର୍ଜେଣ୍ଟିନା, ବ୍ରାଜିଲ ଓ ମେକ୍‌ସିକୋରେ କୌଣସି ବଡ଼ ଧରଣର ଗଣ୍ଡଗୋଳ ଦେଖାଯିବ ନାହିଁ ଏବଂ ରାଜନୈତିକ ସ୍ଥିରତା ବଜାୟ ରହିବ। ପ୍ରାୟ ଦଶବର୍ଷର ଦୁର୍ନୀତି ଓ ଭ୍ରଷ୍ଟାଚାରର ଶାସନର ଅନ୍ତ ଘଟି ଭେନିଜୁଏଲା ବିକାଶର ରାସ୍ତାରେ ଚାଲିବ ବୋଲି ଆଶା କରାଯାଉଛି। ଭାରତୀୟ ଉପମହାଦେଶ ପାଇଁ ଗୋଟିଏ ଖୁସି ଖବର ହେଲା, ଆଫଗାନିସ୍ତାନ ଯୁଦ୍ଧର ଅନ୍ତ ହେବ। ୨୦୦୧ରୁ ୨୦୧୯ ଭିତରେ ଆମେରିକା ତାହାର ୨୪୦୦ ସୈନ୍ୟ ହରାଇବାପରେ ୨୦୨୦ରେ ସେ ଦେଶରୁ ଅପସରି ଯିବ। ରକ୍ତାକ୍ତ ସିରିଆ ଯୁଦ୍ଧ ମଧ୍ୟ ଶେଷ ହୋଇଯିବ ବୋଲି ଆଶା କରାଯାଇଛି।
ପରମାଣୁ ବିଭୀଷିକା କବଳରୁ ପୃଥିବୀ ଶୀଘ୍ର ମୁକ୍ତ ହେବ ବୋଲି ୨୦୧୯ ଆରମ୍ଭରେ ଯେଉଁ ଆଶା ଦେଖାଦେଇଥିଲା ତାହା ଉପରେ ୨୦୨୦ରେ ପ୍ରଶ୍ନବାଚୀ ସୃଷ୍ଟି ହେବ। ହିରୋସିମା- ନାଗାସାକିର ୭୫ବର୍ଷ ପରେ ଗୋଟିଏ ନୂଆ ପରମାଣୁ-ପ୍ରତିଯୋଗିତାରେ ବିଶ୍ବ କବଳିତ ହେବ। ଉତ୍ତର କୋରିଆକୁ ପରମାଣୁ ଅବାଟରେ ନଯିବା ପାଇଁ ଟ୍ରମ୍ପ ସଫଳ ହୋଇଛନ୍ତି ବୋଲି ଦାବି କରିବା ପ୍ରକୃତରେ କେତେ ପରିମାଣର ଭ୍ରମାତ୍ମକ ତାହା କ୍ରମେକ୍ରମେ ଜଣାପଡ଼ିଯାଇଛି। ପରମାଣୁ ଅସ୍ତ୍ର ପ୍ରସାରଣ ଦିଗରେ କେହି ଯେ ଆଉ ସଂଯମ ରଖିବାକୁ ପ୍ରସ୍ତୁତ ନୁହେଁ- ୨୦୨୦ରେ ଏହା ସ୍ପଷ୍ଟ ହୋଇଯିବ।
୨୦୧୯ରେ ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜୟନ୍ତୀ ପାଳନ ପ୍ରସଙ୍ଗଟି ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କଲାଭଳି ୨୦୨୦ ମସିହାରେ ଜର୍ମାନ ସଂଗୀତଜ୍ଞ, ବିଥୋଭେନ୍‌ଙ୍କର ୨୫୦ ବାର୍ଷିକୀ, ଇଟାଲୀୟ ଚିତ୍ରଶିଳ୍ପୀ ଓ ସ୍ଥପତି ରାଫେଲୋ ସାଞ୍ଜିଓ ଓ ସେବିକା (ନର୍ସ)ମାନଙ୍କୁ ସ୍ବତନ୍ତ୍ର ସ୍ଥାନ ଦେଇଥିବା ଫୋରେନସ୍‌ ନାଇଟି‌େ‌ଙ୍ଗଲଙ୍କର ଯଥାକ୍ରମେ ୫୦୦ ଓ ୨୦୦ ଜନ୍ମବାର୍ଷିକୀ ପାଳନ ପାଇଁ ଆଜିଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।
ବର୍ତ୍ତମାନ ଆସିବା ଭାରତବର୍ଷକୁ। ୨୦୨୦ରେ ନରେନ୍ଦ୍ର ମୋଦୀଙ୍କ ଶାସନ ଷଷ୍ଠ ବର୍ଷରେ ପଦାର୍ପଣ କରିବା ଅବସରରେ ତାଙ୍କର ଅଭ୍ୟୁଦୟର ଚମକପ୍ରଦ କାହାଣୀ ପ୍ରତି ସାରା ଦୁନିଆର ଦୃଷ୍ଟି ରହିବ। ତାଙ୍କର ପ୍ରେରଣାଦାୟକ ନେତୃତ୍ବ, ଅନ୍ୟକୁ ଆକର୍ଷଣ କରିବାର ଅଦ୍‌ଭୁତ ଶକ୍ତି, ଚୁମ୍ଭକୀୟ ବ୍ୟକ୍ତିତ୍ବ ଏବଂ ଆତ୍ମବିଶ୍ବାସ ଓ ଗର୍ବର ସହିତ ଆଗେଇ ଯିବାର ସାମର୍ଥ୍ୟର ବିଭିନ୍ନ ଦିଗ ବିଷୟରେ ମଧ୍ୟ ଆଲୋଚନା ହେବ। ତାଙ୍କର ବିଜୟ ପଛରେ ଦଳର ଯେତିକି ଭୂମିକା ରହିଛି ତାହାଠାରୁ ତାଙ୍କ ବ୍ୟକ୍ତିତ୍ବ ଭୂମିକା ଯେ ଅଧିକ- ଏକଥା ଉପରେ ଗୁରୁତ୍ବ ଦିଆଯିବ। ତେବେ ଗଲା କେତେ ମାସର ଘଟଣାର ନକାରାତ୍ମକ ପ୍ରଭାବ ମଧ୍ୟ ଅନୁଭୂତ ହେଉଛି। ସମ୍ବିଧାନ ପ୍ରବର୍ତ୍ତନର ୭୦ ତମ ବର୍ଷରେ ଭାରତବର୍ଷର ଉଦାରବାଦୀ ଗଣତାନ୍ତ୍ରିକ ବ୍ୟବସ୍ଥା କାହିଁକି ସମ୍ପୂର୍ଣ୍ଣ ବିପଦମୁକ୍ତ ନୁହେଁ, ତାହାର ତର୍ଜମା କରାଯାଉଛି। ଦେଶର ଗଣତାନ୍ତ୍ରିକ ସମ୍ବିଧାନ ଭାରତରେ ଏକ ସହିଷ୍ଣୁ ସମାଜ ଗଢ଼ିତୋଳିବ ବୋଲି ଡଃ ଆମ୍ବେଦକର ଯେଉଁ ଆଶାପୋଷଣ କରିଥିଲେ ତାହା ଯେପରିକି କ୍ରମେ ସୁଦୂରପରାହତ ହୋଇଯାଉଛି। ଶରଣାର୍ଥୀଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ପ୍ରଣୀତ ଆଇନ ଗୋଟିଏ ନିର୍ଦିଷ୍ଟ ସଂପ୍ରଦାୟକୁ ଆଇନର ସୁରକ୍ଷା କବଳରୁ ଯେପରିକି ଅଲଗା କରିଦେଉଛି। ଧର୍ମକୁୁ ନାଗରିକତାର ମାନଦଣ୍ଡ କରିବା ଫଳରେ ସମ୍ବିଧାନପ୍ରଦତ୍ତ ତିନିଟି ଗୁରୁତ୍ବପୂର୍ଣ୍ଣ ଅଧିକାରର ଉଲ୍ଲଙ୍ଘନ ହେବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି। ମାଧବ ଖୋସ୍‌ଲାଙ୍କ ‘ଇଣ୍ଡିଆସ୍‌ ଫାଉଣ୍ଡିଙ୍ଗ୍‌ ମୁମେଣ୍ଟ’ (ହାର୍ଭାର୍ଡ ୟୁନିଭର୍ସିଟି ପ୍ରେସ) ଓ ପାର୍ଥ ଚାଟାର୍ଜୀଙ୍କର ‘ଆଇ ଆମ୍‌ ଦି ପିପ୍‌ଲ’(କଲମ୍ବିଆ ୟୁନିଭର୍ସିଟି ପ୍ରେସ୍‌) ସଦ୍ୟ ପ୍ରକାଶିତ ଦୁଇଟି ପୁସ୍ତକରେ ଭାରତରେ ଗଣତନ୍ତ୍ର କେତେ ସୁରକ୍ଷିତ ଏବଂ ବ୍ୟକ୍ତି ସ୍ବାଧୀନତା କେତେ ସମ୍ମାନିତ- ଏ ବିଷୟରେ ଚମତ୍କାର ଆଲୋଚନା ରହିଛି। ଏହି ମହତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଗାମୀ ଦିନରେ ଅଧିକ ତର୍କ ବିତର୍କ ଚାଲିବ ବୋଲି ଆଶା।

ପାବକ କାନୁନ୍‌ଗୋ

ସେକ୍ଟର-୬, ସିଡିଏ, କଟକ

Comments are closed.