ସ୍ଥିର ସରକାର ଓ ଅସ୍ଥିର ବର୍ଷ

ଅତୀତ ହେଉଥିବା ବର୍ଷ ୨୦୧୯ରେ ଭାରତୀୟ ଗଣତାନ୍ତ୍ରିକ ପରମ୍ପରା ଗୋଟିଏ ନିଷ୍ପତ୍ତି ଶୁଣାଇଲା। ଦୀର୍ଘ ୩୦ବର୍ଷ ପରେ ଦେଶରେ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ଥିବା ସରକାର ଗଢ଼ିବାର ସୁଯୋଗ ଭାରତବାସୀ ଭାରତୀୟ ଜନତା ପାର୍ଟିକୁ ଦେଲେ। ନରେନ୍ଦ୍ର ମୋଦୀ ପୁନର୍ବାର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ। ଶ୍ରୀ ମୋଦୀ ୨୦୧୪ରେ ଯଦିଓ ଦାୟିତ୍ୱ ନେଇ ପ୍ରଧାନମନ୍ତ୍ରୀ ଭାବେ ପୂର୍ଣ୍ଣକାଳ ସରକାରରେ ଥିଲେ, ତାହା ବାସ୍ତବରେ ଏକ ମିଳିତ ମନ୍ତ୍ରିମଣ୍ଡଳ ଥିଲା। ଏନ୍‌.ଡି.ଏ.ର ଅନ୍ୟ ଭାଗୀଦାରମାନଙ୍କ ସହଯୋଗରେ ସରକାର ଗଢ଼ିବାକୁ ବାଧ୍ୟ ହୋଇଥିଲେ। ଅଧିକନ୍ତୁ ୨୦୧୪ ରୁ ୨୦୧୯ ମଧ୍ୟରେ ରାଜ୍ୟସଭାରେ ଭାଜପାର ସଦସ୍ୟ ସଂଖ୍ୟା କମ୍‌ ଥିବାରୁ ଅନେକ ବିଲ୍‌ ଲୋକସଭାରେ ଉତ୍ତୀର୍ଣ୍ଣ ହେଲେ ମଧ୍ୟ ରାଜ୍ୟସଭାରେ ଅଟକି ଯାଇଥିଲା। ୨୦୧୯ମସିହା ସାଧାରଣ ନିର୍ବାଚନରେ ବିପୁଳ ଜନସମର୍ଥନ ସହିତ ଭାଜପାର ସଭ୍ୟସଂଖ୍ୟା ଏପରି ସ୍ତରକୁ ଯାଇଛି ଯେ କାହାରି ସାହାଯ୍ୟ ନନେଇ ମଧ୍ୟ ଯେକୌଣସି ବିଲ୍‌ ଗୃହୀତ ହେବାରେ ଆଦୌ ଅସୁବିଧା ନାହିଁ। ୧୯୮୯ ମସିହାରୁ ଯେତେଜଣ ପ୍ରଧାନମନ୍ତ୍ରୀ ହୋଇଛନ୍ତି ସେମାନେ ଅନ୍ୟ ରାଜନୈତିକ ଦଳର ସହଯୋଗରେ ସରକାର ଗଢ଼ିଥିଲେ। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ର ନେତା ଭାବେ ଅଟଳବିହାରୀ ବାଜପାୟୀ ଦୀର୍ଘ ୬ ବର୍ଷ ଶାସନରେ ଥିଲେ ମଧ୍ୟ ତାଙ୍କୁ ଏକ ମିଳିତ ସରକାର ଚଳାଇବାକୁ ହୋଇଥିଲା। ବେଳେବେଳେ ସହଯୋଗୀ ଦଳମାନଙ୍କଠାରୁ ବିପଦର ସମ୍ମୁଖୀନ ହେବାର ଆଶଙ୍କା ଥିଲା। ସେଥିପାଇଁ ସେ ପ୍ରଧାନମନ୍ତ୍ରୀ ଥାଇ ପାଞ୍ଚବର୍ଷ ପୂର୍ବରୁ ସରକାର ଭାଙ୍ଗିଦେଇ ନିଜ ଦଳପାଇଁ ପୂର୍ଣ୍ଣ ବହୁମତ ଆଶା କରିଥିଲେ। ପରବର୍ତ୍ତୀ ଦୁଇଗୋଟି ମନ୍ତ୍ରିମଣ୍ଡଳ ଅନେକ ଦଳର ମେଣ୍ଟରେ ଗଢ଼ା ଯାଇଥିଲା। ଏହି ମେଣ୍ଟର ପ୍ରଧାନମନ୍ତ୍ରୀ ଭାବେ ମନମୋହନ ସିଂହଙ୍କୁ ଦାୟିତ୍ୱ ଦେଇଥିଲେ। ଏହି ମିଳିତ ମନ୍ତ୍ରିମଣ୍ଡଳରେ କଂଗ୍ରେସର ଯଦିଓ ଏକକ ସଂଖ୍ୟାଗରିଷ୍ଠତା ଥିଲା, ମନମୋହନ ସିଂହ ମେଣ୍ଟ ସାହାଯ୍ୟରେ ସରକାର ଚଳାଇଥିଲେ। ୨୦୧୯ ମସିହାରେ ଭାଜପା ବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଯେ କେବଳ ଲୋକସଭାରେ ନିରଂକୁଶ ସଂଖ୍ୟାଗରିଷ୍ଠତା ମିଳିଛି ତା’ ନୁହେଁ, ଦେଶର ଦୁଇ-ତୃତୀୟାଂଶରୁ ଅଧିକ ରାଜ୍ୟର ସମର୍ଥନ ଥିବାରୁ ରାଜ୍ୟସଭାରେ ମଧ୍ୟ ସଂଖ୍ୟା ଖେଳର ଅସୁବିଧା ନାହିଁ। ଦେଶରେ ମଧ୍ୟ ପ୍ରତିପକ୍ଷ ରାଜନୈତିକ ଦଳମାନଙ୍କର ଦୁର୍ବଳ ସ୍ଥିତି ମୋଦୀଙ୍କୁ ପୂର୍ଣ୍ଣ ଓ ସ୍ଥିର ସରକାର ଚଳାଇବାର ସୁଯୋଗ ଦେଇଥିଲା।
ଏ ସବୁ ସତ୍ତ୍ୱେ ଦେଶରେ ୨୦୧୯ ମସିହା ବର୍ଷଟି ଅନେକ ଅସ୍ଥିରତାର ଇତିହାସ ସୃଷ୍ଟି କଲା। ଅର୍ଥନୈତିକ, ସାମାଜିକ ଓ ରାଜନୈତିକ ଅସ୍ଥିରତା ସୃଷ୍ଟିହେଲା। ଅର୍ଥନୀତି କ୍ଷେତ୍ରରେ ଅସ୍ଥିରତା ଚରମ ସୀମାକୁ ଗଲା। ବଜାରରେ ଚାହିଦା କମିଲା। ତା’ର କାରଣ ଲୋକଙ୍କର କ୍ରୟ ଶକ୍ତିରେ ହ୍ରାସ ଓ ଭବିଷ୍ୟତକୁ ନେଇ ଭୟ ବୋଲି ଧରିବାକୁ ହେବ। ଦେଶର ସମୃଦ୍ଧି ହାର ଜି.ଡ଼ି.ପି ବର୍ଷର ପ୍ରତି ତିନିମାସରେ ତଳକୁ ଖସିବାରେ ଲାଗିଲା। ତୃତୀୟ ​‌େ​‌ତ୍ରୖମାସିକ ହିସାବରେ ୪.୫% କୁ ଖସିଲା ଓ ଶେଷ ତିନିମାସରେ ଆହୁରି ୪.୧% ତଳକୁ ଖସି ଗତ ୩୦ ବର୍ଷରେ ଇତିହାସ ସୃଷ୍ଟି କରିବାର ଆଶଙ୍କା ଦେଖାଦେଇଛି। ଦେଶର ବିତ୍ତୀୟ ନିଅଣ୍ଟ ମଧ୍ୟ ବୃଦ୍ଧିି ପାଇବାରେ ଲାଗିଛି। ସବୁ କ୍ଷେତ୍ର ଉତ୍ପାଦନରେ ହ୍ରାସ ଘଟିଛି। ନିଯୁକ୍ତି ଗତ ୪୫ ବର୍ଷତଳକୁ ଖସି ଆସିଛି ଏବଂ ୨୦୧୯ରେ ବ୍ୟାଙ୍କମାନଙ୍କର ବଡ଼ ଅସ୍ଥିରତା ଦେଖାଦେଇଛି। ଶିଳ୍ପାନୁଷ୍ଠାନଗୁଡ଼ିକରେ କମ୍ପନ ସୃଷ୍ଟି ହୋଇଛି। କୃଷି ଓ କୃଷକର ଆୟ କମିଛି। ଖାଉଟି ବଜାରରେ ଅତ୍ୟାବଶ୍ୟକ ପଦାର୍ଥର ଦରବୃଦ୍ଧି ସାଧାରଣ ଖାଉଟିଙ୍କୁ ସବୁଠାରୁ ବେଶି ଆତଙ୍କିତ କରିଛି। ଏହାର ପ୍ରଭାବରେ ପରୋକ୍ଷ ଟିକସ୍‌ ଆଦାୟ (ପେଟ୍ରୋଲ, ଡିଜେଲ,ଗ୍ୟାସ୍‌) କୁ ଛାଡ଼ିଦେଲେ ଖୁବ୍‌ ତଳକୁ ଖସି ଆସିଛି। କେନ୍ଦ୍ର ସରକାର ଏ ବାବଦର କ୍ଷତିପୂରଣ ଦେୟ ପାଖାପାଖି ୭୨ହଜାର କୋଟି ଟଙ୍କା ରାଜ୍ୟ ସରକାରମାନଙ୍କୁ ଦେବାକୁ ବାଧ୍ୟ ହୋଇଛନ୍ତି। ଗତ ତିନି ଦଶନ୍ଧି ମଧ୍ୟରେ କମ୍ପାନୀମାନଙ୍କ ଟିକସ୍‌ କମାଇଛନ୍ତି ଯେଉଁଥିରେ ସରକାରଙ୍କ ରାଜକୋଷ ପ୍ରାୟ ପାଖାପାଖି ୧.୪୫ ଲକ୍ଷ କୋଟି ଟଙ୍କାର କ୍ଷତି ସହିବ, ଯାହାକି ଅତୀତରେ ଘଟି ନଥିଲା। ଜାଳେଣି ଦରରେ ଅସ୍ଥିରତା ଖୁବ୍‌ ବଢ଼ିଗଲା। ଏପରିକି ପେଟ୍ରୋଲ ଲିଟର ପିଛା ଟ.୭୫/- ଛୁଇଁଲା। ଅନ୍ତର୍ଦେଶୀୟ ଅଶୋଧିତ ତୈଳ ଦର ଅଧିକ ଥିବାବେଳେ, ଏପରିକି ୨୦୧୧ ରୁ ୨୦୧୪ରେ ବ୍ୟାରେଲ ପିଛା ୧୨୦ ଡଲାର ରୁ ୧୩୫ ଡଲାର ମଧ୍ୟରେ ଥିବାବେଳେ ଏବେ ତା’ର ଅଧା ଥାଇ ମଧ୍ୟ ଅସ୍ଥିରତା ଖୁବ୍‌ ଅଧିକ ଦେଖାଦେଇଛି। ବ୍ୟାଙ୍କମାନଙ୍କୁ ରିଜର୍ଭ ବ୍ୟାଙ୍କର ଋଣଦାନକାରୀ ବ୍ୟବସ୍ଥା ଏହି ବର୍ଷରେ ଖୁବ୍‌ ଅସ୍ଥିର ଥିଲା। ବର୍ଷକ ମଧ୍ୟରେ ୫ ଥର କମି ୧୩୫ ବେସ ପଏଣ୍ଟ ହ୍ରାସ ପାଇଛି। ଅତୀତରେ କେବେବି ଏପରି ଅସ୍ଥିରତା ଘଟି ନଥିଲା।
ଏପରି ଏକ ଅର୍ଥନୈତିକ ଅସ୍ଥିରତା ଭିତରେ ସ୍ଥିର ସରକାରଙ୍କର ଅନେକ ନିଷ୍ପତ୍ତି ଦେଶର ସାମାଜିକ ବ୍ୟବସ୍ଥାକୁ ଦୋହଲାଇ ଦେଇଛି। ଧାରା ୩୭୦ର ଉଚ୍ଛେଦବେଳେ ଯେଉଁ ରଣହୁଙ୍କାର ଦିଆଗଲା ତାହା ଦେଶତମାମ ଗୋଟିଏ ଭୟ ଓ ଆଶଙ୍କାର ବାତାବରଣ ସୃଷ୍ଟି କରିଛି। ଗୋଟିଏ ରାଜ୍ୟକୁ ଆତଙ୍କବାଦୀଙ୍କ ନାଁ ନେଇ କାଁ ଭାଁ ଘଟୁଥିବା ଅସ୍ଥିରତା ନାମରେ ପୂରାପୂରି ଅସ୍ଥିରତାକୁ ଠେଲି ଦିଆଗଲା। ଏପରି ଛୋଟ ଘଟଣା ସବୁ ରାଜ୍ୟରେ ଦେଖିବାକୁ ମିଳିଥାଏ। କେବଳ ଯେ ଏ ରାଜ୍ୟବାସୀଙ୍କ ବିଶ୍ୱସନୀୟତାକୁ ଅସ୍ଥିର କରାଗଲା, ତା’ ନୁହେଁ, ସମଗ୍ର ବିଶ୍ୱରେ ଭାରତର ମର୍ଯ୍ୟାଦାରେ ଆଞ୍ଚ ନିଶ୍ଚୟ ଆଣିଛି। ଭବିଷ୍ୟତ ଏହି ବର୍ଷକୁ ବିଜୟର ଇତିହାସ ବୋଲି କହିବ ନା ଆଉ କିଛି ତାହା ଦେଖିବାର ଅଛି।
ଏଥିସହିତ ଯୋଡ଼ି ହୋଇଗଲା ନାଗରିକ ସଂଶୋଧନ ଆଇନ। ଏହାର ପ୍ରଭାବରେ ଉତ୍ତରପ୍ରଦେଶ ଦିଲ୍ଲୀଠାରୁ ଆରମ୍ଭକରି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟମାନେ ବଡ଼ଧରଣର ଆଶଙ୍କାରେ ଫସିଛନ୍ତି। ଆନ୍ଦୋଳନରେ କୋଟିକୋଟି ଟଙ୍କାର ସଂପତ୍ତି ନଷ୍ଟ ହୋଇଛି। ୨୦ ରୁ ଅଧିକ ବିକ୍ଷୋଭକାରୀ କେବଳ ଭାଜପା ଶାସିତ ଉତ୍ତରପ୍ରଦେଶ ପୁଲିସ୍‌ ଗୁଳିରେ ମୃତ୍ୟୁବରଣ କରିଛନ୍ତି। ଯେଉଁ ହିନ୍ଦୁ ମୌଳବାଦୀ ଓ ମୁସଲମାନ ମୌଳବାଦୀଙ୍କର ଧର୍ମଭିତ୍ତିକ ବିଭେଦର ଦୁଇଜାତି ତତ୍ତ୍ୱ ପାଇଁ ଭାରତରୁ ଗୋଟିଏ ଅଂଶ ପାକିସ୍ତାନ ଅଲଗା ହୋଇଗଲା ଏବଂ ‘ମହାଭାରତ’ର କ୍ଷେତ୍ରର ରକ୍ତନଦୀ ପ୍ରବାହିତ ହେଲା, ସେହିପରି ଏକ ଅଶୁଭ ବାତାବରଣ ଚଳିତବର୍ଷ ସୃଷ୍ଟିକଲା। ଯେଉଁମାନେ ଏହି ଅସ୍ଥିରତା ଓ ଆତଙ୍କ ସୃଷ୍ଟି କଲେ ସେମାନେ ଦେଖିଲେ ନାହିଁ ଯେ ‘ଧର୍ମଭିତ୍ତିରେ’ ଗଢ଼ା ଯାଇଥିବା ପାକିସ୍ତାନ ବର୍ଷ କେଇଟା ପରେ ଭାଙ୍ଗି ଦୁଇଖଣ୍ଡ ହୋଇଗଲା। ଭୌଗୋଳିକ ସ୍ଥିତି ଓ ଭାଷାଭିତ୍ତିକ ଜାତୀୟତା ଧାର୍ମିକ ଅନ୍ଧତ୍ୱକୁ ପରାଜିତ କଲା। ପାକିସ୍ତାନରୁ ଅଲଗା ହୋଇ ବାଂଲାଦେଶ ଜନ୍ମନେଲା। ଏମାନେ ଶିଖିଲେ ନାହିଁ ଯେ ଅନେକ ଧର୍ମ ଓ ଜାତି, ଜାତୀୟତାର ସହନଶୀଳତା ଓ ଗ୍ରହଣୀୟତା ଏ ମାଟିର ବିଚାର ବିଶେଷତ୍ୱ। ସମସ୍ତେ ଇତିହାସରୁ ଶିଖିଲେ ନାହିଁ ଯେ ତିଆରି ହୋଇଥିବା ମୋଗଲ ସାମ୍ରାଜ୍ୟର ପତନ, ଆଉରଙ୍ଗଜେବଙ୍କର ଅବିଶ୍ୱାସ ଓ ଭୟ ସୃଷ୍ଟିରୁ ହୋଇଥିଲା ବୋଲି। ତାଙ୍କର ଅନେକ ଅନ୍ଧ ଧାର୍ମିକ ନିଷ୍ପତ୍ତି ସମାଜ ଗ୍ରହଣ କରି ନଥିଲା ଏବଂ ଏଥିସହିତ ଆସ୍ତେଆସ୍ତେ ପଶ୍ଚିମରୁ ଦକ୍ଷିଣ ପର୍ଯ୍ୟନ୍ତ ବିଦ୍ରୋହ ସୃଷ୍ଟିହେଲା। ସାମ୍ରାଜ୍ୟ ପାଇଁ ବିପଦ ଆଣିଲା। ଅନେକ ଧର୍ମ ଓ ବିଚାରର କ୍ଷେତ୍ରଭାବେ ପରିଚିତ ଭାରତର ମର୍ଯ୍ୟାଦା ସାରା ବିଶ୍ୱରେ କ୍ଷୁଣ୍ଣ ହୋଇଥିବା ଅଭିଯୋଗ ହୋଇଛି।
୨୦୧୯ ବର୍ଷଟି ଶାସନରେ ସ୍ଥିରତା ଭିତରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରିବାର ଅଧ୍ୟାୟ ଭାରତ ଇତିହାସରେ ଯୋଡ଼ି ଦେଲା। ସେଥିରେ ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ପରେ ମହାରାଷ୍ଟ୍ରରେ ସରକାର ଗଠନର ଯେଉଁ ସବୁ ପର୍ଯ୍ୟାୟ ଦୃଷ୍ଟିଗୋଚର ହେଲା, ତାହା ସମଗ୍ର ବିଶ୍ୱରେ ଭାରତର ଗଣତନ୍ତ୍ରରେ କଳାଦାଗ ଟାଣିଦେଲା। ସାମ୍ବିଧାନିକ ଦୃଢ଼ତା ଓ ମର୍ଯ୍ୟାଦା କ୍ଷୁର୍ଣ୍ଣ ହେଲା। ବ​‌େ​‌ର୍ଷ ଭିତରେ ଅନ୍ୟ ଏକ ରାଜନୈତିକ ଅସ୍ଥିରତା କର୍ଣ୍ଣାଟକରେ ସୃଷ୍ଟି କରାଗଲା। ସରକାର ଭଙ୍ଗ କରି ଗାଦି ହାସଲର ଅପ-କୌଶଳ ସବୁ ଦେଖିବାକୁ ମିଳିଲା। ରାଜନୀତି କ୍ଷେତ୍ରରେ ଏପରି ଅସ୍ଥିରତା ସୃଷ୍ଟି ହୋଇଥିବା ସାରା ବିଶ୍ୱ ଦେଖିଲା। ଜାତୀୟ ନାଗରିକ ପଞ୍ଜିକା ପ୍ରସ୍ତୁତ ହେବାକୁ ଯାଉଛି ବୋଲି ଶ୍ରୀ ଶାହା ଡିସେମ୍ବର ୯ ତାରିଖରେ ଲୋକସଭାରେ କହିଥିଲେ। ତାଙ୍କର ହିନ୍ଦୀ ବକ୍ତବ୍ୟ ଥିଲା। “ଅଗରମାନକେ ଚଲିୟେ କି ଏନ୍‌.ଆର୍‌.ସି. ଆନେ ବା‌େଲ ହୈ।” ହେଲେ ପ୍ରଧାନମନ୍ତ୍ରୀ ମୋଦୀ ରାମଲୀଳା ମଇଦାନରେ ସାଧାରଣ ଜନତାଙ୍କୁ ଡିସେମ୍ବର ୨୧ରେ କହିଲେ, “କେବେବି ତାଙ୍କ ସରକାର ଏପରି ଚିନ୍ତା କରିନାହିଁ।”
ଏହି ଅସ୍ଥିରତା ପାଇଁ ଚାଲି ଯାଉଥିବା ବର୍ଷ ୨୦୧୯କୁ ସଂପୂର୍ଣ୍ଣ ଦୋଷମୁକ୍ତ କରି ହେବନାହିଁ ଅବା ସଂପୂର୍ଣ୍ଣଭାବେ ଦାୟୀ କରାଯାଇ ପାରିବ ନାହିଁ। ୨୦୧୬ର ବିମୁଦ୍ରାୟନ, ୨୦୧୭ରେ ହୋଇଥିବା ତରବରିଆ ଦ୍ରବ୍ୟ ଓ ସେବା କର ପ୍ରବର୍ତ୍ତନ ଓ ଆସାମ ପାଇଁ ଆଣିଥିବା ନାଗରିକ ଚିହ୍ନଟ ଅସ୍ଥିରତାର ଗୋଟିଏଗୋଟିଏ କାରଣ, ଯାହାକି ୨୦୧୯ରେ ଅସ୍ଥିରତାକୁ ଘନୀଭୂତ କରିଥିଲା। ଏ ବର୍ଷର ସବୁ ଅସ୍ଥିରତାକୁ ଅଧ୍ୟୟନ କରି ପଶ୍ଚାତ୍ତାପ କଲେ ଓ ପ୍ରତିକାର କଲେ ହୁଏତ ଆସୁଥିବା ବର୍ଷ ୨୦୨୦ ଐତିହାସିକ ଲାଞ୍ଛନାରୁ ମୁକ୍ତ ହେବ।

ପଞ୍ଚାନନ କାନୁନ୍‌ଗୋ

Comments are closed.