ବାତ୍ୟା ନିରୋଧୀ ସବୁଜ ପ୍ରାଚୀର

ବିଭୁଧେନ୍ଦ୍ର ପ୍ରତାପ ଦାସ

ଉପକୂଳ ଲୋକମାନଙ୍କ ଧନ ଜୀବନ ସୁରକ୍ଷା ନିମନ୍ତେ ସୃଷ୍ଟିକର୍ତ୍ତା ହେନ୍ତାଳ ଜଙ୍ଗଲ ସୃଷ୍ଟି କରିଥିଲେ। ମାତ୍ର ଜନବସତି ସ୍ଥାପନ, ଚିଙ୍ଗୁଡ଼ି ଚାଷ, ହୋଟେଲ, ଉଚ୍ଚ ଅଟ୍ଟାଳିକା ଓ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଉକ୍ତ ଜଙ୍ଗଲକୁ ଧ୍ବଂସ କରାଗଲା। ପୁରୀ ବଳିଆପଣ୍ଡା ଓ ଅନ୍ୟାନ୍ୟ ସମୁଦ୍ରକୂଳ ବୃକ୍ଷଶୂନ୍ୟ ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ବ୍ଲକର ସମୁଦ୍ର କୂଳରେ ଜଙ୍ଗଲ କଟାଯାଇ ଅନେକ ବିଦେଶୀ ଆସି ଗାଁ କରି ବସତି ସ୍ଥାପନ କଲେ। ଫଳରେ ୧୯୭୧ ମସିହାରେ ପ୍ରଳୟଙ୍କରୀ ବାତ୍ୟା ଦ୍ବାରା ୧୦ହଜାର ଲୋକଙ୍କର ପ୍ରାଣହାନି ହେଲା। ପାରାଦ୍ବୀପ ବନ୍ଦର ପାଇଁ ଶିଳ୍ପ ସହର ଓ ନଗରସ୍ଥାପନ ଯୋଗୁଁ ମୂଲ୍ୟବାନ ଜଙ୍ଗଲ ସଫା କରାଗଲା ଅନ୍ୟ ପକ୍ଷରେ ପରିପୂରକ ଜଙ୍ଗଲ ବନ୍ଦର ନିକଟରେ ସୃଷ୍ଟି କରାଗଲା ନାହିଁ। ଫଳରେ ୧୯୯୯ ମହାବାତ୍ୟା ପ୍ରଳୟଙ୍କରୀ ହୋଇ ହଜାରହଜାର ଲୋକଙ୍କ ଜୀବନଗଲା। ଏହା ଥିଲା ଅପୂରଣୀୟ କ୍ଷତି। ପରେ ‘ଫାଇଲିନ୍‌’ ଓ ନିକଟରେ ‘ଫଣି’ ବାତ୍ୟାରେ ଜୀବନ ହାନି ଓ ରାଜଧାନୀ, ପୁରୀ କ୍ଷୟକ୍ଷତି ଜଣାଗଲା। ସବୁଠାରୁ ଦୁଃଖର ଘଟଣା ଜଗତର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର କ୍ଷତି। ମନ୍ଦିର ଉପରିଭାଗ ଫାଟି ରତ୍ନ ସିଂହାସନରେ ବର୍ଷାପାଣି ଗଳିବା, ମହାପ୍ରଭୁ ଶ୍ରୀନୃସିଂହ ଭଗବାନଙ୍କ (ମନ୍ଦିର ଉପରେ ଥିବା) କ୍ଷତି ହେବା ସହିତ ହଜାର ବର୍ଷର କଳ୍ପବଟ ଅର୍ଦ୍ଧାଧିକ ନଷ୍ଟ ହେଲା। ସମୁଦ୍ର କୂଳରେ ଶହଶହ ହୋଟେଲ ଓ ଆପାର୍ଟମେଣ୍ଟ ନିର୍ମାଣ, ବଳିଆପଣ୍ଡା, ପୁରୀ, କୋଣାର୍କ ସହର ନିର୍ମାଣ ପାଇଁ ଜଙ୍ଗଲ ଧ୍ବଂସ କରାଯାଇଥିବାରୁ ଶ୍ରୀମନ୍ଦିର ଓ ସହରବାସୀଙ୍କର ଅପୂରଣୀୟ କ୍ଷତି ହେଲା।
ସମୁଦ୍ରକୂଳର ହେନ୍ତାଳ ବନ ଓ ଅନ୍ୟାନ୍ୟ ବୃକ୍ଷ ସବୁଜ ପାଚେରି ଭଳି କାମ କରେ। ବାତ୍ୟାରେ ପବନ ଗତିକୁ ହ୍ରାସ କରିବା ସହିତ ଜୁଆରକୁ ଅଟକ ରଖିବାର ଶକ୍ତି ଓ ସାମର୍ଥ୍ୟ ହେନ୍ତାଳ ବନର ଅଛି। ଉକ୍ତ ଜଙ୍ଗଲ ଅନ୍ୟ ସମୟରେ ମାଟି କ୍ଷୟକୁ ମଧ୍ୟ ରୋକି ପାରୁଥିଲା। ଫଳରେ ସମୁଦ୍ର କୂଳ ଖାଇପାରୁନଥିଲା। ଜଙ୍ଗଲ ଅଭାବରୁ ସାତଭାୟା ନିକଟରେ ସମୁଦ୍ର କୂଳ ଖାଇବା ଯୋଗୁଁ ସେଠାକାର ଅଧିବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଗଲା। ଏପରି ଅନେକ ଗାଁ ପ୍ରତି ବିପଦ ସୃଷ୍ଟି ହୋଇଛି। ହେନ୍ତାଳ ବୃକ୍ଷର ଚେର ବୁଢ଼ିଆଣି ଜାଲପରି ପରସ୍ପରକୁ ଛନ୍ଦାଛନ୍ଦି ହୋଇ ରହିଥାଆନ୍ତି। ଯେତେବଡ଼ ପବନ ଆସିଲେ ଏହା ନଇଁଯାଏ ମାତ୍ର ଭାଙ୍ଗେ ନାହିଁ। ଲୁଣି ହାୱାରେ ଏହା ବଢ଼ିପାରେ।
୧୯୭୧ ମସିହା ଓ ୧୯୯୯ ମସିହା ବାତ୍ୟାରୁ ସରକାର ଓ ଲୋକପ୍ରତିନିଧି କୌଣସି ଶିକ୍ଷା ଲାଭକଲେ ନାହିଁ। ଗଣମାଧ୍ୟମରେ ବାରମ୍ବାର ‘ଫଣି’ ସତର୍କ ସୂଚନା ଯୋଗୁଁ ଲୋକେ ନିଜ ନିଜ (ଅଧିକାଂଶ) ଘରଛାଡ଼ି ପଳାଇ ଆସିଲେ। ଏହା ନହୋଇଥିଲେ ହଜାରହଜାର ଲୋକଙ୍କ ଜୀବନ ହାନି ଘଟିଥାଆନ୍ତା।
୧୯୯୯ ମହାବାତ୍ୟା ସମୟରେ ଲେଖକ ବିଧାନସଭା ସଦସ୍ୟ ଥିବାବେଳେ ସମୁଦ୍ରକୂଳର ଏକ କିଲୋମିଟର ଓସାରରେ ଜଙ୍ଗଲ ସୃଷ୍ଟି ପାଇଁ ବିଧାନସଭାରେ ପ୍ରଶ୍ନ ମାଧ୍ୟମରେ ପ୍ରସ୍ତାବ କରିଥିଲା। ସରକାର ଉକ୍ତ ପ୍ରସ୍ତାବକୁ ଗ୍ରହଣ କରି ଯୋଜନା କରିଥିଲେ। ରାଜ୍ୟ ଓ କେନ୍ଦ୍ର ସରକାର ଏଥିପାଇଁ ଅର୍ଥ ମଞ୍ଜୁରି ଦେଇ କାମ ଆରମ୍ଭ କଲେ। ଅଦ୍ୟାବଧି ମଧ୍ୟ ଏହା ଚାଲିଛି। ମାତ୍ର ଜଙ୍ଗଲ କାଗଜ କଲମରେ ଚାଲିଛି। ଲୋକପ୍ରତିନିଧି ତଦାରଖ କରୁନଥିବାରୁ ଏହା ବିଫଳ ହୋଇଛି।
ସ୍ବର୍ଗତ ବାଙ୍କବିହାରୀ ଦାସଙ୍କ ପ୍ରତିଷ୍ଠିତ ଓଡ଼ିଶା କୃଷକ ମହାସଂଘ ଅନୁରୋଧ କ୍ରମେ ୧୫ରୁ ୫୦ଜଣ ବିଧାନସଭା ସଦସ୍ୟ ଗତ ୧-୧-୨୦୦୧ରୁ ଗତ ୨୦୧୨ ମସିହା ମଧ୍ୟରେ ସଫଳ ବନୀକରଣ ନିମନ୍ତେ ୭ଥର ସ୍ମାରକପତ୍ର ମାଧ୍ୟମରେ ପ୍ରସ୍ତାବ ଦେଲେ ଯେ ବନୀକରଣ ପାଇଁ ସ୍ବତନ୍ତ୍ର ନୀତି ପ୍ରଣୟନ କରାଯାଉ। ଉକ୍ତ ପରାମର୍ଶରେ ଉଲ୍ଲେଖ କରାଯାଇଥିଲା ବନୀକରଣ ଘରୋଇ ସଂସ୍ଥା ମାଧ୍ୟମରେ କରାଯାଉ। ୫ବର୍ଷ ପର୍ଯ୍ୟନ୍ତ ସେମାନଙ୍କଠାରୁ ଯେତିକି ଟଙ୍କାର ଯୋଜନା କରାଯିବା ସେତିକି ପରିମାଣର ବ୍ୟାଙ୍କ ଗ୍ୟାରେଣ୍ଟି ରଖାଯାଉ। ଅର୍ଥାତ୍‌ ବୃକ୍ଷ ଶତପ୍ରତିଶତ ନବଞ୍ଚିଲେ (ମରିଥିବା ଗଛ ଆକଳନ କରାଯାଇ) ବ୍ୟାଙ୍କରୁ ଅର୍ଥ ଆଦାୟ ନିମନ୍ତେ ଚୁକ୍ତି କରାଯାଉ। ଉକ୍ତ କାମ ପାଇଁ ଠିକାଦାରମାନଙ୍କୁ ୨୦% ଲାଭ ଦେବା ସହିତ ଜଙ୍ଗଲ ବିଭାଗ ପକ୍ଷରୁ ଚାରା ଯୋଗାଣ କରାଗଲେ ବନୀକରଣ ସଫଳ ହେବ। ପିସିସିଏଫ ସହମତି ଉତ୍ତର ଦେଉଥିବାରୁ ସରକାରୀ ନୀତି ହୋଇପାରୁନାହିଁ। ପ୍ରକାଶ ଥାଉକି ଗୁଜରାଟ ରାଜ୍ୟରେ ଉପରୋକ୍ତ ନୀତି କାର୍ଯ୍ୟକାରୀ ହେଉଛି।
ପ୍ରଧାନ ମୁଖ୍ୟ ବନ୍ୟ ସଂରକ୍ଷକ ଉକ୍ତ ନୀତି କାର୍ଯ୍ୟକାରୀ କରିବାକୁ ପଛଘୁଞ୍ଚା ଦେବାର କାରଣ ଜଣାଶୁଣା। ସମୁଦ୍ର କୂଳରେ ବେଆଇନ ନିର୍ମିତ ସମସ୍ତ କୋଠାକୁ ଉଚ୍ଛେଦ କରାଯାଇ ଉପରୋକ୍ତ ନୀତି ଅନୁସାରେ ବନୀକରଣ କରାନଗଲେ ଭବିଷ୍ୟତରେ ମହାବାତ୍ୟା ଉପକୂଳ ଜିଲାର ଲକ୍ଷଲକ୍ଷ ଲୋକଙ୍କ ଧନଜୀବନ ବିପଦ ହେବା ସୁନିଶ୍ଚିତ। ସରକାର କାଳ ବିଳମ୍ବ ନକରି ଯୁଦ୍ଧକାଳୀନ ଭିତ୍ତିରେ ଉକ୍ତ ଯୋଜନା କାର୍ଯ୍ୟକାରୀ ନିମନ୍ତେ ପଦକ୍ଷେପ ନେବା ଓ ଲୋକ ପ୍ରତିନିଧିମାନେ ସଚେତନ ହେବା ଆବଶ୍ୟକତା ମଧ୍ୟ ରହିଛି।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଆଣ୍ଡାମାନ ନିକୋବର ଦୀପପୁଞ୍ଜର ଅନେକ ଗ୍ରାମରେ ସୁନାମୀ ଯୋଗୁଁ ହଜାରହଜାର ଲୋକଙ୍କ ଜୀବନ ହାନି ଘଟିଥିଲା। ମାତ୍ର ଗୋଟିଏ ଦ୍ବୀପରେ ଘଞ୍ଚ ଜଙ୍ଗଲ ଥିବାରୁ ଗୋଟିଏ ଗାଁର ୪୦୦ ଲୋକଙ୍କ ଜୀବନ ସୁରକ୍ଷିତ ରହିଥିବା ସମ୍ପର୍କରେ ଖବରକାଗଜମାନଙ୍କରେ ପ୍ରକାଶ ପାଇଥିଲା।
ଏଠାରେ ସୂଚନା ଦିଆଯାଇପାରେ ଯେ ସରକାରଙ୍କ ପ୍ରସ୍ତାବିତ ସମୁଦ୍ରକୂଳ ଜାତୀୟ ରାଜପଥ ବାତ୍ୟା ନିରୋଧକ ଭାବରେ କାର୍ଯ୍ୟ କରିପାରିବ ନାହିଁ। କାରଣ ୧୯୯୯ ମହାବାତ୍ୟାରେ ୧୮ଫୁଟ ଉଚ୍ଚତା ଜୁଆର ଆସିଥିଲା। ଏଣୁ ଏହାଠାରୁ ଅଧିକ ଉଚ୍ଚ ରାସ୍ତା ନିର୍ମାଣ ଆବଶ୍ୟକ। କମ ଉଚ୍ଚତାରେ ସମୁଦ୍ରଜୁଆର ଦ୍ବାରା ଜଳ ରାସ୍ତା ଉପର ଦେଇ ଆରପାଖ ଗ୍ରାମଗୁଡ଼ିକୁ ଚାଲିଯିବ ଓ ଜଳନିଷ୍କାସନ ନ ହୋଇପାରି ସମସ୍ୟା ଜଟିଳ କରିବ। ଏହା ବ୍ୟତୀତ ଚିଲିକା ଲେକ୍‌ ଦେଇ ପୋଲ ନିର୍ମାଣ ହେଲେ ଅନ୍ତର୍ଜାତୀୟ ପକ୍ଷୀ ଶବ୍ଦ ପ୍ରଦୂଷଣ ଯୋଗୁଁ ପ୍ରଭାବିତ ହେବେ। ଏଣୁ ଗ୍ରୀନ୍‌ୱାଲ ବା ହେନ୍ତାଳବଣ ଏକମାତ୍ର ବିକଳ୍ପ।
ସଭାପତି ଓଡ଼ିଶା କୃଷକ ମହାସଂଘ, ଭୁବନେଶ୍ବର

Comments
Loading...