ପ୍ରଜାପତି ବିହୀନ ପୃଥିବୀ

ଶୈଳେନ୍ଦ୍ର ଦ୍ବିବେଦୀ

ଫୁଲରୁ ଫୁଲକୁ ଓ ଥରେଥରେ ବଗିଚାରେ ଆପଣଙ୍କର ଖୁବ୍‌ ପାଖକୁ ଉଡ଼ି ଆସିୁଥିବା ରଙ୍ଗୀନ ପ୍ରଜାପତିକୁୁ ଆମର ଆଗାମୀ ପିଢ଼ି ହୁଏତ ଦେଖି ନପାରନ୍ତି! ପାଠକେ, ପ୍ରଜାପତି ଅନ୍ତର୍ଦ୍ଧାନ ଭବିଷ୍ୟବାଣୀ ଅତିରଞ୍ଜିତ ମନେ ହୋଇପାରେ, ତେବେ ନିକଟରେ ପ୍ରକାଶିତ ଏକ ଅଧ୍ୟୟନ ଏହା ଦର୍ଶାଇଛି। ଗତ ୩୦ ବର୍ଷ ଭିତରେ ପୃଥିବୀରେ ୪୦ ପ୍ରତିଶତ କୀଟପତଙ୍ଗଙ୍କ ହ୍ରାସ ହୋଇସାରିଛି (ଜର୍ମାନୀରେ ଏହା ୭୫ ପ୍ରତିଶତ କୁହାଯାଉଛି) ଏବଂ ଏମାନଙ୍କ ମୋଟ ପ୍ରଜାତିର ହାରାହାରି ୩୦ ପ୍ରତିଶତ ନିଶ୍ଚିହ୍ନ ହେବାକୁ ବସିଛନ୍ତି। ଆମ ପ୍ରାଣୀଜଗତର ୭୫ରୁ ୮୦ ଭାଗ ହେଉଛନ୍ତି କୀଟପତଙ୍ଗ ବା ‘ଇନ୍‌ସେକ୍ଟ’। ସମୁଦ୍ର ଓ ମହାସମୁଦ୍ରକୁ ବାଦ୍‌ ଦେଲେ ଏମିତି ଅଞ୍ଚଳ ନାହିଁ ଯେଉଁଠି ‘ଇନ୍‌ସେକ୍ଟ’ ନାହାନ୍ତି। ଏବେ ଏମାନଙ୍କ ବାବଦରେ ଆମର ଗବେଷଣାଲବ୍ଧ ଜ୍ଞାନ ସୀମିତ।
ପ୍ରାୟ ୧୨ ନିୟୁତ ‘ଇନ୍‌ସେକ୍ଟ’ ପ୍ରଜାତିରୁ ଖୁବ୍‌ ବେଶୀରେ ଏକ ନିୟୁତ ଚିହ୍ନଟ ହୋଇଥିବା ସ୍ଥଳେ ଅବଶିଷ୍ଟଙ୍କ ବାବଦରେ ଆମର ଠିକ୍‌ ଧାରଣା ନାହିଁ। ଏଣେ ​ନୈରାଶ୍ୟଜନକ ହେଉଛି, ଏମାନଙ୍କ ସମ୍ପର୍କରେ ଆମେ ଠିକ୍‌ଠିକ୍‌ ଜାଣିବା ଆଗରୁ କୀଟପତଙ୍ଗ ବିଲୋପକୁ ସାମ୍‌ନା କରୁଛନ୍ତି।
ଉଲ୍ଲେଖନୀୟ, ବର୍ତ୍ତମାନର ସତର୍କବାଣୀ ଗୋଟିଏ ବା ଦୁଇଟି ବିକ୍ଷିପ୍ତ ଅଧ୍ୟୟନର ନିଷ୍କର୍ଷ ନୁହେଁ। ‘ବାୟୋଲୋଜିକାଲ କନ୍‌ଜର୍‌ଭେସନ’ ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟ ଆଧାର କରିଛି ବିଗତ ୧୩ ବର୍ଷ ଧରି ପୃଥିବୀର ବିିଭିନ୍ନ ଅଞ୍ଚଳରେ କରାଯାଇଥିବା ୭୩ଟି ସ୍ବାଧୀନ ଗବେଷଣାକୁ। ପାଠକମାନଙ୍କୁ ସ୍ମରଣ କରାଇଦିଏ ଯେ ପାଞ୍ଚବର୍ଷ ତଳେ (୨୦୧୪) ଷ୍ଟାନଫୋର୍ଡ଼ର ପ୍ରସିଦ୍ଧ ଜୀବବିଜ୍ଞାନୀ ରୋଡୋଲ୍‌ଫୋଙ୍କ ସମେତ ଗୋଟିଏ ବୈଜ୍ଞାନିକ ଦଳ ସ୍ପଷ୍ଟ କରିଥିଲେ, ପୃଥିବୀର ୩.୫ ବିଲିୟନ୍‌ ବର୍ଷ ଜୈବ ବିବର୍ତ୍ତନର ଇତିହାସରେ ପ୍ରଜାତି ମାନଙ୍କର ଷଷ୍ଠ ମହାବିଲୋପ ଆରମ୍ଭ ହୋଇସାରିଛି। ଏକଥା ନୁହେଁ, ମହାବିନାଶ ପୂର୍ବରୁ ଘଟିନଥିଲା। ତେବେ ଆଗରୁ ହୋଇଥିବା ପାଞ୍ଚପାଞ୍ଚଟି ମହାବିଲୋପ ପର୍ବ ପ୍ରାକୃତିକ କାରଣରୁ ଘଟିଥିବାବେଳେ ଷଷ୍ଠ ମହାବିଲୋପ ମୂଳରେ ରହିଛି ନିରୋଳା ମନୁଷ୍ୟକୃତ କାରଣ। ଆଉ ଦୁର୍ଭାଗ୍ୟ ହେଉଛି, ଆମ ଗ୍ରହ ପୃଥିବୀର ଭୂତାତ୍ତ୍ବିକ କାଳଖଣ୍ଡର ସବୁଠୁ ନ୍ୟୂନ ଚକଡ଼ାରେ (ଆନ୍‌ଥ୍ରୋପସେନ୍‌) ମଣିଷର ଆବିର୍ଭାବ ପରେ ହିଁ ଏମିତି ଘଟିବା ଆରମ୍ଭ ହୋଇଛି। ପ୍ରାୟ ୫୦୦ ବର୍ଷ ଆଗରୁ ୩୨୦ ପ୍ରଜାତିର ମେରୁଦଣ୍ଡୀ ନିଶ୍ଚିହ୍ନ ହୋଇସାରିଛନ୍ତି। ଅବଶିଷ୍ଟଙ୍କ ମଧ୍ୟରୁ ୨୫% ଏବେ ସ୍ପର୍ଶକାତର ସ୍ଥିତିରେ। ସବୁଠୁ ବଡ଼ ବିପଦ ବୃହତ୍‌କାୟ ପ୍ରାଣୀଙ୍କ ପ୍ରତି ରହିଛି। ଯଥା- ହାତୀ, ଗଣ୍ଡା, ଜିରାଫ୍‌, ଜେବ୍ରା ଇତ୍ୟାଦି। ବୃହତ୍‌କାୟ ମାନେ ଅଧିକ କ୍ଷତିଗ୍ରସ୍ତ ଏଇଥିପାଇଁ ଯେ ଏମାନଙ୍କ ବଂଶବୃଦ୍ଧି ଅନ୍ୟମାନଙ୍କ ତୁଳନାରେ କମ୍‌। ଏଣେ ଆବାସସ୍ଥଳୀର ସଂକୋଚନ ଏବଂ ଖାଦ୍ୟାଭାବ ଏମାନଙ୍କ ପାଇଁ ସମସ୍ୟା ବଢ଼େଇଛି। ଅନ୍ୟପକ୍ଷରେ, ଗତ ୪୦ ବର୍ଷ ମଧ୍ୟରେ ପୃଥିବୀର ଜନସଂଖ୍ୟା ଅନ୍ତତଃ ଦୁଇଗୁଣ ବଢ଼ିସାରିଛି, ଯେଉଁ ସମୟ ଭିତରେ କୀଟପତଙ୍ଗ ହ୍ରାସ ହୋଇଛି ୪୦ ପ୍ରତିଶତ। ଜୀବବିଜ୍ଞାନୀଙ୍କ ଆଶଙ୍କା, ଯେହେତୁ ୩୦୦୦ ବର୍ଷ ତଳେ ପୃଥିବୀରେ ୫୦% ବୃହତ୍‌ ସ୍ତନ୍ୟପ୍ରାୟୀ ଲୋପ ପାଇସାରିଛନ୍ତି, ଯଦି ଯୁଦ୍ଧକାଳୀନ ଭିତ୍ତିରେ କିଛି ପଦକ୍ଷେପ ନିଆ ନଯାଏ, ତେବେ ଅସନ୍ତୁଳନ ଆମ ପାଇଁ ଆତ୍ମଘାତୀ ସାବ୍ୟସ୍ତ ହେବ।
ଏବେ ଆସିବା ‘ଇନସେକ୍ଟ’ମାନଙ୍କ ସମ୍ପର୍କରେ ସଂକ୍ଷିପ୍ତ ଆଲୋଚନାକୁ। ‘ଇନସେକ୍ଟ’ ଆମ ଦେଶରେ ବିଭିନ୍ନ ନାଁରେ ଚିହ୍ନିତ /ବ୍ୟବହୃତ। ଯଥା କୀଟ, ପତଙ୍ଗ, ଭଅଁର, ଝିଣ୍ଟିକା ପ୍ରଜାପତି, ମାଛି, ଷଡ଼ପାଦ, ସନ୍ଧିପାଦ ଇତ୍ୟାଦି। ମଜାକଥା ହେଉଛି, ଅନ୍ୟାନ୍ୟ ଜୀବଜନ୍ତୁଙ୍କ ପରି ‘ଇନ୍‌ସେକ୍ଟ’ ମାନଙ୍କ ଆବିଷ୍କାର ଆଦୌ ସହଜସାଧ୍ୟ ନୁହେଁ। ତେବେ ପୃଥିବୀର ବିଭିନ୍ନ ଅଞ୍ଚଳରେ ଏମାନଙ୍କ ସଂାଖ୍ୟ ସାମର୍ଥ୍ୟ ହାନି ଇଙ୍ଗୀତ କରି ସାରିଛି: ବିିପଦ ଉପସ୍ଥିତ। ରିପୋର୍ଟରେ ହ୍ରାସର କାରଣ୍କ ମଧ୍ୟରେ ଦାୟୀ କରାଯାଇଛି ଆଧୁନିକ କୃଷି ପଦ୍ଧତି, ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ, ପ୍ରାକୃତିକ ଆବାସସ୍ଥଳୀ ସଂକୋଚନ/ଜଙ୍ଗଲ କ୍ଷୟ ଏବଂ ଜଳବାୟୁ ପରିବର୍ତ୍ତନକୁ। ସମସ୍ୟା ଜଟିଳ ଏଇଥି ପାଇଁ ଯେ କୀଟପତଙ୍ଗମାନେ କେବଳ ପକ୍ଷୀ, ସରୀସୃପ ଏବଂ କ୍ଷୁଦ୍ର ସ୍ତନ୍ୟପାୟୀଙ୍କ ଖାଦ୍ୟ ଶୃଙ୍ଖଳାର ଅଂଶବିଶେଷ ନୁହନ୍ତି, ପରାଗ ସଂଗମରେ ଏମାନଙ୍କ ଭୂମିକା ୭୫%। (ଉଭୟ ଖାଦ୍ୟଶସ୍ୟ ଏବଂ ଆରଣ୍ୟକ ପ୍ରଜାତି ଉଦ୍ଭିଦଙ୍କ କ୍ଷେତ୍ରରେ) ପ୍ରାକୃତିକ ଭାବରେ ମୃତ୍ତିକାର ଗୁଣବତ୍ତା ଏମାନେ ହିଁ କାଏମ ରଖନ୍ତି। ସବୁଠୁ ବଡ଼ ବିପଦ ପହଞ୍ଚିଛି କୃଷିରୁ। ଫସଲ ଉତ୍ପାଦନ ଅଧିକ ହେବା ଭିନ୍ନ କଥା, କିନ୍ତୁ ଧରିତ୍ରୀ ସହିତ ଭାରସାମ୍ୟ ରକ୍ଷା କରି କୃଷିକୁ ଆପଣେଇବା ଭିନ୍ନ କଥା। ଆମେ ପରିପୋଷଣୀୟ କୃଷି ଉପରେ ଧ୍ୟାନ ନଦେଇ ‘ରାସାୟନିକ’ର ସ୍ଳୋଗାନ ଦେଲେ। ଫସଲ ଉତ୍ପାଦନ ସିନା ବଢ଼ିଲା, କିନ୍ତୁୁ ଯେଉଁ କ୍ଷତି ହେଲା, ତା’ର ଭରଣା କରିବା ଆଉ ସହଜ ନୁହେଁ। ଥରେ ଉତ୍ପାଦନକୁ ବିଧାତା ମଣିବା ପରେ ପଛକୁ ଫେରି ଚାହିଁବା ଏବଂ ଧରିତ୍ରୀର ନିଜସ୍ବ ସ୍ପନ୍ଦନ ଶୁଣିବା ସହଜ ନୁହେଁ। ଜୈବ ପିରାମିଡ଼ରେ କୀଟପତଙ୍ଗମାନେ ହୁଏତ ସବାତଳେ ଅଛନ୍ତି, ତେବେ ଆମ ଜୈବ ବ୍ୟବସ୍ଥାର ନିୟମ ହେଉଛି, ପିରାମିଡ଼ର ପ୍ରତ୍ୟେକ ସ୍ତର/ ପାହାଚ ପ୍ରତ୍ୟେକଟି ସହିତ ସଂପୃକ୍ତ। ଯଦି ଇନସେକ୍ଟ ଅବକ୍ଷୟ ଜାରି ରହେ ଆଗକୁ ପିରାମିଡ଼ର ଉପରେ ଥିବା ପକ୍ଷୀ, କ୍ଷୁଦ୍ର ସ୍ତନ୍ୟପାୟୀ ଓ ସରୀସୃପଙ୍କ ଖାଦ୍ୟର ଅଭାବ ଦେଖାଯିବ। ଅର୍ଥାତ୍‌ ଖାଦ୍ୟଶୃଙ୍ଖଳା ଅବ୍ୟବସ୍ଥିତ ହେବ। ଗବେଷକମାନଙ୍କ ମତ, କିଛି କୀଟପତଙ୍ଗ ପ୍ରତିକୂଳ ପରିସ୍ଥିତି ସହିତ ଯୁଝି ତିଷ୍ଠି ରହିବେ- ଯେଉଁମାନଙ୍କ କ୍ଷେତ୍ରରେ ବଂଶବୃଦ୍ଧି ପ୍ରକ୍ରିୟା ଦ୍ରୁତ ଏବଂ ଯେଉଁମାନେ ଅପେକ୍ଷାକୃତ ଉଷ୍ମ ଜଳବାୟୁରେ ବଞ୍ଚିପାରିବେ। ତେବେ ଏମାନଙ୍କ ସଂଖ୍ୟା ପର୍ଯ୍ୟାପ୍ତ ହେବନାହିଁ।
ରିପୋର୍ଟରେ ଦର୍ଶାଯାଇଛି, ଆଗକୁ ୧୦ବର୍ଷ ମଧ୍ୟରେ କୀଟମାନଙ୍କ ସଂଖ୍ୟା ୨୫ ପ୍ରତିଶତ, ୫୦ ବର୍ଷରେ ୫୦ ପ୍ରତିଶତ ଏବଂ ୧୦୦ବର୍ଷ ପରେ ୯୦ ପ୍ରତିଶତ ହ୍ରାସ ପାଇସାରିଥିବ। ସେଇ ଅନୁପାତରେ ପ୍ରଜାତିମାନେ ଲୋପ ପାଇଥିବେ। ଯେଉଁ ପରିମାଣରେ ଏବେ ସ୍ତନ୍ୟପାୟୀ, ସରୀସୃପ ଓ ପକ୍ଷୀ ନିଶ୍ଚିହ୍ନ ହେଉଛନ୍ତି ତା’ଠୁ ଆଠଗୁଣ କ୍ଷୀପ୍ର ଗତିରେ କୀଟ ପତଙ୍ଗ ବିଲୁପ୍ତ ହେଉଛନ୍ତି। ପୃଥିବୀର ଖାଦ୍ୟ ଯୋଗାଣରେ ଏମାନଙ୍କ ଯୋଗଦାନ ସର୍ବନିମ୍ନ ୧୦ ପ୍ରତିଶତ। ଜୈବ ପଦାର୍ଥମାନଙ୍କର ପୁନଃ ପ୍ରକ୍ରିୟାକରଣ ଏବଂ ପ୍ରକୃତ ଅନୁକୂଳ ବିଘଟନ/ବିନାଶ ମୂଳରେ କୀଟଙ୍କ ଭୂମିକା ମଧ୍ୟ ଗୌଣ ନୁହେଁ। ସେଇଥିପାଇଁ ଭୟ ହେଉଛି, ଯଦି ବାର୍ଷିକ ୨.୫ ପ୍ରତିଶତ ହାରରେ କୀଟପତଙ୍ଗ ହ୍ରାସ ପାଆନ୍ତି, ତେବେ ଜୀବଜଗତ ଭାରସାମ୍ୟ ହରେଇ ବସିବ। ଷ୍ଟାନଫୋର୍ଡର ଜଣେ ଗବେଷକ (ପ୍ରଫେସର ଏରଲିଚ୍‌) ଲେଖିଛନ୍ତି ୧୯୬୦ ରେ ଏକ ନିର୍ଦିଷ୍ଟ ଅଞ୍ଚଳରେ (ଜାସ୍ପର ରିଜ୍‌) ସେ ଯେଉଁ ପ୍ରଜାପତି ଦେଖିଥିଲେ, ୨୦୦୦ରେ ସେଇ ପ୍ରଜାତି ବିଲୁପ୍ତ ହୋଇ ସାରିିଥିଲା। ଆଉ ଜଣେ ଗବେଷକ ଲେଖିଛନ୍ତି, କେତେବର୍ଷ ତଳେ ଅଷ୍ଟ୍ରେଲିଆର ଯେଉଁ ରାସ୍ତାରେ ସନ୍ଧ୍ୟାରେ ଲଂଗ ଡ୍ରାଇଭ୍‌ରେ ଗଲେ ଗାଡ଼ିର ଆଗକାଚ ବାରମ୍ବାର ସଫା କରିବା ପାଇଁ ପଡ଼ୁଥିଲା ଏବେ ୬୦୦/୭୦୦ କିଲୋମିଟର ଗଲେ କାଚରେ ପତଙ୍ଗ ମାଡ଼ ହେଉନାହାନ୍ତି। ଏକଥା ଆମ ଦେଶର ଜାତୀୟ ରାଜପଥମାନଙ୍କରେ ମଧ୍ୟ ଅନୁଭୂତ ହେଲାଣି। ପାଠକେ, ପ୍ରାୟ ୮୦,୦୦୦ ପ୍ରଜାତିର ଟ୍ରୁ ବଗ୍‌, ୧୨,୦୦୦ ପ୍ରଜାତିର ପିମ୍ପୁଡ଼ି, ୨୦,୮୦୦ ପ୍ରଜାତିର ମାଛି ଏବଂ ୪ଲକ୍ଷ ପ୍ରଜାତିର ବିଟ୍‌ଲ୍‌- ଏମାନେ ସମସ୍ତେ ଇନସେକ୍ଟ ଶୃଙ୍ଖଳାର ଏବଂ ଅଧିକାଂଶ ମହାବିପଦ ଘେରରେ। ପ୍ରସିଦ୍ଧ ବୈଜ୍ଞାନିକ ଜେବିଏସ ହାଲଡେନ୍‌ ଥରେ କୁଆଡ଼େ କହିଥିଲେ, ଈଶ୍ବର ସମ୍ଭବତଃ କୀଟପତଙ୍ଗମାନଙ୍କୁ ସବୁଠୁ ଅଧିକ ଭଲ ପାଆନ୍ତି। ସେଥିପାଇଁ ସେମାନଙ୍କର ଏତେ ପ୍ରଜାତି। ଏତେ ସଂଖ୍ୟାରେ ସୃଷ୍ଟି। ଯଦି ମାଟି ସୁସ୍ଥ ଅଛି ତେବେ ଆପଣଙ୍କ ପାଦତଳର ଏକ ବର୍ଗଫୁଟ ପରିମିତ ଭୂଇଁକୁ ମାତ୍ର ଦୁଇ ଇଞ୍ଚ ଖୋଳିଲେ ସନ୍ଧାନ ମିଳିବ ଅନ୍ୟୂନ ୨୦୦ ପ୍ରଜାତିର କୀଟଙ୍କ ସହିତ। ଅଧ୍ୟୟନ ସୂଚେଇଲାଣି ଗତ ୩୦ ବର୍ଷ ମଧ୍ୟରେ କେବଳ କୀଟପତଙ୍ଗ ହ୍ରାସ/ଲୋପ ପାଇନାହାନ୍ତି, କିଛି ପ୍ରଜାତିର ପକ୍ଷୀ ଓ ସରୀସୃପଙ୍କ ସଂଖ୍ୟା ୯୦ ପ୍ରତିଶତ କମିିଛି, ଯେଉଁମାନେ କୀଟପତଙ୍ଗଙ୍କୁ ପ୍ରମୁଖ ଖାଦ୍ୟ ଭାବରେ ଗ୍ରହଣ କରନ୍ତି। ପାଠକେ, ଆମ ଅଧିକାଂଶଙ୍କର ଅଜବ ଧାରଣା, ଯେ ପର୍ଯ୍ୟନ୍ତ ମଣିଷ ଠିକ୍‌ ଅଛି- ଆଉସବୁ ଠିକ୍‌ଠାକ୍‌।

Comments
Loading...