ଚୀନ ପାଇଁ ସତର୍କବାଣୀ; ଭାରତ-ଆମେରିକା ସହଯୋଗ ଗୁରୁତ୍ବପୂର୍ଣ୍ଣ

ଭାରତ ଓ ଆମେରିକା ମଧ୍ୟରେ ତୃତୀୟ ପର୍ଯ୍ୟାୟ ୨+୨ ମନ୍ତ୍ରିସ୍ତରୀୟ କଥାବାର୍ତ୍ତା ଇତିମଧ୍ୟରେ ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ଅବସରରେ ଦୁଇ ଦେଶ ପ୍ରତିରକ୍ଷା ସହଯୋଗ ଏବଂ ଗୁଇନ୍ଦା ତଥା ଆଦାନପ୍ରଦାନ ଭଳି କେତେକ କ୍ଷେତ୍ରରେ ଏକାଧିକ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ଏହି କଥାବାର୍ତ୍ତା ପାଇଁ ଆମେରିକାର ବୈଦେଶିକ ସଚିବ ମାଇକ ପମ୍ପିଓ ଏବଂ ପ୍ରତିରକ୍ଷା ସଚିବ ମାର୍କ ଏସ୍‌ପର ନୂଆଦିଲ୍ଲୀ ଆସିଥିଲେ ଏବଂ ନିଜନିଜର ଭାରତୀୟ ପ୍ରତିପକ୍ଷ ସୁବ୍ରମଣ୍ୟମ ଜୟଶଙ୍କର ଏବଂ ରାଜନାଥ ସିଂହଙ୍କ ସହ ବିଭିନ୍ନ ଦ୍ବିପାକ୍ଷିକ ଓ ଆନ୍ତର୍ଜାତିକ ସ୍ବାର୍ଥଜଡ଼ିତ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଉଭୟ ପକ୍ଷ ଆଲୋଚନାର ଫଳାଫଳ ଘେନି ସନ୍ତୋଷପ୍ରକାଶ କରିଥିଲେ। ତେବେ ଏହି ଆଲୋଚନା ମଧ୍ୟରେ ଓ ବାହାରେ ଚୀନକୁ ନେଇ ଆମେରିକାର ଦୁଇ ସଂପୃକ୍ତ ସଚିବଙ୍କର ମତାମତ ବିଶେଷ ଲକ୍ଷ୍ୟଣୀୟ ଏବଂ ଭାରତୀୟ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଆମେରିକାର ବୈଦେଶିକ ସଚିବ ପମ୍ପିଓ କହିଛନ୍ତି ଯେ ଚୀନ ପ୍ରକୃତ ନିୟନ୍ତ୍ରଣ ରେଖାକୁ ଉଲ୍ଲଙ୍ଘନ କରି ଭାରତ ବିରୋଧରେ ଯେଉଁ ଆକ୍ରମଣାତ୍ମକ ପଦ​‌େ​କ୍ଷେପ ଗ୍ରହଣ କରୁଛି ତାହା ଆଞ୍ଚଳିକ ଓ ଆନ୍ତର୍ଜାତିକ ଶାନ୍ତି ପ୍ରତି ବିପଦ ଏବଂ ଏହାକୁ ବରଦାସ୍ତ କରାଯିବ ନାହିଁ। ଆବଶ୍ୟକ ହେଲେ ଚୀନର ସଫଳ ମୁକାବିଲା ପାଇଁ ଆମେରିକା ସବୁ ପ୍ରକାର ସାହାଯ୍ୟ ସହଯୋଗ ଭାରତକୁ ଯୋଗାଇବ। ଏହା ଭାରତ ପାଇଁ ଏକ ମସ୍ତବଡ଼ ଉପଲବ୍ଧି କହିଲେ ଅତ୍ୟୁକ୍ତି ହେବନାହିଁ। ସାମ୍ରାଜ୍ୟବାଦୀ ଚୀନର ମୁକାବିଲା ପାଇଁ ଭାରତ ଓ ଆମେରିକା ମିଳିତଭାବେ ଲଢ଼େଇ କରିବାକୁ ନିଷ୍ପତ୍ତି ନେବା ଏକ ଉଲ୍ଲେଖନୀୟ ଘଟଣା। ଏଥିରେ ଚୀନର ବହପ ଉପରେ ଅବଶ୍ୟ ଲଗାମ ଲାଗିବ।

ଚୀନ ବିଷୟରେ ପମ୍ପିଓ ଯାହା କହିଛନ୍ତି ତାହା ଉଲ୍ଲେଖନୀୟ। ସେ ଯଥାର୍ଥରେ କହିଛନ୍ତି, ଭାରତ ଶାନ୍ତି ସପକ୍ଷରେ ଏକଛତ୍ରବାଦ ବିରୋଧରେ ଲଢ଼େଇ କରୁଛି। ଭାରତ, ଆମେରିକା ଭଳି ସ୍ବାଧୀନତା ଓ ସାର୍ବଭୌମତ୍ବର ସୁରକ୍ଷା ପାଇଁ ଲଢ଼ୁଛି। ଏଭଳି ପରିସ୍ଥିତିରେ ଭାରତୀୟ ଜନତାଙ୍କ ନିରାପତ୍ତା ଓ ସୁରକ୍ଷା ପାଇଁ ଭାରତକୁ ସାହାଯ୍ୟ ସହଯୋଗ କରିବାକୁ ପ୍ରସ୍ତୁତ। ଚୀନ କମ୍ୟୁନିଷ୍ଟ ପାର୍ଟି ବିରୋଧରେ ସମଗ୍ର ବିଶ୍ବ ଏକଜୁଟ ହେବାକୁ ପ୍ରସ୍ତୁତ। ଚୀନ ଏବେ ସାରା ବିଶ୍ବ ପାଇଁ ମସ୍ତବଡ଼ ବିପଦ ପାଲଟିଛି। ଶାନ୍ତି ଓ ଗଣତନ୍ତ୍ରପ୍ରେମୀ ବିଶ୍ବପାଇଁ ଚୀନ ଏବେ ​‌ବୈଶ୍ବିକ ବିପଦ ସୃଷ୍ଟି କରିଛି। ତେଣୁ ସମଗ୍ର ବିଶ୍ବ ଏକାଠି ହୋଇ ତାହାର ମୁକାବିଲା କରିବା ଉଚିତ। ଚୀନର ଆକ୍ରମଣ ଓ ଧମକରେ କୌଣସି ଦେଶ ପଛଘୁଞ୍ଚା ଦେବାର ଅବକାଶ ଆଉ ନାହିଁ।

ଭାରତ ଏଭଳି ପରିସ୍ଥିତିରେ ଦୃଢ଼ତା ପ୍ରଦର୍ଶନ କରୁ ଓ ଆମେ ତା’ସହିତ ଅଛୁ। ଚୀନ ସରକାର ଏ କଥାକୁ ହେଜି ସୀମାରୁ ଅପସରିଯାଉ ବୋଲି ସେ କହିଛନ୍ତି।
ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ପ୍ରକ୍ରିୟା ପ୍ରାଥମିକ ସ୍ତରରେ ଆରମ୍ଭ ହୋଇଯାଇଛି। ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସମର୍ଥନ କରିବାକୁ ଭାରତୀୟ ଆମେରିକୀୟମାନଙ୍କୁ ପ୍ରଭାବିତ କରିବାକୁ ପମ୍ପିଓ ଏହି କାର୍ଡ ଖେଳିଛନ୍ତି ବୋଲି ବିଚାର କରି ଏହାକୁ ଗୌଣ କରାଯାଇ ନ’ପାରେ। ତାହାର କାରଣ ହେଲା ଟ୍ରମ୍ପ ଜିତନ୍ତୁ କିମ୍ବା ହାରନ୍ତୁ-ଏଥିରେ ସେ ଦେଶର ଚୀନ ନୀତି ବଦଳିବା ଆଶା କ୍ଷୀଣ। ତାହାର କାରଣ ହେଲା ଚୀନ କମ୍ୟୁନିଷ୍ଟ ପାର୍ଟି ଏବଂ ଏହାର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ସାମ୍ରାଜ୍ୟବାଦ ନୀତିକୁ ଆମେରିକା ବିରୋଧ କରିଆସୁଛି। ଚୀନର ମହଦାକାଙ୍‌କ୍ଷା, ଜାତୀୟ ପୁନରୁତ୍‌ଥାନ ନୀତି ଓ ଲକ୍ଷ୍ୟ କେବଳ ସ୍ଥାନୀୟ ପରିସର ମଧ୍ୟରେ ସୀମିତ ହୋଇ ରହିନାହିଁ। ଏହା ଆଞ୍ଚଳିକ ପରିସର ଅତିକ୍ରମ କରି ଆନ୍ତର୍ଜାତିକ କ୍ଷେତ୍ରକୁ ପରିବ୍ୟାପ୍ତ ହେବାରେ ଲାଗିଛି। ବ୍ଲେଲ୍ଟ ଆଣ୍ଡ୍‌ ରୋଡ଼୍‌ ପ୍ରକଳ୍ପ ଏହି ବୈଶ୍ବିକ ବିସ୍ତାରବାଦର ଏକ ନମୁନା ଯାହା ଏସିଆରୁ ମଧ୍ୟ ପ୍ରାଚ୍ୟ ଦେଇ ଆଫ୍ରିକା ପର୍ଯ୍ୟନ୍ତ ପରିବ୍ୟାପ୍ତ। ଏହା ଏକ ଆନ୍ତର୍ଜାତିକ ଆହ୍ବାନ; ତେଣୁ ବିଶ୍ବଶାନ୍ତି ଓ ଗଣତାନ୍ତ୍ରିକ ବ୍ୟବସ୍ଥାର ସୁରକ୍ଷା ପାଇଁ ସବୁ ଶାନ୍ତିକାମୀ ରାଷ୍ଟ୍ରଙ୍କୁ ଏକଜୁଟ୍‌ କରିବାକୁ ଆମେରିକା ପ୍ରୟାସୀ। ଦ୍ବିତୀୟତଃ ଚୀନ ବିଶ୍ବର ଏକ ନମ୍ବର ଆର୍ଥିକ ଓ ସାମରିକ ଶକ୍ତିଭାବେ ଆତ୍ମପ୍ରକାଶ କରିବାକୁ ଯେଉଁ ଉଦ୍ୟମ ଚଳାଇଛି ଆମେରିକା ପାଇଁ ତାହା ଗ୍ରହଣୀୟ ନୁହେଁ। ତେଣୁ ରଣକୌଶଳ ଦୃଷ୍ଟିରୁ ଆମେରିକା ଏଭଳି ସ୍ଥିତିରେ ଭାରତକୁ ସମର୍ଥନ କରି ଚୀନର ମୁକାବିଲା କରିବାକୁ ବାଧ୍ୟ। ଏହା ସେ ଦେଶର ବୈଦେଶିକ ନୀତିର ଏକ ସ୍ଥାୟୀ କୌଶଳ। ତେଣୁ ଟ୍ରମ୍ପଙ୍କ ଜୟ ପରାଜୟ ସହିତ ଏହାର କୌଣସି ସମ୍ପର୍କ ନାହିଁ। ଟ୍ରମ୍ପ ହାରିଗଲେ ମଧ୍ୟ ସେଠାକାର ନୂଆ ରାଷ୍ଟ୍ରପତି ଭାରତକୁ ଏହି ପ୍ରସଙ୍ଗରେ ସମର୍ଥନ ଦେବାକୁ ବାଧ୍ୟ।

ଚୀନର ଆକ୍ରମଣାତ୍ମକ ଆଭିମୁଖ୍ୟ ପରିପ୍ରେକ୍ଷୀରେ ଆମେରିକା ତାହାର ମତ ସ୍ପଷ୍ଟ କରିଦେବା ନିଶ୍ଚିତ ଭାବେ ଭାରତ ପାଇଁ ଏକ ବଡ଼ ଆଶ୍ବାସନାର ବିଷୟ। ଏଥିରୁ ଚୀନକୁ ଯଥୋଚିତ ସଂକେତ ଅବଶ୍ୟ ମିଳିଯିବ। ଅସ୍ତ୍ରଶସ୍ତ୍ର ଓ ଧନବଳରେ ସେ ଯେଉଁ ବିସ୍ତାରବାଦୀ ଅଭିଯାନ ଚଳାଇଛି ଏବଂ ଭାରତକୁ ଧମକ ଦେଉଛି ସେଥିରୁ କ୍ଷାନ୍ତ ହେବାକୁ ଏହା ଯଥେଷ୍ଟ। ବେଜିଂ ଆମେରିକା-ଭାରତ ମୈତ୍ରୀ ଓ ସହଯୋଗରୁ ଯଦି କିଛି ନ ଶିଖେ ବା ଏହାକୁ ଗୁରୁତ୍ବ ନ’ଦେଇ ପୁନର୍ବାର ବଦମାସି କରେ ପରିଣାମ ଭୋଗିବାକୁ ଅବଶ୍ୟ ପ୍ରସ୍ତୁତ ରହିବ।

Comments are closed.