ଦୁର୍ନୀତି ଓ ଶୂନ୍ୟ ସହନଶୀଳତା; ଭିଜିଲାନ୍ସ ମାମଲାର ତ୍ବରିତ ଫଇସଲା ଆବଶ୍ୟକ

ନବୀନ ପଟ୍ଟନାୟକ ପଞ୍ଚମଥର ପାଇଁ ରାଜ୍ୟରେ କ୍ଷମତାସୀନ ହେବାପରେ ଦୁର୍ନୀତି ହଟାଇବା ପାଇଁ କେତେକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି। ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣେଇ ଅସାଧୁ ସରକାରୀ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ବର୍ଷକ ଭିତରେ ରାଜ୍ୟ ସରକାର ଦୁର୍ନୀତି ଓ ଅପାରଗତା କାରଣରୁ ୧୦୮ ଜଣ ବାବୁଙ୍କୁ ବାଧ୍ୟତାମୂଳକ ଅବସର ଦେଇସାରିଲେଣି। ଗତକାଲି ଜେଲ ଡିଆଇଜି ସମେତ ୭ ଜଣଙ୍କୁ ବିଦା କରିଛନ୍ତି। ଏହି ପଦକ୍ଷେପ ନେଇ ଜନସାଧାରଣଙ୍କ ଆସ୍ଥାଭାଜନ ହେବାକୁ ସରକାର ଚେଷ୍ଟା କରୁଛନ୍ତି। ଦୀର୍ଘ ୨୦ ବର୍ଷ ମଧ୍ୟରେ ଅଭିଯୋଗକ୍ରମେ ବହୁ ରାଜନେତାଙ୍କୁ ମନ୍ତ୍ରିମଣ୍ଡଳରୁ ଏବଂ ଦଳରୁ ମୁଖ୍ୟମନ୍ତ୍ରୀ ବହିଷ୍କାର କରିବା ନଜିର ରହିଛି। ପଞ୍ଚମ ପାଳିର ପ୍ରଥମ ବର୍ଷ ସରକାରୀ କର୍ମଚାରୀଙ୍କ ବିରୋଧରେ ଅଧିକ କଠୋର ଆଭିମୁଖ୍ୟ ଗ୍ରହଣ କରି ସ୍ୱଚ୍ଛ ଶାସନ ପ୍ରଦାନ କରିବାକୁ ଉଦ୍ୟମ କରାଯାଉଥିବା ସଙ୍କେତ ଦେବାକୁ ଚେଷ୍ଟା କରିଛନ୍ତି।

ସରକାରୀସ୍ତରରେ ଦୁର୍ନୀତି ରୋକିବାରେ ଭିଜିଲାନ୍ସ ବିଭାଗ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ଉ ହେଉଥିବା ଦେଖାଯାଇଛି କିନ୍ତୁ ସବୁ ମାମଲାରେ ଚାର୍ଜଶିଟ ହୋଇପାରୁନାହିଁ। ଫଳରେ ଦଣ୍ଡହାର ବହୁତ କମ୍‍ ରହିଛି। ପରିସଂଖ୍ୟାନକୁ ଯଦି ବିଶ୍ୱାସ କରାଯାଏ ରାଜ୍ୟରେ ଗଡୁଛି ୭ ହଜାରରୁ ଅଧିକ ଭିଜିଲାନ୍ସ ମାମଲା। ବର୍ଷେ ଅଧେ ନୁହେଁ, କିଛି ମାମଲା ଇତିମଧ୍ୟରେ ୧୦ ବର୍ଷ ହେଲା ବି ଚାଲିଛି। ଉପଯୁକ୍ତ ପ୍ରମାଣ ଅଭାବରୁ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଅନେକ ସରକାରୀ କର୍ମଚାରୀ ବାଟେବାଟେ ଖସିଯାଉଛନ୍ତି। ବିଚାରରେ ବିଳମ୍ବ ଉପଯୁକ୍ତ ସାକ୍ଷୀ ଓ ତଥ୍ୟ ଉପସ୍ଥାପନରେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଓ ଅଭିଯୁକ୍ତଙ୍କୁ ଖସିଯିବା ପାଇଁ ସୁଯୋଗ ସୃଷ୍ଟି କରୁଛି। ଚାର୍ଜଶିଟ୍‍ ଦାଖଲ ପାଇଁ ନିର୍ଦିଷ୍ଟ ସମୟ ଅବଧି ଧାର୍ଯ୍ୟ କରାନଯିବା ଏବଂ ଦଣ୍ଡଦେବା ନିମନ୍ତେ ପଦକ୍ଷେପ ଗ୍ରହଣ ନ କରାଯିବା ଯୋଗୁଁ ଦୁର୍ନୀତି ଉପରେ ଅଙ୍କୁଶ ଲଗାଇବା ସମ୍ଭବ ହୋଇପାରୁନାହିଁ। ଅବଶ୍ୟ ଇତିମଧ୍ୟରେ ରାଜ୍ୟ ସରକାର ଦୁର୍ନୀତି ବିରୋଧରେ କିଛି ପଦକ୍ଷେପ ଉଠାଇଛନ୍ତି। କିଛି ତଥାକଥିତ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି, କିଛି ଅଧିକାରୀଙ୍କ ପେନସନ ବନ୍ଦ କରିଛନ୍ତି ଓ ଆଉ କିଛି ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ମାତ୍ର ଏହା ରାଜ୍ୟରେ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ପାଇଁ ଯଥେଷ୍ଟ ନୁହେଁ। ଆଜିକାଲି ଭିଜିଲାନ୍ସ ଯେଉଁଠି ହାତ ମାରୁଛି, ସିଏ ଧନର ପାହାଡ଼ ଉପରେ ବସିଛି। କିରାଣି କୋଟିପତି ତ ଅଧିକାରୀଙ୍କ ସମ୍ପତ୍ତି ଦଶକୋଟି।

ମୁଖ୍ୟମନ୍ତ୍ରୀ ‘୫-ଟି’ ବ୍ୟବସ୍ଥା ପ୍ରଚଳନ କରିଛନ୍ତି। ‘ପିସି’ ସଂସ୍କୃତି ଧ୍ୱଂସ କରିବାକୁ ନି​‌ର୍ଦେଶ ଦେଇଛନ୍ତି। ଲୋକାୟୁକ୍ତ ଗଠନ କରାଯାଇଛି। ଦୁର୍ନୀତି ନିରୋଧୀ ସପ୍ତାହ ପ୍ରତିବର୍ଷ ପାଳନ କରାଯାଉଛି। ମାତ୍ର ପ୍ରଶାସନର ତଳସ୍ତରରେ ଥିବା ଅଧିକାରୀ ଓ କର୍ମଚାରୀମାନଙ୍କ ମାନସିକତା ବଦଳୁନାହିଁ। ଲାଞ୍ଚ ନ ହେଲେ କାମ ହେଉନାହିଁ ବୋଲି ଏକ ଧାରଣା ଲୋକଙ୍କ ମନରେ ସୃଷ୍ଟି ହୋଇଛି। ଦୁର୍ନୀତି କରିବାର ସୁଯୋଗକୁ ସରକାରୀ ବାବୁମାନେ ହାତଛଡ଼ା କରୁନାହାନ୍ତି ଏବଂ ସହଜରେ ନିଜ କାମ ହାସଲ ପାଇଁ ଲୋକମାନେ ମଧ ଲାଞ୍ଚ ଦେବାକୁ ଉଚିତ ମଣୁଛନ୍ତି।

ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ ଇଣ୍ଡିଆ ରିପୋର୍ଟ ୨୦୧୯ ଅନୁସାରେ ୨୦ ପ୍ରତିଶତ ଲୋକ ବିଭିନ୍ନ କାମ ପାଇଁ ବହୁବାର ଲାଞ୍ଚ ଦେଇଥିବା ପ୍ରକାଶ କରିଛନ୍ତି। ସେହିପରି ଆଉ ୨୦% ଏକ ବା ଏକାଧିକ ବାର ଲାଞ୍ଚ ଦେଇଥିବା କହିଥିବାବେଳେ ୧୩% ସରକାରୀ କାମ ପାଇଁ ଲାଞ୍ଚ ଦେବାର ଆବଶ୍ୟକତା ପଡ଼ିନାହିଁ ବୋଲି କହିଛନ୍ତି। ୪୭% ଲୋକ ଏ ସମ୍ପର୍କରେ ନିରବ ରହିଛନ୍ତି। ଅନୁରୂପ ଭାବରେ ସେହି ରିପୋର୍ଟରେ ଜମିବାଡ଼ି ଦଲିଲ ଓ ଜମିବାଡ଼ି କାମ ପାଇଁ ୭୫% ଲୋକ ଲାଞ୍ଚ କାରବାର ହୁଏ ବୋଲି ମତ ଦେଇଥିବାବେଳେ ୨୫% ବିଦ୍ୟୁତ୍‍, ପରିବହନ କାର୍ଯ୍ୟାଳୟ, ଟିକସ ପ୍ରଦାନ ଓ ଅନ୍ୟାନ୍ୟ କାମ ପାଇଁ ଲାଞ୍ଚ ଦେଇଥିବା ପ୍ରକାଶ କରିଛନ୍ତି।

୨୦୧୯ ନଭେମ୍ବର ୧୯ ତାରିଖରେ ରାଜ୍ୟ ସରକାର ବିଧାନସଭାରେ ରଖିଥିବା ତଥ୍ୟ ଅନୁସାରେ ୨୦୧୯ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ୬୮୧୭ ସରକାରୀ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା ଅଦାଲତରେ ରହିଥିବା ସୂଚନା ଦେଇଛନ୍ତି। ଏହାମଧ୍ୟରେ ଅଛନ୍ତି ୮୯୫ ପ୍ରଥମ ଶ୍ରେଣୀ ଅଧିକାରୀ। ସେହିପରି ୭୯୮ ଦ୍ୱିତୀୟ ଶ୍ରେଣୀ, ୩୫୩୫ ତୃତୀୟ ଶ୍ରେଣୀ, ୧୯୩ ଜଣ ଚତୁର୍ଥ ଶ୍ରେଣୀ ଓ ୧୩୯୬ ଅନ୍ୟାନ୍ୟ କର୍ମଚାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା ଚାଲିଛି ବୋଲି ସରକାର କହିଛନ୍ତି। ତେବେ ଭିଜିଲାନ୍ସରେ ଧରାପଡୁଥିବା ଅଧିକାରୀଙ୍କ ଦଣ୍ଡହାର ସ୍ଥିତି ଅତ୍ୟନ୍ତ ନୈରାଶ୍ୟଜନକ। ଧରାପଡୁଥିବା ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ମଧ୍ୟରୁ ମାତ୍ର ୨୦% ଦଣ୍ଡିତ ହେଉଥିବା ଦେଖାଯାଉଛି। ଭିଜିଲାନ୍ସ ଯେତିକି ମାମଲା ଧରୁଛି ତାହାର ଚାର୍ଜଶିଟ୍‍ ମଧ୍ୟ ଠିକ୍‍ ସମୟରେ କରିପାରୁନାହିଁ। ଆଉ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହେଉଥିବା ଅଧିକାରୀ ଓ କର୍ମଚାରୀଙ୍କ ସଂଖ୍ୟା ନାମକୁ ମାତ୍ର। ତେଣୁ ଏହାକୁ ଅଧିକ କ୍ରିୟାଶୀଳ କରିବା ସହିତ ଏହି ମାମଲାର ତ୍ୱରିତ ଫଇସଲା ଉପରେ ଗୁରୁତ୍ୱ ଦେଲେ ସରକାରଙ୍କ ମିଶନ ଅଧିକ ସଫଳ ହେବ।

Comments are closed.