MEllora 950×100

ଘୋଷଣା ବାଟବଣା

ସରକାରଙ୍କ ଖାଦ୍ୟଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା ବାଟବଣା; ଦଲାଲଙ୍କ କାରସାଦିରେ ଅଭାବୀ ବିକ୍ରିର ଶିକାର ଚାଷୀ ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ

କୃଷକଙ୍କ ସମସ୍ୟା ତ ଅଡୁଆ ସୂତା। ସେଥିରୁ ଖିଅ ବାହାର କରିବା ସକାଶେ ଯେଉଁ ନିଷ୍ଠା ଆବଶ୍ୟକ ତାହା କାହାରିଠାରେ ନାହିଁ। ବହୁକଥା କେବଳ ଘୋଷଣାରେ ସୀମିତ। ସେଥିରୁ କିଭଳି ସୁଫଳ ମିଳୁଛି ତାହାର ଠିକଣା ସମୟରେ ଅନୁଧ୍ୟାନ ଓ ଅନୁଶୀଳନ ହେଉଥିଲେ ବ୍ୟବସ୍ଥାରେ ସଂଶୋଧନ ଅଣାଯାଇପାରନ୍ତା। ଏହି ଘୋଷଣାରେ ଚାଷୀଙ୍କ ଅପେକ୍ଷା ସରକାର (କ୍ଷମତାସୀନ ଦଳ)ଙ୍କ ଫାଇଦାକୁ ଅଧିକ ଗୁରୁତ୍ବ ଦିଆଯାଉଛି। ଆମେ ଏଠାରେ ସରକାରଙ୍କ ଘୋଷିତ ଖାଦ୍ୟଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ସମ୍ପର୍କରେ ଆଲୋଚନା କରିବା। ସରକାରୀ ଦର ଘୋଷଣା ପରେ ଖାଦ୍ୟଶସ୍ୟର ଅଭାବୀ ବିକ୍ରି ହେଉଥିବାରୁ ସରକାରୀ ସଂଗ୍ରହ ବ୍ୟବସ୍ଥା ଉପରେ ସବୁଠାରୁ ଅଧିକ ଚାପ। ଏ କ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମ ହେଲେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଏ। ଏଇ ଯେମିତି ଖରିଫ ଧାନ ଅମଳ ଆରମ୍ଭରୁ ସରକାରୀ ସଂଗ୍ରହ ବ୍ୟବସ୍ଥା ଓ ମଣ୍ଡିରେ ରହୁଥିବା ତ୍ରୁଟି ନେଇ ଖବର ଓଜାଡ଼ି ହୋଇପଡୁଛି। ଏ କ୍ଷେତ୍ରରେ ମିଲରଙ୍କ ଭୂମିକା ସବୁଠାରୁ ଅଧିକ ବିବାଦୀୟ। ବ୍ୟବସ୍ଥା ଏମିତି ହୋଇଛି ଯେ ସରକାର ଘୋଷିତ ସହାୟକ ମୂଲ୍ୟ ଦେଇ ଚାଷୀଙ୍କଠାରୁ ଖାଦ୍ୟଶସ୍ୟ ନ କିଣିଲେ ଆଉ କେହି କିଣିବେନି। ସରକାର କ’ଣ ସମସ୍ତ ପ୍ରକାର ଖାଦ୍ୟଶସ୍ୟ ସଂଗ୍ରହ କରି ମହଜୁଦ ବା ଭଣ୍ଡାରଣ କରି ରଖିବା ସମ୍ଭବପର? ଏମିତିରେ ତ ସରକାରଙ୍କ ନିକଟରେ ଶସ୍ୟ ମହଜୁଦ କରି ରଖିବା ସକାଶେ ଆବଶ୍ୟକ ସଂରଚନାଗତ ସୁବିଧା ନାହିଁ। ଏଥିସହ ସରକାର କ’ଣ ଖାଦ୍ୟଶସ୍ୟ ସାଇତି ରଖି ବେପାର କରିବେ? ଆମେ ଏଠାରେ ଏତିକି କହିପାରିବା ଯେ ଘୋଷିତ ଏମ୍‌ଏସ୍‌ପିଠାରୁ କମ୍‌ ମୂଲ୍ୟରେ ଖାଦ୍ୟଶସ୍ୟ ବିକ୍ରିଖରିଦ ହୋଇପାରିବ ନାହିଁ; ସରକାରୀ ସ୍ତରରେ ଏ ନେଇ କଠୋର ଆଇନଗତ ଶୃଙ୍ଖଳା ପ୍ରୟୋଗ କରାଯାଇପାରିଲେ ଉପୁଜୁଥିବା ସମସ୍ୟାର ସମାଧାନ ହୋଇପାରନ୍ତା। ସରକାର ଅନ୍ତତଃ ଶସ୍ୟ ସଂଗ୍ରହକୁ ନେଇ ଯେଉଁ ନିନ୍ଦା ଓ ଅପବାଦର ସମ୍ମୁଖୀନ ହେଉଛନ୍ତି ସେଥିରୁ ମୁକ୍ତି ମିଳନ୍ତା। ଚାଷୀ ମଧ୍ୟ ତା ଦରବର ଉଚିତ ମୂଲ୍ୟ ପାଆନ୍ତା। ଏଥିରେ ପ୍ରତିବନ୍ଧକ କ’ଣ ଅଛି? ଘରୋଇ ବା ବିଭିନ୍ନ ସଂସ୍ଥା ପକ୍ଷରୁ ନିଯୁକ୍ତ ଦଲାଲ ଯଦି ସରକାରୀ ଘୋଷିତ ମୂଲ୍ୟରେ ଖାଦ୍ୟଶସ୍ୟ କିଣିବେ ତେବେ ବଜାରରେ ଏଥିରୁ ପ୍ରସ୍ତୁତ ସାମଗ୍ରୀର ମୂଲ୍ୟ ସେତେ ଉଠିବ। ଏ କଥା ସତ ଯେ ସରକାର ବିଭିନ୍ନ ଖାଦ୍ୟଶସ୍ୟର ଏମ୍‌ଏସ୍‌ପି ବଢ଼ାଇବା ମାତ୍ରେ ଏଥିରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀର ମୂଲ୍ୟ ତତ୍‌କ୍ଷଣାତ୍‌ ବଢ଼ୁଛି। ସେତେବେଳେ କେହି ବିଚାର କରନ୍ତି ନାହିଁ ଯେ ଚାଷୀଙ୍କଠାରୁ ଅପେକ୍ଷାକୃତ ଯଥେଷ୍ଟ କମ୍‌ ମୂଲ୍ୟରେ ଏହି ଘରୋଇ ସଂସ୍ଥା ଖାଦ୍ୟଶସ୍ୟ ସଂଗ୍ରହ କରନ୍ତି। ଏହା ସପକ୍ଷରେ ଏତିକି ଯୁକ୍ତି କରାଯାଇପାରେ କି ଏ ସବୁ କାରବାରରେ କମିସନି ଓ ମୁନାଫା ମଧ୍ୟ ଅଛି। ତେଣୁ ଶେଷ ସିଦ୍ଧାନ୍ତ ହେଉଛି, ଚାଷୀ କ୍ଷତି ସହିବାକୁ ବାଧ୍ୟ।

ଏବେ ଆମେ ଓଡ଼ିଶାର କୃଷକଙ୍କ ଧାନଚାଷ ଓ ତାହାର ବିକ୍ରିବଟା ନେଇ ଉପୁଜୁଥିବା ସମସ୍ୟା ସମ୍ପର୍କରେ କିଛି ତଥ୍ୟ ଅବତାରଣା କରିବା। ସରକାରଙ୍କ ଘୋଷିତ ଏମ୍‌ଏସ୍‌ପି ଅନୁଯାୟୀ ଧାନର କ୍ବିଣ୍ଟାଲ ପିଛା ମୂଲ୍ୟ ୨୦୪୦ଟଙ୍କା। ରାଜ୍ୟ ସରକାର ଉଭୟ ଖରିଫ ଓ ରବି ଋତୁରେ ଧାନ ସଂଗ୍ରହ କରିଥାନ୍ତି। ସରକାରୀ ଦରରେ ଧାନ ସଂଗ୍ରହ ଦୃଷ୍ଟିରୁ ଚାଷୀଙ୍କ ଏହି ବ୍ୟବସ୍ଥା ଉପରେ ନିର୍ଭରଶୀଳତା ଅଧିକ। ପ୍ରଶାସନ ଓ ମିଲର୍ସଙ୍କ ମଧ୍ୟରେ ଅସାଧୁ ମେଣ୍ଟ ଏ କ୍ଷେତ୍ରରେ ମୁଖ୍ୟ ପ୍ରତିବନ୍ଧକ ହୋଇଛି। ମିଲର୍ସ ଅନ୍ୟ ରାଜ୍ୟକୁ ଚାଉଳ ଚାଲାଣ କରୁଥିବାରୁ ସେହି ବିନ୍ଦୁରେ ହିଁ ଦୁର୍ନୀତିର ପର୍ଯ୍ୟାପ୍ତ ସୁଯୋଗ ଅଛି। ତେଣୁ ମଣ୍ଡି ଖୋଲିବାରେ ସରକାର ଯେଉଁ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ତାହା ପଛରେ ମିଲର୍ସ ସ୍ବାର୍ଥ ଜଡ଼ିତ ଥିବାର ରାଜ୍ୟର ଅନ୍ୟତମ ଧାନ ଅମଳକାରୀ ପେଣ୍ଠ ବରଗଡ଼ରୁ ଅଭିଯୋଗ ହୋଇଛି। ନିକଟରେ ‘ସିତ୍‌ରଙ୍ଗ’ ବାତ୍ୟା ବାଂଲାଦେଶର ଧାନଚାଷକୁ ସମ୍ପୂର୍ଣ୍ଣ ରୂପେ ଉଜାଡ଼ି ଦେଇଥିବାରୁ ସେଠିକାର ଚାହିଦା ପୂରଣ କରିବେ ପଶ୍ଚିମବଙ୍ଗର ବ୍ୟବସାୟୀ। ରାଜ୍ୟର ଅନ୍ୟତମ ଭାତହାଣ୍ଡି କୁହାଯାଉଥିବା ଉତ୍ତର ଓଡ଼ିଶା ଉପରେ ତାଙ୍କର ଲୋଲୁପ ଦୃଷ୍ଟି। ଏବେଠାରୁ ସେଠାରେ ଧାନ ଚାଲାଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏ କ୍ଷେତ୍ରରେ ମଧ୍ୟ ବଂଗଳାର ଦଲାଲମାନେ ଚାଷୀଙ୍କୁ କ୍ବିଣ୍ଟାଲ ପିଛା ଧାନର ମୂଲ୍ୟ ୨୦୪୦ ଟଙ୍କା ଦେଉନାହାନ୍ତି। ସେମାନେ ୧୮୦୦ ଟଙ୍କାରେ କିଣି ଧାନ କ୍ବିଣ୍ଟାଲ ୩୦୦୦ଟଙ୍କାରେ ବିକ୍ରି କରୁଛନ୍ତି। ସେଠାରେ ଏ ପର୍ଯ୍ୟନ୍ତ ଖରିଫ ଧାନ ସଂଗ୍ରହ ପାଇଁ ସରକାର ମଣ୍ଡି ଖୋଲିନାହାନ୍ତି। ତାହା ପୂର୍ବରୁ ଅଭାବୀ ବିକ୍ରି ଆରମ୍ଭ ହୋଇଗଲାଣି। ସରକାର ନଭେମ୍ବର ମଧ୍ୟଭାଗରେ କିମ୍ବା ଡିସେମ୍ବର ପ୍ରଥମ ସପ୍ତାହରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିବେ ତାହା ଏ ଯାବତ୍‌ ସ୍ଥିର କରିନାହାନ୍ତି। ସରକାରୀ ସ୍ତରରେ ‘ସଫଳ’ ମାଧ୍ୟମରେ ସହଜ ଋଣ ଯୋଗାଣ ସାଙ୍ଗକୁ ରିଆତିରେ ସାର ଓ ବିହନ ଦେବାର ଲୋଭନୀୟ ପ୍ରତିଶ୍ରୁତି ଜାରି ରହିଛି। ଅଥଚ ସରକାର ଅଭାବୀ ବିକ୍ରି ଓ ପ୍ରଶାସନର କାରସାଦିକୁ ରୋକି ପାରୁନାହାନ୍ତି। ଆମର ହସ୍ତଗତ ହୋଇଥିବା ଖବରରୁ ପ୍ରକାଶ ଯେ ରାଜ୍ୟ ବାହାରକୁ ଧାନର ବ୍ୟାପକ ଚୋରା ଚାଲାଣ ଯୋଗୁଁ ବଜାରରେ ଚାଉଳ ଦର ବଢ଼ୁଛି। ଏଥିରେ ଟଙ୍କାକିଆ ଚାଉଳ ଉପଭୋକ୍ତାଙ୍କ ସ୍ବାର୍ଥହାନି ଘଟୁନଥିବାରୁ ସରକାର ନିଶ୍ଚିନ୍ତ।

ଦେଶରେ କ୍ରମାଗତ ଭାବେ ଖୁଚୁରା ମୂଲ୍ୟସ୍ଫୀତି ହାର ବଢ଼ୁଥିବାରୁ ତାହାର ପ୍ରତିକୂଳ ପ୍ରଭାବ ସାଧାରଣ ଖାଉଟିଙ୍କ ଉପରେ ପଡୁଛି। ବିଭିନ୍ନ ଖାଦ୍ୟ ସାମଗ୍ରୀର ମୂଲ୍ୟବୃଦ୍ଧି ଘଟୁଥିବାବେଳେ ସରକାର ୬ଟି ଖାଦ୍ୟଶସ୍ୟର ଏମ୍‌ଏସ୍‌ପି ବୃଦ୍ଧି କଲେ। ଏଥିରେ ଚାଷୀ କେତେ ଲାଭବାନ ହେବେ ତାହା ତ ଭିନ୍ନ କଥା; କିନ୍ତୁ ବଜାର ଦର ଉପରେ ତାହାର ଯେ ପ୍ରତିକୂଳ ପ୍ରଭାବ ପଡ଼ିବ ଏ କଥା ଥୟ। ଆମର ଏଠାରେ କହିବାର କଥା ହେଲା, ସବୁ ଘୋଷଣା ନିର୍ବାଚନ ସର୍ବସ୍ବ ନ ହେଉ, ଅନ୍ତତଃ ବଜାରର ଦୃଶ୍ୟପଟକୁ ବିଚାର କରାଯାଉ। ସ୍ଥାନ, କାଳ, ପାତ୍ର ପ୍ରତି ଦୃଷ୍ଟି ନଦେଲେ ସ୍ଥିତି କେବଳ ଅଣାୟତ୍ତ ନୁହେଁ; ଦିଗହରା ହୋଇଯିବ।

Comments are closed.