ସଞ୍ଜୟ ରାଉତଙ୍କୁ ଇଡି ସମନ

ଶିବସେନା ମୁଖପାତ୍ର ସଞ୍ଜୟ ରାଉତଙ୍କୁ ଏକ ହଜାର କୋଟି ଟଙ୍କାର ପୁରୁଣା ‘ପତ୍ର ଚାୱଲ ଜମି ଦୁର୍ନୀତି’ ମାମଲାରେ ସୋମବାର ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ସମନ କରିଛି। ତାଙ୍କୁ ଆସନ୍ତା କାଲି, ମଙ୍ଗଳବାର ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦେଶ ଦିଆଯାଇଛି। ଏହି ମାମଲାରେ ପୂର୍ବରୁ ଇଡି ରାଉତ ଓ ତାଙ୍କ ସହଯୋଗୀ ପ୍ରବୀଣ ରାଉତଙ୍କ ମାଲିକାନାରେ ଥିବା ୯ କୋଟିର ସମ୍ପତ୍ତି ଜବତ କରିଛି। ଏଥିରେ ସଞ୍ଜୟଙ୍କ ପତ୍ନୀ ବର୍ଷାଙ୍କ ନାମରେ ଥିବା ୨ କୋଟିର ସମ୍ପତ୍ତି ମଧ୍ୟ ରହିଛି। ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ହଟଚମଟ ମଧ୍ୟରେ ସଞ୍ଜୟଙ୍କୁ ଇଡି ସମନ ବିଭିନ୍ନ ମହଲ ପ୍ରତିକ୍ରିୟା ସୃଷ୍ଟି କରିଛି। ସଞ୍ଜୟଙ୍କ ପାଟି ଚୁପ୍‌ ପାଇଁ ବିଜେପିର ଏହା ଏକ ଷଡ଼ଯନ୍ତ୍ର ବୋଲି ଶିବସେନା ଓ ତୃଣମୂଳ କଂଗ୍ରେସ ପକ୍ଷରୁ କୁହାଯାଇଛି। ସଞ୍ଜୟ କହିଛନ୍ତି ଯେ ଇଡି ତାଙ୍କୁ ଗିରଫ କଲେ ବି ସେ ଭୟ କରନ୍ତି ନାହିଁ। ତାଙ୍କୁ ମାରିଦେଲେ ମଧ୍ୟ ସେ ପାଟି ବନ୍ଦ କରିବେ ନାହିଁ କିମ୍ବା ଗୁଆହାଟୀ ଯିବେ ନାହିଁ। ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଯେ ଇଡି ନିଜକୁ ‘ବିଜେପିର ପ୍ରକୃତ ଭକ୍ତ’ ବୋଲି ପରିଚୟ ଦେଇଛି। ବିଜେପି ନେତା ରାମ କଦମ କହିଛନ୍ତି ଯେ ପୁରୁଣା ଦୁର୍ନୀତି ମାମଲାକୁ ସାମ୍ପ୍ରତିକ ରାଜନୀତି ସହ ଯୋଡ଼ିବା ଅନୁଚିତ। ଉଲ୍ଲେଖଯୋଗ୍ୟ ଯେ ଶିବସେନାରେ ବିଦ୍ରୋହ ବିଜେପି ପ୍ରାୟୋଜିତ ବୋଲି ସ୍ପଷ୍ଟ ହୋଇଛି। ବିଦ୍ରୋହୀଙ୍କୁ କେନ୍ଦ୍ର ସରକାର ‘ୱାଇ’ ପାହ୍ୟା ସୁରକ୍ଷା ପ୍ରଦାନ କରିଥିବାବେଳେ ବିଜେପି ଶାସିତ ରାଜ୍ୟରେ ସେମାନଙ୍କୁ ରଖାଯାଇଛି। ବିଜେପିର ତୁଙ୍ଗ ନେତା ଅମିତ ଶାହା ଓ ଜେପି ନଡ୍ଡାଙ୍କୁ ଦୁଇ ଦିନ ପୂର୍ବେ ଏକନାଥ ବଦୋଦରାଠାରେ ସାକ୍ଷାତ କରିଛନ୍ତି। ଗତ ଶୁକ୍ରବାର ଶିବସେନା ନେତା ତଥା ପୂର୍ବତନ ମନ୍ତ୍ରୀ ଅର୍ଜୁନ ଖୋଟକରଙ୍କ ସମ୍ପତ୍ତି ଜବତ କରିଛି ଇଡି। ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କ ଦ୍ବାରା ‘ସହକାରୀ ସକର କାରଖାନା’ ସମବାୟ ଚିନିକଳକୁ ବେଆଇନ ଭାବେ ନିଲାମ କରିବା ଅଭିଯୋଗ ଉପରେ ଇଡି ଏହି ପଦକ୍ଷେପ ଗ୍ରହଣ କରିଛି। ତାଙ୍କ ବିରୋଧରେ ବେଆଇନ ଅର୍ଥକାରବାର ଅଭିଯୋଗ ରହିଛି।

Comments are closed.