୨୦୨୧-୨୨ରେ ଦେଶର ଜିଡ଼ିପି ଅଭିବୃଦ୍ଧି ହେବ ୧୧%: ଅର୍ଥନୈତିକ ସର୍ଭେ ରିପୋର୍ଟରେ ଗୋଲାପୀ ଛବି

ନୂଆଦିଲ୍ଲୀ: ଶୁକ୍ରବାର ଲୋକସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଖାଇଛନ୍ତି ଗୋଲାପୀ ଛବି । ଚଳିତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ୭.୭% ହ୍ରାସ ପାଇବ ବୋଲି ଆକଳନ କରାଯାଇଥିଲେ ହେଁ ଆଗାମୀ ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ଜିଡ଼ିପି ଅଭିବୃଦ୍ଧି ୧୧% ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ଦେଶର ସମ୍ଭାବ୍ୟ ଆର୍ଥିକ ଅଭିବୃଦ୍ଧିକୁ ନିକଟରେ ଭାରତୀୟ କ୍ରିକେଟ ଦଳର ଅଷ୍ଟ୍ରେଲିଆ ଗସ୍ତ ସହ ତୁଳନା କରିଛନ୍ତି ଦେଶର ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତି ଭି ସୁବ୍ରମଣ୍ୟମ । ପ୍ରଥମ ଟେଷ୍ଟର ଦ୍ବିତୀୟ ପାଳିରେ ମାତ୍ର ୩୬ ରନରେ ଅଲ ଆଉଟ ହୋଇଥିବା ସତ୍ବେ ଭାରତୀୟ ଦଳ ଯେପରି ଦୃଢ଼ ମନୋଭାବ ପ୍ରଦର୍ଶନ କରି ସିରିଜକୁ ୨-୧ରେ ଜିତିବାକୁ ସମର୍ଥ ହୋଇଛି, ଭାରତୀୟ ଅର୍ଥନୀତି କୋଭିଡ଼ ସଙ୍କଟରୁ ବାହାରି ସଫଳତା ପ୍ରଦର୍ଶନ କରିବ ବୋଲି ସେ ଅଶା କରିଛନ୍ତି ।

ଭି.ସୁବ୍ରମଣ୍ୟମ ଓ ତାଙ୍କର ସହଯୋଗୀମାନେ ଅର୍ଥନୈତିକ ସର୍ଭେରେ କରିଥିବା ଆକଳନ ଅନୁସାରେ ଆସନ୍ତା ୨ ବର୍ଷ ମଧ୍ୟରେ ଭାରତ ବିଶ୍ବର ଦୃତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବରେ ଉଭା ହେବ ।  ସେ କହିଛନ୍ତି ଯେ ଭାରତୀୟ ଅର୍ଥନୀତି ସମତଳ ସ୍ଥିତିରେ ରହିଛି । ପ୍ରଥମ ତ୍ରୟମାସିକରେ ୨୪% ସଙ୍କୋଚନ ସତ୍ବେ ୪ର୍ଥ ତ୍ରୟମାସିକ ବେଳକୁ ଅଭିବୃଦ୍ଧି ୩.୧%ରେ ପହଞ୍ଚି ପାରେ ।

ଅର୍ଥନୈତିକ ସର୍ଭେ କଣ?
ଅର୍ଥନୈତିକ ସର୍ଭେ ହେଉଛି ଦେଶର ଅର୍ଥନୀତି ଉପରେ ଏକ ସରକାରୀ ରିପୋର୍ଟ। ସାଧାରଣ ବଜେଟର ଗୋଟିଏ ଦିନ ପୂର୍ବରୁ ଏହା ସାଧାରଣତ। ଉପସ୍ଥାପିତ ହୁଏ | ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ସଂସଦରେ ଏହାକୁ ଉପସ୍ଥାପନ କରିଛନ୍ତି। ଏହି  ସର୍ଭେ ପ୍ରସ୍ତୁତି ପାଇଁ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଓ ତାଙ୍କ ସହଯୋଗୀଙ୍କୁ ଦାୟିତ୍ବ ଦିଆଯାଇଥାଏ । ବର୍ତମାନ କୃଷ୍ଣମୂର୍ତି ସୁବ୍ରମର୍ୟମ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅଛନ୍ତି ।

ଅର୍ଥନୈତିକ ସର୍ବେକ୍ଷଣରେ କ’ଣ ହୁଏ?
ଏଥିରେ ଦେଶର ଅର୍ଥନୀତି ସ୍ଥିତି ବିଷୟରେ ସମ୍ପୂର୍ଣ୍ଣ ସୂଚନା ବିସ୍ତୃତ ଭାବରେ ଦିଆଯାଇଥାଏ । ଭବିଷ୍ୟତରେ ଦେଶର ଅର୍ଥନୀତିର ସ୍ଥିତି, ଆହ୍ବାନ ଆଦି ସଂପର୍କରେ ସୂଚନା ଦିଆଯାଇଥାଏ । ଏହା ସହ ବିଭିନ୍ନ କ୍ଷେତ୍ରରେ ସଂସ୍କାର ଓ ପଦକ୍ଷେପ ସମ୍ପର୍କରେ ମଧ୍ୟ ସୂଚନା ଏଥିରୁ ମିଳିଥାଏ । ଏହି ସର୍ବେକ୍ଷଣର ଦୃଷ୍ଟିକୋଣ ଅନୁସାରେ ଭବିଷ୍ୟତରେ ନୀତି ପ୍ରସ୍ତୁତ ହୋଇଥାଏ ।

Comments are closed.