ନକଲି ଭୋଟରଙ୍କ ମତଦାନ ତଥ୍ୟକୁ ସିଇସିଙ୍କ ଖଣ୍ଡନ

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନରେ ଭୋଟର ତାଲିକାରେ ନାମ ନଥିବା ଅନେକ ଲୋକ ଜାଲ ଭୋଟ୍‍ ଦେଇଛନ୍ତି ବୋଲି ଯେଉଁ ତଥ୍ୟ ପ୍ରକାଶ ପାଉଛି ନିର୍ବାଚନ କମିଶନ ତାହାକୁ ଖଣ୍ଡନ କରିଛନ୍ତି । କମିଶନ ପକ୍ଷରୁ କୁହାଯାଇଛି ଯେ, ନିର୍ବାଚନ ପରେ ୱେବ୍‍ସାଇଟ୍‍ରେ ତତ୍କାଳ ଯେଉଁ ଭୋଟ୍‍ହାର ପ୍ରକାଶ ପାଇଥିଲା ତାହା ଅସମ୍ପୂର୍ଣ୍ଣ ଥିଲା। ସେହି ଭୋଟ୍‍ହାରକୁ ବିଚାରକୁ ନେଇ ଅନେକ ଭୂତ ଭୋଟର ମତଦାନ କରିଥିବା ନେଇ ଯେଉଁ ଦାବି କରାଯାଉଛି ତାହା ଠିକ୍‍ ନୁହେଁ।

ସୂଚନାଯୋଗ୍ୟ ଯେ ୨୦୧୯ ଲୋକସଭା ନିର୍ବାଚନ ବେଳେ କେତେକ ରାଜ୍ୟରେ କିଛି ମତଦାନ କେନ୍ଦ୍ରରେ ମୋଟ୍‍ ଭୋଟ୍‍ଦାତାଙ୍କ ଠାରୁ
ଅଧିକ ଭୋଟର ମତଦାନ କରିଥିବାର ଅଭିଯୋଗ ହୋଇଥିଲା। ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି ଯେ ଚୂଡାନ୍ତ ଫଳାଫଳ ଘୋଷଣା କରିବା ପାଇଁ ଦୁଇପ୍ରକାଶ ଭୋଟ୍‍କୁ ଗଣତି କରାଯାଏ। ସେଥିରୁ ଗୋଟିଏ ହେଉଛି ଇଭିଏମରେ ପଡିଥିବା ଭୋଟ୍‍ ଓ ଅନ୍ୟଟି ଡାକଯୋଗେ ମିଳିଥିବା ଭୋଟ୍‍ । ସେନା ଏବଂ ନିର୍ବାଚନ ଦାୟିତ୍ୱରେ ଥିବା କର୍ମଚାରୀମାନେ ଡାକଯୋଗେ ଭୋଟ ଦେବାର ବ୍ୟବସ୍ଥା ରହିଛି। କମିଶନଙ୍କ ପକ୍ଷରୁ ଆହୁରି କୁହାଯାଇଛି ଯେ,ଆଗରୁ ପ୍ରକୃତ ମତଦାନ ହାର ନିର୍ଣ୍ଣୟ କରିବା ପାଇଁ ବହୁ ବିଳମ୍ବ ହେଉଥିଲା। କାରଣ ରାଜ୍ୟ ମାନଙ୍କରୁ ଏ ସଂକ୍ରାନ୍ତ ଚୂଡାନ୍ତ ତଥ୍ୟ ଆସିବା ବିଳମ୍ବ ହେଉଥିଲା। ଏବେ କିନ୍ତୁ ସୂଚନା ପ୍ରଯୁକ୍ତିର ବିକାଶ ଫଳରେ ତଥ୍ୟ ସଂଗ୍ରହ  ତ୍ୱରିତ ଓ ସହଜ ହୋଇଛି। ତେଣୁ ଏଥର ଖୁବ୍‍ଶୀଘ୍ର ଚୂଡାନ୍ତ ମତଦାନ ହାର ନିର୍ଣ୍ଣୟ କରାଯାଇଛି।

Comments are closed.