ଭାରିଯାନ ଧକ୍କାରେ ଭାଙ୍ଗିଲା ଇବ ସେତୁ ବାଡ଼

ବ୍ରଜରାଜନଗର: ଏକ ଅଜଣା ଭାରିଯାନ ଗାଡି ଧକ୍କାରେ ଶନିବାର ୪୯ ନମ୍ବର ଜାତୀୟ ରାଜପଥରେ ଥିବା ଇବ ସେତୁର ବାଡ଼ ଓ ଖମ୍ବ ଗୁଡିକ ଭାଙ୍ଗି ଯାଇ ବିପଜନକ ପରିସ୍ଥିତି ସୃଷ୍ଟି କରିଛି। ହେଲେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ଓଡ଼ିଶାର ଝାରସୁଗୁଡା ଓ ବ୍ରଜରାଜନଗର ଅଂଚଳକୁ ଛତିଶଗଡ଼ ରାଜ୍ୟର ରାୟଗଡ ସହିତ ଏହି ରାସ୍ତା ସଂଯୋଗ କରୁଥିବାରୁ ଦୈନିକ ଏହି ରାସ୍ତା ଦେଇ ଶହ ଶହ କୋଇଲା ଟ୍ରକ, ଶିଳ୍ପାନୁଷ୍ଠାନରେ ବ୍ୟବହୃତ ଯନ୍ତ୍ରାଂଶ ପରିବହନକାରୀ ଗାଡି, ବସ,  କାର ଆଦି ଚଳପ୍ରଚଳ କରିଥାଏ। ଇବ ସେତୁର ବିକଳ୍ପ ନ ଥିବାରୁ ଅନେକ ଥର ଇବ ନଦୀ ଉପରେ ଆଉ ଏକ ନୂତନ ସେତୁ ପାଇଁ ଦାବି ଉଠୁଛି। ହେଲେ ଆଜି ଯେଉଁ ଭଳି ଭାବରେ ଭାରିଯାନଟି ଇବ ସେତୁର ବାଡ଼କୁ ଧକ୍କା ଦେଇଛି ତାହା ପଥଚାରୀ ପାଇଁ ବିପଦ ଆଣିଦେଇଛି। ସେତୁର ଗୋଟିଏ ପଟ ପ୍ରାୟ ୧୫୦ ମିଟର ବାଡ଼ ଭାଙ୍ଗି ଯିବା ସହିତ ବିଶେଷ କରି ବାଇକ ଚାଳକଙ୍କ ପାଇଁ ବିପଦ ସୃଷ୍ଟି କରିଛି। ଗାଡି ଚାଳନାରେ ସାମାନ୍ୟ ଭାରସାମ୍ୟ ହରାଇଲେ ଗାଡି ଚାଳକ ସିଧା ନଦୀ ଭିତରକୁ ଖସି ପଡିବାରର ଯଥେଷ୍ଟ ସମ୍ଭାବନା ରହିଥିବା ଲୋକେ ଅଭିଯୋଗ କରୁଛନ୍ତି। ତେଣୁ ଶୀଘ୍ର ଏହାର ବିକଳ୍ପ ଓ ବର୍ତମାନ ଭଙ୍ଗା ବାଡ଼ ମରାମତି ପାଇଁ ଦାବି ଉଠିଛି।

Comments are closed.