ପଦ୍ମବିଭୂଷଣ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ବାସ ଭବନରୁ ମୃତ୍ତିକା ସଂଗ୍ରହ, ଯୋଗଦେଲେ ଖୋର୍ଦ୍ଧା ଜିଲାପାଳ

ରେଭେନ୍ସା ପୂର୍ବ ଛାତ୍ରାବାସର ଶତବାର୍ଷିକୀ

ଭୁବନେଶ୍ବର: ରେଭେନ୍ସା ବିଶ୍ବବିଦ୍ୟାଳୟର ପୂର୍ବ ଛାତ୍ରବାସ(ଇଷ୍ଟ ହଷ୍ଟେଲ) ଏହାର ଶତବାର୍ଷିକୀ ପାଳନ କରୁଛି । ଏହି ଐତିହାସିକ ଉତ୍ସବରେ ଇଷ୍ଟ ହଷ୍ଟେଲ ଆଲୁମିନି ଆସୋସିଏସନ ଏବଂ ଏହାର ଅନ୍ତେବାସୀମାନଙ୍କ ଦ୍ବାରା ଅନେକ ସୃଜନଶୀଳ ପଦକ୍ଷେପ ନିଆଯାଇଛି। ଏହିପରି ଏକ କାର୍ଯ୍ୟକ୍ରମ ହେଉଛି ‘ସ୍ମୃତିର ଷଠିଘର’। ଛାତ୍ରବାସର ପୂର୍ବତନ ତଥା ବର୍ତ୍ତମାନର ଅନ୍ତେବାସୀମାନଙ୍କୁ ଯୋଡ଼ିବାର ଏହି ପ୍ରୟାସର ଆରମ୍ଭ ହୋଇଛି। ପୂର୍ବତନ ତଥା ବର୍ତ୍ତମାନର ଅନ୍ତେବାସୀମାନଙ୍କ ଏକ ଦଳ ଆଜି ପୂର୍ବାହ୍ନରେ କବି, ଲେଖକ, ଗାଳ୍ପିକ ତଥା ନାଟ୍ୟକାର ପଦ୍ମଭୂଷଣ ଏବଂ ସାହିତ୍ୟ ଏକାଡେମୀ ସମ୍ମାନିତ କବି ସ୍ବର୍ଗତ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଏନ୍ତୁଡିଶାଳ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଅନ୍ତର୍ଗତ ବିଶ୍ବନାଥପୁର ସ୍ଥିତ ବାସଭବନ ପରିଦର୍ଶନ କରିଥିଲେ। ସ୍ବର୍ଗତ ପାଣିଗ୍ରାହୀଙ୍କ କାଳଜୟୀ ରଚନା ‘କେଉଁ ନାମ ଧରି ଡାକିବି ତୁମକୁ ତୁମେ ଯେ ସର୍ବ ନାମ’ ର ସେହି ପଂକ୍ତି ଉଚ୍ଚାରଣ କରି ତାଙ୍କର ସ୍ମୃତିକୁ ମନେପକାଇ ତାଙ୍କ ପବିତ୍ର ଜନ୍ମଭୂମି ପୂଜନ ସହ ମୃତ୍ତିକା ସଂଗ୍ରହ କରିଥିଲେ । ସଂଗୃହିତ ମୃତ୍ତିକା ବ୍ୟବହାର କରି ପୂର୍ବ ଛାତ୍ରବାସ ପ୍ରାଙ୍ଗଣରେ ଏକ ସ୍ମୃତିସ୍ତମ୍ଭ ସ୍ଥାପନା ସହ ସ୍ମୃତିବୃକ୍ଷ ରୋପଣ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ପ୍ରକ୍ରିୟାରେ ପୂର୍ବ ଛାତ୍ରବାସର ପୂର୍ବତନ ଅନ୍ୟ ବିଶିଷ୍ଟ ଅନ୍ତେବାସୀମାନଙ୍କ ଜନ୍ମଭୂମିରୁ ମୃତ୍ତିକା ସଂଗ୍ରହ ଅଭିଯାନ ଜାରି ରହିବ ।

ଏହି ମୃତ୍ତିକା ସଂଗ୍ରହ ଅଭିଯାନରେ ପୂର୍ବ ଛାତ୍ରବାସର ପୂର୍ବତନ ଅନ୍ତେବାସୀ ତଥା ଖୋର୍ଦ୍ଧା ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୃତ୍ତିକା ସଂଗ୍ରହ ପରିପ୍ରେକ୍ଷୀରେ ଏଠାରେ ଭୂମି ପୂଜନ ପୂର୍ବକ ସ୍ବର୍ଗତ ପାଣିଗ୍ରାହୀଙ୍କ ସ୍ମୃତିରେ ପ୍ରଦୀପ ପ୍ରଜ୍ଜଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ଅନ୍ତୋବାସୀ ଶଶାଙ୍କ ଶେଖର ରାଉତ, ଶୁଭ୍ରାଂଶୁ ମିଶ୍ର, ସନ୍ତୋଷ ସେଠୀ , ଅମିତ ସାହୁ , ସୁମ୍ରିତ ଶୁଭ୍ରମାନ ବିଶ୍ବାଳ, ଦିବ୍ୟ ରଞ୍ଜନ ଦୀପ, ଉମେଶ ଗଡ ନାୟକ, ଆଶିଷ ଚୌଧରୀ, ଇଷ୍ଟ ଆଲୁମିନି ଆସୋସିଏସନର ସାଧାରଣ ସମ୍ପାଦକ ପ୍ରତାପ ମହାନ୍ତି , ବିତ୍ତ ସମ୍ପାଦକ ସ୍ବାଗତ ମେହେର ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ‘ସ୍ମୃତିର ଷଠିଘର’ କାର୍ଯ୍ୟକ୍ରମର ତତ୍ତ୍ବାବଧାରକ ସମ୍ବିତ ତ୍ରିପାଠୀ, ବର୍ତ୍ତମାନର ଅନ୍ତେବାସୀ ସିପୁନ କୁମାର ସାହୁ , ସ୍ବସ୍ତିକ ଆର୍ୟ୍ୟ , ହୃଦୟ ରଞ୍ଜନ ସେଠୀ , ଶିଶିର କୁମାର ବିଶ୍ବାଳ, ଆଶୀର୍ବାଦ ପାଣ୍ଡେ, ଗୌରବ ମଲ୍ଲିକ, ମିତଲ ବେହେରା, ମନୋରଞ୍ଜନ ବେହେରା ପ୍ରମୁଖ ଯୋଗ ଦେଇଥିଲେ।

Comments are closed.