ଚୀନରେ ଭୂକମ୍ପ: ୧୧ ମୃତ, ୧୨୨ ଆହତ

ବେଜିଂ: ଚୀନର ସିଚୁଆନ ପ୍ରଦେଶରେ ସୋମବାର ରାତି ଏବଂ ମଙ୍ଗଳବାର ଭୋର ସମୟରେ ୨ଟି ଭୂକମ୍ପ ସୃଷ୍ଟି ହୋଇଛି। ଏହି ଭୂମିକମ୍ପ ଝଟକାରେ ଘରଦ୍ବାର ଭାଙ୍ଗି ୧୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୨୨ ଜଣ ଆହତ ହୋଇଛନ୍ତି। ଚୀନର ଭୂକମ୍ପ କେନ୍ଦ୍ର ସିଇଏନସି ରିପୋର୍ଟ ଅନୁସାରେ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୦ ରହିଥିଲା। ସ୍ଥାନୀୟ ସମୟ ଅନୁସାରେ ସୋମବାର ରାତି ପ୍ରାୟ ୧୦ଟା ୫୫ ମିନିଟରେ ଇବିନ ସହରର ଚାଙ୍ଗିଙ୍ଗ ଅଞ୍ଚଳରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଏହାପରେ ମଙ୍ଗଳବାର ଭୋର ସମୟରେ ୫.୩ ତୀବ୍ରତାର ଆଉ ଏକ ଝଟକା ଲାଗିଥିଲା।

ସିଚୁଆନ ପ୍ରଦେଶର ରାଜଧାନୀରେ ପ୍ରାକ୍‌ ସତର୍କତା ପଦ୍ଧତି ଜରିଆରେ ଭୂକମ୍ପ ଅନୁଭୂତ ହେବାର ପାଖାପାଖ ୧ ମିନିଟ ପୂର୍ବରୁ ଆଲାର୍ମ ବାଜିଥିଲା। ଠିକ୍‌ ୧ ମିନିଟ ପରେ ଭୂକମ୍ପର ଏକ ବଡ଼ ଝଟ୍‌କା ଅନୁଭୂତ ହୋଇଥିଲା। ଜରୁରିକାଳୀନ ପରିଚାଳନା ମନ୍ତ୍ରଣାଳୟର ପ୍ରାଦେଶିକ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏଥିରେ ଦମକଳ ବିଭାଗର ୬୩ଟି ଗାଡ଼ି ଏବଂ ୩୦୨ ଜଣ ଉଦ୍ଧାରକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି।

Comments are closed.