ଭୂକମ୍ପ ଜୋନ୍‍ ୩ରେ ଓଡ଼ିଶାର ୭ ସହର; ବିପଦରେ ୩୩% ଅଞ୍ଚଳ

ଭୁବନେଶ୍ୱର : ଚଳିତ ବର୍ଷ ଦେଶର ବିଭିନ୍ନ ସ୍ଥାନରେ ପାଖାପାଖି ୪୦୦ଥର ଏବଂ ଓଡ଼ିଶାରେ ୩ଟି ଭିନ୍ନ ଭିନ୍ନ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ଜୁନ ୨୨ରେ ରାୟଗଡ଼ା, ଅଗଷ୍ଟ ୮ ରେ ଗଞ୍ଜାମ ଓ ଡ଼ିସେମ୍ବର ୪ ରେ ମୟୂରଭଞ୍ଜର କିଛି ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିଲା ମାତ୍ର ଏହାର ତୀବ୍ରତା ରିଚର ସ୍କେଲରେ ୩ ମଧ୍ୟରେ ଥିବାରୁ ଓ ସ୍ବଳ୍ପ ସମୟ ପାଇଁ ଅନୁଭୂତ ହୋଇଥିବାରୁ ଏହା କୌଣସି କ୍ଷୟକ୍ଷତି ଘଟାଇ ନାହିଁ । ଏହା ଯେତିକି ଆଶ୍ବସ୍ତି ଦେଇଛି, ଭବିଷ୍ୟତ ପାଇଁ ସେତିକି ସତର୍କ କରାଇଦେଇଛି।
ଅନୁସନ୍ଧାନରୁ ଜଣାପଡ଼ିଛି ଯେ ରାଜ୍ୟର ୯ଟି ପ୍ରଥମଶ୍ରେଣୀ ସହର ମଧ୍ୟରୁ ଭୂକମ୍ପ ଜୋନରେ ୭ଟି ସହର ଓ ଏହାର ସନ୍ନିକଟ ଅଞ୍ଚଳ ଅତି ସମ୍ବେଦନଶୀଳ ଅଞ୍ଚଳ ଭାବରେ ଚିହ୍ନଟ କରାଯାଇଛି । ୨୦୧୧ ଜନସଂଖ୍ୟା ଆଧାରରେ ପ୍ରଥମ ଶ୍ରେଣୀ ସହର କୁହାଯାଉଥିବା ଭୁବନେଶ୍ବର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ପୁରୀ, ବାଲେଶ୍ବର, ବାରିପଦା, ଭଦ୍ରକ ମଧ୍ୟରୁ କେବଳ ବାରିପଦା ଓ ରାଉରକେଲାକୁ ବାଦ ଦେଇ ଅବଶିଷ୍ଟ ସମସ୍ତ ୭ ସହର ଭୂକମ୍ପପ୍ରବଣ ଅଞ୍ଚଳ ମଧ୍ୟରେ ରହିଛି । ଏହାବ୍ୟତୀତ ପାରାଦ୍ବୀପ, ଅନୁଗୋଳ, ଢ଼େଙ୍କାନାଳ, ବରଗଡ଼ ମଧ୍ୟ ଏହି ସ୍ପର୍ଶକାତର ଅଞ୍ଚଳ ମଧ୍ୟରେ ଆସୁଛି।
୨୦୨୦ରେ ଭାରତରେ ଯେତେଥର ଭୂକମ୍ପ ଅନୁଭୂତ ହୋଇଛି ସେଥିମଧ୍ୟରେ ମାତ୍ର ଗୋଟିଏ ଅତି ତୀବ୍ର ଭାବରେ ଅନୁଭୂତ ହୋଇଛି। ସେହିପରି ରିଚର ସ୍କେଲରେ ୫ରୁ୬ ମଧ୍ୟରେ ୧୩ଥର, ରିଚରସ୍କେଲରେ ୪ରୁ-୫ ତୀବ୍ରତାରେ ୧୧୫ ଥର ଅନୁଭୂତ ହୋଇଛି । ପ୍ରାୟ ୯୮ଥର ୨ରୁ ୩ ତୀବ୍ରତା ଓ ୧୪୩ଥର ୩ରୁ ୪ ତୀବ୍ରତା ରେକର୍ଡ଼ କରାଯାଇଛି।
କିଛି ବର୍ଷ ମଧ୍ୟରେ ସମ୍ବେଦନଶୀଳ କୁହାଯାଉଥିବା ବ୍ରାହ୍ମଣୀ ଓ ମହାନଦୀ ଉପତ୍ୟକାରେ କୌଣସି ଭୂକମ୍ପ ଅନୁଭୂତ ହୋଇ ନଥିଲେ ମଧ୍ୟ ଯେକୌଣସି ସମୟରେ ଏ ପ୍ରକାର ସ୍ଥିତି ସୃଷ୍ଟି ଆଶଙ୍କା ଅମୂଳକ ବୋଲି କୁହାଯାଇ ପାରିବ ନାହିଁ। ପୂର୍ବରେ ପାରାଦ୍ବୀପଠାରୁ ଆରମ୍ଭ କରି ​‌େ‌ଦ୍ବୖତ୍ବନଗରୀ ଭୁବନେଶ୍ବର-କଟକ, ଅନୁଗୋଳ, ଢ଼େଙ୍କାନାଳ ବାଟ ଦେଇ ସମ୍ବଲପୁର ପର୍ଯ୍ୟନ୍ତ ଭୂଗର୍ଭ ଫଲ୍ଟ ଲାଇନ ସ୍ଖଳନ ନେଇ ଆଶଙ୍କା ଦିନକୁ ଦିନ ବଢ଼ିବାରେ ଲାଗିଛି ।
ସହରାଞ୍ଚଳରେ ଭୂତଳ ଜଳ ଉତ୍ତୋଳନ, ଅତ୍ୟୁଚ୍ଚ ଅଟ୍ଟାଳିକା ନିର୍ମାଣ, ଭୂଗର୍ଭ ଖଣିରୁ କୋଇଲା ଉତ୍ତୋଳନ କରାଯିବା ପରେ ତାହାକୁ ବାଲି ବା ପାଉଁଶ ଭର୍ତ୍ତି କରା ନ ଯିବା ଭୂକମ୍ପ ଆଶଙ୍କା ଅଧିକ ରହିଛି। କେନ୍ଦ୍ର ସରକାରଙ୍କ ବିଏମ୍‍ଟିପିସି (ବିଲ୍‍ଡ଼ିଂ ମେଟେରିଆଲ୍‍ସ ଏଣ୍ଡ ଟେକ୍‍ନୋଲୋଜି ପ୍ରମୋସନ କାଉନସିଲ)ଦ୍ୱାରା ପ୍ରସ୍ତୁତ ନକ୍ସା ଅନୁସାରେ ଭୂକମ୍ପ ବେଳେ ଜୋନ୍‍ ୨ ଅଞ୍ଚଳରେ ସ୍ୱଳ୍ପ କ୍ଷତି ହେଉଥିବା ବେଳେ ଜୋନ୍‍ ୩ରେ ମଧ୍ୟମ, ଜୋନ୍‍ ୪ରେ ଅଧିକ ଓ ଜୋନ୍‍ ୫ରେ ଅତ୍ୟଧିକ କ୍ଷତିର ଆଶଙ୍କା ଥାଏ। ଓଡ଼ିଶାର ୯ଟି ବଡ଼ ସହର ମଧ୍ୟରୁ ୭ଟି ସହର ଭୂକମ୍ପ ଜୋନ୍‍ ୩ ଅଞ୍ଚଳରେ ରହିଛି। ତେବେ ଭୂମିକମ୍ପ ହେଲେ ଅନ୍ୟ ସହର ତୁଳନାରେ ଭୁବନେଶ୍ୱରରେ କ୍ଷୟକ୍ଷତି ସର୍ବାଧିକ ହୋଇପାରେ ବୋଲି ଜିଏଚ୍‍ଆର୍‍ସି ଆଶଙ୍କା କରିଛି।
ଅନୁରୂପ ଭାବରେ ରତିରଞ୍ଜନ ଜେନା, ବିଶ୍ବଜିତ୍ ପ୍ରଧାନ ଓ ଅବଦୁଲ୍ଲା ଏମ୍ ଆଲାମରି ନାମକ ୩ ଜଣ ଭୂ ବୈଜ୍ଞାନିକଙ୍କ ଦ୍ବାରା ଗତ ଅଗଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ‘ଆର୍ଥ​‌େ​‌କ୍ବକ୍ ପ୍ରୋବାବିଲିଟି ଏଷ୍ଟିମେସନ ୟୁଜିଂ ରିକରେଣ୍ଟ ନେଚୁରାଲ ନେଟୱର୍କ (ଆରଏନଏନ୍) ମଡ଼େଲ ଇନ୍ ଓଡ଼ିଶା’ ଅନୁସାରେ ରାଜ୍ୟର ୪୮,୯୦୦ ବର୍ଗ କିଲୋମିଟର ଅଞ୍ଚଳ (ରାଜ୍ୟର ମୋଟ ଅଞ୍ଚଳର ୩୧.୪%) ଭୂକମ୍ପପ୍ରବଣ ବା ଅତି ସମ୍ବେଦନଶୀଳ ଅଞ୍ଚଳରେ ରହିଛି । ସେହିପରି ୨.୦୬% (୩୨୦୪ ବର୍ଗକିଲୋମିଟର) ଅଞ୍ଚଳ ସମ୍ବେଦନଶୀଳ ରହିଛି। ତେବେ ଅବଶିଷ୍ଟ ଅଞ୍ଚଳରେ ଭୂକମ୍ପ ନେଇ ସେତେ ବିପଦ ନାହିଁ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Comments are closed.