MEllora 950×100

ଏବେ ଓଲଟା ଦିଗରେ ବୁଲୁଛି ପୃଥିବୀର ଅଭ୍ୟନ୍ତରୀଣ ଅଂଶ

ଜେନେଭା: ପୃଥିବୀର ଆଭ୍ୟନ୍ତରୀଣ କେନ୍ଦ୍ରସ୍ଥଳ ନିକଟରେ ଘୂରିବା ବନ୍ଦ କରିଦେଇଛି। କେବଳ ସେତିକି ନୁହେଁ, ଏହା ତାହାର ଦିଗ ବଦଳାଇ ବିପରୀତ ଦିଗରେ ଘୂରିବା ଆରମ୍ଭ କରିଛି। ଏକଥା ସମ୍ପ୍ରତି କରାଯାଇଥିବା ଏକ ବୈଜ୍ଞାନିକ ଅଧ୍ୟୟନରୁ ଜଣାଯାଇଛି। ବିଜ୍ଞାନ ଭାଷାରେ ଭୂତ୍ୱକ୍‌‌ (କ୍ରଷ୍ଟ), ଆବରଣ (ମାଣ୍ଟଲ୍‌‌) ଏବଂ ଆଭ୍ୟନ୍ତରୀଣ କେନ୍ଦ୍ରସ୍ଥଳ (କୋର୍‌‌) ତିନିଟି ଆସ୍ତରଣ ବର୍ଗ ଗଠନ କରିଛି, ଯାହା ସମ୍ମିଳିତ ଭାବରେ ପୃଥିବୀ ଗଠନ କରିଛି। ଭୂକମ୍ପରୁ ସୃଷ୍ଟି ହେଉଥିବା କମ୍ପନ ସମ୍ପର୍କିତ ଅଧ୍ୟୟନ ଜରିଆରେ ପୃଥିବୀର ଆଭ୍ୟନ୍ତରୀଣ କେନ୍ଦ୍ରସ୍ଥଳକୁ ପ୍ରଥମେ ୧୯୩୬ରେ ଚିହ୍ନଟ କରାଯାଇଥିଲା। ଏହାର ପ୍ରସ୍ଥ ପ୍ରାୟ ୭ହଜାର କିଲୋମିଟର ଏବଂ ଏହା ମୁଖ୍ୟତଃ ତରଳ ଲୌହ ଆସ୍ତରଣକୁ ନେଇ ଗଠିତ ଯାହା ଏକ କଠିତ ଲୌହ ମୂଳପିଣ୍ଡ ଚାରିପଟେ ଘେରି ରହିଛି। ୧୯୯୬ରେ କରାଯାଇଥିବା ଏକ ଗବେଷଣାରୁ ଜଣାଯାଇଛି ଯେ ଏହାର ପୂର୍ବ ତିନି ଦଶନ୍ଧିରେ ପୃଥିବୀ ପୃଷ୍ଠରେ ଅନୁଭୂତ ଭୂକମ୍ପ ତରଙ୍ଗଗୁଡିକ ତାହାର ଆଭ୍ୟନ୍ତରୀଣ ଉତ୍ପତ୍ତି ସ୍ଥଳରୁ ପୃଥିବୀର ଆଭ୍ୟନ୍ତରୀଣ କେନ୍ଦ୍ରସ୍ଥଳ ଦେଇ ସ୍ଥାନାନ୍ତରିତ ହେବା ନିମନ୍ତେ ସାମାନ୍ୟ ଅଧିକ ସମୟ ନେଇଛି ଏବଂ ଏହା ଉକ୍ତ ସମୟରେ ନିରନ୍ତର ଭାବରେ ପରିବର୍ତ୍ତନ ଘଟିଚାଲିଛି। ଆଭ୍ୟନ୍ତରୀଣ କେନ୍ଦ୍ରସ୍ଥଳର ଘୂର୍ଣ୍ଣନ ବର୍ଷକୁ ଆବରଣ ଓ ଭୂତ୍ୱକ୍‌‌ ସ୍ତର ତୁଳନାରେ ପ୍ରାୟ ୧ ଡିଗ୍ରୀ ଅଧିକ ରହିଛି।

ଗବେଷକମାନଙ୍କର ଦୀର୍ଘ ବର୍ଷର ବିଶ୍ୱାସ ଯେ ପୃଥିବୀର ଆଭ୍ୟନ୍ତରୀଣ କେନ୍ଦ୍ରସ୍ଥଳ ଏକ ଦୋଳି ଭଳି ଆଗକୁ ଯାଏ ଏବଂ ପୁଣି ପଛକୁ ଫେରେ। ଏହାକୁ ଏକ ପୂର୍ଣ୍ଣ ଘୂର୍ଣ୍ଣନ କୁହାଯାଏ। ଏକ ପୂର୍ଣ୍ଣ ଘୂର୍ଣ୍ଣନ ନିମନ୍ତେ ପ୍ରାୟ ୭୦ବର୍ଷ ଲାଗିଥାଏ। ଅର୍ଥାତ୍‌‌ ଏହା ୩୫ ବର୍ଷରେ ଦିଗ ପରିବର୍ତ୍ତନ କରେ। ଥରେ ଗୋଟିଏ ଦିଗରେ ୩୫ବର୍ଷ ଆଗକୁ ବଢ଼଼ିଲେ ପୁଣି ଦିଗ ବଦଳାଇବାକୁ ଏହା ୩୫ ବର୍ଷ ନେଇଥାଏ। ପୂର୍ବରୁ ଏହା ୧୯୭୦ ଦଶକରେ ଦିଗ ପରିବର୍ତ୍ତନ କରିଥିଲା। ପୁନଶ୍ଚ ୨୦୪୦ରେ ଏହାର ଘୂର୍ଣ୍ଣନ ଦିଗ ବଦଳିବା ଅନୁମାନ କରାଯାଉଛି। ବୈଜ୍ଞାନିକ ଗବେଷଣା ତଥ୍ୟ ଅନୁଯାୟୀ ପୃଥିବୀର ଆଭ୍ୟନ୍ତରୀଣ କେନ୍ଦ୍ରସ୍ଥଳ ୨୦୦୯ରେ ଘୂରିବା ବନ୍ଦ କରିଦେଇଥିଲା ଏବଂ ତାହାପରେ ଏହା ଦିଗ ପରିବର୍ତ୍ତନ କରୁଛି। ପେକିଂ ୟୁନିଭରସିଟିରେ କରାଯାଇଥିବା ଏ ସମ୍ପର୍କିତ ଅଧ୍ୟୟନ ସମ୍ପର୍କିତ ରିପୋର୍ଟ ନେଚର୍‌‌ ଜିଓସାଇନ୍ସରେ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଦିନର ଅବଧିରେ ହ୍ରାସ ବୃଦ୍ଧି ଦ୍ୱାରା ପୃଥିବୀ କେନ୍ଦ୍ରସ୍ଥଳ ଘୂର୍ଣ୍ଣନ ପ୍ରଭାବିତ ହେଉଛି ଏବଂ ପୃଥିବୀ ତାହାର କକ୍ଷ ପଥରେ ଘୂରିବାକୁ ଯେତିକି ସମୟ ନେଉଛି ସେଥିରେ ହୁଏତ ସାମାନ୍ୟ ପରିବର୍ତ୍ତନ ଘଟିପାରେ। ତେବେ ପୃଥିବୀ ଆଭ୍ୟନ୍ତରୀଣ କେନ୍ଦ୍ରସ୍ଥଳ ଘୂର୍ଣ୍ଣନରେ ପରିବର୍ତ୍ତନ ଦ୍ୱାରା ଭୂପୃଷ୍ଠରେ ବାସ କରୁଥିବା ଜୀବଜନ୍ତୁ ଓ ମଣିଷଙ୍କ ଉପରେ କିଭଳି ପ୍ରଭାବ ପଡ଼ିବ ସେ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ମିଳିନାହିଁ।

Comments are closed.