ଆସନ୍ତା ମାସରୁ ପ୍ରଶାସନିକ ସଂସ୍କାର: ଏଣିକି ଇ-ନଥି ଓ ଇ-ଅଫିସ

ନୂଆଦିଲ୍ଲୀ: ଭାରତ ସରକାର ବଡ଼ ଧରଣର ପ୍ରଶାସନିକ ସଂସ୍କାର ଆଣିବାକୁ ଯାଉଛନ୍ତି। ଆସନ୍ତା ମାସରୁ ଏହା କାର୍ଯ୍ୟକାରୀ ହେବା ସମ୍ଭାବନା ରହିଛି। ଏହି ସଂସ୍କାର ଅନୁଯାୟୀ, କୌଣସି ନଥି ଚାରି ହାତରୁ ଅଧିକ ହେବ ନାହିଁ; ଅର୍ଥାତ୍‌ ସର୍ବାଧିକ ଚାରି ଅଧିକାରୀଙ୍କ ମଧ୍ୟରେ ବା ଚଟି ସ୍ତରରେ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ପୂର୍ବରୁ ନଥିଗୁଡ଼ିକର ଗତି ଖୁବ୍‌ ଧୀର ଥିଲା। ଏଗୁଡ଼ିକ ପ୍ରାୟ ୬ରୁ ୭ ସ୍ତର ଦେଇ ଯାଉଥିଲା। ଏମିତି କି ୧୦ରୁ ୧୨ ସ୍ତରରେ ମଧ୍ୟ ଏହା ବେଳେବେଳେ ପହଞ୍ଚିଯାଉଥିଲା। ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଏହାକୁ ହ୍ରାସ କରିବା ଉଦ୍ୟମ ଚଳାଇଛନ୍ତି। ନଥିଗୁଡ଼ିକର ଗତି କ୍ଷୀପ୍ର କରାଯିବା ସହ ଇ-ନଥି ଉପରେ ତାଙ୍କ ସରକାର ଗୁରୁତ୍ବାରୋପ କରୁଛି।

ମୋଟ ୮୪ ମନ୍ତ୍ରଣାଳୟ ବା ବିଭାଗ ମଧ୍ୟରୁ ୫୮ଟିରେ ନଥିଗୁଡ଼ିକ କେମିତି ଶୀଘ୍ର ଫଇସଲା ହେବ ସେଥିପ୍ରତି ଗୁରୁତ୍ବ ଦିଆଯାଉଛି। ସମସ୍ତେ ଇ-ନଥି କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି। ଏତଦ୍‌ ବ୍ୟତୀତ ସରକାର ଇ-କାର୍ଯ୍ୟାଳୟ ବା ଇ-ଅଫିସ କାର୍ଯ୍ୟକାରୀ କରିବା ଉଦ୍ୟମ ଚଳାଇଛନ୍ତି। ଏଥିପାଇଁ ଅଦ୍ୟାବଧି ୩୨ହଜାର ଇ-ନଥି ପ୍ରସ୍ତୁତ ହୋଇସାରିଲାଣି। ଏହାକୁ ମିଶାଇ ଇ-ନଥି ସଂଖ୍ୟା ୨୫ ଲକ୍ଷ ଅତିକ୍ରମ କରି ୨୭ ଲକ୍ଷରେ ପହଞ୍ଚିଲାଣି। ଏହାଦ୍ବାରା ସରକାରୀ କ୍ଷେତ୍ରରେ ନିଷ୍ପତ୍ତି ତ୍ବରାନ୍ବିତ ହେବ ଓ ଉଭୟ ସରକାର ତଥା ଜନସାଧାରଣ ଉପକୃତ ହେବେ। ଏହି ସଫଳତା ପାଇବା ପାଇଁ ଗତ ୬ ବର୍ଷ ମଧ୍ୟରେ ସରକାରୀ ସ୍ତରରେ ୩୦୦ରୁ ଅଧିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇସାରିଲାଣି।

Comments are closed.