ଶେଷ ବଲ୍‌ରେ ଛକା ; ରାଜସ୍ଥାନକୁ ହରାଇଲା ସନ୍‌ରାଇଜର୍ସ

ଜୟପୁର : ରବିବାର ଆଇପିଏଲ୍‌ ମ୍ୟାଚ୍‌ର ନାଟକୀୟ ଅନ୍ତଃ ଘଟିଛି। ଶେଷ ବଲ୍‌ରୁ ୫ ରନ୍‌ ଆବଶ୍ୟକ ଥିବା ବେଳେ ସନ୍‌ରାଇଜର୍ସ ହାଇଦରାବାଦର ଅବ୍‌ଦୁଲ ସମାଦ୍‌ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ହେଲେ ଏହ ନୋ’ବଲ୍‌ ଥିବାରୁ ସନ୍‌ରାଇଜର୍ସ ପୁନର୍ଜୀବନ ପାଇଥିଲା। ଶେଷ ବଲ୍‌ରେ ଛକାମାରି ରାଜସ୍ଥାନ ରୟାଲ୍‌ସ ବିପକ୍ଷରେ ସମାଦ୍‌ ସନ୍‌ରାଇଜର୍ସ ଦଳକୁ ୪ ୱିକେଟରେ ରୋମାଞ୍ଚକର ବିଜୟ ଦେଇଛନ୍ତି। ଜୋସ୍ ବଟ୍‌ଲରଙ୍କ ୯୫ ଓ ସଞ୍ଜୁ ସାମ୍‌ସନଙ୍କ ଅପରାଜିତ ୬୬ ରନ୍‌ ବଳରେ ରାଜସ୍ଥାନ ରୟାଲ୍‌ସ ପ୍ରଥମେ ବ୍ୟାଟିଂକରି ୨ ୱିକେଟରେ ୨୧୪ ରନ୍‌ କରିଥିଲା। ଅଭିଷେକ ଶର୍ମା ଓ ରାହୁଲ ତ୍ରିପାଠୀଙ୍କ ଲଢ଼ୁଆ ଇନିଂସ ଏବଂ ଗ୍ଲେନ୍‌ ଫିଲିପ୍‌ସ, ହେନ୍‌ରିକ୍ କ୍ଲାସେନ୍‌ ଓ ଅବ୍‌ଦୁଲ ସମାଦ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଶେଷ ବଲ୍‌ରେ ୬ ୱିକେଟ ହରାଇ ସନ୍‌ରାଇଜର୍ସ ଜିତିଥିଲା। ସନ୍‌ରାଇଜର୍ସ ୧୦ମ ମ୍ୟାଚ୍‌ରେ ୪ର୍ଥ ବିଜୟ ହାସଲ କରିଛି। ରାଜସ୍ଥାନ ୧୧ଶ ମ୍ୟାଚ୍‌ରେ ୬ଷ୍ଠ ପରାଜୟ ଭୋଗିଛି।
ସନ୍‌ରାଇଜର୍ସ ହାଇଦରାବାଦ ୨୧୫ ରନ୍‌ର ପିଛା କରିଥିବା ବେଳେ ଓପ୍‌ନିଂ ଯୋଡ଼ି ୬ ଓଭରରେ ୫୧ ରନ୍‌ କରିଥିଲା। ଅନ୍‌ମୋଲପ୍ରୀତ ସିଂହ ୨୫ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୩ ରନ୍‌ ଆଉଟ୍‌ ହୋଇଥିଲେ। ଅଭିଷେକ ଶର୍ମା ଓ ରାହୁଲ ତ୍ରିପାଠୀ ୬୫ ରନ୍‌ ଯୋଡ଼ିଥିଲେ। ଅଭିଷେକ ୩୪ ବଲ୍‌ରୁ ୨ଟି ଛକା ଓ ୫ଟି ଚୌକା ସହ ୫୫ ରନ୍‌ କରିଥିଲେ। ତ୍ରିପାଠୀ ଓ ହେନ୍‌ରିକ୍ କ୍ଲାସେନ୍‌ ୩ୟ ୱିକେଟ ପାଇଁ ୧୯ ବଲ୍‌ରୁ ୪୧ ରନ୍‌ ଯୋଡ଼ିଥିଲେ। କ୍ଲାସେନ୍‌ ମାତ୍ର ୧୨ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୬ ରନ୍‌କରି ଆଉଟ୍‌ ହୋଇଥିଲେ। ରାହୁଲ ତ୍ରିପାଠୀ ୨୯ ବଲ୍‌ରୁ ୩ଟି ଛକା ଓ ୨ଟି ଚୌକା ସହ ୪୭ ରନ୍‌କରି ଆଉଟ୍‌ ହୋଇ ଯାଇଥିଲେ। ଅଧିନାୟକ ଐଡେନ ମାର୍କରାମ ୬ ରନ୍‌ କରିଥିଲେ। ୧୯ଶ ଓଭରରୁ କ୍ରମାଗତ ୪ଟି ବଲ୍‌ରେ ୩ଟି ଛକା ଓ ଗୋଟିଏ ଚୌକାମାରି ପରବର୍ତ୍ତୀ ବଲ୍‌ରେ ଗ୍ଲେନ୍‌ ଫିଲିପ୍‌ସ ଆଉଟ୍‌ ହୋଇଥିଲେ। ନ୍ୟୁଜିଲାଣ୍ଡର ଫିଲିପ୍‌ସ ୭ ବଲ୍‌ରୁ ୨୫ ରନ୍‌ କରିଥିଲେ। ଶେଷ ଓଭରରୁ ୧୭ ରନ୍‌ ଆବଶ୍ୟକ ଥିଲା। ପ୍ରଥମ ବଲ୍‌ରେ କ୍ୟାଚ୍‌ ହାତଛଡ଼ା ହୋଇଥିବା ବେଳେ ୨ ରନ୍‌ ହୋଇଥିଲା। ୨ୟ ବଲ୍‌ରୁ ଛକା ହୋଇଥିଲା। ପରବର୍ତ୍ତୀ ୩ ବଲ୍‌ରୁ ୪ ରନ୍‌ ହୋଇଥିବା ବେଳେ ଶେଷ ବଲ୍‌ରୁ ୫ ରନ୍‌ ଆବଶ୍ୟକ ଥିଲା। ହେଲେ ସମାଦ୍‌ କ୍ୟାଟ୍‌ ଆଉଟ୍‌ ହୋଇଥିଲେ ହେଁ ସନ୍ଦୀପ ଶର୍ମା ନୋବଲ୍‌ ପକାଇଥିଲେ। ଫଳରେ ଶେଷ ବଲ୍‌ରେ ୪ ରନ୍‌ ଆବଶ୍ୟକ ଥିଲା। ଅବ୍‌ଦୁଲ ସମାଦ୍‌ ଛକାମାରି ଜିତାଇଥିଲେ। ସମାଦ୍‌ ୭ ବଲ୍‌ରୁ ୨ଟି ଛକା ସହ ୧୭ ରନ୍‌କରି ଅପରାଜିତ ଥିଲେ। ଚହଲ ୪ଟି ୱିକେଟ ନେଇଥିଲେ। ଗ୍ଲେନ୍‌ ଫିଲିପ୍‌ସ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ।
ଟସ୍ ଜିତି ରାଜସ୍ଥାନ ରୟାଲ୍‌ସ ବ୍ୟାଟିଂ କରିଥିଲା। ଯଶସ୍ବୀ ଜୟସୱାଲ ଓ ଜୋସ୍‌ ବଟ୍‌ଲର ୫ ଓଭରରେ ୫୪ ରନ୍‌ର ଭାଗିଦାରୀ କରିଥିଲେ। ଯଶସ୍ବୀ ୧୮ ବଲ୍‌ରୁ ୨ଟି ଛକା ଓ ୫ଟି ଚୌକା ସହ ୩୫ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ବଟ୍‌ଲର ଓ ଅଧିନାୟକ ସଞ୍ଜୁ ସାମ୍‌ସନଙ୍କ ମଧ୍ୟ‌େ‌ର ମାରାଥନ୍ ଭାଗିଦାରୀ ହୋଇଥିଲା। ଜୋସ୍ ବଟ୍‌ଲର ଓ ସଞ୍ଜୁ ସାମ୍‌ସନ ୨ୟ ୱିକେଟ ପାଇଁ ଆକ୍ରମଣ କରି ୮୧ ବଲ୍‌ରୁ ୧୩୮ ରନ୍‌ ଯୋଗ କରିଥିଲେ। ୫ ରନ୍‌ ପାଇଁ ଶତକରୁ ବଞ୍ଚିତ ହୋଇଥିବା ଇଂଲଣ୍ଡର ଜୋସ୍‌ ବଟ୍‌ଲର ୫୯ ବଲ୍‌ରୁ ୪ଟି ଛକା ଓ ୧୦ଟି ଚୌକା ସହ ୯୫ ରନ୍‌କରି ଆଉଟ୍‌ ହୋଇଥିଲେ। ବିସ୍ଫୋରକ ଇନିଂସ ଖେଳିଥିବା ସଞ୍ଜୁ ସାମ୍‌ସନ ୩୮ ବଲ୍‌ରୁ ୫ଟି ଛକା ଓ ୪ଟି ଚୌକା ସହ ୬୬ ରନ୍‌କରି ଅପରାଜିତ ରହିଥିଲେ।

Comments are closed.