କାନ୍ଦିଲେ ଦୂତି, ୫ କୋଟିର ମାନହାନି ମକଦ୍ଦମା

କଟକ: ଟୋକିଓ ଅଲିମ୍ପିକ୍‌ସ ଚାଲିଥିବା ସମୟରେ ସାମାଜିକ ଗଣମାଧ୍ୟମରେ ଅଲିମ୍ପିଆନ ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କ ପରିବାରକୁ ନେଇ ନକାରାତ୍ମକ ଖବର ପ୍ରସାରଣ ହୋଇଥିଲା। ଦୂତି ଏହାକୁ ଦୃଢ ବିରୋଧ କରିଛନ୍ତି। ଟୋକିଓ ଅଲିମ୍ପିକ୍‌ସରୁ ଫେରିବା ପରେ ଦୂତି ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ। ଏଥିରେ ଦୂତି କହିଛନ୍ତି, ମୋର ୧୦୦ ମିଟର ଦୌଡ଼ ଶେଷ ହେବା ପରେ ମୁଁ ଅଗଷ୍ଟ ୨ରେ ମୋର ୨୦୦ ମିଟର ଦୌଡ଼ ପାଇଁ ପ୍ରସ୍ତୁତ ହେଉଥାଏ। ଜୁଲାଇ ୩୧ରେ ସାମାଜିକ ଗଣମାଧ୍ୟମରେ ମୁଁ ପରିବାରକୁ କୌଣସି ସାହାଯ୍ୟ କରୁନାହିଁ ବୋଲି ଖବର ପ୍ରସାରଣ ହେଲା। ମୁଁ ପରିବାର ପ୍ରତି କ’ଣ ସାହାଯ୍ୟ କରିଛି; ମୁଁ ଜାଣିଛି। ଆବଶ୍ୟକ ସ୍ଥଳେ ମୁଁ ପ୍ରମାଣ ଦେବି ବୋଲି ଦୂତି କହିଛନ୍ତି। ସେମାନେ ମୋ ସହିତ ମୋର ପ୍ରଶିକ୍ଷକ ଓ ପୃଷ୍ଠପୋଷକଙ୍କୁ ମଧ୍ୟ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ଏହାଦ୍ବାରା ସେମାନଙ୍କର କିଛି କ୍ଷତି ହେବନାହିଁ। ଭବିଷ୍ୟତରେ ମୁଁ ଅଧିକ କ୍ଷତିଗସ୍ତ ହେବାର ସମ୍ଭାବନା ରହିଛି ବୋଲି ଦୂତି କହିଛନ୍ତି। ଆଜି ପର୍ଯ୍ୟନ୍ତ ବିଶ୍ବରେ କିମ୍ବା ଭାରତବର୍ଷରେ କୌଣସି ଅଲିମ୍ପିଆନଙ୍କ ବିରୁଦ୍ଧରେ କେହି କେବେ ନକାରାତ୍ମକ ମନ୍ତବ୍ୟ ଦେଇନଥିବେ।

ଦୁଃଖର ବିଷୟ ମୁଁ ଅଲିମ୍ପିକ୍‌ସରେ ଦୌଡ଼ୁଥିବା ସମୟରେ ୨ ଜଣ ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ବିଭିନ୍ନ ନକରାତ୍ମକ ଟିପ୍ପଣୀ ଦେଇ ମୋ ବିରୋଧରେ ଲେଖି ଚାଲୁଥିଲେ। ମୋତେ ନିରୁତ୍ସାହିତ କରୁଥିଲେ ବୋଲି ଦୂତି କାନ୍ଦିକାନ୍ଦି କହିଛନ୍ତି। କେବଳ ସେତିକି ନୁହେଁ ସେମାନେ ବାରମ୍ବାର ଫୋନ କରି ମୋତେ ବ୍ୟତିବ୍ୟସ୍ତ କରିବା ସହିତ ମାନସିକ ନିର୍ଯ୍ୟାତନା ଦେଉଥିଲେ। ଯାହା ଦ୍ବାରା ମୁଁ କ୍ଷତିଗ୍ରସ୍ତ ହୋଇଛି। ଏହି ଅବସରରେ ମୋ ଗଡ୍‌ ଫାଦରଖେଳରେ ଧ୍ୟାନଦେବା ପାଇଁ ବୁଝାଉଥିଲେ ବୋଲି ଦୂତି କହିଛନ୍ତି। ମୋ ବିରୁଦ୍ଧରେ ଅପପ୍ରଚାର ଓ ମାନସିକ ନିର୍ଯ୍ୟାତନା ନେଇ ଆମେ ଉକ୍ତ ଲୋକଙ୍କ ବିରୋଧରେ ଆଇନର ଆଶ୍ରୟ ନେଇଛୁ। ମହିଳା ଥାନାରେ ସେମାନଙ୍କ ନାମରେ ମାମଲା ଦାୟର କରିଛୁ। ଅନ୍ୟ ପକ୍ଷରେ ମିଥ୍ୟା ଏବଂ ବିଭ୍ରାନ୍ତିଙ୍କର ଖବର ପ୍ରସାରଣ କରି ଦୂତିଙ୍କୁ ବଦନାମ କରିଥିବା ଲୋକଙ୍କ ବିରୋଧରେ ୫ କୋଟିର ମାନହାନି ମକଦ୍ଦମା ଭୁବନେଶ୍ୱର ଦେୱାନୀ ଅଦାଲତରେ ଦାୟର କରାଯାଇଛି। ଭାରତ ସରକାର ଓ ବିଶେଷ କରି ଓଡ଼ିଶା ସରକାର କ୍ରୀଡ଼ା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି; କ୍ରୀଡ଼ାକୁ ପ୍ରୋତ୍ସାହନ ଯୋଗାଇ ଦେଇ ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ବିନୀତ ଅନୁରୋଧ କରୁଛି କି ଯଦି ଏହି ନକାରାତ୍ମକ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ; ଆଗାମୀ ଦିନରେ କୌଣସି କ୍ରୀଡ଼ାବିତ୍‌ ସେମାନଙ୍କ ନୈପୁଣ୍ୟ ପ୍ରଦର୍ଶନ କରିପାରିବେ ନାହିଁ କିମ୍ବା ଶାନ୍ତିରେ ରହିପାରିବେ ନାହିଁ। ଆବଶ୍ୟକ ନ୍ୟାୟ ନ ପାଇଲେ ଓଡ଼ିଶା ଛାଡ଼ିବାକୁ ବାଧ୍ୟହେବି ବୋଲି ଦୂତି କହିଛନ୍ତି।

Comments are closed.