ରାଜ୍ୟ ଦୌଡ଼କୁଦ ମିଟ୍‌ ଆରମ୍ଭ: ଦୂତି ଓ ଅମିୟଙ୍କୁ ସ୍ବର୍ଣ୍ଣପଦକ

ପ୍ରଥମ ଦିନରେ ୩ଟି ନୂଆ ରେକର୍ଡ

କଟକ : ଓଡ଼ିଶା ଆଥ୍‌ଲେଟିକ୍ ଆସୋସିଏସନ୍ ଆନୁକୂଲ୍ୟରେ ୬୭ତମ ରାଜ୍ୟ ଦୌଡ଼କୁଦ ମିଟ୍‌ ଶନିବାର ସ୍ଥାନୀୟ ବାରବାଟୀ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଛି। ଏହି ୩ ଦିନିଆ ମିଟ୍‌ର ପ୍ରଥମ ଦିନରେ ୩ଟି ନୂଆ ମିଟ୍‌ ରେକର୍ଡ ସ୍ଥାପନ ହୋଇଛି। ମହିଳା ୫୦୦୦ ମିଟର ଦୌଡ଼ରେ ଖୋର୍ଦ୍ଧାର ସମ୍‌ସାଦ୍ ଆରା ବେଗମ୍ ୧୭ ମିନିଟ୍ ୫୮.୮ ସେକେଣ୍ଡ ସମୟ ନେଇ ରେକର୍ଡ ପ୍ରତିଷ୍ଠା କରିଥିଲେ। ଏଥିରେ ପୁରୁଣା ରେକର୍ଡ ଥିଲା ୧୮ ମିନିଟ ୧୪.୯ ସେକେଣ୍ଡ। ୧୬ ବର୍ଷ ବାଳିକା ସଟ୍‌ପୁଟ୍‌ରେ ଅଂଶିକା ରାଉତରାୟ ୧୧.୯୭ ମିଟର ଦୂରତା ହାସଲକରି ନୂତନ ମିଟ୍‌ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଏଥିରେ ପୁରୁଣା ରେକର୍ଡ ଥିଲା ୧୧.୮୨ ମିଟର। ୨୦ ବର୍ଷ ବାଳିକା ଲଙ୍ଗ୍‌ଜମ୍ପ୍‌ରେ କିଟ୍‌ର ମନୀଷା ମେରେଲ ୫.୯୪ ମିଟର ଦୂରତା ହାସଲକରି ନୂତନ ମିଟ୍‌ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଏଥିରେ ପୁରୁଣା ରେକର୍ଡ ଥିଲା ୫.୭୦ ମିଟର।
ଏହି ଦୌଡ଼କୁଦ ମିଟ୍‌ରେ ପ୍ରାୟ ୧୬୦୦ ପୁରୁଷ ଓ ମହିଳା ପ୍ରତିଯୋଗୀ ଭାଗ ନେଇଛନ୍ତି। ସକାଳେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟଅତିଥି ଭାବେ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଓଡ଼ିଶା ଆଥ୍‌ଲେଟିକ୍ ଆସୋସିଏସନ୍‌ର ସମ୍ପାଦକ ଆଶୀର୍ବାଦ ବେହେରା, ଯୁଗ୍ମ ସମ୍ପାଦକ ଅଶୋକ ସାହୁ ଓ ରବି ନାୟକ, ଶିବପ୍ରସାଦ ତ୍ରିପାଠୀ, ଦୁର୍ଗାମାଧବ ନାୟକ, ରଞ୍ଜନ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ। ଉଦ୍‌ଘାଟନୀ ଉତ୍ସବରେ ପ୍ରତିଯୋଗୀ ମାର୍ଚ୍ଚପାଷ୍ଟ କରିଥିଲେ। ଆଥ୍‌ଲେଟ୍‌ଙ୍କ ପକ୍ଷରୁ ଅଲିମ୍ପିଆନ୍ ଦୂତି ଚାନ୍ଦ ଓ ଅଫିସିଆଲ୍‌ଙ୍କ ପକ୍ଷରୁ ଚିତ୍ତରଞ୍ଜନ ମହାପାତ୍ର ଶପଥ ନେଇଥିଲେ। ୨୦୦ ବୈଷୟିକ ଅଧିକାରୀ ପ୍ରତିଯୋଗିତା ପରିଚାଳନା କରୁଛନ୍ତି। ଦୂତି ଚାନ୍ଦ ଆଶା ଅନୁସାରେ ମହିଳା ୧୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣପଦକ ଜିତିଥିଲେ। କିଟ୍‌ର ଦୂତି ୧୧.୬ ସେକେଣ୍ଡ ନେଇ ପ୍ରଥମ ସ୍ଥାନରେ ରହିଥିଲେ। ଓଡ଼ିଶା ପୁଲିସର ବନିତା ଲାକ୍ରା ରୌପ୍ୟ ଓ ନୟାଗଡ଼ର ଦୀପାଳି ମହାପାତ୍ର ବ୍ରୋଞ୍ଜ୍ ପଦକ ଜିତିଥିଲେ। ସେହିପରି ଆନ୍ତର୍ଜାତିକ ଧାବକ ଅମିୟ ମଲ୍ଲିକ ପୁରୁଷ ୧୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣପଦକ ଜିତିଛନ୍ତି। କିଟ୍‌ର ଅମିୟ ୧୦.୭ ସେକେଣ୍ଡ ନେଇ ପ୍ରଥମସ୍ଥାନ ଅଧିକାର କରିଥିଲେ। ପୁରୁଷ ୫୦୦୦ ମିଟର ଦୌଡ଼ରେ ଓଡ଼ିଶା ପୁଲିସର ଅଶୋକ ଦଣ୍ଡସେନା, ଲଙ୍ଗ୍‌ଜମ୍ପ୍‌ରେ ଆର୍‌ଏସ୍‌ପିର ଆଶିଷ କୁମାର ପାତ୍ର, ଡିସ୍‌କସ୍‌ରେ କଟକର ରଞ୍ଜନ କୁମାର ସାହୁ, ମହିଳା ୮୦୦ ମିଟର ଦୌଡ଼ରେ ବରଗଡ଼ର ନମିତା ପ୍ରଧାନ, ମହିଳା ଲଙ୍ଗଜମ୍ପ୍‌​‌େ​‌ର କିଟ୍‌ର ରୋଜି ମଲ୍ଲିକ, ହାଇଜମ୍ପ୍‌ରେ ଓଡ଼ିଶା ପୁଲିସର ରଶ୍ମିତା ବେହେରା, ସଟ୍‌ପୁଟ୍‌ରେ କଟକର ଉତ୍କଳିକା ପ୍ରିୟଦର୍ଶିନୀ, ଜାଭେଲିନ୍‌ରେ କଟକର ପ୍ରିୟଙ୍କା ଟପ୍ପୋ ପ୍ରମୁଖ ସ୍ବର୍ଣ୍ଣପଦକ ଜିତିଛନ୍ତି।

Comments are closed.