ଅସହାୟ ଲୋକଙ୍କ ମୁହଁରେ ହସଫୁଟାଇ ପାରିଲେ ସମାଜସେବା ସାର୍ଥକ ହୁଏ

ଭୂବନେଶ୍ୱର: ଓଡିଶାର ଜଣେ ବିଶିଷ୍ଟ ସମାଜସେବୀ ହେଉଛନ୍ତି ଦୁଃଶାସନ ସ୍ୱାଇଁ। ସେ ଖୋର୍ଦ୍ଧା ଓ ଭୂବନେଶ୍ୱର ମହାନଗରରେ ବିଭିନ୍ନ ସମାଜ କଲ୍ୟାଣ ମୂଳକ କାର୍ଯ୍ୟକ୍ରମମାନ କରିବା ସହ ବିଭିନ୍ନ ସଙ୍ଗଠନ ସହିତ ଜଡିତ ରହି ସଫଳତାର ସହ ସମାଜସେବା କରି ଆସୁଛନ୍ତି। ସମାଜସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ଦୁଃଶାସନ ସ୍ବାଇଁ ଅସହାୟ ଲୋକଙ୍କ ମୁହଁରେ ହସ ଫୁଟାଇପାରିଲେ ସମାଜସେବା ସାର୍ଥକ ହୋଇଥାଏ ବୋଲି ପ୍ରକାଶ କରିଛନ୍ତି। ଦୁଃସ୍ତ, ନିଃସହାୟ ଓ ଅସହାୟଙ୍କୁ ବିଭିନ୍ନ ସମୟରେ ସହାୟତା ଓ ସହଯୋଗ କରି ସେମାନଙ୍କ ମୁହଁରେ ହସ ଫୁଟାଇ ପାରିଛନ୍ତି। ସେମାନଙ୍କ ସୁଖଦୁଃଖରେ ସାଥୀ ହୋଇ ଠିଆ ହୋଇଛନ୍ତି। ନିଜର ନିଆରା ବ୍ୟକ୍ତିତ୍ବ ଯୋଗୁ ସେ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଛନ୍ତି।

 

ଦୁଃଶାସନ ସ୍ବାଇଁ ଭୁବନେଶ୍ୱର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଓ ଜିଲା ପରିଷଦର ପୂର୍ବତନ ସଦସ୍ୟ ଭାବେ ବିଭିନ୍ନ ଜନହିତକର କାମ କରିଥିଲେ। ଏଥିସହ ସେ ଭୂମି ଉନ୍ନୟନ ସମବାୟ ବ୍ୟାଙ୍କର ସଭାପତି ଭାବେ ରହି ପରିବେଶକୁ ସୁସ୍ଥ ରଖିବା ପାଇଁ ଖୋର୍ଦ୍ଧା ଓ ଭୂବନେଶ୍ୱର ମହାନଗରରେ ବୃକ୍ଷରୋପଣ କରିଆସୁଛନ୍ତି। ସମ୍ପ୍ରତି ସେ ସ୍କାଉଟ୍ ଆଣ୍ଡ ଗାଇଡ୍ର ଷ୍ଟେଟ୍ ସହକାରୀ ଆୟୁକ୍ତ ଭାବେ କାର୍ଯ୍ୟରତ ଅଛନ୍ତି। ୧୯୯୩ମସିହା ଠାରୁ ନିଜସ୍ୱ ଅନୁଦାନରେ ଖୋର୍ଦ୍ଧା ଓ କଟକ ଜିଲାର ବିଭିନ୍ନ ବିଦ୍ୟାଳୟରେ ପ୍ରତିବର୍ଷ ଅଗଷ୍ଟ ୧୫ତାରିଖ ଓ ଜାନୁଆରୀ ୨୬ତାରିଖରେ ୨ଟି ସ୍କୁଲରେ ପ୍ରଧାନ ଶିକ୍ଷକଙ୍କ ନିର୍ଦେଶ ଅନୁସାରେ ପିଲାମାନଙ୍କୁ ନିଶୁକ୍ଳ ଭାବେ ସ୍କାଉଟ୍ ଓ ଗାଇଡ୍‌ର ଡ୍ରେସ୍ ପ୍ରଦାନ କରାଯାଉଛି। ଏତଦ୍ ବ୍ୟତୀତ ଖୋର୍ଦ୍ଧା ଓ ଭୂବନେଶ୍ୱର ମହାନଗର ସମେତ ଓଡିଶାର ବିଭିନ୍ନ ଜିଲାରେ ଏବଂ ବିଭିନ୍ନ ସ୍ଥାନରେ ଦୀର୍ଘ ୪ବର୍ଷ ଧରି ଅର୍ଥାତ୍ ୨୦୧୮ମସିହାଠାରୁ ଏଯାବତ୍ ଜିରୋ କାଜୁଆଲିଟିରେ ପ୍ରତିବର୍ଷ ୫୦ଟି ବର ଓ ଓସ୍ତଗଛ ଲଗାଯାଇ ତା’ର ଏପରି ଯତ୍ନ ନିଆଯାଉଛି ଯେପରିକି କୌଣସି ଗଛ ନ ମରିବେ। ଏହାଛଡା ଖୋର୍ଦ୍ଧାସ୍ଥିତ ଗୀତାଭବନରେ ଅବସ୍ଥିତ ପତଞ୍ଜଳି ଯୋଗକେନ୍ଦ୍ରର ସେ ସଭାପତି ସହ କଳା ଅନୁଷ୍ଠାନ ଘୁଙ୍ଗୁରର ସଭାପତି ଅଛନ୍ତି ଓ ପ୍ରତ୍ୟହ ସକାଳେ ନିଶୁକ୍ଳ ଭାବେ ଯୋଗ ଶିକ୍ଷା ଦିଆଯାଉଛି। ଏବେ ଉକ୍ତ ଯୋଗକେନ୍ଦ୍ରରେ ୩ହଜାର ପ୍ରଶିକ୍ଷାର୍ଥୀ ଯୋଗଶିକ୍ଷା ଲାଭ କରୁଛନ୍ତି। ଏଥିସହିତ ଘୁଙ୍ଗୁର କଳା ଅନୁଷ୍ଠାନରେ ନିଶୁକ୍ଳ ଭାବେ ପିଲାମାନଙ୍କୁ ଓଡିଶୀ ଗୀତ ସହ ଅନ୍ୟାନ୍ୟ ଗୀତ ଓ ଭଜନ ଆଦି ଶିକ୍ଷା ଦିଆଯାଉଛି।

Comments are closed.