ନକଲି କନଷ୍ଟେବଳ ଗିରଫ : ପୁଲିସ ପରିଚୟ ଦେଇ ମାଗୁଥିଲେ ଚାନ୍ଦା

ବ୍ରହ୍ମପୁର : ପୁଲିସ ଡ୍ରେସ ପିନ୍ଧି ସୁବୁଦିନ ବଜାରରେ ହାଜର ହେଇଯାଉଥିଲେ। ରାସ୍ତାରେ ପନିପରିବା ଓ ଫଳ ବିକ୍ରି କରୁଥିବା ବ୍ୟବସାୟୀଙ୍କୁ ଜୋର ଜବରଦସ୍ତ ଚାନ୍ଦା ମାଗୁଥିଲେ। ହେଲେ ଏହି ଖେଳ ବେଶୀ ଦିନ ଚାଲିପାରିଲା ନାହିଁ। ଧରାପଡ଼ିଗଲେ ଆଉ ବନ୍ଧା ହୋଇ ଜେଲ ଗଲେ। ଗୁରୁବାର ଷ୍ଟେଟବ୍ୟାଙ୍କ ଛକରୁ ଏହି ପରି ଜଣେ ନକଲି ପୁଲିସ କନଷ୍ଟେବଳ ଗିରଫ ହୋଇଛନ୍ତି। ସେ ହେଲେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କୁମାରୀ ଗ୍ରାମର ଅରୁଣ ନାୟକ (୩୨)। ତାଙ୍କ ଠାରୁ ପୁଲିସ, ପୋଷାକ ସହ ବ୍ୟାଜ୍ ଓ ଟୋପି ଜବତ କରିଛି।
ସୂଚନାପ୍ରକାରେ ଅରୁଣ ଆଜକୁ ୩ ମାସ ହେବ ବ୍ରହ୍ମପୁର ଷ୍ଟେଟବ୍ୟାଙ୍କ ଛକରେ ଡ୍ୟୁଯି କରୁଥିଲେ ଓ ନିଜକୁ ପୁଲିସ ପରିଚୟ ଦେଇଆସୁଥିଲେ। ସେ ବୈଦ୍ୟନାଥପୁର ଥାନାର ଜଣେ କନଷ୍ଟେବଳ ବୋଲି କହି ବ୍ୟବସାୟୀଙ୍କୁ ଚାନ୍ଦା ମାଗୁଥିଲେ। ପୁଲିସ କନଷ୍ଟେବଳ ପିନ୍ଧୁଥିବା ସମାନ ପୋଷାକ, ନିଜ ନାମରେ ବ୍ୟାଜ୍ ଓ ପୁଲିସ ଟୋପି ଓ ଜୋତା ପିନ୍ଧୁଥିବାରୁ ତାଙ୍କୁ କେହି ସନ୍ଦେହ କରିପାରୁନଥିଲେ। ଗୁରୁବାର ମଧ୍ୟ ସେ କିଛି ବ୍ୟବସାୟୀଙ୍କ ଠାରୁ ଟଙ୍କା ନେବା ପରେ ସେଠାରେ ଠେଲା ଗାଡ଼ିରେ ପରିବା ବିକୁଥିବା ଚିତ୍ତରଞ୍ଜନ ପାତ୍ରଙ୍କ ଠାରୁ ୨୪୦ ଟଙ୍କା ଚାନ୍ଦା ନେଇଥିଲେ। ପ୍ରତିଦିନ ଅରୁଣ ଏପରି ଟଙ୍କା ମାଗୁଥିବାରୁ ଚିତ୍ତରଞ୍ଜନ ଏହାର ପ୍ରତିବାଦ କରିଥିଲେ। ହେଲେ ଅରୁଣ ତାଙ୍କୁ ଧମକଚମକ ଦେଇଥିଲେ। ଅତିଷ୍ଠ ହୋଇ ଚିତ୍ତରଞ୍ଜନ ଗୁରୁବାର ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନକଲି କନଷ୍ଟେବଳ ଅରୁଣଙ୍କୁ କାବୁ କରିଥିଲା। ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇ ଅରୁଣଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ ସାରଦା ପ୍ରସନ୍ନ ଦାସ ସୂଚନା ଦେଇଛନ୍ତି। ଅରୁଣ ପିନ୍ଧିଥିବା ଖାକି ପୋଷାକକୁ ଜବତ କରାଯାଇଛି। ନିଜକୁ ପୁଲିସ କନେଷ୍ଟେବଲ ବୋଲି ପରିଚୟ ଦେଇ ଚାନ୍ଦା ଆଦାୟ କରୁଥିଲା ବୋଲି ଅରୁଣ ଜେରା ସମୟରେ ସ୍ବୀକାର କରିଛି।