ବୁମ୍‍ ଦେଖାଇ ବଟି ଆଦାୟ ଘଟଣା: ପୁଲିସ ପକ୍ଷରୁ ନକଲି ସାମ୍ବାଦିକଙ୍କ ତାଲିକା ପ୍ରସ୍ତୁତ

ଭୁବନେଶ୍ୱର: କମିସନରେଟ ପୁଲିସର ‘ଦାଦାବଟିକୁ ନା’ ଅଭିଯାନରେ ଭୁବନେଶ୍ୱର ସହରାଞ୍ଚଳରେ ଅପରାଧୀଙ୍କୁ ବାନ୍ଧି ଜେଲ୍‍ ପଠାଇବା ତାଲିକା ୪୦ ଟପିଥିବା ବେଳେ ଏବେ ବୁମ୍‍ ଧରି ବଟି ଆଦାୟ କରୁଥିବା ନକଲି ସାମ୍ବାଦିକଙ୍କ ଉପରେ ନଜର ପଡ଼ିଛି ପୁଲିସର। ଦୁଇଟି ମାମଲାରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଉ କିଛି ଫେରାର୍‍ ଥିବା ନକଲି ସାମ୍ବାଦିକଙ୍କୁ ପୁଲିସ ଖୋଜୁଛି।
ଭଗବାନପୁରରେ ଜ୍ୟୋତି ଟ୍ରେଡର୍ସକୁ ଧମକାଇ ୧.୩୦ ଲକ୍ଷ ଟଙ୍କା ନେବା ପରେ ସେଠାକୁ ଯାଇ ବଳପୂର୍ବକ କମ୍ପାନୀର କ୍ୟାସ୍‍ବାକ୍ସରୁ ୩୪ ହଜାର ଟଙ୍କା ନେଇଯାଇଥିଲେ କିଛି ନକଲି ସାମ୍ବାଦିକ। ତେବେ ସେଠାରେ ଲାଗିଥିବା ସିସିଟିଭିରୁ ତଥ୍ୟ ସଂଗ୍ରହ କରି ପୁଲିସ ଅନ୍ୟ ନକଲି ସାମ୍ବାଦିକଙ୍କୁ ଖୋଜୁଥିବା ଜଣାପଡ଼ିଛି। ଗିରଫ ହୋଇଥିବା ୬ ଜଣଙ୍କ ମଧ୍ୟରୁ ୩ ଜଣ କଳିଙ୍ଗବିହାର-୪ରେ ଥିବା ମେସର୍ସ ଲକ୍ଷ୍ମୀ ଫୁଡ୍‍ ପ୍ରଡକ୍ସର ମାଲିକଙ୍କୁ ଧମକ ଦେଇ ଦାଦାବଟି ମାଗିଥିଲେ। ସେହିପରି ଆଉ କିଛି ୱେବ୍‍ ପୋର୍ଟାଲ୍‍ ନାମରେ ଦାଦାବଟି ଆଦାୟ କରୁଥିବା ନେଇ ଅଭିଯୋଗ ପାଇବା ପରେ କମିସନରେଟ୍ କିଛି ସାମ୍ବାଦିକଙ୍କ ତାଲିକା ପ୍ରସ୍ତୁତ କରିଛି। ସେମାନଙ୍କ ମଧ୍ୟରୁ କେତେ ଜଣ ପୂର୍ବରୁ ବ୍ଲାକ୍‍ମେଲିଂ କରିବା ଭଳି ମାମଲାରେ ଗିରଫ ହୋଇଥିଲେ। ସେମାନେ ଏବେ ମଧ୍ୟ ଅନୁରୂପ କାର୍ଯ୍ୟ କରୁଥିବା ଜଣାପଡ଼ିଛି। କମିସନରେଟ୍‍ ପୁଲିସ ପକ୍ଷରୁ ଜାରି କରାଯାଇଥିବା ନମ୍ବରରେ ଏଭଳି କିଛି ନକଲି ସାମ୍ବାଦିକଙ୍କ ବିରୋଧରେ ଅଭିଯୋଗ ପୁଲିସର ହସ୍ତଗତ ହୋଇଛି। ଏହାକୁ ଆଧାର କରି ପୁଲିସ ତାଲିକା ପ୍ରସ୍ତୁତ କରିଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

Comments are closed.