କରୋନା ମାଡ଼: ବୃତ୍ତିକୁ ଫେରୁଛନ୍ତି ପ୍ରବାସୀ ମତ୍ସ୍ୟଜୀବୀ

ବାହାନଗା : କୌଳିକ ବୃତ୍ତି ଛାଡ଼ି ଅଧିକ ରୋଜଗାର ପାଇଁ ଭିଟାମାଟି ଛାଡିଥିଲେ ସେମାନେ। କରୋନା ମହାମାରୀ ସେମାନଙ୍କୁ ଭିଟାମାଟିକୁ ଫେରାଇ ଦେଲା। ଏଠି ବି କାମ ମିଳୁନି। ଫଳରେ ପୁରୁଣା ବାପା, ଜେଜେ ଅମଳର ବେଉସାକୁ ବାହୁଡ଼ିଛନ୍ତି ପ୍ରବାସୀ ମତ୍ସ୍ୟଜୀବୀ ଯୁବଗୋଷ୍ଠୀ। ବାଲେଶ୍ୱର ଜିଲାର ବାହାନଗା ଓ ରେମୁଣା ବ୍ଲକର କିଛି ପ୍ରବାସୀ ସମୁଦ୍ରରୁ ମାଛ ଧରି ପରିବାର ମୁହଁରେ ଦାନା ଦେବାକୁ ପ୍ରୟାସ କରୁଛନ୍ତି। ମାତ୍ର ଏଥିରେ ଦୀର୍ଘ ବର୍ଷ ଧରି କିଛି ସମସ୍ୟା ଲାଗି ରହିଥିଲେ ହେଁ ପ୍ରଶାସନ ସମାଧାନ କରୁ ନ ଥିବାରୁ ମତ୍ସ୍ୟଜୀବୀ ବେଶି ରୋଜଗାର କରିବା ସମ୍ଭବ ହେଉନାହିଁ।

ଜିଲାର ବାହାନଗା ଓ ରେମୁଣା ବ୍ଲକ ଅନ୍ତର୍ଗତ ତାଳପଦା, କଲ୍ୟାଣୀ, ବରିପଦା, ଆରୁହାବାଡ଼, ବିଷ୍ଣୁପୁର, ଅଭଣା ଓ ଖରାସାହାପୁର ପଞ୍ଚାୟତର ମତ୍ସ୍ୟଜୀବୀ ପରିବାରଙ୍କର ୩ ଶହରୁ ଅଧିକ ଯୁବକ ବାହାର ରାଜ୍ୟରୁ ଫେରିଆସିଛନ୍ତି। ଅନ୍ୟ କିଛି କାମ ଧନ୍ଦା ମିଳୁ ନ ଥିବାରୁ ସେମାନେ ସମୁଦ୍ରକୁ ଭରସା କରିଛନ୍ତି। ସମୁଦ୍ର କୂଳ ସଂଲଗ୍ନ ଅଗଭୀର ଜଳ ବା ମାଳରେ ଜାଲ ପକାଇ ଜୀବିକା ପାଇଁ ମାଛ ଧରୁଛନ୍ତି। ତିରୁବନନ୍ତପୁରମ, ଚେନ୍ନାଇ, ବେଙ୍ଗାଲୁରୁ ଆଦି ବିଭିନ୍ନ ସହରରୁ ଫେରିଥିବା ବହୁ ଯୁବକ ନିଜକୁ ମାଛଧରା କାମରେ ନିୟୋଜିତ କରିଛନ୍ତି। ପାଖ ବଜାର ଓ ବେପାରୀଙ୍କୁ ବିକି ପରିବାର ଚଳାଉଥିବା କହିଛନ୍ତି। ସରକାରୀ ନିୟମ ଅନୁଯାୟୀ, କେତେକ ଫେରନ୍ତା ପ୍ରବାସୀଙ୍କର ପୂର୍ବରୁ ମତ୍ସ୍ୟଜୀବୀ କାର୍ଡ଼ ରହିଛି। ବାକି ଯୁବକ ଆଧାର କାର୍ଡ଼ ନେଇ ମାଛ ଧରିବାକୁ ଯାଉଛନ୍ତି; ମାତ୍ର ମାଳରୁ ଅଳ୍ପ ମାଛ ମିଳୁଛି। ସରକାରୀ ତଥ୍ୟ ଅନୁସାରେ, ଉକ୍ତ ପଞ୍ଚାୟତ ଗୁଡ଼ିକରେ ହଜାରେରୁ ଅଧିକ ମତ୍ସ୍ୟଜୀବୀ ୧୪୦ଟି ଛୋଟ ଭୁଟୁଭୁଟିରେ ଗଦେଇ ସାଗର, ଜାମୁକା ଓ ପଞ୍ଚୁବିଶା ମୁହାଣ ଦେଇ ସମୁଦ୍ରକୁ ଯାଇ ମାଛ ଧରୁଛନ୍ତି। ମାଳରେ ପାଖାପାଖି ୫ ଶହରୁ ଅଧିକ ବ୍ୟକ୍ତି ମାଛ ଧରି ପରିବାର ଚଳାଉଛନ୍ତି।

ମାଛ କମ୍‌ ପଡୁଥିବାରୁ ପାରମ୍ପରିକ ବୃତ୍ତି ଛାଡ଼ି ବାହାର ରାଜ୍ୟକୁ ଦାଦନ ଖଟିବାକୁ ପଳାଉଛନ୍ତି। ନଦୀ ଶଯ୍ୟା ପୋତି ହୋଇଯାଉଥିବାରୁ ଭୁଟୁଭୁଟି ସମୁଦ୍ରକୁ ଯିବାରେ ସମସ୍ୟା ହେଉଛି। ୧ କୋଟି ୧୪ ଲକ୍ଷ ଟଙ୍କା ବ୍ୟୟରେ ଶଯ୍ୟା ଖନନ ହୋଇଥିଲେ ବି ତାହା ପୋତି ହୋଇଗଲାଣି। ଜୁଆର ଆସିଲେ ଭୁଟୁଭୁଟି ଯାଉଛି। ନ ହେଲେ ମତ୍ସ୍ୟଜୀବୀ ହାତବାନ୍ଧି ବାସୁଛନ୍ତି। ୧ କୋଟି ୪୫ ଲକ୍ଷ ଟଙ୍କା ବ୍ୟୟରେ ପଞ୍ଚୁବିଶା ଜେଟିରୁ ସମୁଦ୍ର କୂଳେ କୂଳେ ରାସ୍ତା, ଜୁଆର ମାଡ଼ରୁ ସୁରକ୍ଷା ପାଇଁ ସୁରକ୍ଷା ପ୍ରାଚୀର ନିର୍ମାଣ ଯୋଜନା ଥିବାବେଳେ କିଛି ବାଟ କାମ ହୋଇ ଏବେ ବନ୍ଦ ରହିଛି। ଏହା ସଂପୂର୍ଣ୍ଣ ହେଲେ ମତ୍ସ୍ୟଜୀବୀମାନେ ଉପକୃତ ହୁଅନ୍ତେ।

ସେହିପରି ଆଗରୁ କୋଷ୍ଟ କେନାଲର ପାଣି ନଦୀରେ ପଡ଼ି ସ୍ରୋତ ସର୍ବଦା ରହୁଥିବାରୁ ଭୁଟୁଭୁଟି ସହଜରେ ଯାଇପାରୁଥିଲା। ମାତ୍ର ଚିଙ୍ଗୁଡି ଘେରି ମାଲିକମାନେ କେନାଲ ପାଣିକୁ ନିଜ ଘେରିକୁ ନେଇଯାଉଥିବାରୁ ମୁହାଣ ଶୁଖିଲା ରହୁଛି। ବାରମ୍ବାର ଦାବି ପରେ ବି ପ୍ରଶାସନ କିଛି ପ୍ରତିକାର କରୁ ନାହିଁ। ସେହିପରି ପଞ୍ଚୁବିଶା ଜେଟି ଠାରେ ଏକ ଫିସ୍‌ ଲ୍ୟାଣ୍ଡିଂ ସେଣ୍ଟର ଘର ନିର୍ମାଣ କରାଯାଇଥିଲା। ୧୯୮୯ରେ ଏହାର କାମ ଆରମ୍ଭ ହୋଇଥିବାବେଳେ ଦେଢ଼ କୋଟି ଟଙ୍କାରୁ ଅଧିକ ବ୍ୟୟରେ ୨୦୧୩-୧୪ରେ ଏହାର ନବୀକରଣ ହୋଇଥିଲା; ମାତ୍ର ଏହା କାମରେ ଲାଗୁନି। ଏହି ଘରକୁ ବିଦ୍ୟୁତ ସଂଯୋଗ ନାହିଁ କି ପାଣି ସୁବିଧା ନାହିଁ। ତେଣୁ ମୁହାଣରୁ ସମୁଦ୍ରର ଜଳସ୍ତର ଯାଏ ଭୁଟୁଭୁଟି ଯାତାୟାତ ପଥର ଖନନ, କୋଷ୍ଟ କେନାଲର ପାଣି ନଦୀରେ ପଡ଼ିବା ଓ ଫିସି ଲ୍ୟାଣ୍ଡିଂ ସେଣ୍ଟର ଘର ଶୀଘ୍ର ସଂପୂର୍ଣ୍ଣ ହେବା ଦିଗରେ ପ୍ରଶାସନ ବିହିତ ପଦକ୍ଷେପ ନେବା ଆବଶ୍ୟକ।

Comments
Loading...