ଦୁବାଇରେ ପ୍ରାଣ ହରାଇଲେ ଆଉ ଜଣେ ଯୁବକ; ୨ ଦିନରେ ୨ ଜଣଙ୍କର ମୃତ୍ୟୁ

କେନ୍ଦ୍ରାପଡ଼ା: କରୋନା ନେଇ ସାରା ଦେଶରେ ଅଚଳାବସ୍ଥା । ଅନ୍ୟଦେଶ ତ ଦୂରର କଥା ଦେଶ ଭିତରେ ଯାତାୟତ ବି ଅସମ୍ଭବ ହୋଇ ପଡ଼ିଛି । ଏହି ସମୟରେ ଦୁବାଇରେ କେନ୍ଦ୍ରାପଡ଼ା ଜିଲାର ଆଉ ଜଣେ ଯୁବକ କାମ କରିବାକୁ ଯାଇ ପ୍ରାଣ ହରାଇଛନ୍ତି । ଗତକାଲି ପଟାମୁଣ୍ଡାଇ ଅଞ୍ଚଳର ବାବାଜୀ ଚରଣ ସେଠୀ ନାମକ ଜଣେ ପାଣି ପାଇପ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ଏହି ଜିଲାର ନିରଞ୍ଜନ ମଲ୍ଲିକ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସେମାନଙ୍କର ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇ ନାହିଁ । ତେବେ ସେମାନଙ୍କର ସାଥୀରେ କାମ କରୁଥିବା ବ୍ୟକ୍ତିମାନେ ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲାରେ ଥିବା ସେମାନଙ୍କର ସମ୍ପର୍କୀୟଙ୍କୁ ଖବର ଦେବା ପରେ ଏହି ଘଟଣା ପଦାକୁ ଆସିଛି ।

ଗତ ମାର୍ଚ ମାସରେ ନିରଞ୍ଜନ ଏକ ଘରୋଇ କମ୍ପାନୀରେ କାମ କରିବାକୁ ଦୁବାଇ ଯାଇଥିଲେ । କିଛିଦିନ ତଳେ ସେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା କୁହାଯାଉଛି । ସେହିପରି ନିରଞ୍ଜନ ମଲ୍ଲିକ ନାମକ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଅସୁସ୍ଥ ହେବାରୁ ଡ଼ାକ୍ତରଖାନାକୁ ଚିକିତ୍ସା ଲାଗି ଯାଇଥିଲେ । ସେଠାରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ଉଭୟଙ୍କର ମୃତ୍ୟୁ କରୋନାରେ ହୋଇଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚା ହେଉଛି । ଉଭୟଙ୍କ ପରିବାର ଜିଲା ପ୍ରଶାସନକୁ ଏ ସମ୍ପର୍କରେ ଅବଗତ କରି ମୃତକଙ୍କ ଶବକୁ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିବା ସୂଚନା ମିଳିଛି ।

Comments are closed.