ସେପ୍ଟେମ୍ବର ୧ରେ ସିଏସ୍‌କେ ସହ ଯୋଗ ଦେବେ ଡୁପ୍ଲେସି, ଏନ୍‌ଗିଡି

ଚେନ୍ନାଇ : ଆଇପିଏଲ୍‌ର ଚଳିତ ସଂସ୍କରଣ ୟୁଏଇରେ ଆସନ୍ତା ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ। ଆଇପିଏଲ୍‌ରେ ଭାଗ ନେବାକୁ ଥିବା ଅନ୍ୟତମ ଦଳ ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ଅଗଷ୍ଟ ୨୧ରେ ଦୁବାଇରେ ପହଞ୍ଚିବାର ଯୋଜନା ରଖିଛି। ୟୁଏଇ ଗସ୍ତ ପୂର୍ବରୁ ଭାରତୀୟ କ୍ରିକେଟର୍‌ଙ୍କୁ ନେଇ ସିଏସ୍‌କେ ଏକ ପ୍ରଶିକ୍ଷଣ ଶିବିର ଆୟୋଜନ କରିବ।
ସିଏସ୍‌କେ ଦଳ ୟୁଏଇରେ ପହଞ୍ଚିବା ପରେ ଏହି ଦଳରେ ସାମିଲ ବିଦେଶୀ କ୍ରିକେଟର୍‌ମାନେ ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ଦଳ ସହ ଯୋଗ ଦେବେ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ସିଏସ୍‌କେ ଦଳ ତରଫରୁ ଖେଳୁଥିବା ଦକ୍ଷିଣ ଆଫ୍ରିକା ବ୍ୟାଟସମ୍ୟାନ୍ ଫାଫ୍‌ ଡୁପ୍ଲେସି ଓ ଦ୍ରୁତ ବୋଲର ଲୁଙ୍ଗି ଏନ୍‌ଗିଡି ସେପ୍ଟେମ୍ବର ୧ରେ ୟୁଏଇ ଯାଇ ଦଳ ସହ ଯୋଗ ଦେବେ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ଅଲରାଉଣ୍ଡର ସେନ୍‌ ୱାଟସନ୍‌, ଦଳର ପ୍ରଶିକ୍ଷକ ଷ୍ଟିଭେନ୍‌ ଫ୍ଲେମିଙ୍ଗ୍‌ ଓ ବ୍ୟାଟିଂ ପ୍ରଶିକ୍ଷକ ମାଇକ ହସି ପ୍ରମୁଖ ଅଗଷ୍ଟ ୨୨ରେ ଦଳ ସହ ଯୋଗ ଦେବେ ବୋଲି ଆଶା କରାଯାଉଛି। ତେବେ ଡୁଏନ୍‌ ବ୍ରାଭୋ, ମିଚେଲ୍‌ ସାଣ୍ଟ୍‌ନର, ଇମ୍ରାନ୍‌ ତାହିର୍‌, ଜୋସ୍‌ ହାଜେଲଉଡ୍‌, ସାମ କରନ୍‌ଙ୍କ ପରି ବିଦେଶୀ କ୍ରିକେଟର୍‌ ସିଏସ୍‌କେ ଦଳ ସହ ଯୋଗ ଦେବାରେ ବିଳମ୍ବ ହେବ। ଆସନ୍ତା ୧୫ରେ ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡ଼ିୟମରେ ଭାରତୀୟ କ୍ରିକେଟର୍‌ଙ୍କୁ ନେଇ ସିଏସ୍‌କେର ପ୍ରଶିକ୍ଷଣ ଶିବିର ଆରମ୍ଭ ହେବାକୁ ଯାଉଛି।

Comments are closed.