ମଦ୍ୟପ ଚାଳକଙ୍କୁ କମିଶନରେଟ ପୁଲିସର ଉପହାର : ନୂଆବର୍ଷରେ ୯୦% ରିଆତି ମାତ୍ର ୧୦% ଜରିମାନା

ଭୁବନେଶ୍ୱର : ସଂଶୋଧିତ ମୋଟରଯାନ ଆଇନ ଲାଗୁ ହେବା ପରେ ଟ୍ରାଫିକ ନିୟମ ଉଲଙ୍ଘନ ପାଇଁ ଗାଡିଚାଳକ ମାନଙ୍କଠାରୁ ମାତ୍ରାଧିକ ଜରିମାନା ଆଦାୟ କରାଯାଉଛି। ଏ ନେଇ ମଧ୍ୟ ସଚେତନତା ସୃଷ୍ଟି କରାଯାଉଛି । ବିଶେଷତଃ ମଦ୍ୟପାନ କରି ଗାଡି ଚଳାଉଥିବା ମଦ୍ୟପ ଡ୍ରାଇଭର ମାନଙ୍କଠାରୁ ଅଧିକ ଜରିମାନା ଆଦାୟ କରାଯାଉଛି । ତେବେ ନୂଆବର୍ଷରେ ମଦ୍ୟପାନ କରି ଗାଡି ଚଳାଉଥିବା ମଦ୍ୟପ ଡ୍ରାଇଭରଙ୍କୁ କମିଶନରେଟ ପୁଲିସ କମ୍‍ ପରିମାଣର ଜରିମାନା ଆଦାୟ କରି ରିଆତିର ଉପହାର ଦେଇଛି।
ନୂଆବର୍ଷରେ ଗାଡି ଅବା ବାଇକ ଚାଳାଉଥିବା ମଦ୍ୟପ ଡ୍ରାଇଭରଙ୍କଠାରୁ ପୁଲିସ ମାତ୍ର ୧୦ ପ୍ରତିଶତ ଜରିମାନା ଆଦାୟ କରିଛି। ନୂଆ ବର୍ଷରେ ମୋଟ୍‍ ୩୪ ମଦ୍ୟପ ଚାଳକଙ୍କ ଚାଲାଣ କଟାଯାଇଥିଲା। ସଂଶୋଧିତ ମୋଟରଯାନ ଆଇନ ଅନୁସାରେ ମଦ୍ୟପ ଗାଡି ଚାଳକଙ୍କଠାରୁ ୧୦,୦୦୦ ଟଙ୍କା ଜରିମାନା ଆଦାୟ କରିବାର ନିୟମ ରହିଛି। କିନ୍ତୁ ପୁଲିସ ଏହାର ମାତ୍ର ୧୦ ପ୍ରତିଶତ ଅର୍ଥାତ ୧୦୦୦ଟଙ୍କା ଲେଖାଁଏ ଜରିମାନା ଆଦାୟ କରିଛି। ଯାହାକୁ ନେଇ ବେଶ ଚର୍ଚ୍ଚା ଚାଲିଛି। ପୁଲିସ କେଉଁ କାରଣରୁ ଜରିମାନା ଆଦାୟରେ ଏତେ ଉଦାର ସାଜିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବୁୁଧବାର ନୂଆବର୍ଷରେ ପୁଲିସ ପକ୍ଷରୁ ଯାଞ୍ଚ ସମୟରେ ମଦ୍ୟପାନ କରି ଗାଡି ଚଳାଉଥିବା ୩୪ ଜଣ ଚାଳକଙ୍କର ଚାଲାଣ କଟା ଯାଇଥିଲା। ସନ୍ଧ୍ୟା ୬ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲାଣ କଟାଯାଇଥିଲା। ୨୨ଜଣ ମଦ୍ୟପ କାର ଚାଳକ ଏବଂ ୧୨ଜଣ ମଦ୍ୟପ ବାଇକ ଚାଳଙ୍କର ଚାଲାଣ କଟାଯାଇଥିଲା।
ତେବେ ଜରିମାନାରେ ରିଆତି ଦିଆଯିବା ପ୍ରସଙ୍ଗରେ କୌଣସି ପୁଲିସ ଅଧିକାରୀ ମତାମତ ଦେବାକୁ ମନା କରିଛନ୍ତି। ଯାହାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି।

Comments are closed.