ବଙ୍ଗ ବେପାରୀଙ୍କ କବଜାରେ ଓଡ଼ିଶା ନିଶା ବଜାର

-ଏସ୍‌ଟିଏଫ୍ କବ୍‌‌ଜାରେ ଦୁଇ ବ୍ରାଉନ୍‌ସୁଗର ବେପାରୀ
-୬ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର, ବନ୍ଧୁକ ଓ ଗୁଳି ଜବତ
-ଏଯାଏ ଜବତ ହେଲାଣି ୨ କୋଟିର ନିଶା ସାମଗ୍ରୀ
-ଜେରା ପାଇଁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ପୁଲିସ

ଭୁବନେଶ୍ୱର : ପଶ୍ଚିମବଙ୍ଗ ବେପାରୀଙ୍କ ନିଶାମଣ୍ଡି ପାଲଟିଛି ଓଡ଼ିଶା। ଗତ କିଛି ମାସ ଧରି ବଙ୍ଗର ନିଶାବେପାରୀମାନେ ଜଳେଶ୍ବର, ବାଲେଶ୍ବର ଦେଇ ଭୁବନେଶ୍ବର ଆସିଥିବା ଜାତୀୟ ରାଜପଥକୁ ଏହି ନିଶାବେପାରୀମାନେ ସେମାନଙ୍କ ନିରାପଦ ନିଶା ଚାଲାଣ ପଥ(ସେଫ୍‌ କରିଡର୍‌) ଭାବେ ବାଛିନେଇଛନ୍ତି। ଏହି ବ୍ୟସ୍ତବହୁଳ ଜାତୀୟ ରାଜପଥରେ ଅନାୟାସରେ ନିଶାଦ୍ରବ୍ୟ ଚୋରା ଚାଲାଣ କରି ମାଫିଆମାନେ କୋଟି କୋଟି ଟଙ୍କା ରୋଜଗାର କରିବାରେ ଲାଗିଛିନ୍ତି। ତେବେ ଗତ କିଛି ମାସ ହେଲା କ୍ରାଇମ ବ୍ରାଞ୍ଚ ପକ୍ଷରୁ ଚଢ଼ଉକୁ ଜୋର୍‌ଦାର୍‌ କରାଯିବା ଦ୍ବାରା କିଛି କୁଖ୍ୟାତ ନିଶା ମାଫିଆ ଜାଲରେ ପଡ଼ିବା ସହ କୋଟି ଟଙ୍କାର ବ୍ରାଉନସୁଗର, ଗଞ୍ଚେଇ, ହେରୋଇନ୍‌ ଭଳି ନିଶାଦ୍ରବ୍ୟ ଜବତ ହୋଇଛି। ଗତ ଜାନୁଆରୀ ମାସରୁ ଏଯାବତ୍‌ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ପ୍ରାୟ ୨ କୋଟି ଟଙ୍କାର ନିଶା ଦ୍ରବ୍ୟ ଜବତ କରିବା ସହିତ ଏକାଧିକ ନିଶା ବେପାରୀ ଧରାପଡ଼ିଛନ୍ତି।
ଏହି କ୍ରମରେ ଶନିବାର ବ୍ରାଉନ୍‌ସୁଗର କାରବାରରେ ଲିପ୍ତ ଆଉ ଏକ ବଡ଼ ଗ୍ୟାଙ୍ଗର ଦୁଇ ସଦସ୍ୟଙ୍କୁ ଧରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍। କଟକ ଟାଙ୍ଗୀ ଥାନା ଅଞ୍ଚଳରୁ ଚଢ଼ଉ କରି ବ୍ରାଉନ୍‌ସୁଗର ଗ୍ୟାଙ୍ଗର ୨ ଜଣଙ୍କୁ ଏସ୍‌ଟିଏଫ୍ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ଗିରଫ ଦୁଇ
ବ୍ରାଉନସୁଗର ମାଫିଆ ହେଲେ ନୂଆପଲ୍ଲୀ ଥାନା ରେଣ୍ଟାଲ୍‌ କଲୋନୀର ଅନନ୍ତ ସାହୁ ବୁଦ୍ଧିଆ ଏବଂ ଦୀପ୍ତିରଞ୍ଜନ ବାରିକ୍‌ ଓରଫ ଇଲୁ। ସେମାନଙ୍କଠାରୁ ଗୋଟିଏ ୯ଏଲ୍ଏଲ୍‌ର ଦାମୀ ବନ୍ଧୁକ, ୪ଟି ଅଫୁଟା ଗୁଳି, ୫୬ ଗ୍ରାମ୍‌ ବ୍ରାଉନ୍‌ସୁୁଗର ଏବଂ ଗୋଟିଏ କାର୍‌ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କାରୁ ଅଧିକ ହେବ। ଅଧିକ ଅନୁସନ୍ଧାନ ଲାଗି ଉକ୍ତ ମାମଲାଟିକୁ ଏସ୍‌ଟିଏଫ୍‌ ପକ୍ଷରୁ ଟାଙ୍ଗୀ ଥାନାକୁ ହସ୍ତାନ୍ତର କରାଯାଇଥିବା ଏସ୍‌ଟିଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି।
ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଏସ୍‌ଟିଏଫ୍‌ ଏସ୍‌ପି ପ୍ରଶାନ୍ତ କୁମାର ଭୋଇ ସୂଚନା ଦେଇଛନ୍ତି। ଧରାପଡ଼ିଥିବା ଦୁଇ ମାଫିଆଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ପଚରାଉଚରା ପରେ ଜବତ ବ୍ରାଉନସୁଗର ମୁର୍ଶିଦାବାଦ, କଲକାତା ଏବଂ ଖଡ଼ଗପୁରରୁ ଆସିଥିଲା। ଏହାପରେ ବାଲେଶ୍ବର ଏବଂ ଜଳେଶ୍ବର ଦେଇ ରାଜଧାନୀ ଓ ଖୋର୍ଦ୍ଧାକୁ ଚୋରା ଚାଲାଣ କରାଯାଉଛି। ଧରାପଡ଼ିଥିବା ବୁଦ୍ଧିଆ ଓ ଇଲୁ ଅଧିକ ଟଙ୍କା ଲୋଭରେ ଯାଜପୁରକୁ ଚୋରା ଚାଲାଣ କରୁଥିଲେ। ସେମାନଙ୍କୁ ପଚରାଉଚରା ପରେ ଆଉ କାହା ସହ ଏଥିରେ ସମ୍ପୃକ୍ତି ରହିଛି ତାହା ଜଣାପଡ଼ିବ।
ସେହିପରି କିଛି ଦିନ ତଳେ ବାଲେଶ୍ବରରୁ ବ୍ରାଉନସୁଗର ଆଣି ବିକ୍ରି କରିବା ଲାଗି ଯୋଜନା କରୁଥିବା ବେଳେ ଏସ୍‌ଟିଏଫ୍‌ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଚଢ଼ଉ କରିଥିଲା। ଏଥିରେ ଦୁଇ ଜଣଙ୍କୁ ଗିରଫ କରିବା ସହ ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରିଥିଲା।

ଜବତ ହେଲାଣି ୨ କୋଟିର ନିଶା ସାମଗ୍ରୀ
ଗତ ଜାନୁଆରୀରୁ ଏପର୍ଯ୍ୟନ୍ତ ଏସ୍‌ଟିଏଫ୍‌ ପକ୍ଷରୁ ସାରା ରାଜ୍ୟରେ ଏକ ବ୍ରାଉନ୍‌ସୁଗର ଧରପଗଡ଼ ଅଭିଯାନ ଆରମ୍ଭ କରାଯାଇଥିଲା। ଏସ୍‌ଟିଏଫ୍ କଟକ, ଜଳେଶ୍ବର, ବାଲେଶ୍ବର, ଅନୁଗୋଳ, ପୁରୀ, ଖୋର୍ଦ୍ଧା, ପିପିଲି, ଭଦ୍ରକ, ଢେଙ୍କାନାଳ ଓ ଭୁବନେଶ୍ବରରେ ୧୩ଟି ମାମଲା ରୁଜୁ କରିଛି। ଏଥିରେ ସମ୍ପୃକ୍ତ ୨୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଏସ୍‌ଟିଏଫ୍ ୧କିଲୋ ୩୩୫ ଗ୍ରାମ୍‌ ବ୍ରାଉନ୍‌ସୁଗର, ୩୨୬.୪୫ଗ୍ରାମର ଅଫିମ, ନଗଦ ୧୩ ଲକ୍ଷ ୨୧ ହଜାର ଟଙ୍କା ଜବତ କରିଛି। ଏଥିସହିତ ଗୋଟିଏ ବନ୍ଧୁକ, ଗୁଳି, ଗୋଟିଏ କାର୍‌, ୮ଟି ବାଇକ୍‌ ବ୍ୟାଙ୍କ ଆକାଉଣ୍ଟ ଜବତ କରିଛି।

ଧରାପଡ଼ିଲେ କେମିତି

ଶୁକ୍ରବାର ସନ୍ଧ୍ୟାରେ ବୁଦ୍ଧିଆ ଓ ଇଲୁ ଖୋର୍ଦ୍ଧାରୁ ବ୍ରାଉନସୁଗର ନେଇ ଚଣ୍ଡିଖୋଲ ଯାଉଥିଲେ। ମଙ୍ଗୁଳି ଛକରେ ଏସ୍‌ଟିଏଫ୍‌ ଏବଂ ଟାଙ୍ଗୀ ପୁଲିସ ପୂର୍ବରୁ ଖବରପାଇ ଛକି ରହିଥିଲେ। ଦୁଇ ନିଶା ମାଫିଆ ବ୍ରାଉନସୁଗର ନେଇ କାର୍‌ରେ ଯାଉଥିବା ବେଳେ ଏସ୍‌ଟିଏଫ୍‌ ଓ ପୁଲିସ ଚଢ଼ଉ କରିଥିଲା। ପୁଲିସକୁ ଦେଖି ସେମାନେ ଗାଡ଼ିକୁ ଦ୍ରୁତଗତିରେ ନେବା ସହ ଭୟଭୀତ କରିବା ଲାଗି ବନ୍ଧୁକ ଦେଖାଇଥିଲେ; ହେଲେ ଏସ୍‌ଟିଏଫ୍‌ ସେମାନଙ୍କୁ କାବୁ କରିନେଇଥିଲା। ଗାଡିକୁ ଯାଞ୍ଚ ପରେ ବ୍ରାଉନସୁଗର ଓ ବନ୍ଧୁକ ଏବଂ ଗୁଳି ଜବତ ହୋଇଛି। ଲକ୍ଷ ଲକ୍ଷ ଟଙ୍କାର ବ୍ରାଉନସୁଗର କାରବାର କରୁଥିବାରୁ ସେମାନେ ବନ୍ଧୁକ ବ୍ୟବହାର କରୁଥିଲେ। ଜବତ ହୋଇଥିବା ବନ୍ଧୁକର ଦାମ୍‌ ୨ ଲକ୍ଷ ଟଙ୍କା ହେବ।

Comments are closed.