ଭିଜିଲାନ୍ସ ଜାଲରେ କୋଟିପତି ଅବସରପ୍ରାପ୍ତ ଡ୍ରାଇଭର

ଧର୍ମଗଡ: ଭିଜିଲାନ୍ସ ଜାଲରେ କୋଟିପତି ଅବସରପ୍ରାପ୍ତ ଡ୍ରାଇଭର। ପୂର୍ବରୁ ଭିଜିଲାନ୍ସ ନଜରରେ କେବଳ ବଡବଡିଆ ବାବୁ ରହୁଥିବାବେଳେ ଏବେ କିରାଣୀ, ଅଙ୍ଗନବାଡ଼ି କର୍ମୀ, ପିଅନ,ଡ୍ରାଇଭର ପ୍ରମୁଖ ଆସିଗଲେଣି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦଳ ଗୁରୁବାର ଧର୍ମଗଡ ସ୍ଥିତ ବାସଭବନ ଓ ତାଙ୍କ ମାଲିକାନାରେ ଥିବା ଦୀନବନ୍ଧୁ ଅତିଥିଭବନ ଉପରେ ଚଢ଼ଉ କରିଛି। ପ୍ରାଥମିକ ତଦନ୍ତରୁ ତାଙ୍କ ମୋଟ ସଂପତ୍ତିର ମୂଲ୍ୟ ୨କୋଟି ୨୦ଲକ୍ଷ ଟଙ୍କା ଆକଳନ କରାଯାଇଛି।

ସୂଚନାନୁଯାୟୀ ରମେଶ ଚନ୍ଦ୍ର ପଣ୍ଡା ଇନ୍ଦ୍ରାବତୀ ଡିଭିଜନରେ ଜଣେ ଡ୍ରାଇଭର ରୂପେ କାର୍ଯ୍ୟରତ ଥିଲେ। ଗତ ବର୍ଷ ସେ ଅବସର ଗ୍ରହଣ କରିଛନ୍ତି। ସାମାନ୍ୟ ଜଣେ ଡ୍ରାଇଭର କିପରି କୋଟିକୋଟି ସଂପତ୍ତିର ମାଲିକ ହେଲେ ସେ ନେଇ ଭିଜିଲାନ୍ସ ବିଭାଗ ତାଜୁବ ହୋଇଛି।

ସକାଳ ୬ଟାରୁ କୋରାପୁଟ ଭିଜିଲାନ୍ସର ନିର୍ଦ୍ଦେଶକ୍ରମେ ମାଲକାନଗିରି ଡିଏସପି ସୁଶାନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ଡ୍ରାଇଭର ଶ୍ରୀ ପଣ୍ଡାଙ୍କ ଧର୍ମଗଡସ୍ଥିତ ବାସଭବନ ଓ ତାଙ୍କ ମାଲିକାନାରେ ଥିବା ବାସଭବନ ଉପରେ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ଭିଜିଲାନ୍ସ ଟିମ ତାଙ୍କ ଘରୁ ଗୋଟିଏ ହୋଣ୍ଡା କ୍ରୋଟା ଗାଡି,ଦୁଇଟି ବାଇକ,ଗୋଟିଏ ସ୍କୁଟି,ବିଭିନ୍ନ ବ୍ୟାଙ୍କରେ ଥିବା ୧୧ଲକ୍ଷ ଟଙ୍କା ପାସ ଜମା,୧୨ଲକ୍ଷ ଟଙ୍କାର ବୀମା, ପ୍ରାୟ ୮୫୦ଗ୍ରାମ ସୁନା ଯେଉଁଥିରୁ ଲକରରେ ୫୯୨ଗ୍ରାମ ସୁନା ରହିଥିବାବେଳେ ବ୍ୟାଙ୍କରେ ୨୫୦ଗ୍ରାମ ସୁନା ବନ୍ଧକ ରହିଥିବା ଜଣାପଡ଼ିଛି।

ସେହିପରି ସେ ରହୁଥିବା ୱେସ୍କୋ ଅଫିସ ନିକଟସ୍ଥ ଘର ଯାହାର ଆନୁମାନିକ ମୂଲ୍ୟ ୩୫ଲକ୍ଷ ଟଙ୍କା ହେବ ବୋଲି ଭିଜିଲାନ୍ସ ଆକଳନ କରିଥିବାବେଳେ ଜୁନାଗଡ ରାସ୍ତାରେ ଥିବା ଦୀନବନ୍ଧୁ ଅତିଥିଭବନର ମୂଲ୍ୟ ୧କୋଟି ୧୩ଲକ୍ଷ ଟଙ୍କା ଆକଳନ କରିଛି। ଜଣେ ଡ୍ରାଇଭର ଏତେ ସଂପତ୍ତିର ମାଲିକ ହେବା ପଛରେ ସୁଧ ଏବଂ ଜମି କିଣାବିକା କାରବାର ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବାବେଳେ ଏନେଇ ପଚାରିବାରୁ ତଦନ୍ତ ଚାଲିଛି; ବର୍ତ୍ତମାନ କିଛି କହିହେବ ନାହିଁ ବୋଲି ଭିଜିଲାନ୍ସ ଡିଏସପି ସୁଶାନ୍ତ ବିଶ୍ୱାଳ ପ୍ରଶ୍ନକୁ ଏଡାଇ ଯାଇଥିଲେ। ଏହି ଚଢ଼ଉରେ ନବରଙ୍ଗପୁର ଭିଜିଲାନ୍ସ ଡିଏସପି ଇନଚାର୍ଜ କଳାବତୀ ବାଗ, ରାୟଗଡା ଡିଏସପି ଅନନ୍ତ କୁମାର ମଲ୍ଲିକ ପ୍ରମୁଖ ସାମିଲ ହୋଇଥିଲେ। ସକାଳ ୬ଟାରୁ ଚଢ଼ଉ କରାଯାଇଥିବାବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ଅର୍ଥାତ ୭ଟା ୩୦ପର୍ଯ୍ୟନ୍ତ ସଂପତ୍ତି ଆକଳନ ସରି ନ ଥିଲା।

Comments are closed.