ସାଂସଦଙ୍କ ଉଦ୍‍ଘାଟନର ଗୋଟିଏ ଦିନ ପରେ ଜିଲା ମୁଖ୍ୟ ଡାକ୍ତରଖାନାରେ ପିଇବାପାଣି ପ୍ରକଳ୍ପ ବନ୍ଦ

ନବରଙ୍ଗପୁର: ଜିଲା ଡାକ୍ତରଖାନାରେ ପିଇବାପାଣି ପାଇଁ ବିଶୁଦ୍ଧପାଣି ପ୍ରକଳ୍ପକୁ ରାଜ୍ୟସଭା ସାଂସଦ ମୁନାଖାଁ ସାଂସଦ ପାଣ୍ଠିରୁ ଅନୁଦାନ ଦେଇଥିବାବେଳେ ଗତ ଏପ୍ରିଲ ପହିଲାରେ ଉଦ୍‍ଘାଟନ କରିଥିଲେ। ତେବେ ଉଦ୍‍ଘାଟନର କେବଳ ଗୋଟିଏ ଦିନ ପରେ ପିଇବା ପାଣି ମିଳିଥିବାବେଳେ ୨ତାରିଖରୁ ଆଉ ପାଣି ଆସୁନି। ଏଠାରେ ପ୍ରାୟ ୩ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚରେ ପାଣି ବିଶୁଦ୍ଧ ପାଇଁ ମୋଟର ବସିଥିବାବେଳେ ଏହା ଜରୁରୀକାଳୀନ ଏସଏନସିୟୁ କୋଠା ସମ୍ମୁଖରେ ଏକ ବଖରାରେ ପିଇବା ପାଣିର ବ୍ୟବସ୍ଥା କରାଯାଇଛି। ଏଠାରେ ଏକ ହଜାର ଲିଟର ବିଶୁଦ୍ଧ ପାଣି ମିଳିପାରିବ। ଏହା ଦ୍ୱାରା ଡାକ୍ତରଖାନାକୁ ଆସୁଥିବା ରୋଗୀ ଓ ସଂପର୍କୀୟମାନେ ପିଇବାପାଣି ପାଇବାର ଆଶାରେ ଖୁସି ପ୍ରକାଶ କରିଥିଲେ।

ବର୍ତ୍ତମାନ ପ୍ରଚଣ୍ଡ ଖରା ହେଉଥିବାବେଳେ ଜିଲା ଡାକ୍ତରଖାନରେ ପିଇବା ପାଣି ନାହିଁ। ଫଳରେ ପିଇବା ପାଣି ପାଇଁ ଲୋକ ମାନେ ନିକଟସ୍ଥ ଦୋକାନରୁ ପାଣି ବୋତଲ କିଣିବାକୁ ବାଧ୍ୟ ଡେଉଛନ୍ତି। ଜନକଲ୍ୟାଣ ପାଇଁ ସାଂସଦ ମୁନାଖାଁ ଏହି ପିଇବା ପାଣି ପ୍ରକଳ୍ପ କରିଥିଲେ ହେଁ ଡାକ୍ତରଖାନାର କର୍ତ୍ତୃପକ୍ଷଙ୍କର ଅବହେଳା କାରଣରୁ ଏହି ପିଇବାପାଣି ବନ୍ଦ ହୋଇ ଯାଇଛି। ସୋମବାରଦିନ ବିଜେପି ନେତା ଗୈାରୀଶଙ୍କର ମାଝୀ ଓ ନଗର ସଭାପତି ପିଣ୍ଟୁ ମିଶ୍ର ଡାକ୍ତରଖାନା ଯାଇଥିବାବେଳେ ପିଇବାପାଣି ପ୍ରକଳ୍ପ ବନ୍ଦ ହୋଇଥିବା ଜାଣିବାକୁ ପାଇଥିଲେ। ପିଇବା ପାଣି ନପାଇ ରୋଗୀ ସଂପର୍କୀୟମାନେ ହଇରାଣ ହରକତ ହେଉଥିବା ଜାଣିବା ପରେ ଏସଂପର୍କରେ ସିଡିଏମଓ ଦୃଷ୍ଟିଦେବାକୁ ଦାବି କରିଛନ୍ତି। ଏହି ପ୍ରକଳ୍ପ ଅନୁସୂଚିତ ଜାତି ଓ ଜନଜାତି ବିଭାଗ, ଜିଲାପାଳଙ୍କର କାର୍ଯ୍ୟାଳୟ ମାଧ୍ୟମରେ କରାଯାଇଥିବା ଜଣାଯାଇଛି। ତେବେ ଏସଂପର୍କରେ ଜାତୀୟ ସ୍ୱାସ୍ଥ୍ୟମିଶନର ଜିଲା ପ୍ରକଳ୍ପ ପରିଚାଳକ ସୁଶାନ୍ତ କୁମାର ପ୍ରହରାଜଙ୍କୁ ପଚାରିବାରୁ ଏହି ପ୍ରକଳ୍ପ ପାଇଁ ଦୈନିକ ୨ହଜାର ଲିଟର ପାଣିର ଆବଶ୍ୟକ ରହିଛି। ତେବେ ପାଣି ଅଭାବ ରହିଥିବାରୁ ଏଭଳି ଅସୁବିଧା ଦେଖାଦେଇଥିବା କହିଥିଲେ। ବର୍ତ୍ତମାନ ଖରା ସମୟ ହୋଇଥିବାରୁ ପିଇବା ପାଣିର ଜରୁରୀ ଆବଶ୍ୟକ ରହୁଥିବା କାରଣରୁ ଜିଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

Comments are closed.