ଓଜନ କମ୍ କରିବାକୁ ପିଅନ୍ତୁ ଭୁର୍ସୁଙ୍ଗ ପତ୍ର ଚା’

ବିଭିନ୍ନ ପ୍ରକାର ବ୍ୟଞ୍ଜନରେ ଭୁର୍ସୁଙ୍ଗ ପତ୍ର ଛୁଙ୍କ ଦେଲେ, ତାହା ଖାଦ୍ୟର ସ୍ବାଦକୁ ଦ୍ବିଗୁଣିତ କରିଥାଏ। ବିଶେଷ କରି ଦକ୍ଷିଣ ଭାରତୀୟ ବ୍ୟଞ୍ଜନରେ ଏହି ପତ୍ରର ଉପଯୋଗ ଅଧିକ ଦେଖିବାକୁ ମିଳେ। ସ୍ବାସ୍ଥ୍ୟ ପାଇଁ ହିତକାରୀ ଭୁର୍ସୁଙ୍ଗ ପତ୍ର ନିୟମିତ ଖାଲି ପେଟରେ ଚୋବାଇ ଖାଇଲେ ତାହା କେଶର ଘନତ୍ବ ବଢ଼ାଇବା ସହ ତ୍ବଚା ସମ୍ବନ୍ଧୀୟ ରୋଗ ମଧ୍ୟ ଦୂର ହୁଏ। ନିକଟରେ ହୋଇଥିବା ଅନୁଧ୍ୟାନରୁ ପ୍ରମାଣିତ ହୋଇଛି, ପ୍ରତିଦିନ ଏହି ପତ୍ର ଫୁଟା ଚା’ ପିଇଲେ ଓଜନ କମ୍ ହେବା ସହ ରକ୍ତଚାପ ମଧ୍ୟ ନିୟନ୍ତ୍ରଣରେ ରହେ।

ସକାଳ ବେଳା ଏହି ଚା’ ପିଇବା ଭଲ। ଭୁର୍ସୁଙ୍ଗ ପତ୍ରକୁ ଭଲରେ ଧୋଇ ଖରାରେ ଶୁଖାଇ ଏହାକୁ ଗୁଣ୍ଡ କରି ଅଧ ଚାମଚ ନାଲି ଚା’ରେ ମିଶାଇ ପାରିବେ। ନଚେତ୍ ଏହାକୁ ଅନ୍ୟ ଏକ ପ୍ରଣାଳୀରେ ମଧ୍ୟ ପ୍ରସ୍ତୁତ କରିହେବ। ଏକ ସସ୍ ପ୍ୟାନ୍‌କୁ ଚୁଲାରେ ବସାଇ ଦେଢ଼ କପ୍ ପାଣି ଫୁଟାଇବେ। ସେଥିରେ ଅଦା ଛେଚା ଅଳ୍ପ ମିଶାଇବା ପରେ ୧୦-୧୨ଟି ଭୁର୍ସୁଙ୍ଗ ପତ୍ର ପକାଇବେ। ୨ ମିନିଟ୍ ଭଲରେ ଫୁଟିବା ପରେ ଚୁଲା ବନ୍ଦ କରି ଫୁଟା ପାଣିକୁ କପ୍‌ରେ ଢାଳନ୍ତୁ। ସେଥିରେ ଅଧ ଚାମଚ ମହୁ ମିଶାଇ ଉଷୁମ ଥିବା ଅବସ୍ଥାରେ ହିଁ ପିଇବେ। ୧ ମାସ ନିୟମିତ ପିଇବା ପରେ ହିଁ ଜଣେ ଏହି ପାନୀୟର ଉପକାରିତା ଜାଣିପାରିବ।

– ଆଣ୍ଟିଅକ୍ସିଡାଣ୍ଟ ଭରପୂର ଏହି ପାନୀୟ ପିଇଲେ ଆମ ବୃକକ୍, ଯକୃତକୁ ସଂକ୍ରମଣଜନିତ ରୋଗରୁ ରକ୍ଷା କରେ। ହୃଦ୍‌ରୋଗ ହେବାର ଆଶଙ୍କାକୁ କମ୍ କରିବାକୁ ଚାହୁଁଥିଲେ ଦୈନିକ ୫-୬ଟି ଭୁର୍ସୁଙ୍ଗ ପତ୍ର ଖାଲିପେଟରେ ଚୋବାଇ ଖାଇବା ଭଲ।
– ମଧୁମେହ ରୋଗୀଙ୍କ ନିମନ୍ତେ ମଧ୍ୟ ଭୁର୍ସୁଙ୍ଗ ପତ୍ର ଚା’ ଔଷଧ ପରି କାମ କରେ। ଭିଟାମିନ୍ ଏ ଭରପୂର ଏହି ପତ୍ରକୁ ବିଭିନ୍ନ ବ୍ୟଞ୍ଜନରେ ମିଶାଇ ଖାଇଲେ ତାହା ଆଖିର ଜ୍ୟୋତି ବୃଦ୍ଧିରେ ସହାୟକ ହୋଇଥାଏ।
– କେଶ ଅଧିକ ପରିମାଣରେ ଝଡ଼ୁଥିଲେ, ଭୁର୍ସୁଙ୍ଗ ପତ୍ର ମହୌଷଧି ପରି କାମ କରେ।

Comments are closed.