ମାନିଲେନି କରୋନା କଟକଣା, ନୀଳଗିରିରେ ଡ୍ରେସ ଦୋକାନ ସିଲ୍‍

ନୀଳଗିରି: ସମ୍ପ୍ରତି ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କିନ୍ତୁ ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଗୁଣ୍ଡିଚା ବଜାରରେ ଥିବା ପ୍ରୀତମ ଡ୍ରେସ ହାଉସ କୋଭିଡ ନିୟମକୁ ଖୋଲାଖୋଲି ଉଲଙ୍ଘନ କରିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ପୁଲିସ ଓ ପ୍ରଶାସନ ପକ୍ଷରୁ ବାରମ୍ବାର ତାଗିଦ ସତ୍ତ୍ବେ କଥା ନଶୁଣିବାରୁ ମଙ୍ଗଳବାର ରାତିରେ ଉକ୍ତ ଦୋକାନ ଓ ଗୋଦାମକୁ ୭ଦିନ ପାଇଁ ସିଲ୍‍ କରାଯିବା ଘଟଣା ଅଞ୍ଚଳରେ ହଟଚମଟ ସୃଷ୍ଟି କରିଛି।

ପ୍ରୀତମ ଡ୍ରେସ ହାଉସର ସତ୍ତ୍ୱାଧିକାରୀ ରାଜେଶ ବେହେରାଙ୍କ ସ୍ୱାବ ରିପୋର୍ଟ ପଜିଟିଭ ଆସିଛି। ଏହା ସତ୍ତ୍ବେ ଉକ୍ତ ଦୋକାନ ଖୋଲା ହେବା ଏବଂ ଦୈନନ୍ଦିନ ସହଶ୍ରାଧିକ ଲୋକଙ୍କ ଭିଡ଼ ଜମି ଚାଲିଛି। ଉକ୍ତ ଡ୍ରେସ ହାଉସରେ ୧୫ରୁ ଊର୍ଦ୍ଧ୍ବ କର୍ମଚାରୀଙ୍କ ସମେତ ମଲ୍‍ ଭଳି ସଂଖ୍ୟାଧିକ ଗ୍ରାହକଙ୍କ ଭିଡ଼ ଲାଗିଥାଏ। ଏହି ଦୃଷ୍ଟିରୁ ମଙ୍ଗଳବାର ରାତି ୮ଟା ସମୟରେ ସ୍ଥାନୀୟ କୋଭିଡ ମାଜିଷ୍ଟ୍ରେଟ ତଥା ତହସିଲଦାର ଅଶେଷ ନାୟକ, ଏନଏସି ନିର୍ବାହୀ ଅଧିକାରୀ ରତନ ପଟ୍ଟନାୟକ, ଥାନା ଏଏସ୍‍ଆଇ ଶରତ ଚନ୍ଦ୍ର ଧଳ ପ୍ରମୁଖ ପୁଲିସ ଫୋର୍ସ ଧରି ସେଠାରେ ପହଞ୍ଚି ଦୋକାନ ଭିତରେ ଥିବା ଗ୍ରାହକ ଓ କର୍ମଚାରୀଙ୍କୁ ବାହାର କରି ଦେଇଥିଲେ।

ପରେ ଉକ୍ତ ଦୋକାନ ଓ ଗୋଦାମ ଗୃହକୁ ସିଲ୍‍ କରାଯାଇ ସାନିଟାଇଜିଂ କରାଯାଇଛି। ତେବେ ସମସ୍ତ କର୍ମଚାରୀଙ୍କ ଆରଟିପିସିଆର ପରୀକ୍ଷା କରାଯିବା ପରେ ପ୍ରଶାସନ ପକ୍ଷରୁ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ଯଦି ଅନ୍ୟ କୌଣସି କର୍ମଚାରୀଙ୍କ ସ୍ୱାବ ରିପୋର୍ଟ ପଜିଟିଭ ଆସିବ ତେବେ ଏହି ଦୋକାନକୁ ୨୧ଦିନ ପର୍ଯ୍ୟନ୍ତ ସିଲ କରାଯିବ ବୋଲି କୋଭିଡ ମାଜିଷ୍ଟ୍ରେଟ ଅଶେଷ ନାୟକ ଜଣାଇଛନ୍ତି। ଏଥିସହ ସମସ୍ତ ଦୋକାନୀ ଓ ଅନଞ୍ଚଳବାସୀଙ୍କୁ ପ୍ରଶାସନ ପକ୍ଷରୁ ସଚେତନ କରାଯାଉଥିବା ଦେଖିବାକୁ ମିଳିଛି।

Comments are closed.