କାରାଗାର କର୍ମଚାରୀଙ୍କୁ ପୋଷାକ ଭତ୍ତା

ଭୁବନେଶ୍ବର : କାରାଗାର କର୍ମଚାରୀଙ୍କୁ ଏଣିକି ପୋଷାକ ବାବଦ ଭତ୍ତା ପ୍ରଦାନ କରାଯିବ। କାରାଗାର କର୍ମଚାରୀଙ୍କୁ ପୋଷାକ ବାବଦ କପଡା ଯୋଗାଇ ଦିଆଯାଉଥିଲା। ତେବେ ବହୁ ସମୟରେ କପଡା ଅଭାବ ପରିଲକ୍ଷିତ ହେଉଥିଲା। ତେଣୁ କର୍ମଚାରୀଙ୍କୁ ପୋଷାକ ବାବଦ ଭତ୍ତା ପ୍ରଦାନ କରିବା ଲାଗି କାରାଗାର ନିର୍ଦେଶାଳୟ ପକ୍ଷରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଗୃହ ବିଭାଗ ପକ୍ଷରୁ କାରାଗାର କର୍ମଚାରୀକୁ ଏଣିକି ପୋଷାକ ବାବଦ ବାର୍ଷିକ ଭତ୍ତା ପ୍ରଦାନ କରାଯିବା ଲାଗି ଅନୁମତି ଦିଆଯାଇଛି। କାରାଗାର ବିଭାଗର ଉପମହାନିରୀକ୍ଷକଙ୍କଠାରୁ ଆରମ୍ଭ କରି ଉପସହକାରୀ କାରାପାଳ ପର୍ଯ୍ୟନ୍ତ ପଦବିର ଅଧିକାରୀଙ୍କୁ ବାର୍ଷିକ ୩,୦୦୦ ଟଙ୍କା ଭତ୍ତା ବାବଦରେ ପ୍ରଦାନ କରାଯିବ। ସେହିପରି ମୁଖ୍ୟ କାରାରକ୍ଷକ, ଉଭୟ ପୁରୁଷ ଓ ମହିଳା କାରାରକ୍ଷକଙ୍କୁ ବାର୍ଷିକ ୪୦୦୦ ଟଙ୍କା ପୋଷାକ ଭତ୍ତା ପ୍ରଦାନ କରାଯିବ ବୋଲି ଜଣାପଡିଛି। ଏହି ବାବଦରେ ବର୍ଷକୁ ୫୬ ଲକ୍ଷ ଟଙ୍କା ଅଧିକ ବ୍ୟୟ ହେବ ବୋଲି କାରାଗାର ମହାନିର୍ଦେଶକ ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି।

Comments are closed.