ସଞ୍ଜୟ କାପୁର ଜାତୀୟ ଚେସ୍ ଫେଡେରେଶନ ଅଧ୍ୟକ୍ଷ ନିର୍ବାଚିତ

ନୂଆଦିଲ୍ଲୀ: ଜାତୀୟ ଚେସ୍ ଫେଡେରେଶନର ନୂଆ ଅଧ୍ୟକ୍ଷ ଭାବେ ଡା. ସଞ୍ଜୟ କାପୁର ନିର୍ବାଚିତ ହୋଇଛନ୍ତି। ପ୍ରଥମ ଥର ଲାଗି ଉତ୍ତର ଭାରତର ଜଣେ ବ୍ୟକ୍ତି ଏହି ପଦବୀ ଅଳଙ୍କୃତ କରିଛନ୍ତି। ଡା. କାପୁର ଏବଂ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ଚେନ୍ନାଇର ପି.ଆର. ଭେଙ୍କଟ ରାମ ରାଜାଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ଡା. କାପୁର ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କୁ ମାତ୍ର ୨ଟି ଭୋଟରେ ହରାଇ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ଫେଡେରେଶନର ସମ୍ପାଦକ ଭାବେ ଭାରତ ସିଂହ ଚୌହ୍ବାନ ନିର୍ବାଚନରେ ବିଜୟୀ ହୋଇଛନ୍ତି।
ଏହା ବ୍ୟତୀତ ଫେଡେରେଶନର ଉପାଧ୍ୟକ୍ଷ ପଦବୀରେ ଅନନ୍ତ ଡି.ପି., ଭାବେଶ ପଟେଲ, ବିପନେଶ ଭରଦ୍ବାଜ, ଅଜୟ ଅଜମେରା, ପି.ସି. ଲଲିୟନଥଙ୍ଗା, ଇଞ୍ଜିନିୟର ନୟାପୁଙ୍ଗ କୋନିଆ ନିର୍ବାଚିତ ହୋଇଥିବାବେଳେ ଯୁଗ୍ମ ସଚିବ ପଦ ପାଇଁ ରାଜେଶ ଆର., ମହେନ୍ଦ୍ର ଧକାଲ, ଅତୁଲ କୁମାର, ମୁଗାହୋ ଆୱାମୀ, ଦିଲଜିତ୍ ଖନ୍ନା, ଅତାନୁ ଲାହିର ପ୍ରମୁଖ ନିର୍ବାଚିତ ହୋଇଛନ୍ତି। ସେହିପରି କୋଷାଧ୍ୟକ୍ଷ ପଦବୀରେ ନରେଶ ଶର୍ମା ବିଜୟୀ ହୋଇଛନ୍ତି।
ସୂଚନାଯୋଗ୍ୟ, ଜାତୀୟ ଚେସ୍ ଫେଡେରେଶନର କାର୍ଯ୍ୟକର୍ତ୍ତା ନିର୍ବାଚନ ଲାଗି ମାଡ୍ରାସ ହାଇକୋର୍ଟଙ୍କ ପକ୍ଷରୁ ନିଯୁକ୍ତ ନିର୍ବାଚନ ଅଧିକାରୀ କେ. କାନନଙ୍କ ଦ୍ବରା ସମ୍ପନ୍ନ ହୋଇଥିଲା। ଡା. ସଞ୍ଜୟ କାପୁରଙ୍କ ବିଜୟ ପରେ ଚେସ୍ ପ୍ରେମୀମାନେ ଖୁସି ବ୍ୟକ୍ତ କରିଛନ୍ତି।