ଉତ୍ତର ପିଢ଼ି ଆମ କାର୍ଯ୍ୟର ଶ୍ରେଷ୍ଠ ବିଚାରକ : ତଥାଗତ

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୩ତମ ଜୟନ୍ତୀ

ରାଧାନାଥ ବାବୁ ବିରାଟ ଅନୁଷ୍ଠାନ, ସତ୍ୟ ଖବରର ପ୍ରତୀକ ‘ ସମାଜ’

କଟକ  : ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ, ଲୋକସେବକ ମଣ୍ଡଳର ପୂର୍ବତନ ସଭାପତି ତଥା ‘ସମାଜ’ର ପୂର୍ବତନ ସମ୍ପାଦକ ପଦ୍ମଭୂଷଣ ଡକ୍ଟର ରାଧାନାଥ ରଥ ଜଣେ ଅପ୍ରତିଦ୍ୱନ୍ଦ୍ୱୀ ବ୍ୟକ୍ତିତ୍ୱ ଥିଲେ। ବାବୁଜୀ ଭାବେ ସମସ୍ତଙ୍କ ହୃଦୟରେ ସ୍ଥାନ ପାଇଥିଲେ। ସେ ଥିଲେ ଏକ ଅନୁଷ୍ଠାନ। ରାମକୃଷ୍ଣ ପରମହଂସଙ୍କ ଶିଷ୍ୟ ସ୍ୱାମୀ ବିବେକାନନ୍ଦଙ୍କ ପରି ବାବୁଜୀ ପଣ୍ଡିତ ଗୋପବନ୍ଧୁଙ୍କର ମହାନ୍‍ ଶିଷ୍ୟ ଭାବେ ନିଜକୁ ସାବ୍ୟସ୍ତ କରିଛନ୍ତି। ତାଙ୍କ ଆଦର୍ଶରେ ଉତ୍ତର ପିଢ଼ି ଅନୁପ୍ରାଣିତ ହେବାକୁ ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୩ତମ ଜୟନ୍ତୀ ସମାରୋହରେ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।
ଲୋକସେବକ ମଣ୍ଡଳ ଓଡ଼ିଶା ଶାଖା ପକ୍ଷରୁ ବକ୍ସିବଜାରସ୍ଥିତ ଗୋପବନ୍ଧୁ ଭବନଠାରେ ଶୁକ୍ରବାର ପୂର୍ବାହ୍ଣରେ ଆୟୋଜିତ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ବରିଷ୍ଠ ସାମ୍ବାଦିକ, ପୂର୍ବତନ ସାଂସଦ ତଥା ‘ଧରିତ୍ରୀ’ର ସମ୍ପାଦକ ତଥାଗତ ସତପଥୀ କହିଲେ, ସାମ୍ବାଦିକତା ଓ ସମାଜସେବା କ୍ଷେତ୍ରରେ ପଦ୍ମଭୂଷଣ ପାଇବାରେ ଡ. ରାଧାନାଥ ରଥ ଭାରତର ଏକମାତ୍ର ବ୍ୟକ୍ତି। କୋଉଟା ସତ, କୋଉଟା ମିଛ ଅଙ୍ଗେ ନ ନିଭାଇ ବି ସେ ହୃଦବୋଧ କରିପାରନ୍ତି। ରାଜନେତାଙ୍କଠାରୁ ଆରମ୍ଭକରି ସବୁବର୍ଗର ବ୍ୟକ୍ତି ସଠିକ ଦିଗଦର୍ଶନ ପାଇବା ପାଇଁ ଦୃଢ଼ ଆଶା ଓ ବିଶ୍ୱାସ ନେଇ ସେମାନେ ରାଧାନାଥ ବାବୁଙ୍କ ନିକଟକୁ ଆସୁଥିଲେ। ରାଧାନାଥ ବାବୁ ବି କାହାକୁ ନିରାଶ କିମ୍ବା ନକାରାତ୍ମକ କଥା କହନ୍ତି ନାହିଁ। ଯାହା ଠିକ ଓ ଯାହା ଉଚିତ, ତାହା ହିଁ ପରାମର୍ଶ ଦେଇଥାନ୍ତି। ତାଙ୍କ କଥା ଓ କାର୍ଯ୍ୟରେ କୌଣସି ପ୍ରଭେଦ ନଥିଲା। ସତ କଥା କହି ଅନେକ ସମୟରେ ବହୁ ବ୍ୟକ୍ତିଙ୍କର ଆକ୍ରୋଶର ଶିକାର ହୋଇଛନ୍ତି; ହେଲେ ସତ କହିବାରୁ ସେ ବିଚ୍ୟୁତ ହୋଇନାହାନ୍ତି। ତାଙ୍କ ଅକ୍ଳାନ୍ତ ପରିଶ୍ରମରେ ମହାଦ୍ରୁମରେ ପରିଣତ ହୋଇଥିବା ‘ସମାଜ’ ଓଡ଼ିଆ ଖବରକାଗଜର ଏକ ବ୍ରାଣ୍ଡ ପାଲଟିଛି। ସତ୍ୟ ଖବରର ପ୍ରତୀକ ଭାବେ ‘ସମାଜ’ ଓଡ଼ିଶାବାସୀ ତଥା ଏ ଜାତିର ମାନସିକତାରେ ରହିଯାଇଛି। କେବଳ ଓଡ଼ିଶା ନୁହେଁ; ଓଡ଼ିଶା ବାହାରେ ବି ‘ସମାଜ’କୁ ପାଠକ ଆଦର କରୁଥିବା ସେ କହିଥିଲେ।
ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ସାଧାରଣ ନାଗରିକ ହିଁ ବଡ଼। ପାଣିର ସ୍ରୋତ ହେଉଛନ୍ତି ନାଗରିକ। ରାଜନେତା ହେଉଛନ୍ତି ପାଣିସ୍ରୋତରେ ଫୋଟକା ସଦୃଶ। ଆମ କାର୍ଯ୍ୟର ଶ୍ରେଷ୍ଠ ବିଚାରକ ହେଉଛନ୍ତି ଉତ୍ତର ପିଢି। ରାଧାନାଥ ବାବୁ ଉତ୍ତରପିଢିଙ୍କ ଉପରେ ଆସ୍ଥା ରଖୁଥିଲେ। ଯେଉଁଥିପାଇଁ ଆମେ ତାଙ୍କୁ ଜଣେ ସଫଳ ମଣିଷଭାବେ ଉପସ୍ଥାପନ କରିବାକୁ କୁଣ୍ଠା ପ୍ରକାଶ କରୁନୁ। ତାଙ୍କ ଭଳି ମହାନ୍‍ ବ୍ୟକ୍ତିତ୍ୱଙ୍କୁ ଉତ୍ତର ପିଢ଼ି ଆଖି ଆଗରେ ରଖି ଚାଲିଲେ ନିଶ୍ଚିତ ଭାବେ ପ୍ରଗତି ପଥରେ ଦେଶ ଅଗ୍ରସର ହେବ ବୋଲି ଶ୍ରୀ ସତପଥୀ ମତ ଦେଇଥିଲେ।
ମୁଖ୍ୟବକ୍ତା କିସ୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ହରେକୃଷ୍ଣ ଶତପଥୀ କହିଲେ, ଲୁକ୍‍କାୟିତ ପ୍ରତିଭା ଲୋକଲୋଚନକୁ ଆଣିବାର କୌଶଳ ଜାଣିଥିଲେ ରାଧାନାଥ। ସେ ଜଣେ ଅଦ୍‍ଭୁତ ଅଲୌକିକ ବ୍ୟକ୍ତିତ୍ୱ ଥିଲେ। ଆବଶ୍ୟକତାକୁ ସେ ଗୁରୁତ୍ୱ ଦେଉଥିଲେ। ରାମକୃଷ୍ଣ ପରମହଂସଙ୍କ ସହ ବିବେକାନନ୍ଦଙ୍କ ମିଳନ ଓ ଅର୍ଜୁନଙ୍କ ସହ ଶ୍ରୀକୃଷ୍ଣଙ୍କ ମିଳନ ପରି ପଣ୍ଡିତ ଗୋପବନ୍ଧୁଙ୍କ ସହ ରାଧାନାଥଙ୍କର ଐତିହାସିକ ମିଳନ ହୋଇଥିଲା। ସାହିତ୍ୟ, ରାଜନୀତି, ସମାଜସେବା, ପରିବେଶ ବିଜ୍ଞାନ କ୍ଷେତ୍ରରେ ପଦ୍ମଭୂଷଣ ଡ. ରଥଙ୍କ ନାମ ଆଗକୁ ହିଁ ଆସେ। ସାଧୁତା, ସଚ୍ଚୋଟତାର ସେ ଥିଲେ ମୂର୍ତ୍ତିମନ୍ତ ପ୍ରତୀକ। ତାଙ୍କୁ ବାଦ ଦେଇ ଓଡ଼ିଶାର ଇତିହାସ କଥା ଚିନ୍ତା କରାଯାଇ ପାରେନା ବୋଲି ସେ କହିଥିଲେ।
ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ଅଧ୍ୟକ୍ଷତା କରି ଡ. ରାଧାନାଥ ସବୁ କ୍ଷେତ୍ରରେ ଗୋପବନ୍ଧୁଙ୍କୁ ପ୍ରାଧାନ୍ୟ ଦେଉଥିଲେ। ଗୁରୁ ସେବାର ପ୍ରତୀକ ଥିଲେ ବାବୁଜୀ। ତାଙ୍କଠାରେ ଉଦାରତା, କୃତଜ୍ଞଭାବ ପୂରି ରହିଥିଲା। ସର୍ବୋପରି ରାଧାନାଥ ଯୁଗସତ୍ତା, ମୂଲ୍ୟବୋଧ ଓ ରୁଚିବୋଧର ବ୍ୟକ୍ତି ଥିଲେ ବୋଲି କହିଥିଲେ।
‘ସମାଜ’ର ସମ୍ପାଦକ ବାମାପଦ ତ୍ରିପାଠୀ ସ୍ୱାଗତ ଭାଷଣ ଦେଇ ସମଗ୍ର ବିଶ୍ୱରେ ଦୀର୍ଘ ଦିନ ଧରି ଖବରକାଗଜର ସମ୍ପାଦକ ଦାୟିତ୍ୱ ନେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ବାବୁଜୀ ଅଗ୍ରଗଣ୍ୟ। ବାବୁଜୀ ଥିଲେ ମହାନ୍‍ ପ୍ରତିଭାଧର ଓ ଏକ ଅନୁଷ୍ଠାନ। ସଭା ଗୃହକୁ ଆସିଲେ ବାବୁଜୀ ଉପସ୍ଥିତ ଥିବା ଭଳି ଅନୁଭବ କରିହୁଏ ବୋଲି ସେ କହିଥିଲେ।
ଏହି ଅବସରରେ କଟକ ମହାନଗର ଶାନ୍ତି କମିଟିର ସଭାପତି ଦେବେନ୍ଦ୍ର ସାହୁ ଓ ସମ୍ପାଦକ ଭିକାରୀ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତାଙ୍କୁ ଉତ୍ତରୀୟ ଏବଂ ସ୍ମୃତିଚିହ୍ନ ଅର୍ପଣ କରି ସମ୍ମାନିତ କରାଯାଇଥିଲା। ‘ସମାଜ’ ରିଲିଫ କମିଟି ସମ୍ପାଦକ ଡ. ପ୍ରଭାସ ଆଚାର୍ଯ୍ୟ ପ୍ରାରମ୍ଭିକ ସୂଚନା, ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଲୋକସେବକ ମଣ୍ଡଳର ମୁଖ୍ୟ ସଂଯୋଜକ ସୁରେଶଚନ୍ଦ୍ର ମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ।
ପ୍ରାରମ୍ଭରେ ବକ୍ସିବଜାର ସମାଜ ଅଫିସ ଛକ ଓ ଗୋପବନ୍ଧୁ ଭବନ ପରିସରସ୍ଥ ରାଧାନାଥ ରଥଙ୍କ ପ୍ରତିମୂର୍ତ୍ତି ସମେତ ପଣ୍ଡିତ ଗୋପବନ୍ଧୁ ଦାସ ଏବଂ ଓଡ଼ିଶାର ପ୍ରଥମ ନିର୍ବାଚିତ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଡା. ନିରଞ୍ଜନ ତ୍ରିପାଠୀ, ଡା. ଗୁରୁପ୍ରସାଦ ମହାନ୍ତି, ଡା. ରବିରଞ୍ଜନ ସାହୁ, ଡ. ସତ୍ୟ ରାୟ, ଦେବେନ୍ଦ୍ର ସାହୁ, ଭିକାରୀ ଦାସ, ଭବାନୀ ପ୍ରସାଦ ମିଶ୍ର, ସବିର ବକ୍ସ, ଦ୍ୱୀପାୟନ ପଟ୍ଟନାୟକ, ନୃସିଂହ ଚରଣ ସାହୁ, ଆଡ୍‍ଭୋକେଟ ମହମ୍ମଦ କମରୁଲ ହୁସେନ୍‍, କେଦାରନାଥ ବେହେରା, ଭୁବନାନନ୍ଦ ମହାନ୍ତି, ଆଡ୍‍ଭୋକେଟ ମନୋରଞ୍ଜନ ପଟ୍ଟନାୟକ, ଭବାନୀପ୍ରସାଦ ମିଶ୍ର, କବି ବାହାଦୁର ପାଟ୍ଟଶାଣୀ, ଏନ୍‍. ନୀଳାଦ୍ରି ରାଓ, ସଂଜିତ ପଟ୍ଟନାୟକ, ରଞ୍ଜନକୁମାର ମହାପାତ୍ର, ଶରତଚନ୍ଦ୍ର ସାହୁ, ଆଇନଜୀବୀ ଭବାନୀ ପ୍ରସାଦ ପଣ୍ଡା, ରାଜକିଶୋର ପ୍ରଧାନ, କାଶୀନାଥ ସ୍ୱାଇଁ, ଆଡ୍‍ଭୋକେଟ ଶଶୀଭୂଷଣ ଦାସ, ସୁଆଣ୍ଡୋ ସେତୁ ସଂଗଠନ ଗୋବିନ୍ଦ ମହାପାତ୍ର, ମୁରଲୀଧର ମିଶ୍ର, ସତ୍ୟଭାନୁ ଜୟସିଂହ ଓ ଦିବାକର ନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଡ. ରାଧାନାଥ ରଥଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Comments are closed.