ରାସନ ସାମଗ୍ରୀ ବଣ୍ଟନରେ ଅନିୟମିତତା ଧରାପଡ଼ିଲା

ଆଠଗଡ଼: ଆଠଗଡ଼ ଏନଏସି ଅନ୍ତର୍ଗତ ୯ନଂ ଓ ୧୬ନଂ ୱାର୍ଡ ଅଧିନ ବୀରକିଶୋରପୁର ଓ ମୈତ୍ରୀନଗର ଅଞ୍ଚଳରେ ରାସନ ସାମଗ୍ରୀ ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ତଦନ୍ତବେଳେ ଧରାପଡ଼ିଥିବା ଜଣାପଡ଼ିଛି। ଉକ୍ତ ଦୁଇ ୱାର୍ଡରେ ଥିବା ଅନ୍ତୋଦୟ ହିତାଧିକାରୀଙ୍କୁ ମାସିକ ୩୫କେଜି ଲେଖାଏଁ ଦେବାକୁ ଥିବା ଚାଉଳ ଗତ ଅଗଷ୍ଟରୁ ଡିସେମ୍ବର ପର୍ଯ୍ୟନ୍ତ ଦିଆଯାଇନଥିବା ବହୁ ହିତାଧିକାରୀ ସୋମବାର ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ। ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ସହକାରୀ ଯୋଗାଣ ଅଧିକାରୀ ଜଗମୋହନ ଦାସ ଓ ଯୋଗାଣ ନିରୀକ୍ଷକ ମିଥୁନ ବେହେରା ବୀରକିଶୋରପୁର ଓ ମୈତ୍ରୀନଗର ଯାଇ ହିତାଧିକାରୀଙ୍କ ଘରକୁ ଘର ବୁଲି ରାସନ ସାମଗ୍ରୀ ପାଇଛନ୍ତି କି ନାହିଁ ସେ ସଂପର୍କରେ ଅନୁସନ୍ଧାନ କରିଥିଲେ। ଉକ୍ତ ଦୁଇ ୱାର୍ଡର ରାସନ ସାମଗ୍ରୀ ବଣ୍ଟନ ପାଇଁ ନିଯୁକ୍ତ ମା ମଙ୍ଗଳା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ବଣ୍ଟନ କେନ୍ଦ୍ରକୁ ଯାଇ ସେମାନଙ୍କର ଖାତା ଖତିୟାନ ଓ ପିଓଏସ୍‌‌ ମେସିନ ମଧ୍ୟ ଯାଞ୍ଚ କରିଥିଲେ। ତେବେ ବହୁ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ଠିକ୍‌‌ ଭାବରେ ବଣ୍ଟନ କରାଯାଇନଥିବା ଏବଂ ଏଥିରେ ବହୁ ଅନିୟମିତତା ହୋଇଥିବା ଅନୁସନ୍ଧାନରୁ ଜଣାପଡ଼ିଥିଲା। ତଦନ୍ତ ପରେ ଅନିୟମିତତା ହୋଇଥିବା ଜଣାପଡ଼ିବା ପରେ ଯୋଗାଣ ଅଧିକାରୀ ଏ ସଂପର୍କରେ ଉପଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଥିବା ଜଣାପଡ଼ିଛି।

ସଂପୃକ୍ତ ଦୁଇ ୱାର୍ଡର ବହୁ ହିତାଧିକାରୀ ପୂର୍ବରୁ ଅଭିଯୋଗ କରିଆସୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ସେମାନଙ୍କ ଅଭିଯୋଗକୁ ଅଣଦେଖା କରିଆସୁଥିଲେ। ଏଠାରେ କାର୍ଯ୍ୟରତ ସହକାରୀ ଯୋଗାଣ ଅଧିକାରୀ ତାଙ୍କ ଦାୟିତ୍ୱ ଠିକ୍‌‌ ଭାବରେ ନିର୍ବାହ କରୁନଥିବା ଏବଂ ଏଠାରେ ୧ବର୍ଷରୁ ଉର୍ଦ୍ଧ ସମୟ କାର୍ଯ୍ୟରତ ଥିଲେ ମଧ୍ୟ କେବେବି ଆଠଗଡ଼ ବ୍ଲକ ଓ ଏନଏସି ଅଞ୍ଚଳ ସମେତ ଉପଖଣ୍ଡର ଅନ୍ୟ ବ୍ଲକ ଅଞ୍ଚଳକୁ ପରିଦର୍ଶନରେ ଯାଉନଥିବା ଅଥବା ବଣ୍ଟନ ଦାୟିତ୍ୱରେ ଥିବା ଡିଲରଙ୍କ ରାସନ ବଣ୍ଟନ କେନ୍ଦ୍ରକୁ ପରିଦର୍ଶନ କରିନଥିବା ଅଭିଯୋଗ ହେଉଛି। ଫଳରେ ଆଠଗଡ଼ ସମେତ ଉପଖଣ୍ଡର ଅନ୍ୟ ୩ଟି ବ୍ଲକରେ ରାସନ ସାମଗ୍ରୀ ବଣ୍ଟନରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଆସୁଛି। ରାସନ ଡିଲରମାନେ ଅଧିକାଂଶ ସ୍ଥାନରେ ମାଗଣା ଚାଉଳ ଦେଇ ୧ ଟଙ୍କିଆ ଚାଉଳ ହିତାଧିକାରୀଙ୍କୁ ନଦେଇ ଆତ୍ମସାତ୍‌‌ କରୁଥିବା ଅଭିଯୋଗ ହେଉଛି। ଆଠଗଡ଼ ବ୍ଲକର ଖୁଣ୍ଟୁଣୀ ଓ ମହାକାଳବସ୍ତରେ ଏହିପରି ଅଭିଯୋଗ ହୋଇଥିଲା। ଠିକ୍‌‌ ଭାବରେ ନିଜର ଦାୟିତ୍ୱ ନିର୍ବାହ କରୁନଥିବା ଯୋଗାଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବିଭିନ୍ନ ମହଲରେ ଦାବି ହେଉଛି।

Comments are closed.