ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ସହ କଥା ହେଲେ ଡକ୍ଟର ହର୍ଷବର୍ଦ୍ଧନ

ସମାଜ ପୋର୍ଟାଲ ଡେସ୍କ: କୋଭିଡ୍‍-ନାଇଣ୍ଟିନ୍‍ ସ୍ଥିତି ନେଇ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ସହ ଭିଡ଼ିଓ କନ୍‍ଫରେନ୍‍ସିଂ ମାଧ୍ୟମରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ସମୀକ୍ଷା କରିଛନ୍ତି। ଏଥିରେ ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ୍‍, ନାଗାଲ୍ୟାଣ୍ଡ, ତ୍ରିପୁରା ଓ ସିକ୍କିମ୍‍ ସାମିଲ୍‍ ହୋଇଥିଲେ। ଉତ୍ତର-ପୂର୍ବାଞ୍ଚଳର ଅଧିକାଂଶ ଅଞ୍ଚଳ ଗ୍ରୀନ୍‍ ଜୋନରେ ରହିବା ଅତ୍ୟନ୍ତ ଉତ୍ସାହପ୍ରଦ ବୋଲି ମନ୍ତ୍ରୀ କହିଛନ୍ତି। ଅଦ୍ୟାବଧି ଆସାମ ଓ ତ୍ରିପୁରାରେ କୋଭିଡ୍‍-୧୯ ସକ୍ରିୟ ଥିବାବେଳେ ଅନ୍ୟାନ୍ୟ ରାଜ୍ୟଗୁଡ଼ିକ ଗ୍ରୀନ୍‍ ଜୋନ୍‍ ମଧ୍ୟରେ ରହିଛି। ଏଭଳି ସ୍ଥଳେ ଯେଉଁସବୁ ଅଞ୍ଚଳ ଅରେଞ୍ଚ୍‍ ଜୋନ୍‍ ମଧ୍ୟରେ ରହିଛି, ସେଗୁଡ଼ିକୁ ତୁରନ୍ତ ଗ୍ରୀନ୍‍ ଜୋନରେ ପରିରତ କରିବା ଲାଗି ସମସ୍ତେ ଉଦ୍ୟମ କରିବା ଉଚିତ ବୋଲି ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି। ସେଥିଲାଗି ପ୍ରବାସୀ ଶ୍ରମିକ, ଛାତ୍ରଛାତ୍ରୀ ଏବଂ ଯେଉର୍ମାନେ ବିଦେଶରୁ ଫେରୁଛନ୍ତି, ସେମାନଙ୍କ ସ୍କ୍ରିନିଂ କରାଯିବା ସହ ଆବଶ୍ୟକ ସ୍ଥଳେ କୋଭିଡ୍‍-୧୯ ନିୟମାବଳୀ ଅନୁଯାୟୀ କ୍ୱାରେଣ୍ଟାଇନ୍‍ ବ୍ୟବସ୍ଥା କରିବା ସକାଶେ ରାଜ୍ୟଗୁଡ଼ିକ ସୁନିଶ୍ଚିତ କରିବା ଲାଗି ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଏହି ଅବସରରେ ସେ ଆରୋଗ୍ୟ ସେତୁ ଆପ୍‍ ଡାଉନଲୋଡ଼ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଫଳରେ ଏହାଦ୍ୱାରା କୋଭିଡ୍‍-୧୯ ସଂକ୍ରାନ୍ତ କଣ୍ଟାକ୍ଟ ଟ୍ରେସି ଓ ସ୍ଥିତି ନିରୀକ୍ଷଣ କରାଯିବା ସହ ଲୋକେ ଆତ୍ମ ସ୍ୱାସ୍ଥ୍ୟ ନିର୍ଦ୍ଦାରଣ କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହିତ ସ୍ୱତନ୍ତ୍ର କୋଭିଡ୍‍-୧୯ ହସ୍ପିଟାଲ୍‍, କୋଭିଡ୍‍ ସ୍ୱାସ୍ଥ୍ୟକେନ୍ଦ୍ର ଓ କେୟାର୍‍ ସେଣ୍ଟର ଆଦି ବିଷୟରେ ସର୍ବସାଧାରଣରେ ଜଣାଇବା ଲାଗି ବ୍ୟବସ୍ଥା କରିବା ଉପରେ ରାଜ୍ୟଗୁଡ଼ିକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରିବା ଲାଗି ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପାଣ୍ଠି ଆବଣ୍ଟନ କରାଯାଇଛି। ଡକ୍ଟର ହର୍ଷବର୍ଦ୍ଧନ ଆହୁରି କହିଛନ୍ତି, ଯେଉଁ ରାଜ୍ୟଗୁଡ଼ିକ ଅନ୍ତର୍ଜାତୀୟ ସୀମାକୁ ଲାଗିଛି, ସେସବୁ ରାଜ୍ୟଗୁଡ଼ିକୁ ପ୍ରବେଶ କରୁଥିବା ବ୍ୟକ୍ତିଙ୍କ ଉପଯୁକ୍ତ ସ୍କ୍ରିନିଂ କରାଯିବା ନିତାନ୍ତ ଜରୁରୀ। ହେଲ୍‍ଥ୍‍ ମିନିଷ୍ଟ୍ରି – ଡିସ୍‍ଚାର୍ଜ ପଲିସି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କୋଭିଡ୍‍-୧୯ ସଂକ୍ରମିତମାନଙ୍କୁ ଅନ୍ୟତ୍ର ପଠାଯିବା ସଂକ୍ରାନ୍ତରେ ସଂଶୋଧିତ ନିୟମାବଳୀ ଜାରି କରିଛି।

ନୂଆ ନୀତି ଅନୁସାରେ ସାମାନ୍ୟ ଲକ୍ଷଣ ଥିବା ଓ ସାମାନ୍ୟ ରୋଗଗ୍ରସ୍ତ ବ୍ୟକ୍ତିମାନଙ୍କୁ କୋଭିଡ୍‍-୧୯ ପରୀକ୍ଷା ବିନା ଛଡ଼ାଯାଇ ପାରିବ। ସାମାନ୍ୟ ଲକ୍ଷଣ ଥିବା କିମ୍ବା କୋଭିଡ୍‍-୧୯ର ପ୍ରାକ୍‍ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ କୋଭିଡ୍‍ କେୟାର କେନ୍ଦ୍ରଗୁଡ଼ିକରେ ଭର୍ତ୍ତି କରାଯିବ ଓ ସେମାନଙ୍କର ଶରୀରର ତାପମାତ୍ରା ଓ ପଲ୍‍ସ ଅକ୍ସିମେଟ୍ରିର ନିୟମିତ ଯାଞ୍ଚ କରାଯିବ। ଦଶଦିନ ପରେ ଯଦି ସେମାନଙ୍କ ଶରୀରରେ ଜ୍ୱର ଆସିନଥିବ, ତା’ହେଲେ ସେମାନଙ୍କୁ ଛଡ଼ାଯିବ। ଛଡ଼ାଯିବା ପୂର୍ବରୁ କୌଣସି ପରୀକ୍ଷା କରାଯିବ ନାହିଁ। ରୋଗୀମାନଙ୍କୁ ୭ ଦିନ ପର୍ଯ୍ୟନ୍ତ ଗୃହ ମଧ୍ୟରେ ଅଲଗା ହୋଇରହିବା ପାଇଁ ପରାମର୍ଶ ଦିଆଯାଇଛି। ସେମାନେ ଯଦି ଜ୍ୱର , କାଶ କିମ୍ବା ଶ୍ୱାସପ୍ରଶ୍ୱାସରେ ଅସୁବିଧା ଅନୁଭବ କରିବେ ତେବେ ୧୦୭୫ ନମ୍ବରକୁ ଡାଏଲ୍‍ କରି କୋଭିଡ୍‍ କେୟାର ସେଣ୍ଟର ସହ ସଂପର୍କ କରାଯିବ। ସଂଶୋଧିତ ନୀତି ଅନୁସାରେ ଅଳ୍ପ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କର ଶାରୀରିକ ତାପମାତ୍ରା ଓ ଅମ୍ଳଜାନ ଗ୍ରହଣ କରିବା ଅବସ୍ଥାର ଯାଞ୍ଚ କରାଯିବ। ୩ ଦିନ ଭିତରେ ଯଦି ଜଣେ ବ୍ୟକ୍ତିଙ୍କର ଜ୍ୱର କମିଗଲା ଓ ଅମ୍ଲଜାନ ଗ୍ରହଣ କ୍ଷମତା ୪ ଦିନ ପର୍ଯ୍ୟନ୍ତ ଶତକଡ଼ା ୯୫ ଭାଗରୁ ଅଧିକ ରହିଲା ତେବେ ସେହିଭଳି ରୋଗୀମାନଙ୍କୁ ୧୦ ଦିନ ପରେ ଛଡ଼ାଯାଇ ପାରିବ। ତେବେ ଏହା ପୂର୍ବରୁ ସେମାନଙ୍କର ଜ୍ୱର କିମ୍ବା ଶ୍ୱାସପ୍ରଶ୍ୱାସରେ ଅସୁବିଧା ନହେଉଥିବାକୁ ସୁନିଶ୍ଚିତ କରାଯିବ। ଯେଉଁ ଲୋକମାନଙ୍କର ତିନିଦିନ ମଧ୍ୟରେ ଜ୍ୱର କମୁନଥିବ ଓ ଅକ୍ସିଜେନ୍‍ ଦିଆଯାଉଥିବ, ସେମାନଙ୍କ ଶରୀରରେ ଉନ୍ନତି ପରିଲକ୍ଷିତ ହେବା ପରେ ଯାଇ ସେମାନଙ୍କୁ ଛଡ଼ାଯିବ।

Comments are closed.